Unknown

 

 

 

 

 

 

 

 

 

 

 

ଅଗଣିତ କ୍ଷୁଧା ସଂପର୍କରେ

ବ୍ରଜମୋହନ ମହାନ୍ତି

 

 

 

 

କ୍ଷୁଧା ଅଗିଣତ । କ୍ଷୁଧା ପ୍ରେମର, କ୍ଷୁଧା ଜୀବନର, କ୍ଷୁଧା ଅଭାବ ଅନାଟନର, କ୍ଷୁଧା ଭେଜାଲ୍ ଦୁନିଆର ।

 

ଯେଉଁମାନେ ଏଇ କ୍ଷୁଧା ବହ୍ନିରେ ଦିବାପତ୍ର ଦଗ୍‍ଧିଭୂତ, ସେହି ଅଗଣିତ କ୍ଷୁଧିତ ଜନତାଙ୍କ ହାତରେ ।

 

ବ୍ରଜମୋହନ

 

ଇନ୍ଦ୍ରଦେବ !

 

ବହୁ ଆଶା ଆଉ ଭରସା ନେଇ ମୁଁ ଆସିଛି ଇନ୍ଦ୍ରଦେବ । ଶୁଣିଛି, ନାରୀମାନଙ୍କ ଆବେଦନ କେବେ ବିଫଳ ହୁଏନା । ତୁମେ କ’ଣ ମୋର ଅନୁରୋଧ ରକ୍ଷାକରିବ ନାହିଁ ?

 

କୁହନ୍ତୁ ନା ଅହଲ୍ୟାଦେବୀ, ଶିଳ୍ପୀ ଇନ୍ଦ୍ରଦେବ ବର୍ମାର ଯଦି କିଛି କରିବାର ଥିବ, ସେ ନିଶ୍ଚୟ କରିବ ।

 

ବୀର ରାମଚନ୍ଦ୍ରଙ୍କର ପବିତ୍ର ପାଦର ସ୍ପର୍ଶରେ କୋମଳ–ନାରୀତ୍ୱକୁ ସ୍ୱାଗତ ନ କରି, କାମୁକ ଇନ୍ଦ୍ରଦେବଙ୍କର ଜ୍ୱଳାମୟୀ ଅଭିଳାଷ ଭିତରେ ଅହଲ୍ୟା ପାଷାଣୀ ହୋଇଯିବାକୁ ଚାହେଁ ଇନ୍ଦ୍ରଦେବ । କେବଳ ସେଇଥିପାଇଁ, ତା’ର ଦରକାର ମାତ୍ର ଟିକେ ସାହରା !

 

କଥା କହୁଁ କହୁଁ ତନୁଶ୍ରୀ ଅହଲ୍ୟାଙ୍କର ତନୁତୀର୍ଥକୁ ଧୋଇ ଧୋଇ ବହି ଆସିଲା ଦୁଇଧାର ଲୁହ ।

 

ଜଗତରେ ଶିଳ୍ପୀଗୁଡ଼ାକ ତ ବଡ଼ ଦରଦୀ । ଇନ୍ଦ୍ରଦେବ ଅବା ଅହଲ୍ୟାଙ୍କର କଠୋର ଆତ୍ମନିବେଦନକୁ ସହନ୍ତେ କିପରି । ସମବେଦନାର ଆଖିତୋଳି କହିଲେ–ବ୍ୟସ୍ତ କାହିଁକି ହେଉଛ ଅହଲ୍ୟାଦେବୀ–କୁହନା ମୁଁ କ’ଣ କରି ପାରିବି ?

 

ପାରିବ ଇନ୍ଦ୍ରଦେବ ? ଗୋଟିଏ ଝରା ଗଙ୍ଗଶିଉଳୀ ଓ ଆଉ ଗୋଟିଏ ଆଦରହୀନା ବଣମଲ୍ଲୀର ବାସନାକୁ ତୁମେ, ତୁମର ତୂଳୀମୁନରେ ବାନ୍ଧିରଖି ପାରିବ ?

 

ତୁମ କଥାଗୁଡ଼ିକୁ ବୁଝିବା ମୋ ନିକଟରେ ଅବୋଧ୍ୟ ମନେ ହେଉଛି ଅହଲ୍ୟାଦେବୀ ।

 

ତେବେ ମଣିଷ ମନକୁ ବୁଝିବା କେଡ଼େ ଅବୋଧ୍ୟରୁ ଅବୋଧ୍ୟତର ତୁମେ ନିଜେ ଚିନ୍ତାକର ଶିଳ୍ପୀ ।

 

ବୁଝିଛି ଅହଲ୍ୟାଦେବୀ ! ହେଲେ କୁହ–ମୋତେ କ’ଣ କରିବାକୁ ପଡ଼ିବ ?

 

ରଙ୍ଗୀନ ବ୍ଲାଉଜ ଭିତରେ ଯତ୍ନରେ ଛପାଇ ରଖିଥିବା ଗୋଟିଏ ପାଶ୍‍ ପୋର୍ଟ ସାଇଜର ଫଟୋ ବାହାରକଲେ ଅହଲ୍ୟା । ଶିଳ୍ପୀ ଇନ୍ଦ୍ରଦେବ ବର୍ମା ସେତେବେଳେ ଅନୁସନ୍ଧିତ୍ସୁ ଆଖିରେ ଫଟୋଟି ଆଡ଼େ ମନୋନିବେଶ କରି ନ ଥିଲେ–ମନୋନିବେଶ କରିଥିଲେ, ଅହଲ୍ୟାଙ୍କର ବ୍ଲାଉଜ ସନ୍ଧିରୁ ଝରିପଡ଼ୁଥିବା ସୁଷମାକୁ ଆଘ୍ରାଣ କରିବାରେ ।

 

ସ୍ରୋତସ୍ୱିନୀ ଅହଲ୍ୟା ଦ୍ରୁତଗତିରେ ବହିବାକୁ ଆରମ୍ଭ କରିବା ଭଳି କହିଲେ–ଜୀବନରେ କେବେ ମୁଁ କାହାକୁ ଅନୁରୋଧ କରି ନଥିଲି ଇନ୍ଦ୍ରଦେବ ! ଏଇ ମୋର ପ୍ରଥମ ଅନୁରୋଧ । ପାରିବ ଏତକ ରକ୍ଷାକରି ?

 

ଅହଲ୍ୟାଙ୍କର ଲୋଭନୀୟ ମାଂସପେଶୀ ଉପରୁ ଶିଳ୍ପୀ ଇନ୍ଦ୍ରଦେବଙ୍କ ଭୋକିଲା ତୂଳୀଟି ଖସିପଡ଼ିଲା । ପାପର ଜ୍ୱାଳାରେ ମଣିଷ ମ୍ରିୟମାଣ ହୋଇପଡ଼ିବା ପରି କହିଲେ–ଥରେ ତ କହିଛି, ନିଶ୍ଚୟ ଚେଷ୍ଟା କରିବି ।

 

ଏଥର ଅହଲ୍ୟାଙ୍କର ଉତ୍ସାହ, ଉଦ୍ଦୀପନା ଦ୍ୱିଗୁଣିତ ହୋଇ ବଢ଼ିଯିବାକୁ ଲାଗିଲା । ଫଟୋ ଆଡ଼େ ଆଉ ଥରେ ଆଖିବୁଲାଇ ନେଇ କହିଲେ–ଏ ଫଟୋର ମଣିଷଟିକୁ ତୁମେ ଚିହ୍ନିଛ ଶିଳ୍ପୀ ?

 

ଫଟୋଟିକୁ ଚାହିଁବାକୁ ଏପର୍ଯ୍ୟନ୍ତ ଶିଳ୍ପୀ ଇନ୍ଦ୍ରଦେବଙ୍କର ଅବସର ନ ଥିଲା । ସେ କେବଳ ତନୁଶ୍ରୀ ଅହଲ୍ୟାଙ୍କର ତନୁତୀର୍ଥରୁ ଖୋଜୁଥିଲେ ପବିତ୍ର ଗଙ୍ଗାଜଳର ଲାବଣ୍ୟ । ଫଟୋଟି ଆଡ଼େ ଚାହିଁଦେଇ ଚମକି ଉଠିଲେ ଇନ୍ଦ୍ରଦେବ । କପାଳର ରେଖାଗୁଡ଼ିକ କୁଞ୍ଚିତ ହୋଇ ଆସିଲା । ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଅହଲ୍ୟାଙ୍କ ଆଡ଼କୁ ଚାହିଁ ଇନ୍ଦ୍ରଦେବ କହିଲେ–କ୍ଷମା କରିବ ଅହଲ୍ୟାଦେବୀ-! ପରିଚିତ ଲୋକକୁ ଅସ୍ୱୀକାର କରିବାର ଜୁ ମୋର ନାହିଁ । ହେଲେ....

 

ନା....ନା....ମୋତେ ଆଉ ଅଧିକ କିଛି ପଚାରନି ଶିଳ୍ପୀ । ମୁଁ ଚାହେଁ....

 

କୁହ... ନିଃସଙ୍କୋଚରେ କୁହ ଅହଲ୍ୟାଦେବୀ ।

 

ଏ ପୃଥବୀର ଚଲାପଥରେ ବହୁ ମଣିଷ ଆସନ୍ତି ଆଉ ଯାଆନ୍ତି । ହେଲେ ମୋ ଜୀବନ ପଥରେ ମାତ୍ର ଗୋଟିଏ ମଣିଷ ଆସିଥିଲା । ସେ ପୁଣି ଯାଇଛି । କିନ୍ତୁ ତାର ଯିବାକୁ ମୁଁ ମୋଟେ ସ୍ୱୀକାର କରି ପାରୁନି । ତୁମେ କୁହ ଶିଳ୍ପୀ । ଅସମୟରେ, ଅବେଳରେ ଯଦି କେହି ଚାଲିଯାଏ, ତେବେ କ’ଣ ତା’ର ଯିବାକୁ ସ୍ୱାଗତ କରିହୁଏ ?

 

ଇନ୍ଦ୍ରଦେବ ସାମାନ୍ୟ ଝୁଲିପଡ଼ି କହିଲେ–ହେଲେ ଯିଏ ଯାଏ, ସେତ ଆଉ ଫେରି ଆସି ପାରେନା ।

 

ତୁମେ ଭୁଲ କହୁଛ ଇନ୍ଦ୍ରଦେବ । ସେ ଫେରି ଆସିପାରେ । ହେଲେ ଆମେ ତାକୁ ଫେରାଇ ଆଣି ପାରୁନା । ତା’ ହେଲେ ସତ କହ ଶିଳ୍ପୀ ? ତୁମେ କ’ଣ ତୁମ ତୂଳୀ ବଳରେ ତାଙ୍କୁ ଠିକ୍ ଜୀବନ୍ତ କରି ଫେରାଇ ଆଣି ପାରବନି ? ଲୋକ ମୁଖରୁ ଶୁଣିଲି–ତୁମେ ତୂଳୀମୁନରେ ଭାଷା ଫୁଟାଇ ପାର । ତେବେ ଏ ସବୁ କ’ଣ ମିଛ ?

 

ମିଛ ନୁହେଁ ଅହଲ୍ୟା ଦେବୀ । ତୂଳୀ ଦେହର ରଙ୍ଗ ଆଉ ମାଂସ ଦେହର ରକ୍ତ ଭିତରେ ଥିବା ପାର୍ଥକ୍ୟକୁ ତୁମ ଅବଚେତନ ମନ ଭୁଲି ଯାଇଛି । ତୁମ ମନ ମଣିଷକୁ ରୂପ ଦେବାକୁ ମୁଁ ଚେଷ୍ଟାକରିବି ଅହଲ୍ୟାଦେବୀ । ମୋତେ କିଛିଦିନ ସମୟ ଦିଅ ।

 

ଆନନ୍ଦ ଆତିଶଯ୍ୟରେ ଉଠିପଡ଼ୁ ପଡ଼ୁ ଅହଲ୍ୟା କହିଲେ–ସମୟ ଦେବାରେ ମୋର ଆପତ୍ତି ନାହିଁ ଶିଳ୍ପୀ ! ପୁଣି ପାରିତୋଷିକ ମଧ୍ୟ କିଛି କମ୍ ମିଳିବ ନାହିଁ । ତୁମେତ ତାଙ୍କ ସହିତ ମିଶିଛ, ବୁଲିଛ, ଖେଳିଛ, ତାଙ୍କ ଚରିତ୍ରକୁ ପଢ଼ିଛ, ଆଉ ପଢ଼ାଇଛ, ଚିତ୍ରଟି ଦେହରେ ଠିକ୍ ସେହି ଗୁଡ଼ିକର ପ୍ରତିଫଳନ କରାଇବ ଇନ୍ଦ୍ରଦେବ । ତା’ହେଲେ ଅନ୍ତତଃ ତାଙ୍କ ଆତ୍ମାର ସଦ୍‍ଗତି ସହିତ ମୋତେ ପରିତୃପ୍ତି ମିଳିବ । କଥା କହୁଁ କହୁଁ ପୁଣି କଇଁ କଇଁ ହୋଇ କାନ୍ଦିଉଠିଲେ ଅହଲ୍ୟାଦେବୀ ।

 

ଆତ୍ମବିସ୍ମୃତ ହୋଇ ଇନ୍ଦ୍ରଦେବ କହିଲେ–ତୁମେ କାନ୍ଦୁଛ କାହିଁକି ଅହଲ୍ୟାଦେବୀ ? ମୁଁ ତ ଜବାବ୍ ଦେଲି, ଆପ୍ରାଣ ଚେଷ୍ଟାକରି ତୁମ ମନରେ ମଣିଷକୁ ରୂପଦେବି ।

 

ସେହି କାନ୍ଦଭିତରୁ ମଧ୍ୟ ହସର ରେଖା ଟାଣି ଅହଲ୍ୟାଦେବୀ କହିଲେ–ତୁମେ ବୁଝିପାରିବନି ଶିଳ୍ପୀ ! ଏହି କାନ୍ଦ ଭିତରୁ ମୋତେ କେତେ ଆନନ୍ଦ ମିଳେ । କାନ୍ଦି କାନ୍ଦି ଯେତେବେଳେ ଆଖିର ଶେଷ ଅଶ୍ରୁ ବିନ୍ଦୁଟି ଖସିପଡ଼େ, ସେତେବେଳେ ମୋତେ ସବୁଠାରୁ ବେଶୀ ଆନନ୍ଦ । କାନ୍ଦର ଶେଷରୁ ନିଶ୍ଚୟ ଆନନ୍ଦର ଆରମ୍ଭ, ଆଉ ଆନନ୍ଦର ଶେଷରୁ ନିଶ୍ଚୟ କାନ୍ଦର ଆରମ୍ଭ । ତୁମେ କ’ଣ ଏହାକୁ ମିଛ ବୋଲି କହିବ ?

 

ମିଛ ଯାହାର ଜୀବନର ଅବାରିତ ଉପାଦାନ, ତାହାର ସତ ସହିତ ସମ୍ପର୍କ କାହିଁ ଅହଲ୍ୟାଦେବୀ ! ଶିଳ୍ପୀ ଜୀବନ କେବଳ ମିଛରେ ଗଢ଼ା । ତୂଳୀ ଆଉ ରଙ୍ଗର ଆଘାତରେ ସେ ଅବାସ୍ତବ ବସ୍ତୁକୁ ବାସ୍ତବ କରିବାକୁ ଚେଷ୍ଟାକରେ । ତୁମ ଦର୍ଶନ ମଧ୍ୟ ଆମ ନିକଟରେ ପ୍ରଯୁଜ୍ୟ ହୋଇପାରେ ଅହଲ୍ୟାଦେବୀ । କାରଣ ତୂଳୀ ଯେତେବେଳେ ଅବାସ୍ତବର ଶେଷସୀମାରେ ପହଞ୍ଚେ–ସେତେବେଳେ ଦର୍ଶକ ମନରେ ବାସ୍ତବର ଭ୍ରମତୋଳି ଭରିଦିଏ ଅପାର ଆନନ୍ଦ ।

 

ଅହଲ୍ୟାଦେବୀ ଆଉ ସମୟ ନଷ୍ଟ ନକରି ଉଠି ପଡ଼ୁ ପଡ଼ୁ କହିଲେ–ବେଶ୍, ତୁମରି ତୂଳୀକୁ ଅପେକ୍ଷା କରି ମୁଁ ରହିଲି ଶିଳ୍ପୀ, ଯେପରି ଶୀଘ୍ର ମୋର ଅନୁରୋଧ ରକ୍ଷାକର ।

 

ଇନ୍ଦ୍ରଦେବ ଆଉ କଣ କହିବାକୁ ଉପକ୍ରମ କରୁଥିଲେ । ହେଲେ ପାଟିରୁ କଥା ବାହାରିବା ଆଗରୁ ଅହଲ୍ୟା ରାସ୍ତାଉପରକୁ ଓହ୍ଲାଇ ଯାଇ, ମିଶିଯାଇଥିଲେ ଜନଗହଳି ମଧ୍ୟରେ । କହିବା କଥା ଅକୁହା ହୋଇ ମନଭିତରେ ରହିଗଲା । କେତେ କଥା ଚିନ୍ତାକଲେ ଇନ୍ଦ୍ରଦେବ । ଅହଲ୍ୟା ଏ ଚିତ୍ରଟି ଆଡ଼େ କାହିଁକି ଏତେ ଆକୃଷ୍ଟ ? ପ୍ରେମରେ..... ?

 

ପ୍ରେମ....ବିଗତ ଶତାବ୍ଦୀର ଗୋଟିଏ ଅବାସ୍ତବ ଥିଓରୀ । ଏହାର ବାଖ୍ୟା କେବଳ ମୁଖସ୍ତ କରିହୁଏ, ହେଲେ ହୃଦୟଙ୍ଗମ କରିହୁଏନି । ଶିଳ୍ପୀ ଇନ୍ଦ୍ରଦେବହିଁ ପ୍ରେମକୁ ଏଇ ଦୃଷ୍ଟିରୁ ବିଚାର କରନ୍ତି । ବର୍ଷ ବର୍ଷ ଧରି ନିଜକୁ ଶିଳ୍ପଶାସ୍ତ୍ରରେ ନିମଜ୍ଜିତ କରିଥିଲେ ମଧ୍ୟ ସେ କେବେ ପ୍ରେମର ବାସ୍ନା ଆଘ୍ରାଣ କରିନାହାନ୍ତି । ତାଙ୍କ ମତରେ ଦେହର ଗନ୍ଧହିଁ ପ୍ରେମ । ଦେହର ବିଲୋପରେ ପ୍ରେମର ବିଲୋପ । ଯେଉଁ ମଣିଷ ନିକଟରେ ମାଂସର ଗନ୍ଧ ଯେତେ ପ୍ରବଳ, ସେ ମଣିଷ ପାଖରେ ପ୍ରେମ ସେତେ ବଳିଷ୍ଠ । ପୀନ ପୟୋଧର ପରିସରମର୍ଦ୍ଦନ କରିବାର ଅଭିଳାଷ, ଯେବେ ପ୍ରେମରାଜ କୃଷ୍ଣଙ୍କ ଅନ୍ତରାଳରେ ନଥାନ୍ତା–ତେବେ ହୁଏତ ରାଧାଧର୍ମ ବା ପ୍ରେମଧର୍ମର ପ୍ରତିଷ୍ଠା ହୋଇ ନଥାନ୍ତା-

 

ଶିଳ୍ପୀ ଇନ୍ଦ୍ରଦେବଙ୍କର ଷ୍ଟୁଡ଼ିଓରୁ ଫେରି ଅହଲ୍ୟା ସିଧାସଳଖ ନିଜର ଦୋମହଲା ଶୋଇବା କୋଠରିକୁ ପଶିଯାଉଥିଲେ । ମନରେ ଆବେଗ ନଥିଲା.... ଛାତିରେ ଉଦ୍ଦୀପନା ନଥିଲା, ଥିଲା କେବଳ ବଞ୍ଚିରହିବାର ଗୋଟିଏ ଆଦିମ ମୋହ ।

 

ପଛରୁ ଡାକିଲେ ରୀତାଦେବୀ ।

 

ଅରୁ ! ଆଜି କ’ଣ ତୁ ଖାଇବୁ ନାହିଁ ମାଆ । କେଉଁ ସକାଳୁ କୁଆଡ଼େ ଯାଇଥିଲୁ ଯେ ଫେରୁଛୁ ଏତେବେଳେ । ଦେଖ୍ ମାଆ, ତୋ ବୋଉର ଆଖିରେ ତୁ କ’ଣ ଲୁହ ଦେଖିଲେ ଖୁସିହେବୁ-?

 

ବାପ ମା’ ମାନଙ୍କର ଅଳି ଯୁଗ ଯୁଗ ଧରି ସନ୍ତାନ ସନ୍ତତିଙ୍କ ନିକଟରେ ନିବିଡ଼ । ଯୁଗର ଚୋପା ଛାଡ଼ିଛି । ଖଡ଼ୁ–ଶଙ୍ଖା ହାତ ଓ୍ୱେଷ୍ଟଇଣ୍ଡ ରିଷ୍ଟଓ୍ୱାଚ୍ ପୂରଣ କରିଛି । ହେଲେ ଝିଅକୁ ମାଆ ‘ମାଆ’ ଡାକିବାର ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । ଅହଲ୍ୟା ଆଧୁନିକା ହେଲେ ମଧ୍ୟ ଭାରତୀୟା । ତାଙ୍କ ନିକଟରେ ମାଆର ଅଭିଯୋଗ ପୂର୍ଣ୍ଣ ଆବେଦନ ଅବା ଅର୍ଥହୀନ ହୁଅନ୍ତା କେମିତି ?

 

ଦୋମହଲା ଶିଢ଼ିର ମଝି ପାହାଚ ଉପରେ ଅଟକିଯାଇ ଅହଲ୍ୟା କହିଲେ–ତୁମେ ମଣିଂ ଟିଫିନ୍‍ଟା ଖାଇନିଅ ମାମି, ମୋ ଦେହ ଭଲଲାଗୁନାହିଁ, ମୁଁ ଆଜି କିଛି ଖାଇବି ନାହିଁ ।

 

ଏତିକି କଥାରେ କ’ଣ ମାଆ ମନ ପରିତୃପ୍ତ ହୁଏ । ବଳେଇ ବଳେଇ ଗେଞ୍ଜି ଦୁଇଗଣ୍ଡା ଖୋଇବା ଯେଉଁ ଜାତିର ଇତିହାସ, ରୀତାଦେବୀ ସେହି ଜାତିର ମାଆ । ତାଙ୍କ ନିକଟରେ ଅହଲ୍ୟାର ଆପତ୍ତି କେବଳ ଗୋଟାଏ ଫାଙ୍କା ଆତ୍ମନିବେଦନ ।

 

କଥା କହୁଁ କହୁଁ ଅହଲ୍ୟାଙ୍କ ପର୍ଯ୍ୟନ୍ତ ଆଗେଇ ଯାଇଥିଲେ ରୀତାଦେବୀ । ପିଠିରେ ଦୁଇଥର ହାତ ବୁଲାଇଆଣି କହିଲେ–ମୁଁ ମରିଯାଏଁ ଟି ଅରୁ, ଆ....ମୋ ସାଙ୍ଗରେ ଦି’ଖଣ୍ଡ ବିସ୍କୁଟ ଖାଇନେବୁ ।

 

ସାମାନ୍ୟ ଟିକେ ଦୃଢ଼ତା ଦେଖାଇ ପ୍ରତିବାଦ କରିଉଠିଲେ ଅହଲ୍ୟା–ଦେଖ ମାମି, ମୁଁ ମନାକଲାବେଳେ ତୁମେ ମୋଟେ ମୋତେ ଖାଇବାକୁ ବାଧ୍ୟ କରିବ ନାହିଁ ।

 

ରୀତାଦେବୀଙ୍କର ପ୍ରାଣରେ କଥାଟା ଚାଉଁକରି ଲାଗିଗଲା–ଚିହିଁଙ୍କି ଉଠି କହିଲେ–ତେବେ କ’ଣ ତୁ ଚାହୁଁ ମୁଁ ତୋପାଇଁ ଝୁରି ଝୁରି ମରେ ଅରୁ ।

 

କେଉଁ ଝିଅ ଅବା ମାଆକୁ ଏ କଥାରେ ସମର୍ଥନ କରିବ ?

 

ହଠାତ୍ କଇଁ କଇଁ ହୋଇ କାନ୍ଦିଉଠି ଅହଲ୍ୟା କହିଲେ–ମୋତେ ଉପବାସ ରହିବାକୁ ଖୁବ୍ ଆନନ୍ଦ ଲାଗୁଛି ମାମି, ଯେଉଁଦିନ ପୂରାମାତ୍ରାରେ ଖାଇବା ଛାଡ଼ିଦେବି, ସେ ଦିନ ନିଶ୍ଚୟ ଏ ପ୍ରକୃତିକୁ, ମଣିଷ ସମାଜକୁ, ଜିତିଯିବି । ପ୍ରତ୍ୟେକ ଦେବତାଙ୍କ ପାଇଁ ଉଦ୍ଦିଷ୍ଟ ଉପାସନାରେ ପରା ଉପବାସହିଁ ପ୍ରଥମ । ତେବେ ମୋର ମନ ଦେବତା କ’ଣ ଏ ଉପବାସରେ ଆନନ୍ଦିତ ହେବେ ନାହିଁ-?

 

ରୀତାଦେବୀ ଆଉ ଠିଆ ହୋଇ ରହିପାରିଲେ ନାହିଁ । ଶିଢ଼ିର ବାଡ଼ା ଦେହରେ ମୁଣ୍ଡଟାକୁ ଠୋ ଠୋ ବାଡ଼େଇ ଦେଇ କହିଲେ–ମୁଁ ମରିଯିବି, ମୁଁ ମରିଯିବି, ଅରୁ ! ତୋ ମା’ ପାଇଁ ତ’ ପୁଣି ତୋର କିଛି କର୍ତ୍ତବ୍ୟ ଅଛି ।

 

ଜନନୀର ଠିକ୍ ଏଇ ଆବେଦନ ନିକଟରେ ଆଧୁନିକ ଓ ପୁରାତନର ଦ୍ୱନ୍ଦ୍ୱ ଲାଗେ । ବସ୍ତୁବାଦୀ ଦୁନିଆର ଆଧୁନିକ ରକ୍ତ ପରିବାରର ଗଣ୍ଡି ଭିତରୁ ବାହାରି ବିଚରଣ କରିବାକୁ ଚେଷ୍ଟା କରେ । ହେଲେ ଓଡ଼ିଆ ତ ଓଡ଼ିଆ । ସମ୍ପର୍କ ହୀନ ଆଧୁନିକ ସଭ୍ୟତା ତାକୁ କାବୁ କରିବା କଷ୍ଟ ବ୍ୟାପାର ହୋଇ ପଡ଼େ ।

 

ରୀତାଦେବୀ ପୁଣି ମୁଣ୍ଡଟେକି ଆରମ୍ଭ କଲେ–କହ ମାଆ–ମୋ କଥା କ’ଣ ତୁ ରକ୍ଷା କରିବୁ ନାହିଁ ? ଆଉ ଅବାଧ୍ୟ ହୋଇ ପାରିଲେନି ଅହଲ୍ୟା । ବୋଉର କାନ୍ଧ ଉପରେ ମୁଣ୍ଡରଖି କହିଲେ–ତୁମର ଯାହାଇଚ୍ଛା ତାହା କର ମାମି ! ହେଲେ ମୋତେ କାହିଁକି ଆଉ ବଞ୍ଚିରହିବାକୁ ମୋଟେ ଇଚ୍ଛା ହେଉ ନାହିଁ ।

 

ଏଇ କଥା ପଦକରେ ପୂରାପୂରି ଭାଙ୍ଗି ପଡ଼ିଲେ ରୀତାଦେବୀ । କହିଲେ–ବର୍ଷ ବର୍ଷ ଧରି ଦୁଃଖ ନିର୍ଯ୍ୟାତନା ସହି ମୁଁ ତୋତେ ବଢ଼େଇ ଆଣିଥିଲି, କ’ଣ ଏହିପରି ପଦେ କଥା ଶୁଣିବାକୁ ଅରୁ ?

 

ଅହଲ୍ୟା ପ୍ରତିବାଦ କରି କହିଲେ–କାହିଁକି ମାମି ? ସିଏ ମରିଗଲା ବେଳେ ତାଙ୍କୁ ତ କେହି ଅଟକାଇ ପାରିଲେ ନାହିଁ । ହେଲେ ମୋ ବେଳକୁ.....

 

ଅହଲ୍ୟାଙ୍କର ପାଟିରେ ହାତ ଦେଇ ରୀତାଦେବୀ କହିଲେ–ଛି, ଛି, ଅମଙ୍ଗଳିଆ କଥାଗୁଡ଼ାକ ତୁ ପାଟିରେ ଧରନା ଅରୁ । ବହୁ ମାନ, ଅଭିମାନ, ଆତ୍ମଶୋଚନା ପରେ ମୁଁ ପାଇଛି ତୋତେ । ସେତକ ହରାଇଲେ ଆଉ କାହାକୁ ଚାହିଁ ଦିନ କାଟିବି ? ତୋର ସ୍କୁଲ ଜୀବନରେ ନିଜକୁ ମାଆ ମନେ କରି ତୁ ଅନେକ ରଚନା ଲେଖିଥିବୁ ଅରୁ । ଥରେ ମୋ’ରି ଆସନରେ ନିଜକୁ ଥୋଇ ତୁ ଚିନ୍ତାକର ତ, ମୁଁ ତୋ ପାଇଁ କେତେ ବ୍ୟସ୍ତ ।

 

ଅହଲ୍ୟା ଆଉ କିଛି ଚିନ୍ତା କରି ପାରିଲେନି । ‘ମାମି’ ବୋଲି କହି ଜଡ଼ିଗଲେ ରୀତା ଦେବୀଙ୍କ ବୁକୁ ଉପରେ ।

 

ଦିଆ ନିଆ ସ୍ନେହ ପାଖରେ ଅହଲ୍ୟାଙ୍କର ଆତ୍ମଦର୍ଶନ ଆତ୍ମହତ୍ୟା କଲା । କେବଳ କାନ୍ଦି କାନ୍ଦି ବାଧ୍ୟ ଶିଶୁଟି ପରି ରୀତା ଦେବୀଙ୍କ ପଛ ଧରିବା ଛଡ଼ା ଅନ୍ୟ ଗତି ନ ଥିଲା ତାଙ୍କର ।

 

ସ୍ନେହଟା ନିହାତି ପାଗଳାମି । କେତେବେଳେ ଯେ ଏ ପାଗଳାମି ମଣିଷକୁ ଘାରେ, କହି ହେବ ନାହିଁ । ଅହଲ୍ୟା ସିନା ନିଷ୍ଠାପରଭାବରେ ନିଜର ଆତ୍ମଦର୍ଶନକୁ ବିଶ୍ଳେଷଣ କରୁଥିଲେ, ହେଲେ ମାଆଙ୍କର ସ୍ନେହପାଗଳାମି ଯେତେବେଳେ ତାଙ୍କ ଦେହକୁ ସଂକ୍ରମିତ ହେଲା, ସେତେବେଳେ ସେ ମଧ୍ୟ ଅନ୍ଧ ହୋଇ ପାଗଳି ହୋଇ ପଡ଼ିଲେ ।

 

ବାଧ୍ୟ ଶିଶୁଟି ପରି ଅହଲ୍ୟା ଯାଇ ବସିଲେ ଟିଫିନ୍ ଟେବୁଲ୍ ନିକଟରେ । ଦୁଇଖଣ୍ଡ ବ୍ରିଟାନିଆଁ ବିସ୍କୁଟ ଆଉ ଟିକେ ଚା’ ଖାଇ ଉଠି ଆସିଲେ ନିଜର ଶୋଇବା ଘର ଆଡ଼େ । ସେତିକିରେ ରୀତା ଦେବୀଙ୍କ ମନରେ ଯେଉଁ ଶାନ୍ତି, ତାକୁ ମିଟର ମିଟର କରି ମାପି ବସିଲେ, ସରିବ ନାହିଁ ।

 

ନରମ ସକାଳଟି ଏମିତି ଗରମ ଝଡ଼ ଦେହରେ ସମାପ୍ତ ହେଲା ।

 

ଭୁବନେଶ୍ୱରର ଗୋଡ଼ିମିଶା ରାସ୍ତା ପରେ ଏମିତି କେତେ ସକାଳ ମୁଣ୍ଡ ପିଟେ । ଖେନ୍ଦି ହୋଇଥିବା ପାଇନ ଗଛର ପତ୍ର ଦେହରେ ମଣିଷର ଗନ୍ଧ ବାଜେ । ପୁରାତନ ପର୍ବତ ଭୂଇଁ ଭୁବନେଶ୍ୱର । ହୁଏତ କେଉଁ ଯୁଗରେ କେଶରୀ ରାଜାଙ୍କର ଘୋଡ଼ାଟାପୁ ଏ ବନଭୂଇଁକୁ ଚୁମ୍ୱନ କରୁଥିଲା । ବଡ଼ ମଣିଷଙ୍କ ପରଶ ପାଇ ଏ ଭୂଇଁ ହେଉଥିଲା ଆନନ୍ଦିତ ।

 

ଆଜି କିନ୍ତୁ ଏ ଭୂଇଁ ଉପରେ ଶହ ଶହ ବଡ଼ ଲୋକଙ୍କର ପାଦ ପଡ଼ୁଛି । ଭୁବନେଶ୍ୱର ଗର୍ବିତ ହେଉଛି । କିନ୍ତୁ ମଣିଷ ପିଛା ଗୋଟାଏ ଗୋଟାଏ ଇତିହାସ, ଭୂଇଁ ଉପରେ ଲୋଟି ପଡ଼ୁଛି । ତାକୁ ପଢ଼ିବାକୁ କାହାର ବା ସମୟ ଅଛି ?

 

ଦିନ ଗଡ଼େ, ସମୟର ଚୋପା ଛାଡ଼େ । ହେଲେ ଟାଙ୍ଗରା ଭୁବନେଶ୍ୱର ପଡ଼ି ରହେ–ଠିକ ସେହି ପୁରୁଣାପରି । ସମୟର ଦ୍ରାଘିମା ଦେହରେ ବଞ୍ଚିବାର ଅଜସ୍ର ମୋହ, ଯେଉଁଦିନ ଆତ୍ମଗୋପନ କରିବ, ଠିକ ସେହି ଦିନ ହୁଏତ ଭୁବନେଶ୍ୱରରେ ପୁଣି କେଶରୀ ରାଜାଙ୍କର ଅଭ୍ୟୁଦୟ ହେବ ।

 

ଆଜି ସୋମବାର । ଖରାଦିନିଆ ଜ୍ୱଳାମୟ ଦ୍ୱିପ୍ରହରଟା ଝାଳନାଳରେ କଟିଛି । ଅହଲ୍ୟା ଏକୁଟିଆ କୋଠରିଟିରେ ପଡ଼ିରହି ଭାବୁଛନ୍ତି ସେହି ଗୋଟାଏ କଥା । ଯେ ଯାଉଛି ସେ ଫେରିପାରିବ କି ନାହିଁ ? ଯାଉଥିବା ମଣିଷକୁ କେହି ପ୍ରେମକରିପାରେ କି ନାହିଁ ?

 

କେତେବର୍ଷ ତଳର ଗୋଟିଏ କାହାଣୀକୁ ମନେପକାଉଥିଲେ ଅହଲ୍ୟା । ଫ୍ରାନ୍‍ସ୍‍ ଦେଶର ଗୋଟିଏ ବିଖ୍ୟାତ ସହର ପ୍ୟାରିସ୍ । ସେହି ସହରର ଗୋଟିଏ ଅଖ୍ୟାତ ଗଳି ସାମୁଏଲ ଷ୍ଟ୍ରିଟ୍ । ଏହି ଗଳିର ଗୋଟିଏ ମଳିଛିଆ କୋଠରି ଦେହରେ ରହୁଥିଲେ ଫ୍ରାଙ୍କ୍‍ଲିନ୍ ସ୍କଟ୍ । ସାହିତ୍ୟରେ ଚର୍ଚ୍ଚା କରିବା ତାଙ୍କର ଧର୍ମ ଥିଲା । ତାଙ୍କର ଗୋଟାଏ ଗୋଟାଏ ଗଳ୍ପ ସାରା ପ୍ୟାରିସ୍ ସହରରେ ଚହଳ ପକାଇ ଦେଉଥିଲା । ଏହି ସବୁ ଗଳ୍ପଦେହରେ ‘‘ହାଓଉଇ ଲଭ’’ ମାତ୍ର ଗୋଟିଏ ଗଳ୍ପ । ଯେଉଁଦିନ ଏହି ଗଳ୍ପଟି ସ୍ଥାନୀୟ ସମ୍ୱାଦପତ୍ରରେ ପ୍ରକାଶିତ ହୋଇଥିଲା, ସେହିଦିନ କୁମାରୀ ମୋରେ ଘରର ଡାଇନିଂ ଟେବୁଲ ଉପରେ ବସି ଗପଟି ପଢ଼ୁ ପଢ଼ୁ ଆତ୍ମହରା ହୋଇ ପଡ଼ିଥିଲେ । ତା ପରେ....

 

ତା’ପରେ ବହୁ ପାଟି ପିକନିକ୍ କ୍ଲବ୍ ଆଦିରେ ମୋରେ ସ୍କଟ୍‍ଙ୍କର ଅନୁସନ୍ଧାନ କରିଛନ୍ତି । ହେଲେ ଫଳ କିଛି ହୋଇନାହିଁ । ଶେଷରେ ଗୋଟିଏ ଅଖ୍ୟାତ ମାସିକ ପତ୍ର ମୋରେଙ୍କୁ ସ୍କଟ୍‍ଙ୍କର ସମ୍ୱାଦ ଦେଇଛି ।

 

ମୋରେ ପାଗଳିଙ୍କପରି ଦୌଡ଼ିଛନ୍ତି ସ୍କଟ୍‍ଙ୍କ ‘ନିଉ ଭିଲ୍ଲା’କୁ । ହେଲେ ମୋରେ ସାମୁଏଲ ଷ୍ଟ୍ରିଟ୍‍ରେ ଯାଇ ଯାହା ଦେଖିଛନ୍ତି–ସେଥିରେ ତାଙ୍କ ଦେହ ଥରିବାକୁ ଲାଗିଛି । ସେ ଆହୁରି ପାଗଳି ହୋଇ ଉଠିଛନ୍ତି ।

 

ମୋରେ ଦେଖନ୍ତି ଯେ ସ୍କଟ୍ ହଠାତ୍ ରକ୍ତଚାପ ରୋଗରେ ପ୍ରପୀଡ଼ିତ ହୋଇ ଗତ ରାତ୍ରିରେ ପ୍ରାଣ ହରାଇଛନ୍ତି । ଲୋକେ ତାଙ୍କ କଫିନ୍‍କୁ ଶ୍କଶାନକୁ ନେଇଯିବାକୁ ଉପକ୍ରମ କରୁଛନ୍ତି । ଦୃଶ୍ୟ ଦେଖି ମୋରେ କିନ୍ତୁ ଦୁଃଖିତା ହୋଇ ଫେରିଆସି ନଥିଲେ । କଫିନ୍‍କୁ ଅଟକାଇ କଣ୍ଠଦେଶରୁ କାଢ଼ିଥିଲେ ଗୋଟିଏ ମୂଲ୍ୟବାନ୍ ହାର । ସେତେକ ସ୍କଟ୍‍ଙ୍କର କଫିନ୍ ଉପରେ ଲମ୍ୱାଇ ଦେଇ–ଖ୍ରୀଷ୍ଟିଆନ୍ ରୀତିରେ ସେ ବିବାହ କରିଥିଲେ ସ୍କଟ୍‍ଙ୍କୁ । ତା ପରେ ଶବ ସଂସ୍କାରର ସମସ୍ତ ଖର୍ଚ୍ଚ ବହନକରି ନିଜେ ମୋରେ ଯାଇଥିଲେ ସମାଧି ସ୍ଥାନକୁ । ମୂଲ୍ୟବାନ ପଥରରେ ସମାଧି ନିର୍ମିତ ହୋଇଥିଲା । ଲୋକେ କହନ୍ତି–ଏପର୍ଯ୍ୟନ୍ତ ମୋରେ ଅବିବାହିତା ଓ ସ୍କଟ୍‍ଙ୍କର ସମାଧିର ଜଣେ ପୂଜାରିଣୀ ।

 

ହଠାତ୍ ଭାବନାର ଖିଅଟା ଛିଡ଼ିଗଲା । ବ୍ୟତିବ୍ୟସ୍ତ ହୋଇ ବିଛଣାଉପରୁ ଉଠିପଡ଼ିଲେ ଅହଲ୍ୟା । ଦେହରେ ସେହି ଶୋଇବା ସମୟର ଅସଂଯତ ଲୁଗାପଟା । ହେଲେ ଦେହପ୍ରତି ଦୃଷ୍ଟି ନଦେଇ ନୂଆ ଷ୍ଟୁଡ଼ିବେକର କାର୍‍ଟିରେ ଛୁଟି ଚାଲିଲେ ଅହଲ୍ୟା ।

 

ଶିଳ୍ପୀ ଇନ୍ଦ୍ରଦେବ ବର୍ମାଙ୍କର କୋଠରି ନିକଟରେ ବ୍ରେକ୍‍ଦେଇ କାର୍ ଅଟକିଲା । ଅହଲ୍ୟା ଏକା ନିଃଶ୍ୱାସକରେ କୋଠରି ଭିତରକୁ ପଶିଯାଇ ହଠାତ୍ ପ୍ରଶ୍ନକଲେ–ମୋର ଚିତ୍ରଟି ହୋଇଛି କି ନାହିଁ ଇନ୍ଦ୍ରଦେବ ବାବୁ ?

 

ଇନ୍ଦ୍ରଦେବ ଆକସ୍ମିକ ପ୍ରବେଶରେ ଅପ୍ରସ୍ତୁତ ହୋଇ କହିଲେ–ବସ ଅହଲ୍ୟାଦେବୀ ।

 

ଅହଲ୍ୟା କହିଲେ–ନା ନା... ମୁଁ ବସିବାକୁ ଆସିନାହିଁ ଇନ୍ଦ୍ରଦେବବାବୁ । ମୁଁ ମୋର ଚିତ୍ରଟି ନେଇଯିବାକୁ ଆସିଛି । ଆପଣ ମୋର ଅନୁରୋଧ ରକ୍ଷାକରିଛନ୍ତି କି ନାହିଁ ?

 

ଇନ୍ଦ୍ରଦେବ କହିଲେ–ପ୍ରଥମେ ବସ ତୁମେ ।

 

ଅହଲ୍ୟା ଆଉଟିକେ ବ୍ୟସ୍ତହୋଇ କହିଲେ–ପ୍ଲିଜ୍....ପ୍ଲିଜ୍...ମୋତେ ଟିକେ ଶୀଘ୍ର ଦେଖାନ୍ତୁ ଇନ୍ଦ୍ରଦେବବାବୁ । ଶୟନେ, ସ୍ୱପନେ, ଜାଗରଣ କେବଳ ସେଇ ଚିନ୍ତାହିଁ ମୋତେ ବ୍ୟତିବ୍ୟସ୍ତ କରୁଛି ।

 

ଏଥର ଅନୁରୋଧକୁ ଆଉ ଏଡ଼ାଇ ନପାରି–ଇନ୍ଦ୍ରଦେବ ଗୋଟିଏ କାଠ ଫ୍ରେମ୍‍ଦିଆ ତୈଳଚିତ୍ରର ଷ୍ଟାଣ୍ଡ ନିକଟକୁ ଅହଲ୍ୟାଙ୍କୁ ଡାକି ନେଇଗଲେ । କହିଲେ–ଏଇଟି ଆପଣଙ୍କ ବରାଦର ଚିତ୍ର । ତୁମ ଫଟୋର ମଣିଷ ଆଉ ତୁମକୁ ଗୋଟିଏ ଏମିତି ପୋଜ୍‍ରେ ରଖିଛି ଯେପରି ମାଲୁମ୍ ହେବ–ତୁମେ ଆଉ ସେ ହନିମୁନ୍ ନାଇଟ୍‍ର ଉତ୍ସାହ, ଉଦ୍ଦୀପନା ନେଇ ପରସ୍ପର ପରସ୍ପରକୁ ଆଲିଙ୍ଗନ କରିବାକୁ ଉଦ୍ୟତ ।

 

କଥା ନସରୁଣୁ କମ୍ପି ଉଠିଲେ ଅହଲ୍ୟା । ତୁମେ ଏ କ’ଣ କଲ ଶିଳ୍ପୀ ? ସେ କ’ଣ ସତରେ ବଞ୍ଚିଉଠି ମୋତେ ଆଲିଙ୍ଗନ କରିବେ ? ନା–ନା–ଏ ବିରକ୍ତିକର ଚିତ୍ର ମୁଁ ଚାହେଁନା ଶିଳ୍ପୀ । ମୁଁ ଚାହେଁ ଆମ ଦୁଇଜଣଙ୍କର ବାସ୍ତବିକ୍ ମିଳନ । ଯେପରି...। ତୁମେ କଣ ମୋର ମନଭାବକୁ କିଛି ବୁଝିପାରୁନା ଶିଳ୍ପୀ । ଠିକ୍ ଏହିଭାବ ମୁଁ ଫୁଟାଇବାକୁ ଚାହେଁ ଚିତ୍ରଟି ଦେହରେ ।

 

ମୁଁ ତ ତୁମକଥା କିଛି ବୁଝିପାରୁନି ଅହଲ୍ୟାଦେବୀ–ଅନ୍ୟମନସ୍କଭାବରେ କହିଲେ ଇନ୍ଦ୍ରଦେବ ।

 

ନା–ନା–ତୁମେ ପରା ଏ ସହରର ବିଖ୍ୟାତ ଶିଳ୍ପୀ ଇନ୍ଦ୍ରଦେବ । ତୁମେ ମନାକରନା । ଚେଷ୍ଟାକର । ଟଙ୍କା କଥା । ଚିନ୍ତାକରିବନି ଇନ୍ଦ୍ରଦେବ । ଯେତେନେବ ମୁଁ ସେତେ ଦେବି ।

 

ଟଙ୍କାର ମୋହ ଜଗତର ସବୁ ଅପେକ୍ଷା ବଡ଼ ମୋହ । ଟଙ୍କା କଥା ଶୁଣି ଇନ୍ଦ୍ରଦେବ କହିଲେ–ବେଶ୍, ତାହେଲେ ଆଉ ଥରେ ଚେଷ୍ଟାକରି ମୁଁ ଦେଖୁଛି ।

 

ଏଥର ଅହଲ୍ୟା ଆଶ୍ୱସ୍ତିରେ ନିଃଶ୍ୱାସ ମାରିଲେ । କହିଲେ–ମୁଁ ପୁଣି ଦିନେ ଦୁଇଦିନ ଛାଡ଼ି ଆସିବି ଶିଳ୍ପୀ । ଆଶା କରୁଛି ତୁମେ ନିଶ୍ଚୟ ଚିତ୍ରଟି ଶେଷ କରିଥିବ ।

 

ଇନ୍ଦ୍ରଦେବ କହିଲେ–ବେଶ୍ ତାହାହିଁ ହେଉ ।

 

କାର୍‍ଟି ଧରି ଅହଲ୍ୟା ପୁଣି ଫେରିଆସିଲେ ନିଜ ଘରକୁ । ଦୁଃଖ ତାଙ୍କୁ ଭାଙ୍ଗି ପକାଉଥିଲା । ଅନାଦି କାଳରୁ ଏହି ଦୁଃଖ ମଣିଷ ମନକୁ ଝିଣି ଝିଣି ନିହାତି ପୋରିଆ କରି ସାରିଛି-। କେତେବେଳେ ଯେ ଏ ଘୁଣଖିଆ ବାଉଁଶପରି ଭାଙ୍ଗିଯିବ କହିଦେବ ନାହିଁ ।

 

ଅହଲ୍ୟାଙ୍କର ବାପା ରଣଜିତ୍‍ କାନୁନ୍‍ ଗୋ । ଓଡ଼ିଶାର ଜଣେ ନାମଜାଦା ରିଟାୟାର୍ଡ଼ ଆଇ.ଏ.ଏସ୍. ଅଫିସରେ । ଜୀବନକାଳରେ ସେ ବହୁ ସମ୍ପତ୍ତି ଉପାର୍ଜନ କରିଛନ୍ତି । ଚାକର, ପୂଜାରୀ ଅଛନ୍ତି । କାର୍ ଅଛି, ବ୍ୟାଙ୍କବାଲାନ୍‍ସ ଅଛି, ହେଲେ ତାକୁ ଭୋଗକରିବାକୁ କେହିନାହିଁ । କେବଳ ମାତ୍ର ଅଲିଅଳି ଝିଅ ଏହି ଅହଲ୍ୟା । ଅହଲ୍ୟାଙ୍କୁ ଦେଖିଲେ ତାଙ୍କ ମନରେ ଅପାର ଆନନ୍ଦ ଭରିଉଠେ । ସେ ଆତ୍ମହରା ହୁଅନ୍ତି । ବେଳେ ବେଳେ ଅହଲ୍ୟାଙ୍କୁ କୋଳ ଭିତରକୁ ଟାଣିଆଣି କହନ୍ତି–ମାଆ ଅରୁ ! ମୁଁ ଯଦି ପୁଣି ତୋର ପୁଅହୋଇ ଜନ୍ମନିଏ, ତେବେ ତୁ କ’ଣ ମୋତେ ସ୍ନେହ କରିବୁ ନାହିଁ ? ଭଲ ପାଇବୁ ନାହିଁ ?

 

ଅହଲ୍ୟା ଲାଜରା ହୁଅନ୍ତି । ହେଲେ କୁମାରୀତ୍ୱ ଦେହରେ ସୁପ୍ତ ମାତୃତ୍ୱ ଜାଗି ଉଠେ । କଥାଟାକୁ ଅହଲ୍ୟା ବିଶ୍ଳେଷଣ କରନ୍ତି । ମନେ ମନେ ଭାବନ୍ତି, ସୁନ୍ଦର, ସୁଠାମ, ଜଣେ ଉଚ୍ଚପଦସ୍ଥ ଅଫିସରକୁ ବିବାହ କରିବେ । ଯେଉଁଦିନ ବୁକୁ ମଣ୍ଡନକରି ଗୋଟିଏ ଉଦିଆଚାନ୍ଦ ଆସିବ, ସେଦିନ ପ୍ରଥମେ ସେଇଟିକୁ ଟେକିଦେବେ ବାପାଙ୍କ କୋଳରେ । କହିବେ–ତୁମେ ପରା ମୋର ପୁଅ ହୋଇ ଜନ୍ମନେବବୋଲି କହୁଥିଲ ବାପା ! ଏବେ ତୁମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଉ ଗୋଟିଏ ଆସିଛି-। ତା’ର ତଣ୍ଟିଚିପି ତାକୁ ତୁମେ ହତ୍ୟାକର । ହେଲେ ସେତେବେଳେ ବୃଦ୍ଧ ରଣଜିତ୍ କହିବେ...ଛି....ଛି...ଏକଥା ତୁ ପାଟିରେ ଧରନା ମାଆ । ମୁଁ ସିନା ବଞ୍ଚିଛି, ହେଲେ ଇଏ ପରା ମୋର ଗୋଟିଏ ନକଲ ।

 

ଏ ସ୍ୱପ୍ନ ଆଜି କିନ୍ତୁ ସ୍ୱପ୍ନରେ ରହିଯାଇଛି । ଅହଲ୍ୟାଙ୍କର ନାରୀତ୍ୱ ନିଷ୍ପେସିତ । ସେ ଅବା ମାତୃତ୍ୱକୁ ଆହ୍ୱାନ ଜଣାଇବେ କିପରି ?

 

ଆଜି ଅହଲ୍ୟା କେବଳ ମରିବାକୁ ଚାହାନ୍ତି । କହିବାର ବାସନା ନାହିଁ । ମରିବାର ଦୁଃଖ ନାହିଁ । ଅଛି ନାହିଁର ସଂସାର ଦେହରେ ସେ ଆଜି ସ୍ଥାଣୁ ।

 

କୁଆଖାଇ ନଈର ଉଲଗ୍ନ ବାଲୁକା ଆଜି ତାଙ୍କ ମନକୁ କୁତୁକୁତୁ କରେ ନାହିଁ । ଖଣ୍ଡଗିରିର ଗିରିଗୁହା ଦେହରୁ ବିମୋହନ ବଂଶୀ ଶୁଭେନାହିଁ, ଅବା ରାଜରାଣୀ ମନ୍ଦିରର ଅଦ୍ଭୁତ ଚିତ୍ରକଳା ତାଙ୍କୁ ଆକର୍ଷିତ କରେ ନାହିଁ । ସେ କେବଳ ଭାବନ୍ତି । ଭାବନା ଅନନ୍ତ–ଏ କଳ୍ପନା ଅନନ୍ତ-

 

ଚାହୁଁ ଚାହୁଁ ପୁଣି ଦିନ କେତେଟା ହରିଣ ଛୁଆପରି ନାଚିକୁଦି ଚାଲିଗଲା । ଅହଲ୍ୟା ଅଙ୍ଗୁଳି ରେଖାରେ ଦିନ ଗଣୁଥିଲେ, ଚିତ୍ରଟି ପାଇବା ଆଶାରେ ।

 

ସେଦିନ କି ବାର ହେବ ମନେ ନାହିଁ । ତେବେ ସକାଳୁଆ ନରମ ପାଗ । ଏହି ସମୟରେ ଚାକରାଣୀଟିଏ ଘରକୁ ପଶି ଆସୁ ଆସୁ କହିଲା–ଶୁଣିଲଣି ଅପା ! ଆମ ଘର ଆରପାଖ ଶ୍ରୀକାନ୍ତବାବୁ ଓକିଲଙ୍କ ପୁଅ, କୋଉ ରମଣୀରତନ ବହିଦାରଙ୍କ ଝିଅକୁ ବିବାହ ହେଉଛନ୍ତି । ଆଜି ତାଙ୍କର ନିର୍ବନ୍ଧ ସରିଗଲା । ମୁଁ ତାଙ୍କ ଘରକୁ ଯାଇଥିଲି । ଯୋଉ ରସଗୋଲା...ପାଣତୁଆ... !

 

ହଠାତ୍ କମ୍ପିଉଠିଲେ ଅହଲ୍ୟା–ରଙ୍କ ! ଶୀଘ୍ର ଡ୍ରାଇଭରକୁ କହ, ଗାଡ଼ି ଠିକ୍‍କରିବ, ନଚେତ ମୋ ବାହାବେଳ ଗଡ଼ିଯିବ ରଙ୍କ । ଶୀଘ୍ର ଯାଇ ଖବର ଦେ ।

 

ଅବାକ୍ ହେଇ ଚାହିଁରହି ରଙ୍କ କହିଲା–ଅ...କ’ଣ ପାଗଳି ହେଇଗଲନା କ’ଣ ଅପା ?

 

ସତରେ ଅପା ! ମୁଁ ଶୁଣିଛି ପରା । ବଡ଼ବାବୁ ତୁମପାଇଁ ଯେଉଁ ବର ଠିକ୍ କରିଛନ୍ତି ନା...ସିଏ ଦେଖିବାକୁ ଭାରୀସୁନ୍ଦର–ସତିକା ଉଦିଆ ଚାନ୍ଦ ତ !

 

ହଠାତ୍ ରାଗିଉଠି ଅହଲ୍ୟା କହିଲେ–ତତେ ମୁଁ କହିଲି ପରା ଡ୍ରାଇଭରକୁ ଖବର ଦେ ।

 

ଅପାଙ୍କର ରାଗ ଦେଖି ରଙ୍କ ନୀରବରେ ଚାଲିଗଲା । ମନେ ମନେ ହୁଏତ ଭାବିଲା...ଅପା ଆଉ କାହା ହାଣ୍ଡିରେ ଚାଉଳ ପକାଇ ସାରିଲେଣି । କିନ୍ତୁ ମୁହଁ ଖୋଲି କିଛି କହିବାକୁ ବହପ ଖଟିଲା ନାହିଁ । କେବଳ ମନେ ମନେ ଗୁଣୁ ଗୁଣୁ ହେଇ କହିଲା–ବଡ଼ଘର ବଡ଼ ଗୁମର କଥା–ହେଲେ ଆମ ଛୋଟଘରେ ଏମିତି ନାହିଁ । ଝିଅ ଘର ଯୋଗ୍ୟ ହେଲା ତ, ତାକୁ ବିଦାକର । ନୋହିଲେ ଲୋ ବାପ, ଝିଅ ମୁହଁର ଯେଉଁ ବିଷ ! ସେ ସାରାଦୁନିଆଁକୁ ଜାଳି ପୋଡ଼ି ପାଉଁଶ କରିଦେବ ।

 

କିଛି ସମୟପରେ ଡ୍ରାଇଭର ଗାଡ଼ିନେଇ ବାହାରିଲା । ଅହଲ୍ୟା ଯାଇ ଗାଡ଼ିରେ ବସିଲେ । ଗାଡ଼ି ଛୁଟି ଚାଲିଲା । ଶିଳ୍ପୀ ବର୍ମାଙ୍କର କୋଠରି ନିକଟକୁ       

 

ଆଜି କିନ୍ତୁ ଅହଲ୍ୟା ଦେଖିଲେ, ଶିଳ୍ପୀ ଇନ୍ଦ୍ରଦେବ ଗୋଟିଏ ତୈଳଚିତ୍ରର ଆଉଟ୍‍ ଲାଇନ୍‍ କରିବାରେ ବ୍ୟସ୍ତ । ଅହଲ୍ୟାଙ୍କର ପ୍ରବେଶ ସେ ଜାଣିପାରି ନାହାଁନ୍ତି । ନୀରବରେ ଠିଆହେଲେ ଅହଲ୍ୟା । ଦେଖିଲେ–ନିଜର ପ୍ରତିଛବିଟି ତୈଳଚିତ୍ର ଦେହରେ ପ୍ରତିଫଳିତ ହୋଇଛି । ଆଉ ଗୋଟିଏ ଯୁବକ ଭସାଣିଆଁ ବାଦଲ ଦେହରେ ଭାସି ଭାସି ଆସି ତାଙ୍କୁ ଚୁମ୍ବନକରିବାକୁ ଉଦ୍ୟତ । ଚିତ୍ରର ଆଉ ସବୁ ଅଂଶ ସରିଯାଇଛି । ହେଲେ କେବଳ ଯୁବକଟିର ଆଖିରେ ଦିଆଯିବ ଭଲପାଇବାର କଜ୍ଜ୍ୱଳ । ଶିଳ୍ପୀ ଇନ୍ଦ୍ରଦେବ ତୂଳୀଟି ଧରି ବଢ଼ାଇଲେ ଆଖିଆଡ଼େ । ପଛପଟରୁ କମ୍ପିଉଠିଲେ ଅହଲ୍ୟା–ତୁମେ ଇଏ କଣ କରୁଛ ଶିଳ୍ପୀ ? ସେ କ’ଣ ସତେ ଆଉ ମୋତେ ଅନାଇବାକୁ ଚେଷ୍ଟାକରି ପାରିବେ ?

 

ଅହଲ୍ୟାଙ୍କର ଚିତ୍‍କାରରେ ଇନ୍ଦ୍ରଦେବଙ୍କ ହାତରୁ ଖସିପଡ଼ିଲା ତୂଳୀଟି । ତୂଳୀର କଳାରଙ୍ଗଗୁଡ଼ିକ ଫଟୋଟିର ମୁହଁରେ ଲେସିହୋଇଯାଇ ଦିଶିଲା ନିହାତି ବିବର୍ଣ୍ଣ । ଶିଳ୍ପୀ ଇନ୍ଦ୍ରଦେବ କାନ୍ଦକାନ୍ଦ ହୋଇ କହିଲେ–ତୁମେ ଏ କ’ଣ କଲ ଅହଲ୍ୟାଦେବୀ, ମୋର ଏତେ ପରିଶ୍ରମକୁ ମାଟିରେ ମିଶାଇ ଦେଲ ?

 

ଅହଲ୍ୟା କହିଲେ–ନା...ନା...ଯାହା ମୁଁ ଚାହେଁନା, ତା’ ଉପରେ ପରିଶ୍ରମ କରି ଲାଭ କ’ଣ ?              

 

ତା ହେଲେ ତୁମେ କ’ଣ ଚାହଁ, ମୋତେ ଫିଟାଇ କରି କୁହ ଭଲା ? ମୋର ଦିନ ଦିନର ପରିଶ୍ରମ ଅକାରଣେ ମାଟି ହୋଇଯାଉଛି ଯେ ।

 

ଥରେ କହିଛି, ତୁମେ ଟଙ୍କା ପାଇଁ ଚିନ୍ତା କରନାହିଁ ଇନ୍ଦ୍ରଦେବ । ଯେତେଟଙ୍କା ଚାହିଁବ ମୁଁ ସେତେ ଟଙ୍କା ଦେବି । ଚାହିଁଲେ ଏଇ ବର୍ତ୍ତମାନ ପାଞ୍ଚଶହ ଟଙ୍କା ରଖ । ହେଲେ ମୋର ମନମୁତାବକ ଗୋଟିଏ ଚିତ୍ର କରିଦିଅ ।

 

ବେଦନାଭରା କଣ୍ଠରେ ଇନ୍ଦ୍ରଦେବ କହିଲେ–ଶିଳ୍ପୀ ସବୁ ସମୟରେ କେବଳ ଟଙ୍କାକଥା ଚିନ୍ତାକରେ ନାହିଁ ଅହଲ୍ୟାଦେବୀ । ମୋର ବେଶୀ ଦୁଃଖ ହେଉଛି ଯେ–ମୁଁ ତୁମର ମନମୁତାବକ ଗୋଟିଏ ଚିତ୍ରକରି ଦେଇପାରୁନାହିଁ ।

 

ପୁଣି ଅଳିକରିବା ଭଙ୍ଗୀରେ ଅହଲ୍ୟା କହିଲେ–ଆଉ ଟିକେ ନିବିଡ଼ ଭାବରେ ଚେଷ୍ଟାକର ଶିଳ୍ପୀ, ମୋର ବିଶ୍ୱାସ ତୁମେ ନିଶ୍ଚୟ ଚିତ୍ରଟି କରିପାରିବ ।

 

ସେହି ଆଶା ଓ ଭରସା ରଖି ମୁଁ ତ ବରାଦଟି ଗ୍ରହଣ କରିଛି ଅହଲ୍ୟାଦେବୀ ! ହେଲେ କଳାଜ୍ଞାନ ଯେ ଏପରି ଅସମ୍ଭବ ରକମ୍ ଫେଲ୍‍ମାରିବ, ଏ ଧାରଣା ମୋର ନଥିଲା । ମୋତେ ଟିକେ ସାହାଯ୍ୟକର ଅହଲ୍ୟାଦେବୀ ! ଅନ୍ତତଃ ଚିତ୍ରଟି କିପରି ହେବ, ତାହା ମୋତେ ବୁଝାଇ କୁହ ।

 

ଅବୁଝା ମନକୁ ବୁଝାଇବାର କ୍ଷମତା ଯେବେ ମୋର ଥାନ୍ତା, ତେବେ ଚିତ୍ରଟି କରାଇବା ମୋର ମୋଟେ ଦରକାର ପଡ଼ନ୍ତାନି ଶିଳ୍ପୀ । ଏଇଠି ମୋର ବିରାଟ ଅବଶୋଷ ଯେ ମୁଁ ଅବୁଝା ମନକୁ ବୁଝାଇ ପାରୁନାହିଁ ।

 

ଇନ୍ଦ୍ରଦେବ କହିଲେ–ବେଶ୍, ତା’ହେଲେ ତୁମେ ଯାଅ ଅହଲ୍ୟାଦେବୀ ! ମୁଁ ଆଉ ଥରେ ଚେଷ୍ଟାକରି ଦେଖେ ।

 

ଅହଲ୍ୟାଦେବୀ କହିଲେ–ନା ନା... ସେ କଥା ହେବନି ଶିଳ୍ପୀ, ତୁମେ ମୋତେ ବାରମ୍ୱାର ଠକୁଛ । ମୁଁ ଏଇଠି ବସୁଛି, ତୁମେ ଚିତ୍ରଟିର ଆଉଟ୍ ଲାଇନ୍ କର ।

 

ଏ କି ଅସମ୍ଭବ କଥା ତୁମେ କହୁଛ ଅହଲ୍ୟାଦେବୀ ! କେହି କଣ ପାଖରେ ବସିଲେ ଶିଳ୍ପୀର ତୂଳୀ ଚାଲେ ? ଶିଳ୍ପୀପ୍ରାଣ ଦରକାର କରେ ନିର୍ଜନତା ।

 

ମୁଁ କଳାକାର ନହେଲେ ବି କଳାର ମର୍ଯ୍ୟାଦା ବୁଝେ ଶିଳ୍ପୀ, ହେଲେ ନିରୁପାୟ । ଆଉ ଧୈର୍ଯ୍ୟଧରି ରହି ପାରୁନି ।

 

ଅହଲ୍ୟାଙ୍କର ଅଟଳ ପ୍ରତିଜ୍ଞାକଥା ଶୁଣି ଇନ୍ଦ୍ରଦେବ କହିଲେ–ତେବେ ଶୁଣ ଅହଲ୍ୟାଦେବୀ ! କେବଳ ଏଇ ଚିତ୍ରଟି ନୁହେଁ, ତୁମର ମନକୁ ଖାପ ଖାଇଲା ଭଳି ମୁଁ ବହୁ ଚିତ୍ର ତିଆରି କରିଛି । ଦେଖ, ବାସ୍ତବିକ୍ କେଉଁଟା ତୁମର ମନମାଫି ଚିତ୍ର ।

 

ଉଦ୍‌ଗ୍ରୀବ ହୋଇ ଅହଲ୍ୟା ଗୋଟାକପରେ ଗୋଟାଏ ଚିତ୍ର ଘାଣ୍ଟିବାକୁ ଲାଗିଲେ । କେଉଁଥିରେ ସ୍ୱର୍ଗରାଜ୍ୟରେ ଗୋଟିଏ ଯୁବକ ଓ ଆଉ ଗୋଟିଏ ଯୁବତୀର ମିଳନ ଅଙ୍କିତ ହୋଇଛି, କେଉଁଥିରେ ବାଦଲ ଦେହରେ ଗୋଟିଏ ଯୁବକ ଆଉ ଗୋଟିଏ ଯୁବତୀ ଭାସିଭାସି ଆସି ମିଳିତ ହୋଇଯାଉଛନ୍ତି, କେଉଁଥିରେ ଅସ୍ତମିତ ସୂର୍ଯ୍ୟଦେହରେ ଗୋଟିଏ ଯୁବକ ଓ ଆଉ ଗୋଟିଏ ଯୁବତୀ ମିଶି ଯାଉଛନ୍ତି ଅବା ଆଉ କେଉଁଥିରେ ଯୁବକଟିଏ ମରିପଡ଼ିଛି ଓ ଯୁବତୀଟିଏ ତା’ର ମୁଣ୍ଡପାଖରେ ବସି କାନ୍ଦୁଛି ।

 

ହତାଶ ହୋଇ ଚିତ୍ରଗୁଡ଼ିକୁ ତଳକୁ ଫିଙ୍ଗି ଦେଇ ଅହଲ୍ୟା କହିଲେ–ତୁମେ ରୂପକୁ ପଢ଼ିଛ ହେଲେ ମନକୁ ପଢ଼ିନା ଶିଳ୍ପୀ, ତୁମ ଶିଳ୍ପକଳା ଅପୂରଣୀୟ ରହିଯାଇଛି ।

 

ଇନ୍ଦ୍ରଦେବଙ୍କର ବିରାଟ ଗୌରବମୟ କଳାକାର ଗୌରବକୁ, ଗୋଟାଏ ମୁହୂର୍ତ୍ତରେ ଧୂଳିସାତ୍ କରିଦେଲେ ଅହଲ୍ୟା । ଯନ୍ତ୍ରଣାରେ ଭାଙ୍ଗି ପଡ଼ୁ ପଡ଼ୁ ଇନ୍ଦ୍ରଦେବ କହିଲେ–ତେବେ ଏଇ ମୋର ଶେଷ ପ୍ରଚେଷ୍ଟା ଅହଲ୍ୟାଦେବୀ । ଏହାପରେ ମୋ’ଠାରୁ ଆଉ କିଛି ଅଧିକା ଆଶାକରିବା ବୃଥା ।

 

କହୁ କହୁ ଇନ୍ଦ୍ରଦେବ କନା ଗୁଡ଼ାହୋଇଥିବା ଗୋଟିଏ ଚିତ୍ର କାଢ଼ି ଆଣିଲେ । ଅହଲ୍ୟା ସେ ଆଡ଼କୁ ଚାହିଁଥିଲେ କେବଳ ନିର୍ବାକ୍ ହୋଇ ।

 

ବହୁ ସମୟ ବିତିଗଲା । ଅହଲ୍ୟା ତଥାପି ନୀରବ । ଅହଲ୍ୟାଙ୍କୁ ସାମାନ୍ୟ ହଲାଇ ଦେଇ ଇନ୍ଦ୍ରଦେବ କହିଲେ–କ’ଣ ଏ ଚିତ୍ରଟି ତୁମ ମନକୁ ପାଉଛି ଅହଲ୍ୟାଦେବୀ ?

 

ଅହଲ୍ୟା ତଥାପି ନୀରବ ।

 

କ’ଣ କିଛି କହୁନା ଯେ, କଣ ହେଲା କୁହ ? ନଚେତ୍ ଶିଳ୍ପୀ ଇନ୍ଦ୍ରଦେବର ନାଁ ଯେ ଲୁଚିଯିବ ଅହଲ୍ୟାଦେବୀ ।

 

ସେମିତି ନୀରବ ରହି ଅହଲ୍ୟା ଆଗେଇଆସିଲେ ଇନ୍ଦ୍ରଦେବଙ୍କ ଆଡ଼େ । ଇନ୍ଦ୍ରଦେବ ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁଥାଆନ୍ତି । ଅହଲ୍ୟା ଇନ୍ଦ୍ରଦେବଙ୍କର ଡାହାଣ ହାତଟାକୁ ଟାଣିନେଇ କେବଳ ଘନ ଘନ ଚୁମ୍ୱନ ଦେବାକୁ ଲାଗିଲେ ।

 

ଅବାକ୍ ହୋଇ ଇନ୍ଦ୍ରଦେବ କହିଲେ–ଏ ତୁମେ କ’ଣ କରୁଛ ଅହଲ୍ୟା ଦେବୀ ? ମୋତେ କ’ଣ ଚିହ୍ନିପାରୁ ନାହିଁ ? ମୁଁ ଯେ ଶିଳ୍ପୀ ଇନ୍ଦ୍ରଦେବ ବର୍ମା ।

 

ଅହଲ୍ୟା ମୁହଁ ଖୋଲିଲେ । କହିଲେ ମୁଁ ତୁମକୁ ଚିହ୍ନିଥିଲି, ହେଲେ ଏ ହାତ ଦୁଇଟିକୁ ଚିହ୍ନି ନଥିଲି ଶିଳ୍ପୀ ।

 

ଇନ୍ଦ୍ରଦେବ ପୁଣି ପଚାରିଲେ–କ’ଣ ହୋଇଛି କୁହ ଅହଲ୍ୟାଦେବୀ ?

 

ଅହଲ୍ୟା ସେ ସବୁକୁ ନଶୁଣି କେବଳ କହିବାକୁ ଲାଗିଲେ–କୁହତ ଶିଳ୍ପୀ ! ଯେଉଁ ହାତ ଏତେ ସୁନ୍ଦର ଚିତ୍ରକରିପାରେ, ସେ ହାତ ନିଜେ କେଡ଼େ ସୁନ୍ଦର ନହୋଇଥିବ ?

 

ଇନ୍ଦ୍ରଦେବ କହିଲେ–କ’ଣ ପାଗଳିନୀ ହୋଇଗଲ ନା କ’ଣ ଅହଲ୍ୟାଦେବୀ ? ଚିତ୍ରଟି କ’ଣ ମନକୁ ପାଇଲା ନାହିଁ ?

 

ଚିତ୍ରର ସୌନ୍ଦର୍ଯ୍ୟରେ ମୁଁ ନିଜକୁ ଭସାଇ ନେବାକୁ ବିସିଥିଲି ଶିଳ୍ପୀ, ହେଲେ ଆଜି ଜାଣୁଛି ଯେ ଚିତ୍ରଠାରୁ ଶିଳ୍ପୀ ମହାନ୍, ବଳିଷ୍ଠ ।

 

ମୋତେ ବୃଥା ପ୍ରଶଂସା କରନି ଅହଲ୍ୟାଦେବୀ, ମୁଁ ଯେ ଜଣେ ସାମାନ୍ୟ ବ୍ୟବସାୟୀ, ଶିଳ୍ପୀ ।

 

କିନ୍ତୁ ମହାନ ବ୍ୟକ୍ତିଙ୍କୁ ପ୍ରଶଂସା ନକରି ତ’ ରହିହୁଏନି ଇନ୍ଦ୍ରଦେବ । ଅହଲ୍ୟା ପୁଣି ଆରମ୍ଭକଲେ–

 

ନା... ନା... ମୋତେ କ୍ଷମାକରିବ ଅହଲ୍ୟାଦେବୀ, ତୁମର ଏ ପ୍ରଶଂସାର କେନ୍ଦ୍ର ଖୋଜିବା ମୋ ନିକଟରେ ଅସମ୍ଭବ ହୋଇପଡ଼ୁଛି । ଏ ଯୁଗର ପ୍ରତ୍ୟେକ ମୁହୁର୍ତ୍ତ ମୋ ନିକଟରେ ଗୋଟାଏ ଗୋଟାଏ ଅବୋଧ୍ୟ କବିତା । ଏ ଯୁଗର ପ୍ରତ୍ୟେକ କାମ ଗୋଟାଏ ଗୋଟାଏ ଖାପଛଡ଼ା ରିଦିମ୍ ।

 

କିନ୍ତୁ ତୁମେତ ଜାଣିଥିବ ଶିଳ୍ପୀ–ତରଳନାରୀ ପ୍ରାଣ କେବଳ ବଡ଼ପଣିଆଁ ପାଖରେ ନଇଁ ପଡ଼େ । ପୁରୁଷ ହୁଏତ ଦେହର ଗନ୍ଧରେ ଆତ୍ମବିଭୋର, ହେଲେ ନାରୀ ! ତା’ପାଖରେ ରୂପର ମୋହ ଯେତେ ନୁହେଁ ଗୁଣର ମୋହ ସେତେ, ଉପଭୋଗର ମୋହ ସେତେ । ସେଇଥିପାଇଁ ବୃଦ୍ଧ ବର୍ଣ୍ଣାଡ଼ଶଙ୍କ ଧୋବଲା ଦାଢ଼ିକୁ ସ୍ୱାଗତକରିବା ଲାଗି ନାରୀ ମଧ୍ୟ ଏ ଦୁନିଆଁରେ ଜନ୍ମନେଇଥିଲେ ।

 

ସତକଥା ଅହଲ୍ୟାଦେବୀ ! ହେଲେ ଏ ଭେଜାଲ୍ ଦୁନିଆଁରେ ମୁଁ ନିଜକୁ ମଧ୍ୟ ବିଶ୍ୱାସକରି ପାରୁନାହିଁ । ଯେଉଁଠି ଚାଉଳ, ଅଟାର ଗୁଣ ସମ୍ୱନ୍ଧରେ ଆମେ ସନ୍ଦିହାନ୍, ସେଠି ଯେ ପ୍ରେମର ମହତ୍ତ୍ୱ, ଗୁଣର ମହତ୍ତ୍ୱ, ମଣିଷର ମହତ୍ତ୍ୱ ଅଛି, ଏ ବିଶ୍ୱାସ ମୋର ନାହିଁ । ମୋର ଏହି କାଳିବୋତଲରେ ମଧ୍ୟ ଭେଜାଲ ଜିନିଷ ମିଶିଥିବାର ସମ୍ଭାବନା ଅଛି ।

 

ତଥାପି, ତୁମକୁ ଶତମୁଖରେ ପ୍ରଶଂସା କରିବାର ସ୍ୱାଧୀନତା ମୋତେ ଦିଅ ଶିଳ୍ପୀ ! ମୁଁ ଆଉ କିଛି ଶୁଣିବାକୁ ଚାହେଁନା ।

 

ପରିଶେଷରେ ମୂକ, ବଧିର, ସ୍ଥାଣୁ ଭଳି ବସି ରହିଲେ ଇନ୍ଦ୍ରଦେବ । ଅହଲ୍ୟା ଅଛିଣ୍ଡା ଗପର ଖିଅ ମେଲାଇ ଗପିବାକୁ ଆରମ୍ଭକଲେ ବହୁକଥା । ଗପ ଶେଷରେ ଉଠିବା ବେଳକୁ ଅହଲ୍ୟା କହିଲେ–ତେବେ ମୋତେ ଚିତ୍ରଟି ଦେଇଦିଅ ଇନ୍ଦ୍ରଦେବ । କୁହ ତୁମର ପାରିଶ୍ରମିକ କେତେ ।

 

ଇନ୍ଦ୍ରଦେବ କହିଲେ–ନା...ନା...ଚିତ୍ରଟିର ବହୁଅଂଶ ବାକିଅଛି ଅହଲ୍ୟାଦେବୀ । ପୂର୍ଣ୍ଣାଙ୍ଗଭାବେ ଚିତ୍ରଟି ସରିଯାଉ, ତା ପରେ ସେଇଟିକୁ ତୁମକୁ ଦେଇଦେବି ।

 

ଆଜି କିନ୍ତୁ ଅହଲ୍ୟା ପ୍ରତିବାଦ କଲେନି । ନୀରବରେ ଫେରିଆସିଲେ କାର୍ ନିକଟକୁ ।

ତା’ପରେ ବହୁଥର ଅହଲ୍ୟା ଚିତ୍ରପାଇଁ ଶିଳ୍ପୀ ଇନ୍ଦ୍ରଦେବ ବର୍ମାଙ୍କ କୋଠରିକୁ ଯାଇଛନ୍ତି । ହେଲେ ଇନ୍ଦ୍ରଦେବଙ୍କର ସେହି ଗୋଟାଏ କଥା, ‘‘ଚିତ୍ରଟି ଯେ ଏଯାଏ ସରିନାହିଁ ଅହଲ୍ୟାଦେବୀ ! ଏତେ ଅଳ୍ପସମୟ ଭିତରେ ଦୀର୍ଘ ଜୀବନର ସମ୍ପୂର୍ଣ୍ଣ ପ୍ରତିଫଳନ କରାଇବା କ’ଣ ସମ୍ଭବ ?’’ ଅହଲ୍ୟା କିନ୍ତୁ ଏ କଥାର ପ୍ରତିବାଦ ନକରି ଦିନ ଦିନ ଧରି କେବଳ ନୀରବରେ ଫେରି ଆସିଛନ୍ତି ।

ଏବେ ଅହଲ୍ୟା ସେମିତି ଇନ୍ଦ୍ରଦେବଙ୍କ କୋଠରିକୁ ଯାଆନ୍ତି । ବେଳେ ବେଳେ ରଙ୍ଗତୂଳୀ ବାକ୍‍ସକୁ ସଜାଡ଼ି ବସନ୍ତି । ଘର ଦ୍ୱାରକୁ ସଜାଡ଼ି ବସନ୍ତି । ଜିନିଷ–ପତ୍ରର ବେଢ଼ଙ୍ଗ ଦେଖିଲେ ବିରକ୍ତ ହୁଅନ୍ତି । ନିଜେ ନିଜେ ଷ୍ଟୋଭ୍ ଲଗାଇ ଚାହା ତିଆରିକରନ୍ତି । ଶିଳ୍ପୀକୁ ଦିଅନ୍ତି, ଆଉ ନିଜେ ଖାଆନ୍ତି । ହେଲେ ଚିତ୍ରଟି ମାଗିବାକୁ ଆଉ ମନରେ ପଡ଼େନାହିଁ ।

ନାରୀ ଜୀବନର ମନସ୍ତତ୍ତ୍ୱ ପଢ଼ିବା ଦୁନିଆଁରେ ସବୁଠାରୁ କଠିନ ବ୍ୟାପାର । ରାସ୍ତା ଉପରେ ଗୋଟିଏ ଚମ୍ପାଫୁଲିଆ, ରୂପସୀ ଷୋଡ଼ଶୀକୁ ଦେଖିଲେ ପୁରୁଷର ଆଖି ଶିକାରୀ ବାଘପରି ଝାମ୍ପଦିଏ । ଦେହର ଉଲଗ୍ନ ଅଂଶକୁ ଆହୁରି ଉଲଗ୍ନ କରି ଦେଖିବାକୁ ଚେଷ୍ଟା କରେ । ହେଲେ ନାରୀ...ପୁରୁଷର ରୂପରେ ବିଭୋର ହୁଏ ନାହିଁ । ପ୍ରଥମ ଦର୍ଶନରେ ପ୍ରେମର ବୀଜାଣୁ ବୁଣି ହୋଇଯିବା କେବଳ ଗୋଟାଏ ଅବାସ୍ତବ କଳ୍ପନା ମାତ୍ର ।

ପୁରୁଷର ବାସ୍ନା ପାଇଲେ ନାରୀ ପ୍ରଥମେ ଚିହିଙ୍କି ଉଠେ । ଦୂରେଇ ରହି ନିଜର ସତୀତ୍ୱ ବଜାୟ ରଖିବାକୁ ଚେଷ୍ଟା କରେ । ହେଲେ ଦେହର କୋମଳ ମାଂସପେଶୀ ଦେହରେ ଯେତେବେଳେ ଶିହରଣ ଜାଗେ–ସେତେବେଳେ ସେ ହୁଏ ମୂକ, ବଧିର, ଅର୍ଥବ । ତା’ପରେ ତା’ ଦେହଉପରେ ଶତ ସହସ୍ର ଅତ୍ୟାଚାରକୁ ସେ ସ୍ୱାଗତ କରେ । ପୁରୁଷର କଠିନ ବାହୁ ଭିତରେ ନିଜକୁ ନିଷ୍ପେଷିତ କରିବାର ଆନନ୍ଦପାଏ । ନାରୀ ନିକଟରେ ଅତ୍ୟାଚାରହିଁ ଆନନ୍ଦ । କୋମଳତାହିଁ ଦୁଃଖ ।

ଯେତେବେଳେ ଶିଳ୍ପୀ ଇନ୍ଦ୍ରଦେବ ବର୍ମା ବିନମ୍ର ହୋଇ ଚିତ୍ରର ବରାଦ ନେଇଥିଲେ–ସେତେବେଳେ ଅହଲ୍ୟା ଆହତା ହୋଇ ବାରମ୍ୱାର ତାଙ୍କ ନିକଟକୁ ଆସିଥିଲେ । ଚିତ୍ରଟି କରି ଦେବାକୁ ଅନୁରୋଧ କରୁଥିଲେ । ଏବେ ଚିତ୍ର ସରିଯାଇଥିଲେ ମଧ୍ୟ, ସରି ନାହିଁ ବୋଲି ଆଳ ଦେଖାଇ, ସେ ଯେତେବେଳେ କଠିନ ହୋଇ ବାରଣ କରୁଛନ୍ତି, ସେତେବେଳେ ଅହଲ୍ୟା ନୀରବରେ ଫେରିଯିବା ଛଡ଼ା ଅଧିକ କିଛି କରି ପାରୁନାହାନ୍ତି । ନାରୀର ଏହି ବିଚିତ୍ର ମନୋବୃତ୍ତି ଆଜିକାର ନୁହେଁ–ବହୁ ପୁରାତନ, ଆଦିମ ।

ଏବେ ଶିଳ୍ପୀ ଇନ୍ଦ୍ରଦେବ ବର୍ମା ମଧ୍ୟ ଚିତ୍ରଟି କଥା ଏକରକମ ଭୁଲି ଯାଇଛନ୍ତି । ଆହୁରି ବହୁ ନୂଆଚିତ୍ର ଉପରେ ତୂଳୀ ଚଳାଇଛନ୍ତି । କେବଳ ସମୟ ବିଶେଷରେ ତାଙ୍କ ମନରେ କେତୋଟି ପ୍ରଶ୍ନ ଜାଗେ–ଅହଲ୍ୟାଙ୍କର ପ୍ରେମ ଭେଜାଲ ହୋଇଯିବାର କାରଣ ସେ ଅନୁସନ୍ଧାନ କରନ୍ତି ।

ମଦ, ମାଂସ, ନାରୀ–ଏ’ଯୁଗର ବହୁ ଚିନ୍ତାଶୀଳ ବ୍ୟକ୍ତିଙ୍କୁ କାବୁକରି ରଖିଛି ବୋଲି ଇନ୍ଦ୍ରଦେବ ଶୁଣିଛନ୍ତି, ହେଲେ ଆଣ୍ଟି–ରୋମାଣ୍ଟିକ ଇନ୍ଦ୍ରଦେବଙ୍କର ମାଂସର କ୍ଷୁଧା କମ୍ । ସମୟ ବିଶେଷରେ ତରୁଣ ମାଂସପେଶୀ ବିଳାପ କରି ଉଠୁଥିଲେ ମଧ୍ୟ, ସେ ତା’ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । କାରଣ ଭୋକହିଁ ବିଲୟର ସୋପାନ ବୋଲି ସେ ଭାବନ୍ତି । ଏବେ କିନ୍ତୁ ଅହଲ୍ୟାଙ୍କର ତନୁଶ୍ରୀ ତନିମା ତାଙ୍କ ନିକଟରେ ଇନ୍ଦ୍ରଜାଲର ମାୟା ସୃଷ୍ଟି କରେ । ଉନ୍ନତ ବକ୍ଷଦେଶର ସ୍ପନ୍ଦିତ ମାଂସପେଶୀ ତୂଳୀକୁ ଥରାଇଦିଏ ।

ସେଦିନ ଇନ୍ଦ୍ରଦେବଙ୍କର କୋଠରି ଦେହକୁ ଅହଲ୍ୟା ପଶି ଆସୁ ଆସୁ କହିଲେ–ଆଜି ଆଉ ଗୋଟିଏ ଅନୁରୋଧ ମୋର ରକ୍ଷା କରିବ ଇନ୍ଦ୍ରଦେବ ?

ଇନ୍ଦ୍ରଦେବ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । କାରଣ ସେ ଜାଣନ୍ତି–ଅହଲ୍ୟାଙ୍କର ଅନୁରୋଧ, ସବୁବେଳେ ନିହାତି କଠିନ । ତଥାପି ଅନିଚ୍ଛାସତ୍ୱେ ମୁଣ୍ଡ ହଲେଇ କହିଲେ–କୁହନ୍ତୁ କ’ଣ କରିବାକୁ ହେବ ?

ଅହଲ୍ୟା କହିଲେ–ନା...ନା...ତୁମର ଡରିବାର କାରଣ ନାହିଁ ଶିଳ୍ପୀ, ଏଥରର ଅନୁରୋଧ ନିଶ୍ଚୟ ଗତ ଥରର ଅନୁରୋଧ ଅପେକ୍ଷା ନିହାତି ସହଜ ।

ଇନ୍ଦ୍ରଦେବ କହିଲେ–କୁହନ୍ତୁ ତା’ହେଲେ ।

ଅହଲ୍ୟା ଚେୟାରଟା ଉପରେ ବସି ଯାଉ ଯାଉ ଅତି ସାଧାରଣ ଭାବରେ କହିଲେ–ଏ ଅନୁରୋଧ ସହଜ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତୁମକୁ ନିଶ୍ଚୟ କରିବାକୁ ପଡ଼ିବ ।

ଇନ୍ଦ୍ରଦେବ ଟିକେ ବିରକ୍ତହେବା ଭଳି କହିଲେ–କୁହନା...କଥା ନ ସୁରୁଣୁ ଅହଲ୍ୟା ଆରମ୍ଭ କଲେ–ମୁଁ ଯେଉଁ ଚିତ୍ର ବରାଦ ଦେଇଥିଲି–ତାହା ଆଜିଯାଏ ନେଇନାହିଁ, ଆଜି କିନ୍ତୁ ସେଇଟିକୁ ମୋତେ ଯେ କୌଣସି ମତେ ଦେବାକୁ ପଡ଼ିବ ।

ଇନ୍ଦ୍ରଦେବ ପୁଣି ଅହଲ୍ୟାଙ୍କର ଆଗ୍ରହ ଦେଖି କହିଲେ–କାହିଁକି କଣ ହେଲା ? ହଠାତ୍ କାହିଁକି ସେ କଥା ମନରେ ପଡ଼ିଲା ?

ନା....ସେମିତି କିଛି ନୁହେଁ । ମୃତ୍ୟୁ ସମ୍ୱାଦ ପାଇ ଏ ଫଟୋର ମଣିଷକୁ ପରିବାରର ସମସ୍ତେ ଶୁଦ୍ଧି ହୋଇ ଯାଇଥିଲେ, କେବଳ ମୁଁ ସେ ମୃତ୍ୟୁକୁ ସ୍ୱୀକାର କରି ନ ଥିଲି । ଆଜି ଅନୁଭବ କରୁଛି–ବାସ୍ତବିକ ସେ ମରିଛନ୍ତି । ତାଙ୍କ ଭୂତ ମୋତେ ବ୍ୟସ୍ତ କରିବ ସିନା–ହେଲେ ସେ ନୁହଁନ୍ତି । ତେଣୁ ଏଇ ଫଟୋଟିକୁ ମୁଁ ନେଇ ଶ୍ମଶାନରେ ଦାହ କରିବାକୁ ଚାହେଁ ।

ଇନ୍ଦ୍ରଦେବ ଆଶ୍ଚର୍ଯ୍ୟ ହୋଇ କହିଲେ–ଏ କି ଅଜବ୍ କଥା କହୁଛ ଅହଲ୍ୟାଦେବୀ !

ଅହଲ୍ୟାଦେବୀ ନିର୍ବିକାର ଭାବରେ ସେମିତି କହିଲେ–ସତରେ ଶିଳ୍ପୀ ! ଆଜିଯାଏ ତାଙ୍କର ପୂର୍ଣ୍ଣମାତ୍ରାରେ ମୃତ୍ୟୁ ହୋଇ ନ ଥିଲା । ଆଜିହିଁ ତାଙ୍କର ସମୂର୍ଣ୍ଣ ମୃତ୍ୟୁ ହୋଇଛି । କାରଣ ମୁଁ ଯେତେବେଳେ ସେହି ତୈଳ ଚିତ୍ରକଥା ମନେ କରୁଛି–ସେତେବେଳେ, ତାଙ୍କ ମୁହଁ ପରିବର୍ତ୍ତେ–ଶିଳ୍ପୀ ଇନ୍ଦ୍ରଦେବ ବର୍ମାଙ୍କର, ହାତର ତୂଳୀଟି ନାଚି ଉଠୁଛି । ସେ ଆଜି ସତରେ ମରିଛନ୍ତି ଶିଳ୍ପୀ ! ଚିତ୍ରଟିକୁ ଦାହ କରିବାର ସ୍ୱାଧୀନତା ମୋତେ ଦିଅ ।

ଇନ୍ଦ୍ରଦେବଙ୍କର ପ୍ରତିବାଦ କରିବାର ଭାଷା ନ ଥିଲା । ଚିନ୍ତା କରିବାର ଅବକାଶ ଥିଲା । ପାଖ ଚେୟାରଟାକୁ ଝିଙ୍କିଆଣି ଇନ୍ଦ୍ରଦେବ ଅହଲ୍ୟାଙ୍କ ପାଖରେ ବସିଲେ । ସାମାନ୍ୟ ଶଙ୍କିତ-ବୋଧ କରିଥିଲେ ମଧ୍ୟ–ଅହଲ୍ୟାଙ୍କର ଚୂର୍ଣ୍ଣ କୁନ୍ତଳ ଉପରେ ହାତ ବୁଲାଇ କହିଲେ–ମୁଁ ଗୋଟିଏ ପ୍ରଶ୍ନ ପଚାରିବି, ତାହାର ଉତ୍ତର ଦେବ ଅହଲ୍ୟାଦେବୀ ?

–ପଚାର ! ଅହଲ୍ୟାଙ୍କର ସଂକ୍ଷିପ୍ତ ଉତ୍ତର ।

 

–ଏ ଚିତ୍ରର ମଣିଷ ପାଇଁ ତୁମେ କାହିଁକି ଏତେ ବ୍ୟସ୍ତ ?

 

–ଏଥର ଅହଲ୍ୟା ବ୍ୟଥିତା ହୋଇ କହିଲେ–ନା...ନା...ତୁମେ ସେ ବିଗତ ଇତିହାସ ପୃଷ୍ଠାକୁ ଆଉ ଲେଉଟାଇବାକୁ ଚେଷ୍ଟା କରନି ଶିଳ୍ପୀ, ମୋତେ କେବଳ ଶାନ୍ତିରେ ବଞ୍ଚିବାକୁ ଦିଅ ।

 

–ଭୁଲ ବୁଝୁଛ ଅହଲ୍ୟା ଦେବୀ ! ଦୁଃଖଟାକୁ କହି ଦେଲେ–ଅନେକାଂଶରେ ଲାଘବ ହୋଇଯାଏ । କୁହ କାହିଁକି ଏ ଚିତ୍ରପାଇଁ ଏପରି ବ୍ୟସ୍ତ ।

 

ଅହଲ୍ୟା ଆଉ ନିଜକୁ ସମ୍ଭାଳିପାରୁ ନଥିଲେ । ଇନ୍ଦ୍ରଦେବଙ୍କର କୋଳ ଭିତରେ ଢଳି ପଡ଼ୁ ପଡ଼ୁ କହିଲେ–ସେ ଅନେକ କଥା–ସେ ଅନେକ କଥା । ତୁମେ କ’ଣ ଶୁଣି ଅହଲ୍ୟାକୁ ପ୍ରଶଂସା କରି ପାରିବ ଶିଳ୍ପୀ ?

 

–ରଙ୍ଗ ଛାଡ଼ିଗଲେ ଯେ ପୁଣି ରଙ୍ଗ ଦେବାରେ ଶିଳ୍ପୀ ଆନନ୍ଦପାଏ ଅହଲ୍ୟାଦେବୀ । କୁହ...ମୁଁ ବା ଘୃଣା କରିବି କାହିଁକି ?

 

ସେତେବେଳେକୁ ଅହଲ୍ୟାଙ୍କର ବିଷ ଶିଳ୍ପୀ ଇନ୍ଦ୍ରଦେବଙ୍କ ଠାରେ ସଂକ୍ରମିତ ହେଉଥିଲା ।

 

ଅହଲ୍ୟା ପୂରା ମାତ୍ରାରେ ଇନ୍ଦ୍ରଦେବଙ୍କର କୋଳ ଭିତରେ ପଡ଼ିରହି ଆରମ୍ଭ କଲେ–ତେବେ ଶୁଣ–ମୋର କଳଙ୍କିତ ଇତିହାସ ଯେବେ ତୁମକୁ ଆନନ୍ଦ ଦେଇପାରେ–ତେବେ ନିଶ୍ଚୟ କହିବି–

 

ମୋର ବାପା, ରିଟାୟାର୍ଡ଼ ଆଇ.ଏ.ଏସ୍.ଅଫିସର ରଣଜିତ୍ କାନୁନ୍‍ ଗୋ । ସମାଜରେ ମାନ ଅଛି, ଇଜ୍ଜତ୍‍ ଅଛି । ତା ସହିତ ହଜାର ହଜାର ଟଙ୍କାର ବ୍ୟାଙ୍କବ୍ୟାଲାନ୍‍ସ ଅଛି । ଏ ସବୁ ଥିବା ଭିତରେ ମୁଁ ଗୋଟିଏ ବିରାଟ ନଥିବା, ମୋ ମୁହଁର ହସ ଦେଖିଲେ ସେ କାନ୍ଦି କାନ୍ଦି ବ୍ୟଥିତ ହୋଇ ପଡ଼ନ୍ତି ।

 

ଇନ୍ଦ୍ରଦେବ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ–କିନ୍ତୁ କାହିଁକି ଅହଲ୍ୟାଦେବୀ ? ବାପା କ’ଣ ତୁମକୁ ଭଲପାଆନ୍ତି ନାହିଁ ।

 

ଅହଲ୍ୟା ପୁଣି ଆରମ୍ଭକଲେ–ସବୁ କହିବି ଶିଳ୍ପୀ, ଥରେ ଯେତେବେଳେ ଜୀବନର ଡୋର ଫିଟାଇଛି, ଆଉ ବାନ୍ଧିରଖି ଲାଭନାହିଁ । ଜୀବନର ଘନୀଭୂତ ବେଦନାକୁ ନିଗାଡ଼ିଦେଇ ମୁଁ ଲାଘବ କରିବାକୁ ଚାହେଁ ।

 

ଇନ୍ଦ୍ରଦେବ କହିଲେ–ବେଶ୍ କୁହ ତାହେଲେ ।

 

କହିଲି ତ, ବାପାଙ୍କର ସବୁଥିଲା, ହେଲେ ମୁଁ ଥିଲି ତାଙ୍କ ଜୀବନର ଗୋଟିଏ ମସ୍ତବଡ଼ ଆଘାତ । କେବଳ ମୋ ନିକଟକୁ ଆସିବାଛଡ଼ା ସେ ଅନ୍ୟବେଳେ ବେଶ୍ ଆନନ୍ଦରେ ଥାଆନ୍ତି । ଚେସ୍‍ ଖେଳିବା ତାଙ୍କ ଜୀବନର ଗୋଟାଏ ମସ୍ତବଡ଼ ମୋହ । ଖାଇବା ପିଇବା ଛାଡ଼ି କେବଳ ଚେସ୍ ଖେଳି ସେ ସମୟ କାଟି ଦେବାକୁ ଚାହାନ୍ତି । ରିଟାୟାର୍ଡ଼ ଓ.ଏ.ଏସ, ରିଟାୟାର୍ଡ଼ ଜଜ୍, ତା’ଛଡ଼ା ବହୁ ବ୍ୟବସାୟୀ, ଅଧ୍ୟାପକ, ମିଲ୍ ମାଲିକ ଆମଘରକୁ କେବଳ ଚେସ୍ ଖେଳିବାକୁ ଆସନ୍ତି । ବେଳେବେଳେ ବାପା କହନ୍ତି–ମୁଁ ଯେବେ ଚେସ୍ ଖେଳ ଜାଣିନଥାନ୍ତି, ତେବେ ବହୁଦିନରୁ ମରିଯାଇସାରନ୍ତିଣି ।

 

ଏଇ ଚେସ୍ ଖେଳିବାପାଇଁ ସକାଳ ପ୍ରହରଟା ଆମ ଘର ବେଶ୍ ସରଗରମ ହୋଇଉଠେ-। ତେବେ ଅଧିକାଂଶ ଦିନ ବାପା ଜୟକରୁଥିବାର ଖବର ଆମେ ଶୁଣୁ । ବାପା ପ୍ରାୟ ପ୍ରତ୍ୟେକଦିନ ହସି ହସି ବୋଉଙ୍କ କୋଠରିକୁ ପଶି ଆସୁ ଆସୁ କହନ୍ତି–‘ଜାଣିଛ ରୀତା ! ଆଜି ଦୁଇଥର ମୁଁ ଜିତାପଟ୍ ନେଇଛି, ମିଷ୍ଟର ଦାସ୍‍ଙ୍କର ରାଜାକୁ ଏମିତି ବାନ୍ଧି ପକାଇଲି ଯେ, ସେ ଆଉ ସୈନ୍ୟ ଜଳାଇବାକୁ ବାଟ ପାଇଲେ ନାହିଁ ।

 

ବାପାଙ୍କର କଥା ଶୁଣି ବୋଉ କିଛି କହନ୍ତିନାହିଁ, କେବଳ ନୀରବରେ ମୁଣ୍ଡ ହଲେଇ କହନ୍ତି–ହଉ, ଏବେ ଖାଇବ ଆସ । ବାପା ବିରକ୍ତ ହୋଇ କହନ୍ତି–ଦେଖ ରୀତା, ତୁମେ ଏଯାଏ ଚେସ୍‍ଖ ଖେଳର ମହତ୍ତ୍ୱ ବୁଝିଲ ନାହିଁ । ମୁଁ ବାର ବାର କହୁଛି–ଖେଳଟାକୁ ଶିଖିନିଅ, କିଛି ନହେଲେ–ଅନ୍ତତଃ ମୋତେ ତ ସମର୍ଥନ କରିପାରିବ । ବୋଉ ହସି ହସି କହନ୍ତି–ବୁଢ଼ାହେଲ, ତଥାପି ତୁମର ପାଗଳାମି ଗଲାନାହିଁ ।

 

ଏଥର ବାପାଙ୍କୁ ଆଉ ସମ୍ଭାଳେ କିଏ ? ନିଜ ଦେହକୁ ଥରେ ଚାହିଁ ଦେଇ କହନ୍ତି–ତୁମେ ଏମିତି କହିବନି ରୀତା, ମୋ ମାଂସ ବୁଢ଼ା ହୋଇଯାଇ ଥାଇପାରେ, ହେଲେ ମନତ ବୁଢ଼ା ହୋଇ ଯାଇନାହିଁ ।

 

ବୋଉ କଥାଟାକୁ ସେମିତି ଉଡ଼ାଇଦେଇ କହନ୍ତି–ଥରେ ନିଜକୁ ପଚାରି ଦେଖ ।

 

ବାପା କହନ୍ତି–ନାଇଁ, ନାଇଁ, ଏକଥାର ସମାଧାନ ଅରୁ କରିବ । କହୁ କହୁ ବାପା ମୋ ଦୋମହଲା କୋଠରି ପର୍ଯ୍ୟନ୍ତ ଚାଲି ଆସନ୍ତି । ଦୁଆରବନ୍ଧ ପାଖରେ ଠିଆ ହୋଇ କହନ୍ତି–କହିଲୁ ମା ଅରୁ ! ମୁଁ କୁଆଡ଼େ ବୁଢ଼ା ହୋଇଗଲିଣି ?

 

ମୁଁ କିଛି ନକହି ନୀରବ ରୁହେ । ବାପା ପୁଣି ବାଧ୍ୟ କରି କହନ୍ତି–ସତକହ....ସତକହ ମାଆ ଅରୁ ! ମୁଁ କ’ଣ ବୁଢ଼ାହୋଇ ଯାଇଛି ?

 

ଏଥର ମୋତେ ଖୁବ୍ ହସମାଡ଼େ । ହସକୁ ଚାପିପାରେ ନାହିଁ । କେବଳ ଟିକେ ହସିଦିଏ-। ଆଉ ବାପାଙ୍କୁ ସମ୍ଭାଳେ କିଏ ? ଘନୀଭୂତ ଲାଭା ବାଟପାଇଲେ ବାହାରକୁ ବାହାରି ଆସିବା ପରି, ବାପାଙ୍କର ଦୁଇ ଟାଆଁସା ଗଣ୍ଡକୁ ଭିଜାଇ, ବହିବାରେ ଲାଗେ ଲୁହ । ଏ ଲୁହର ଆଉ ଶେଷ ହୁଏନା । ସାନ୍ତ୍ୱନା ଦେବାକୁ କେହି ଚେଷ୍ଟାକରନ୍ତିନି । କାରଣ ସମସ୍ତେ ଜାଣନ୍ତି ଯେ–ଆଖିଦେହରେ ସଞ୍ଚିତଥିବା ଲୁହ ନ ସରିବାପର୍ଯ୍ୟନ୍ତ କାନ୍ଦ ଆଉ ବନ୍ଦ ହେବନାହିଁ । ବାଧ୍ୟହୋଇ ମୁଁ ହସ ବନ୍ଦ କରେ । ବାପାଙ୍କୁ ଧରି ଧରି ଖାଇବା ଟେବୁଲ ପାଖକୁ ନେଇଯାଏ । ବାପା କେବଳ ମୋତେ ଅନାଇଁ ଖାଇବାକୁ ବସନ୍ତି । ହେଲେ ମୁଁ କେବେ ତାଙ୍କ ସହିତ ଖାଇ ବସେନାହିଁ । ସେ ବାରମ୍ୱାର ମୋତେ ବାଧ୍ୟ କରନ୍ତି । ପିତୃତ୍ୱ ଦେଖାଇ ଶାସନ କରିବାକୁ ଚେଷ୍ଟାକରନ୍ତି । କିନ୍ତୁ ମୋର ନିଷ୍ଠୁର ପ୍ରାଣ ତାଙ୍କୁ ସମବେଦନା ଜଣାଇ ପାରେ ନାହିଁ ।

 

ଇନ୍ଦ୍ରଦେବ ପଚାରିଲେ–ଯେଉଁ ବାପା ତୁମକୁ ଏତେ ଭଲପାଆନ୍ତି–ତାଙ୍କର ସାମାନ୍ୟ ଅନୁରୋଧ ତୁମେ କାହିଁକି ଏଡ଼ାଇ ଦେବାକୁ ଚେଷ୍ଟାକର ଅହଲ୍ୟାଦେବୀ ?

 

–ସବୁ କହିବି ଇନ୍ଦ୍ରଦେବ, ଥରେ ଯେତେବେଳେ କହିବାକୁ ଆରମ୍ଭ କରିଛି, ସେତେବେଳେ ଆଉ କୌଣସି କଥା ଲୁଚାଇ ରଖିବି ନାହିଁ । ପ୍ରଥମ ପ୍ରଥମ ମୁଁ ବାପାଙ୍କ ସହିତ ଖାଉଥିଲି । ଆଦରରେ କୋଳଭିତରେ ପୂରାଇ ବାପା ମୋତେ ଖାଇବା ଟେବୁଲ ନିକଟକୁ ନେଇଯାଆନ୍ତି । ବାଲାମି ଚାଉଳର ଭାତକୁ ନିଜହାତରେ ଗୁଣ୍ଡା ବଳି ଦିଅନ୍ତି । ଯେତେବେଳେ ପାଟିକୁ ନେବାକୁ ମୁଁ ମୁହଁ ମେଲାକରେ–ସେତେବେଳେ ତାଙ୍କ ହାତ ଅଟକିଯାଏ । ଆଉ ମୋ ପାଟି ପାଖକୁ ଯାଏନା । ତା’ପରେ କାନ୍ଦିବାକୁ ଆରମ୍ଭ କରନ୍ତି ବାପା । ବାପା ଖାଇବା ଟେବୁଲ ଉପରେ ବାପା ବସିପାରନ୍ତିନି । ଖାଇବା ସେତିକିରେ ବନ୍ଦରହେ, ସେ ଉଠି ଯାଆନ୍ତି ।

 

ବୋଉ ଦୌଡ଼ି ଆସନ୍ତି । କହନ୍ତି–କ’ଣ ଏ ଜୀବନସାରା ତୁମର ପାଗଳାମି ଯିବନାହିଁ ? ଯଦି ନସହି ପାରୁଛ–ତେବେ ଝିଅକୁ ଖାଇବାକୁ ଏତେ ଶ୍ରଦ୍ଧାରେ ଡାକି ଆଣୁଛ କାହିଁକି ? କିନ୍ତୁ ବାପା କିଛି ନଶୁଣିଲା ପରି ଚାଲିଯାଆନ୍ତି । ବାଧ୍ୟ ହୋଇ ବୋଉ ବସି ମୋତେ ଖୋଇ ଦିଅନ୍ତି ।

 

ଏହିସବୁ କାରଣରୁ ମୁଁ ବୁଝିନେଲି ଯେ ଜୀବନରେ ହସିବଟା ମୋର ମସ୍ତବଡ଼ ଭୁଲ୍ । କାନ୍ଦିବାପାଇଁ ହିଁ ମୋର ଜନ୍ମ । ମୋର କାନ୍ଦ ଦେଖିଲେହିଁ ଆମ ପରିବାର ଶାନ୍ତିରେ ରହିବେ ।

 

ଇନ୍ଦ୍ରଦେବ ପୁଣି ମଝିରେ ବାଧା ଦେଇ କହିଲେ–ହେଲେ ଏମିତି ହେବାର କାରଣ କ’ଣ ଅହଲ୍ୟାଦେବୀ ?

 

ଅହଲ୍ୟା କହିଲେ–ଥରେ କହିଛି ମୁଁ ସବୁ କହିବି ଇନ୍ଦ୍ରଦେବ, ବ୍ୟସ୍ତ ନହୋଇ ତୁମେ କେବଳ ମୋର କାହାଣୀ ଶୁଣିଯାଅ ।

 

ସମୟର ସୁଅରେ ମଣିଷ ଜୀବନ ଯେ ଏତେ କାହାଣୀମୟ ହୋଇଯାଏ, ଏ ଧାରଣା ମୋର ନଥିଲା । ଦୟାବତୀ ମାଟିର ବୁକୁରେ ଯେଉଁ ମଣିଷ ବଞ୍ଚିରହିବାକୁ ଖଣ୍ଡେ ଶସ୍ତା କୁପନ୍‍ପାଇଁ ଯୁଦ୍ଧକରେ, ସେହି ମାଟିକୁ ଭେଜାଲ କରି ମିଶିଯାଏ ଅସଂଖ୍ୟ ଗୋଡ଼ି, ବାଲି । ତେଣୁ ମଣିଷର କାହାଣୀ ମଧ୍ୟ ହୁଏ ନିହାତି ଭେଜାଲ ।

 

ହଁ......

 

କେତେ ଅକୁହା କଥା କହିବାକୁ ମନ କାଲୁ ବାଲୁ ହୋଇଉଠୁଛି । କେତେ ଅସରନ୍ତି ଦୁଃଖକୁ ଆଖିବାଟେ ନିଗାଡ଼ି ଦେବାକୁ ମନ ଘୋଡ଼ଦୌଡ଼ ଆରମ୍ଭ କରିଛି.... ହେଲେ...ଅତି ଆଗ୍ରହରେ ଅହଲ୍ୟାଙ୍କୁ ଆଉଟିକେ ନିଜଆଡ଼େ ଟାଣିଆଣି ଇନ୍ଦ୍ରଦେବ କହିଲେ–କୁହ ଅହଲ୍ୟା, ତୁମ ଜୀବନର ବୁଢ଼ୀମା କାହାଣୀ ଶୁଣିବାକୁ ମୋ ମନ ବ୍ୟତିବ୍ୟସ୍ତ ହୋଇ ଉଠୁଛି । ଦେହର କଥା....ମନର କଥା ଗୋଟିଗୋଟିକରି କୁହ । ମୁଁ ସବୁ ଶୁଣିବି...ଆଉ ଭାବିବି...

 

ଅହଲ୍ୟା କହିଲେ–ଶୁଣନ୍ତୁ ଇନ୍ଦ୍ରଦେବ ! ଆଜିପର୍ଯ୍ୟନ୍ତ କେହି ମୋର ଜୀବନର କାହାଣୀ ଶୁଣିବାକୁ କେବେ ଆଗ୍ରହ ପ୍ରକାଶ କରି ନଥିଲେ, ବହୁବାର କହିବାକୁ ଆରମ୍ଭ କରି ନୀରବ ରହିବାକୁ ବାଧ୍ୟ ହୋଇଥିଲି । ହେଲେ ଆଜି ନୂଆ ଜାଣିବାକୁ ପାଉଛି ଯେ ମୋ ନଷ୍ଟଜୀବନର ଇତିହାସ ଶୁଣିବାକୁ ମଧ୍ୟ ଏ ପୃଥିବୀରେ ଲୋକ ଅଛନ୍ତି ।

 

ଅହଲ୍ୟାଙ୍କର ଏଇ କେଇପଦ କଥାରେ ଶିଳ୍ପୀ ଇନ୍ଦ୍ରଦେବଙ୍କ ମନଭିତରେ ନିଶ୍ଚୟ ଆନନ୍ଦର ଢେଉ ଉଠିଥିବ । ହେଲେ ସେ ଢେଉକୁ ଗଣିବାର ସାହସ କେହି କରିନାହିଁ.... ଅନୁମାନ କରିବାର ଗୁରୁତ୍ୱ କେହି ଦେଖାଇ ନାହିଁ ।

 

ଅହଲ୍ୟା ପୁଣି ଆରମ୍ଭ କଲେ–ବାପାଙ୍କର ଏହି ଚେସ୍‍ ଖେଳର ଝୁଙ୍କପାଇଁ ଆମଘରକୁ ବହୁ ଲୋକ ଆସନ୍ତି । ଚିହ୍ନା ଅଚିହ୍ନା ଲୋକଙ୍କର ଧାଡ଼ିଭିତରେ ଆମ ଦ୍ୱିମହଲା ନୀଳରଙ୍ଗର ପ୍ରାସାଦଟି ସରଗରମ୍ ହୋଇ ଉଠେ । ପ୍ରତ୍ୟେକ ଦିନ ସକାଳ ଓଳିଟା ଚିହ୍ନାଲୋକଙ୍କ ସହିତ ଚେସ୍‍ ଖେଳ ହୁଏ । ହେଲେ ଚାରିଟା ପରେ ପ୍ରାୟ ଅପରିଚିତ କେହି କେହି ଆସନ୍ତି ।

 

ଚାରିଟାବେଳେ ଅପରିଚିତ ଲୋକ ଆମ ଘରକୁ ଆସିବାର କାରଣ ହୁଏତ ତୁମେ ପଚାରିପାର ଶିଳ୍ପୀ ! ତିନିଟା ବେଳେ ବାପା ଶୋଇବା ଘରୁ ସିଧା ସଳଖ ବୁଲିବାକୁ ବାହାରି ପଡ଼ନ୍ତି-। ହାତରେ ବାଙ୍କୁଲି ବାଡ଼ି, କାନ୍ଧରେ ଚଦର ପକାଇ, ସେ ବେଶୀ ଖଣ୍ଡଗିରିର ପ୍ରକୃତ ଉପଭୋଗକରିବାକୁ ଖୋଲା ପଡ଼ିଆ ଆଡ଼େ ବାହାରି ପଡ଼ନ୍ତି । କେହି ଲୋକ ବାଟରେ ଦେଖାହେଲେ ଚେସ୍‍ ଖେଳ କଥା ପଡ଼େ । ଅଫିସରୁ ଫେରୁଥିବା ଅଫିସର, କିରାଣୀ ଆଦିଙ୍କୁ ଦେଖିଲେ ମଧ୍ୟ ସେ ଏହି କଥା ପକାନ୍ତି–ଶେଷରେ ଭଦ୍ରାମୀ ଖାତିରରେ ଦୁଇବାଜି ଖେଳିଯିବାକୁ ଆମ ଘରକୁ ଆସନ୍ତି ।

 

ବାପାଙ୍କର ଏହି ଆକ୍‍ବରୀ ମିଜାସ୍ ଯେ ଆଜିକାର, ତାହା ନୁହେଁ । ଏଟା ବହୁଦିନର ଗତାନୁଗତିକ ଅଭ୍ୟାସ । ଆଇ:ଏ:ଏସ୍ ଅଫିସର ଥିବାବେଳେ ସେ ଯେମିତି ପାଗଳାମି ଦେଖାଉଥିଲେ–ଆଜିମଧ୍ୟ ସେମିତି ।

 

ଇନ୍ଦ୍ରଦେବ ବାଧ୍ୟଦେଇ କହିଲେ–କିନ୍ତୁ ଏ ପାଗଳାମିର କାରଣ କ’ଣ ଅହଲ୍ୟାଦେବୀ ?

 

ଅହଲ୍ୟା କହିଲେ–ସେ ପାଗଳାମିକୁ ବିଶ୍ଳେଷଣ କରିବାର ସୁବିଧା ମୁଁ ପାଇନାହିଁ । ହେଲେ ଯାହା ପାଇଛି, ତାହାହିଁ କହୁଛି ।

 

ବାପା ଯେଉଁ ପରିଚିତ ଅପରିଚିତ ବ୍ୟକ୍ତିମାନଙ୍କୁ ଚେସ୍ ଖେଳିବାକୁ ଡାକିଆଣନ୍ତି–ସେମାନଙ୍କ ଭିତରେ ଅନେକ ସମୟରେ ଅପ୍ରାପ୍ତବୟସ୍କ ବାଳକ ମଧ୍ୟ ଥାଆନ୍ତି । ସ୍କୁଲ କଲେଜ ଫେରନ୍ତା ଏହି ପ୍ରାପ୍ତ ବା ଅପ୍ରାପ୍ତ ବୟସ୍କ ବାଳକମାନେ....ବାପାଙ୍କର ପାଗଳାମିକୁ ସ୍ୱାଗତ କରନ୍ତି, ଅନୁରୋଧ ରକ୍ଷାକରନ୍ତି । କାରଣ ତାଙ୍କ ମନରେ ଚେସ୍ ଖେଳିବାର ମୋହ ଯେତେ ନଥାଏ–ମୋତେ ଥରେ ଦେଖିବାର ଆଶା ସେତେ ଥାଏ ।

 

ଇନ୍ଦ୍ରଦେବ କହିଲେ–କିନ୍ତୁ ତୁମ ଦେହରେ ଏମିତି ଦେଖିବାର ଜିନିଷ କ’ଣ ଥିଲା ?

 

ଅହଲ୍ୟା ଏତେ ଦୁଃଖରେ ମଧ୍ୟ ସାମାନ୍ୟ ହସର ରେଖା ଟାଣି କହିଲେ–ମୋ ଦେହରେ ଦେଖିବାର ଜିନିଷ କ’ଣ ଥିଲା–ତାହା ମୋ ଆଖିକୁ ଦେଖାଯାଉ ନଥିଲା, ହେଲେ...ପୁରୁଷ ମନକୁ ଦୋହଲାଇ ଦେବାଭଳି ଉପାଦାନ ଥିବାର ମୁଁ ଅନୁଭବ କରୁଥିଲି । କାରଣ.....ଅନେକ ସମୟରେ ମୋ ଖୋଲା ଦେହର ଅନାବୃତ ଅଂଶରେ, ଅନେକ ଗୁଡ଼ାଏ ଆଖି ଏକସମୟରେ ଝାସ ଦେଉଥିଲେ ।

 

ଇନ୍ଦ୍ରଦେବ କହିଲେ–ତା’ହେଲେ ତୁମେ କହୁଛ ଯେ–ପୁରୁଷଗୁଡ଼ାକ କାମୁକ ?

 

ଅହଲ୍ୟା ସ୍ଥିର ଚିତ୍ତରେ ପୁଣି କହିଲେ–ନା, ଯୁକ୍ତି ଅନ୍ତତଃ ମୋ ପକ୍ଷରୁ ଉଠିପାରିବ ନାହିଁ-। କାରଣ କାମଶକ୍ତି ପୃଥିବୀର ସୃଷ୍ଟିଶକ୍ତି, ତାକୁ ବେଖାତିର କରିବାର କ୍ଷମତା ମୋର ନାହିଁ । ଯେଉଁମାନେ ସେହି ଭୋକିଲା ଆଖିନେଇ ଆମଘରକୁ ଆସୁଥିଲେ–ସେମାନଙ୍କୁ ମୁଁ ସେମିତି ଫେରାଇ ଦେଉନଥିଲି । କିଛି ନହେଲେ ମଧ୍ୟ ସାମାନ୍ୟ ଟିକେ ହସ ଉପହାର ଦେଇ ବିଦାକରୁଥିଲି-। ଏଇଟାକୁ ମୋର ପ୍ରବଞ୍ଚନା ବୋଲି ଭାବିବନି ଶିଳ୍ପୀ ! ମୋର ସାମାନ୍ୟ ରୂପର ଗନ୍ଧରେ ଯେବେ କାହାର ମନର କ୍ଷୁଧା ମରିପାରେ.... ତେବେ ମୋର ବା ଆପତ୍ତି ରହନ୍ତା କାହିଁକି-?

 

ତଥାପି....ମୋର ଏହି ଅଭିନୟର କିଛି ଉଦ୍ଦେଶ୍ୟ ଥିଲା । ବାପାଙ୍କ ମନରେ ଆଘାତ ଦେବାକୁ ମୁଁ ଇଚ୍ଛାକରୁ ନଥିଲି ।

 

ଶିଳ୍ପୀ ଇନ୍ଦ୍ରଦେବ ଗୋଳମାଳିଆରେ ପଡ଼ିଲେ । କହିଲେ, ତୁମର ଏହି ହସକୁ କ’ଣ ବାପା ସ୍ୱୀକାର କରୁଥିଲେ ?

 

ସେହିକଥା ମୁଁ କହୁଛି ଶିଳ୍ପୀ ! ଯେଉଁ ବାପା ନିଜେ ହସ ଦେଖି କାନ୍ଦି କାନ୍ଦି ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି...ସେହିବାପା...ମୋତେ ଅନ୍ୟପାଖରେ ହସୁଥିବାର ଦେଖିଲେ...ଆନନ୍ଦ ଆତିଶଯ୍ୟରେ ଉଛୁଳି ପଡ଼ନ୍ତି । ଆତ୍ମବିଭୋର ହୋଇ ମୁଖର ହୋଇଉଠନ୍ତି ।

 

ଇନ୍ଦ୍ରଦେବଙ୍କର ଶିଳ୍ପୀମନ ଆହୁରି ଗୋଲକଧନ୍ଦାରେ ପଡ଼ିଲା । କହିଲେ–କିନ୍ତୁ ଏପରି ହେବାର କାରଣ କ’ଣ ଅହଲ୍ୟାଦେବୀ ?

 

ଅହଲ୍ୟା କହିଲେ–ତୁମକୁ ତ ଆଗରୁ କହିଛି ଶିଳ୍ପୀ ! ଯେ ବାପା ବହୁ ନୂଆ ଲୋକଙ୍କୁ ଆମଘରକୁ ନିମନ୍ତ୍ରଣ କରିଆଣନ୍ତି । ଚେସ୍‍ଖେଳ ସରେ । ସରିବା ପରେ ବାପା ସେହି ଲୋକଙ୍କୁ ଧରି ମୋର କୋଠରି ଭିତରକୁ ଆସନ୍ତି । ମୁଁ ହାତ ଉଠାଇ ନମସ୍କାର କରେ । ବସିବାକୁ ଇଙ୍ଗିତ କରେ । ଆଗନ୍ତୁକ ବସନ୍ତି । ତା’ପରେ ପୁଝାରୀ ଚାହା ଆଣି ଥୋଇଦେଇ ଯାଏ । ମୁଁ ନିଜହାତରେ ଚାହା ପରିବେଷଣ କରେ । ପ୍ରତ୍ୟେକ ମୁହୂର୍ତ୍ତରେ ମୋର ମୁହଁରୁ ଆଞ୍ଜୁଳା ଆଞ୍ଜୁଳା ହୋଇ ହସ ଝରିପଡ଼ୁଥାଏ । ବାପା...ମୋର ହସ ଦେଖି ଦ୍ୱିଗୁଣ ଉତ୍ସାହିତ ହୁଅନ୍ତି । ଆଗନ୍ତୁକ ମଧ୍ୟ କଣେଇ କଣେଇ ମୋ ଆଡ଼କୁ ଚାହାନ୍ତି । ସାମାନ୍ୟ ଟିକେ ହସରେ ପରିତୃପ୍ତ ହୁଅନ୍ତି । ଥରେ ଯେ ଆମ ଘରକୁ ଆସେ, ସେ ବହୁବାର ଆସିବାକୁ ଇଚ୍ଛାକରେ । ହେଲେ ମାମିକୁ ଏ ସବୁ ଭଲ ଲାଗେନାହିଁ । ତେଣୁ ସେ ଅନେକ ସମୟରେ ବିରକ୍ତ ହୁଅନ୍ତି । ବାପାଙ୍କୁ ମୁହାଁମୁହିଁ କିଛି ନ କହି ପାରିଲେ ମଧ୍ୟ ପରୋକ୍ଷରେ ସମାଲୋଚନା କରନ୍ତି ।

 

ବାପା କିନ୍ତୁ ଏ ସବୁ ସମାଲୋଚନାକୁ ମୋଟେ ଖାତିର କରନ୍ତି ନାହିଁ । ତାଙ୍କ କାମ ଦୈନନ୍ଦିନ ଚାଲେ ।

 

ଚାହା ଖିଆ ସରିବା ପରେ...ଆଗନ୍ତୁକଙ୍କୁ ଧରି ବାପା ଦୋ’ମହଲା ଶିଢ଼ିରେ ତଳକୁ ଓହ୍ଲାଇ ଆସନ୍ତି । ଠିକ୍ ତଳ ପାହାଚରେ ଗୋଡ଼ ପଡ଼ିଲାକ୍ଷଣି ବାପା ଆଗନ୍ତୁକଙ୍କୁ ପଚାରନ୍ତି–ଝିଅଟି ଆପଣଙ୍କୁ କେମିତି ଲାଗିଲା ?

 

ଆଗନ୍ତୁକ ଅପ୍ରସ୍ତୁତ, ଆଶ୍ଚର୍ଯ୍ୟ ହୁଅନ୍ତି । କାରଣ କୌଣସି ବାପ, ଜଣେ ଅପରିଚିତ ଲୋକକୁ ନିଜ ଝିଅର ରୂପ ବା ଗୁଣ ସମ୍ୱନ୍ଧରେ ପଚାରିବା ଗୋଟିଏ ବ୍ୟତିକ୍ରମ । ଆଗନ୍ତୁକ ଅଡ଼ୁଆରେ ପଡ଼ନ୍ତି । ହସରେ ଉଡ଼ାଇ ଦେବାକୁ ଚେଷ୍ଟାକରନ୍ତି । ହେଲେ ବାପାଙ୍କର ଜିଦ୍ ବଢ଼ିଯାଏ-। କହନ୍ତି–କୁହନ୍ତୁ...କୁହନ୍ତୁ....ବାସ୍ତବିକ୍ ଝିଅଟି ସୁନ୍ଦର କି ଅସୁନ୍ଦର ।

 

ଆଗନ୍ତୁକ ବାଧ୍ୟ ହୋଇ ହଁ ଭରନ୍ତି । ହେଲେ ବାପା ସେତିକିରେ ଛାଡ଼ିବା ଲୋକ ନୁହନ୍ତି-। ତା’ପରେ କହନ୍ତି–ସତକୁହ, ଝିଅଟିର କେଉଁ ଅଂଶ ଆପଣଙ୍କୁ ଖୁବ୍ ଭଲ ଦିଶିଲା । ଏଥର ଆଗନ୍ତୁକ ଆହୁରି ଅସୁବିଧାରେ ପଡ଼ନ୍ତି । କେତେ କଥାରେ ଉପମା ଉପମେୟ ଭିତରେ ଖସିଯିବାକୁ ଚେଷ୍ଟା କରନ୍ତି । ହେଲେ ବାପାଙ୍କର ମନ ଏତେ କଞ୍ଚା ନୁହେଁ । ସେ ଜିଦ୍‍ଧରି ବସନ୍ତି–ଆପଣଙ୍କୁ କହିବାକୁ ପଡ଼ିବ ।

 

ଆଗନ୍ତୁକଙ୍କର ମନରେ ଦ୍ୱନ୍ଦ୍ୱ ଉଠେ । ବାପ ପାଖରେ ଝିଅର ଲନ୍ନତବକ୍ଷର ଶୋଭା ବର୍ଣ୍ଣନା କରି ହେବ ନାହିଁ । ସିଂହକଟୀର ଉପମା ଦେଇ ହେବନାହିଁ । ନିତମ୍ୱର ସୁଷମା ବର୍ଣ୍ଣନା କରି ହେବନାହିଁ । ଚମ୍ପାଫୁଲିଆ ଗଣ୍ଡର ଲାଳିତ୍ୟ ବର୍ଣ୍ଣନା କରି ହେବନାହିଁ । ତେଣୁ ବାଧ୍ୟ ହୋଇ ଆଗନ୍ତୁକ କହନ୍ତି–ଅହଲ୍ୟାଙ୍କର ସାରାଦେହ, ନିଖୁଣ ଚାଉଳଟି ପରି ଗଢ଼ା ।

 

କିନ୍ତୁ ଏତିକିରେ ବାପାଙ୍କର ମନ ପରିତୃପ୍ତ ହୁଏନାହିଁ । ସେ ପୁଣି ବାଧ୍ୟକରି କୁହନ୍ତି....ନା, ନା...ଆପଣଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ଅଂଶର ପ୍ରଶଂସା କରିବାକୁ ହେବ ।

 

ଆଗନ୍ତୁକ ବାଧ୍ୟ ହୋଇ କହନ୍ତି–ଝିଅଟିର ହସ ମୋତେ ଖୁବ୍ ଭଲଲାଗିଲା ।

 

ଏଥର ବାପାଙ୍କର ଆନନ୍ଦ କହିଲେ ନସରେ । ଆଗନ୍ତୁକଙ୍କର ପିଠି ଥାପୁଡ଼ାଇ କୁହନ୍ତି....ଆପଣଙ୍କର ରୁଚିଜ୍ଞାନ ଅଛି ନିଶ୍ଚୟ, ମୋ ଘରକୁ ଯେତେ ଅତିଥି ଆସିଛନ୍ତି...ସମସ୍ତେ ଅହଲ୍ୟାକୁ ଦେଖିଛନ୍ତି, ଆଉ ସମସ୍ୱରରେ କହିଛନ୍ତି–ଅହଲ୍ୟାର ହସ ଖୁବ୍ ସୁନ୍ଦର ।

 

ତା’ପରେ ବାପା ପୁଣି ଆରମ୍ଭ କରନ୍ତି–ମନାଲିସାର ହସ ମୁଁ ଚିତ୍ରରୁ ଦେଖିଛି, ମମତାଜ୍‍ଙ୍କର ହସ କଥା ଇତିହାସରୁ ପଢ଼ିଛି, ପଦ୍ମିନୀଙ୍କର ହସକୁ ଅନୁଧ୍ୟାନ କରିଛି, ହେଲେ ଅହଲ୍ୟା ପରି ନିରବଚ୍ଛିନ୍ନ ହସର ସ୍ରୋତ ଆଉକାହା ମୁହଁରେ ଲାଗିରହିଥିଲା ବୋଲି ଅନୁଭବ କରିନାହିଁ ।

 

ଅମ୍ୱାପଲ୍ଲୀଙ୍କର ଡାଳିମ୍ୱଅଧରରେ ହସର ଲାଳିତ୍ୟ ଦେଖି ବିମ୍ୱିସାର ପାଗଳ ହୋଇ ପାରିଥାନ୍ତି–କିନ୍ତୁ ଆଜି ଯଦି ବିମ୍ୱିସାର ଥାନ୍ତେ–ତେବେଳ ତାଙ୍କୁ ଦେଖାଇ ଦେଇଥାନ୍ତି–ଯେ ଅମ୍ୱାପଲ୍ଲୀର ହସସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏ ପୃଥିବୀରେ ମଧ୍ୟ ଝିଅ ଜନ୍ମ ହୋଇଛନ୍ତି ।

 

ଅହଲ୍ୟାଙ୍କର ଏ କାହାଣୀକୁ ଆଉ ସହ୍ୟକରି ପାରିଲେନି ଇନ୍ଦ୍ରଦେବ । କହିଲେ–ତୁମେ କ’ଣ ବାପାଙ୍କର ଏ ଅତ୍ୟାଚାରକୁ ନୀରବରେ ସହିଯାଉଥିଲ ଅହଲ୍ୟାଦେବୀ ?

 

ଅହଲ୍ୟା କହିଲେ–ସହ୍ୟକରିବା ଛଡ଼ା ଆଉ ଅନ୍ୟଗତି ନଥିଲା ଇନ୍ଦ୍ରଦେବ । ବାପାଙ୍କର ଏହି ଖିଆଲକୁ ଅତ୍ୟାଚାର ନକହି, ପାଗଳାମି କହିଲେ ମୁଁ ଅଧିକ ପସନ୍ଦ କରିବି । କାରଣ ମୋ ରୂପବିକି ସେ ଅର୍ଥ ଆଶା କରୁନଥିଲେ । ସମ୍ମାନ ଆଶାକରୁନଥିଲେ, ସମର୍ଥନ ଆଶାକରୁନଥିଲେ, କେବଳ ଆଶାକରୁଥିଲେ–ମୋ ହସର ଟିକେ ପ୍ରଶଂସା । ଏଇ ହସପାଇଁ ସେ କାନ୍ଦୁଥିଲେ ସତ–ହେଲେ ମୋର ପୂର୍ଣ୍ଣ ବିଶ୍ୱାସ, ତାଙ୍କୁ ଏଇ ହସହିଁ ଆଜିଯାଏ ବଞ୍ଚାଇ ରଖିଛି । ମୋର ଏହି ହସିବାର ଶକ୍ତି ଯେବେ ନଥାନ୍ତା–ତେବେ ସେ ବହୁଦିନରୁ ଏ ସଂସାରରୁ ବିଦାୟ ନେଇ ସାରନ୍ତେଣି ।

 

ପୁଣି କେହି କେହି ଆଗନ୍ତୁକ ଆମଘରକୁ ଆସି କହନ୍ତି–କାନୁନ୍‍ ଗୋ ବାବୁ ! ଅହଲ୍ୟାକୁ ଆପଣ ବାହାରେ ବୁଲିବାକୁ ଛାଡ଼ି ଦିଅନ୍ତିନାହିଁ କାହିଁକି ? ଏ ପ୍ରଶ୍ନରେ ବାପା ନୀରବ ରୁହନ୍ତି । ବେଳେବେଳେ କହନ୍ତି–ଅହଲ୍ୟା କ’ଣ ମୁକ୍ତ ପବନରେ ବୁଲିଲେ ଆହୁରି ସୁନ୍ଦର ଭାବରେ ହସିପାରିବ ? ଆଗନ୍ତୁକ ବାପାଙ୍କର ଉତ୍ତର ଶୁଣି ଚୁପ୍ ହୋଇଯାଆନ୍ତି ।

 

ଏହି ବିଚିତ୍ର ପରିବେଶ ମଧ୍ୟରେ ଆମ ଘରର ସମୟ ଗଡ଼ି ଚାଲେ ।

 

ବାପାଙ୍କର ଅନ୍ତର୍ଦାହ ଦେଖି ବେଳେବେଳେ ମୋତେ ଭୀଷଣ ଦୁଃଖଲାଗେ । କାନ୍ଦିବାକୁ ଇଚ୍ଛାହୁଏ ।

 

ସମୟର ସ୍ରୋତରେ ମଣିଷର ପ୍ରସେସନ୍ ଚାଲିଛି, ଏ ବିରାଟ ପ୍ରସେସନ୍ ଭିତରୁ ଅବା ଆମ ପରିବାରର ହିସାବ ରଖୁଛି କିଏ ? ଛାଡ଼–ଏସବୁ ନକହିବା ଭଲ । ଅହଲ୍ୟା ନୀରବ ହୋଇଗଲେ ।

 

ଇନ୍ଦ୍ରଦେବ କହିଲେ–ଏ ତୁମେ କ’ଣ କରୁଛ ଅହଲ୍ୟାଦେବୀ ? ତୁମ ଜୀବନର ପୂର୍ଣ୍ଣାଙ୍ଗ ଇତିହାସ ଶୁଣାଇବାକୁ ମୋତେ ଯେ ଜବାବ୍ ଦେଇଛ ।

 

ଅହଲ୍ୟା କହିଲେ–ଶୁଣାଇବାକୁ ମୋର ଦୁଃଖ ନାହିଁ ଶିଳ୍ପୀ, ହେଲେ ଶୁଣିବାରେ ତୁମର ନିଶ୍ଚୟ ଆପତ୍ତି ଥିବ ।

 

ନା,ନା, ମୋର ସେମିତି କିଛି ଆପତ୍ତି ନାହିଁ । ଇନ୍ଦ୍ରଦେବ ଦୃଢ଼ ଗଳାରେ କହିଲେ ।

 

ଅହଲ୍ୟା ପୁଣି ଆରମ୍ଭ କଲେ–

 

ଏକ–ଦୁଇ–ତିନ୍ କରି ଦିନ, ମାସ, ବର୍ଷ ଗଡ଼ି ଚାଲିଥାଏ । ଠିକ୍ ଗୋଟିଏ ରବର କଣ୍ଡେଇପରି ଆମଘରେ ମୁଁ ଏ ହାତରୁ ସେ ହାତ ହେଉଥାଏ କହିଲେ ଅତ୍ୟୁକ୍ତି ହେବନାହିଁ । ଗଳା ଖଙ୍କାରି ପୁଣି ଆରମ୍ଭକଲେ ଅହଲ୍ୟା–ମୋ ପାଇଁ ମାମି କିନ୍ତୁ କେବେ ଦୁଃଖ କରନ୍ତି ନାହିଁ । ବାପାଙ୍କୁ ସେ ଅନେକ ସମୟରେ ସାନ୍ତ୍ୱନା ଦିଅନ୍ତି । କୁହନ୍ତି–ଦେଖ, ଅରୁପାଇଁ ତୁମେ କାନ୍ଦିବତ’ ମୁଁ ପ୍ରାଣ ହରାଇ ଦେବି । ହେଲେ ମାମିଙ୍କର ଏ ଧମକାଣରେ ବାପାଙ୍କର ମନରେ ତିଳେ ମାତ୍ର ପ୍ରତିକ୍ରିୟା ସୃଷ୍ଟି ହୁଏନାହିଁ । ପୂର୍ବପରି ସେ ସେମିତି ପାଗଳାମି କରନ୍ତି ।

 

ଦିନକର ଘଟଣା, ଯେଉଁଦିନ ପହଲି ଯୌବନର ରଙ୍ଗହୋରି-ଖେଳରେ ମୋର ଛାତି ଶୀତେଇ ଉଠିଲା । ଠିକ୍ ସେହିଦିନ ମାମିଙ୍କର ଆଖିରୁ ଝରିପଡ଼ିଥିଲା ଦୁଇଟୋପା ଲୁହ । ସେଦିନ କିନ୍ତୁ ବାପା ହସରେ ଫାଟିପଡ଼ୁ ପଡ଼ୁ କହିଲେ–ଅରୁର ଦାୟିତ୍ୱ ଏବେ ମୋ’ଠାରୁ ଯାଇ ତୁମ ଉପରେ ପଡ଼ିଲା ରୀତା ! ତୁମେ ତାକୁ ମଣିଷ ପରି ଗଢ଼ିବ । ମାମି କେବଳ ମୂକପରି ଠିଆ ହୋଇଯାଇ ନିଜ ଆଖିର ଲୁହଧାରକୁ ପୋଛିବାରେ ଲାଗିଥିଲେ ।

 

ଯୌବନ ସମ୍ୱନ୍ଧରେ ଏଇ ମୋର ନୂଆ ଅଭିଜ୍ଞତା । ଦେହର ବହୁ ଅଂଶରେ ନୂଆପୁଲକ-। ଯେଉଁ ପାଦର ଗତିରେ ସାରା ଦି’ ମହଲା ପ୍ରାସାଦ କମ୍ପିଉଠୁଥିଲା–ସେ ଏବେ ଧୀରେ ଧୀରେ ନୀରବ ହୋଇ ଆସିଲା । ଏବେ ମାମି ମୋତେ ଅନେକ ସମୟରେ ତାଗିଦାକରି ଶାସନ କରିବାକୁ ଚେଷ୍ଟାକଲେ ।

 

ହଁ ...ଆଉ ଗୋଟାଏ କଥା ଛାଡ଼ିଗଲି, ଏହି ସବୁ ଥିବା ନଥିବା ସଂସାର ଭିତରେ ମୁଁ ଆଉ ଗୋଟିଏ ଅଭାବ ଅନୁଭବ କରୁଥିଲି । ଯୌବନର ବହୁ ଆଗରୁ ଏସବୁ ଘଟଣା ଘଟୁଥିଲେ ମଧ୍ୟ ମୁଁ ଖିଆଲ ଦେଇନଥିଲି । ହେଲେ ଏବେ ସେସବୁ ଆପେ ଆପେ ଆଖିଆଗକୁ ଆସିଥିଲା ।

 

ଇନ୍ଦ୍ରଦେବ କହିଲେ–କି କଥା କୁହ ଅହଲ୍ୟାଦେବୀ !

 

ଅହଲ୍ୟା କହିଲେ–କହୁଛି ଶୁଣ ଶିଳ୍ପୀ ! ଅଧିକାଂଶ ଦିନ ମୁଁ ଲକ୍ଷ୍ୟକରେ–ବାପା ଚେସ୍‍ଖେଳ ପରେ, ସାମାନ୍ୟ ଟିକେ ବାଡ଼ି ବଗିଚାରେ ବୁଲନ୍ତି । ତା’ପରେ ଖାଇବାର ସମୟ ହୋଇଯାଏ । ବାପା ଖାଇସାରି ନିଜର ଶୋଇବା ଘରକୁ ଚାଲି ଯାଆନ୍ତି । ମାମି ତା’ପରେ ମୋତେ ଖୋଇ, ଚାକର ପୁଝାରୀଙ୍କୁ ଖାଇବାକୁ ଦେଇ ନିଜେ ଖାଆନ୍ତି । ଖାଇ ସାରିବା ପରେ ବାପାଙ୍କ କୋଠରିକୁ ଯାଆନ୍ତି । ବେଳେବେଳେ ବାପାଙ୍କର ବିରକ୍ତକର କଣ୍ଠସ୍ୱର ଶୁଭେ । ପ୍ରଥମ ପ୍ରଥମ ଏସବୁ ମୋ ଦୃଷ୍ଟିକୁ ଆସୁନଥିଲା । ହେଲେ ଯୌବନ ପ୍ରାପ୍ତିପରେ ଏସବୁ ଲକ୍ଷ୍ୟ କରିବାକୁ ମନରେ କୌତୁହଳ ଜାତ ହେଲା । ଦିନେ କବାଟ କ’ଣରେ ରହି କିଛି ଶୁଣିବାକୁ ଚେଷ୍ଟା କଲି । ଯାହା ଶୁଣିଲି–ତାହା ଭିତରେ କୌଣସି ଆଦିଅନ୍ତ ପାଇବା ମୋ ପକ୍ଷରେ କଷ୍ଟକର ହୋଇ ପଡ଼ିଲା ।

 

କ’ଣ ଶୁଣିଲ ଅହଲ୍ୟାଦେବୀ ? ଇନ୍ଦ୍ରଦେବ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁ ରହିଲେ ।

 

ଅହଲ୍ୟା କହିଲେ–କହୁଛି ଶୁଣ ଶିଳ୍ପୀ ! ଶୁଣିଲି...ମାମି କହୁଛନ୍ତି ‘ମୋତେ ଆଉ ତୁମେ କେତେଦିନ ପରୀକ୍ଷା କରିବ ? ଏବେ ବି କ’ଣ ମୋ ଉପରେ ତୁମର ବିଶ୍ୱାସ ହେଲାନି ? ତେବେ ମୋର ତଣ୍ଟି ଚିପି ମୋତେ ମାରି ଦେଉନ କାହିଁକି ? କେଉଁ ସ୍ମୃତିକୁ ସମ୍ୱଳ କରି ଆଉ ଏ ଜୀବନକୁ ମୁଁ ବିତାଇବି ?’

 

ପରେ ପରେ ପୁଣି ବାପାଙ୍କର ଚଢ଼ାଗଳା ଶୁଭିଲା–ମୋତେ ଆଉ ତୁମେ ଅଧିକ ପାଗଳ କରିବାକୁ ଚେଷ୍ଟା କରନି ରୀତା ! ଜୀବନ ଗଡ଼ିଛି–ସମୟ ଗଡ଼ିଛି–ମାଂସର ଉତ୍ତେଜନା କମିଛି–ହେଲେ ଆଘାତର ଉତ୍ତେଜନା କମିନାହିଁ । ମୋତେ ଆଉ ଆଘାତ ନ ଦେଇ ଯାଅ ତୁମେ ଶୋଇଯିବ ।

 

ତାପରେ ମାମି ନୀରବରେ ଫେରି ଆସିଲେ । ଏହିପରି ପ୍ରାୟ ପ୍ରତ୍ୟେକ ଦିନ ମାମି ବାପାଙ୍କ କୋଠରିକୁ ଯାନ୍ତି–ପୁଣି ଅଳ୍ପ ସମୟ ପରେ ଫେରି ଆସନ୍ତି । କୌଣସି କଥାର କୂଳକିନାରା ମୁଁ ପାଏନାହିଁ ।

 

ଛାଡ଼ନ୍ତୁ ! ଏସବୁ ଗାଇ ବସିଲେ ଗୋଟିଏ ଇତିହାସ ହେବ ।

 

ସାମାନ୍ୟ କିଛି ସମୟ ଚୁପ୍ ହୋଇ ବସିବା ପରେ ଅହଲ୍ୟା ପୁଣି ଆରମ୍ଭ କଲେ–ଶୁଣ ଶିଳ୍ପୀ, ମୋର ଅସଲ କଥା ମୁଁ ଏଯାଏ କହି ପାରିନାହିଁ ।

 

ବାପାଙ୍କର ଅଜବ ଖିଆଲର ପରିପୂର୍ଣ୍ଣତା ପାଇଁ ଆମଘରକୁ ଯେଉଁ ଅତିଥିମାନେ ଆସନ୍ତି, ସେମାନଙ୍କ କଥା ଅଳ୍ପେ ବହୁତେ କହିଛି । ତୁମକୁ ଯେଉଁ ଫଟୋଟିର ନକଲ କରିବାକୁ ଦେଇଛି...ସେହି ଫଟୋର ମଣିଷଟି ମଧ୍ୟ ଥିଲେ ଜଣେ ଏମିତି ଆଗନ୍ତୁକ । ଅନ୍ୟମାନଙ୍କ ପରି ସେ’ବି ଆସିଥିଲେ ଆମଘରକୁ ଚେସ୍ ଖେଳିବା ପାଇଁ ।

 

ସେଦିନ ବାପା ଟିକେ ସହଳ ବୁଲିବାକୁ ବାହାରିଯାଇଥିଲେ । କେଦାରଗୌରୀର ବେଢ଼ା ଭିତରେ ବାପା ଉଦ୍ଦେଶ୍ୟ ହୀନ ଭାବରେ ବୁଲୁଛନ୍ତି–ଠିକ ସେହି ସମୟରେ ଦେଖାହୁଏ ରିଟାୟର୍ଡ଼ ଏସ୍.ଡ଼ି.ଓ. ଶ୍ୟାମାକାନ୍ତ ଦାସଙ୍କ ସଙ୍ଗରେ । ଶ୍ୟାମାକାନ୍ତ ବାପାଙ୍କର ଜଣେ ପରିଚିତ ବନ୍ଧୁ । ଅନେକଥର ସେ ବାପାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଛନ୍ତି... ହେଲେ ଥରେ ମଧ୍ୟ ବାପା ତାଙ୍କ ନିମନ୍ତ୍ରଣ ରକ୍ଷା କରିବାର ମନେ ହୁଏ ନାହିଁ ।

 

ସେଦିନ ଶ୍ୟାମାକାନ୍ତବାବୁଙ୍କ ସହିତ ଦେଖା ହୋଇଯିବା ପରେ ବାପା ସଙ୍ଗେ ସଙ୍ଗେ ଚେସ୍‍ଖେଳକଥା ପକାଇଦେଲେ । ଖାଲି ସେତିକି ନୁହେଁ...ଫେରନ୍ତା ରାସ୍ତାରେ ଦୁଇବାଜି ଖେଳିଯିବାକୁ ମଧ୍ୟ ଅନୁରୋଧ କଲେ ।

 

ଶ୍ୟାମାକାନ୍ତବାବୁ କହିଲେ–କ୍ଷମାକରିବେ କାନୁନ୍‍ ଗୋ ସାହେବ ! ଆଜି ମୁଁ ବି ବ୍ୟସ୍ତ । ଏକମାତ୍ର ପୁଅ ସନତ୍, କାଲି ବିଲାତରୁ ଡାକ୍ତରୀ ପାଶ୍‍କରି ଫେରିଛି । ଏଥିପାଇଁ କେତେକ’ଣ ବନ୍ଧୁଙ୍କୁ ଆମଘରକୁ ମୁଁ ନିମନ୍ତ୍ରଣ କରିଛି । ନିଜେ ଉପସ୍ଥିତ ନରହିଲେ ବଡ଼ ଅସୁନ୍ଦର କଥା ହେବ । ତେଣୁ ଅନୁରୋଧ ରକ୍ଷାକରିବାକୁ ମୁଁ ଅକ୍ଷମ । ଆପଣଙ୍କୁତ ବହୁବାର ନିମନ୍ତ୍ରଣ କରି ମଧ୍ୟ ଆପଣ କେବେ ନିମନ୍ତ୍ରଣ ରକ୍ଷାକରି ନାହାନ୍ତି । ତେଣୁ ଏଥର ନିମନ୍ତ୍ରଣ ଠିକ୍ ମନେକଲି ନାହିଁ ।

 

ବାପା ସାମାନ୍ୟ ବିବ୍ରତ ହୋଇ କହିଲେ–ନା...ନା...ମୋର ନିମନ୍ତ୍ରଣ ରକ୍ଷା ନକରିବାରେ କୌଣସି ଉଦ୍ଦେଶ୍ୟ ନାହିଁ ଶ୍ୟାମାକାନ୍ତବାବୁ ! ଚାଲନ୍ତୁ–ଆଜି ବିନାନିମନ୍ତ୍ରଣରେ ଆପଣଙ୍କ ଘରକୁ ଯିବି । ଅନ୍ତତଃ ସନତ୍‍କୁ ଶୁଭେଚ୍ଛା ଜଣାଇ ଆସିବି ।

 

ଶ୍ୟାମାକାନ୍ତବାବୁ କହିଲେ–ଖାଲି ସେତିକି ନୁହେଁ କାନୁନ୍‍ ଗୋ ସାହେବ ! ସନତ୍ ମଧ୍ୟ ଆପଣଙ୍କୁ ଚେସ୍‍ ଖେଳରେ ସାହାଯ୍ୟ କରିପାରେ । ବିଲାତରେ ଚେସ୍‍ ଖେଳପାଇଁ ତା’ର ଖୁବ୍ ନାଁ ଅଛି । ଭାରତ ଓ ବିଲାତର ଚେସ୍‍ ଖେଳରେ ସେ ବିଜେତା ହେବାର ଗୌରବ ନେଇଛି ।

 

ଉତ୍ସାହ ଓ ଉଦ୍ଦୀପନାରେ ବିଭୋର ହୋଇ ପଡ଼ି ବାପା କହିଲେ–ଚାଲନ୍ତୁ ଶ୍ୟାମାକାନ୍ତବାବୁ ! ମୁଁ ନିଶ୍ଚୟ ଯିବି ।

 

ସେଇଆ ହେଲା । ଶ୍ୟାମାକାନ୍ତବାବୁଙ୍କ ଘରେ ନିମନ୍ତ୍ରଣ ରକ୍ଷାକରି, ସନତ୍‍ଙ୍କୁ ସଙ୍ଗରେ ଧରି ବାପା ଫେରିଲେ । ସେଦିନ ବାପା ଆନନ୍ଦିତ ଥିବାପରି ଜଣାପଡ଼ୁଥିଲେ । ଦାଣ୍ଡଘରର ଟେବୁଲ୍ ଉପରେ ଚେସ୍‍ ଖେଳ ଆରମ୍ଭ ହେଲା । ଖୁବ୍ ଅଳ୍ପସମୟ ମଧ୍ୟରେ ବାପା ହାରିଯାଇଥିବା କଥା ଜଣାଗଲା ।

 

ଦ୍ୱିତୀୟବାର ଯୁଦ୍ଧପାଇଁ ବାପା ପୁଣି ଅଣ୍ଟା ଭିଡ଼ିଲେ । ହେଲେ ଏଥର ମଧ୍ୟ ବାପା ଉଇନ୍‍କରିବା ସମ୍ଭବ ହେଲା ନାହିଁ । ତୃତୀୟ ଥର ପାଇଁ ପୁଣି ଖେଳ ଚାଲିଲା । ଏଥର ମଧ୍ୟ ଖେଳର ପ୍ରାରମ୍ଭରୁ ବାପାଙ୍କର ରାଜା ପ୍ରାଣତ୍ୟାଗ କଲା ।

 

ଚେସ୍‍ ଖେଳରେ ଧାରାବାହିକ ତିନିଟି ଚେସ୍‍ ରେ ହାରିବା ବାପାଙ୍କ ଜୀବନରେ ଏହି ପ୍ରଥମ । ଅନୁଭୂତି ମଧ୍ୟ ପ୍ରଥମ । ହେଲେ ଆଜି ବାପା ଦୁଃଖିତ ଥିବାପରି ମୋଟେ ଜଣାଯାଉନଥିଲେ । ଓଲଟି ଜିତିବା ଦିନ ଅପେକ୍ଷା ଆଜି ଅଧିକ ଆନନ୍ଦରେ ସେ ସୈନ୍ୟ ଚଳାଉ ଥାଆନ୍ତି ।

 

ଖେଳ ସରିଲା । ବାପା ହଠାତ୍ ପାଟିକରି ଉଠିଲେ, ଦେଖିବ ଆସ...ଦେଖିବ ଆସ ରୀତା... କାନୁନ୍‍ ଗୋ ସାହେବ ଆଜି ଶୋଚନୀୟ ଭାବେ ପରାସ୍ତ ।

 

ମାମିଙ୍କ ନିକଟରେ ବାପାଙ୍କର ପାଗଳାମି ଆଜି ନୂଆନୁହେଁ । ହେଲେ କଥାଟାକୁ ଶୁଣିବାମାତ୍ରେ ମାମି ସିଧାସଳଖ ଦାଣ୍ଡଘରକୁ ଚାଲି ଆସିଥିଲେ । କାରଣ ବାପାଙ୍କର ପରାଜିତ ହେବା ଖବର ଏଇମାତ୍ର ପ୍ରଥମ ଥରପାଇଁ ସେ ଶୁଣିଲେ ।

 

ମାମି ଆସି ଘରେ ଗୋଡ଼ଦେଇଛନ୍ତି କି ନାହିଁ–ବାପା ହସରେ ଫାଟି ପଡ଼ୁ ପଡ଼ୁ କହିଲେ–‘‘ହିରୋ ଅଫ୍ ଦି ଏଜ୍, ଶ୍ରୀ ସନତ୍ କୁମାର ଦାସ, ସନ୍ ଅଫ୍ ଶ୍ୟାମାକାନ୍ତ ଦାସ...ବିଲାତ ଫେରନ୍ତା ଡାକ୍ତର...

 

ସନତ୍ ମାମିଙ୍କୁ ବିନମ୍ରଭାବେ ନମସ୍କାର ଜଣାଇଲେ । ବାପା କହିଲେ–ସନତ୍‍ର ସୈନ୍ୟଚାଳନାର କୌଶଳ ବଡ଼ ବିଚିତ୍ର ରୀତା । ତା’ର ସାମାନ୍ୟ ସୈନ୍ୟ ମଧ୍ୟ ମୋର ରାଜାଙ୍କୁ ତିନି ତିନିଥର ମାରି ପକାଇଲେ ।

 

ମାମି କେବଳ ସାମାନ୍ୟ ଟିକେ ହସିଦେଇ କହିଲେ–ଆଉ କ’ଣ ସବୁଦିନ କେବଳ ତୁମେ ଜିତାପଟ୍ ନେଉ ଥାଆନ୍ତ ? ବାପା କଥାଟାର ପୂର୍ଣ୍ଣସମର୍ଥନ ଜଣାଇ କହିଲେ–ତୁମେ ଠିକ୍ କହିଛ ରୀତା, ମୁଁ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ଚେସ୍‍ ଖେଳାଳୀ ଭାବିବା ଭୁଲ୍ ।

 

ମାମି କହିଲେ–ହଉ, ତୁମେ ସନତ୍‍କୁ ବସାଅ, ମୁଁ ଚାହା ଆଣୁଛି ! ବାପା କିଛି କହିବା ଆଗରୁ ମାମି ପୁଣି ଫେରିଯାଇଥିଲେ ।

 

ବାପାଙ୍କର ଦୈନନ୍ଦିନର ପ୍ରକୃତି ହୁଏତ ମନେ ପଡ଼ିଗଲା । କହିଲେ–ଆସ ସନତ୍, ଉପରକୁ ଆସ, ଅହଲ୍ୟା ସହିତ ତୁମର ପରିଚୟ କରାଇ ଦେବି ।

 

ସନତ୍‍ଙ୍କୁ ସଙ୍ଗରେ ଧରି ମୋର କୋଠରିକୁ ପଶିଆସିଲେ ବାପା । ସେତେବେଳେ ମୁଁ ଗୋଟାଏ ପିକ୍‍ଟୋଗ୍ରାମ ଫଟୋ କରିବାରେ ବ୍ୟସ୍ତଥାଏ । ହଠାତ୍ ସନତ୍‍ଙ୍କର ପ୍ରବେଶରେ ଅପ୍ରସ୍ତୁତ ହୋଇ ଠିଆହୋଇ ପଡ଼ିଲି ।

 

ସନତ୍ ପ୍ରଥମେ ନମସ୍କାର କଲେ । ମୁଁ ମଧ୍ୟ ହାତ ଉଠାଇଲି । ଚେୟାରରେ ବସିବାକୁ ଇଙ୍ଗିତ କଲି । ସନତ୍ ବସିଲେ । ବାପା ବି ବସିଲେ । ତା’ପରେ ବାପା ନୀରବତା ଭଙ୍ଗକରି କହିଲେ–ମୋର ଝିଅ ଅହଲ୍ୟା କାନୁନ୍‍ ଗୋ ।

 

ମୁଁ ମୁରୁକି ମୁରୁକି ହସୁଥାଏଁ, ସନତ୍ ମଧ୍ୟ । ହଠାତ୍ ସନତ୍ ପ୍ରଶ୍ନକଲେ–ଆପଣ କ’ଣ ପାଠ ପଢ଼ୁଛନ୍ତି ? ମୁଁ ମୁଣ୍ଡ ଟୁଙ୍ଗାରିଲି । ସନତ୍ ପୁଣି ପ୍ରଶ୍ନକଲେ–କେଉଁ କଲେଜରେ, ନା ସ୍କୁଲରେ ?

 

ମୁଁ କିଛି ନ କହି ଚୁପ୍ ରହିଲି । ହଠାତ୍ ବାପା କଥାଟାକୁ ବୁଲେଇ ଆରମ୍ଭ କଲେ–ନା, ଅହଲ୍ୟା ଘରୋଇ ଭାବେ ପଢ଼ୁଛି ।

 

ପୁଣି ସନତ୍ ପ୍ରଶ୍ନକଲେ–ଆପଣ କିଛି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ନା କ’ଣ ? ଏଥର ପୁଣି ମୁଁ ମୁଣ୍ଡ ଟୁଙ୍ଗାରିଲି ।

 

ବାପା ଉପରେ ପଡ଼ି କହିଲେ–ଏଥର ଅହଲ୍ୟା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦେବାକୁ ମୁଁ ସ୍ଥିରକରିଛି ।

 

ସନତ୍ ପୁଣି ଟିକେ ମୁରୁକି ହସିଲେ । କହିଲେ–ଆମ ଘରଆଡ଼େ କେବେ ବୁଲିଯିବେ ? ପ୍ରଶ୍ନ ଶୁଣି ମୁଁ ଏଥର ମଧ୍ୟ ମୁଣ୍ଡ ଟୁଙ୍ଗାରିଲି । ସନତ୍ କହିଲେ–କେବେ ଯିବେ ? ମୋର କେଉଁଠି ପୋଷ୍ଟିଂ ହେବା ଆଗରୁ ତ ?

 

ବାପା ଏଥର ମଧ୍ୟ ଉପରେ ପଡ଼ି କହିଲେ–ହଁ–ହଁ, ଏଇ ଦୁଇଚାରି ଦିନ ମଧ୍ୟରେ ପଠାଇବାକୁ ଚେଷ୍ଟା କରିବି ।

 

ତା’ପରେ ସନତ୍‍ଙ୍କର ବସିବାର ଇଚ୍ଛାଥିଲେ ମଧ୍ୟ ବାପା ଉଠିଲେ । ତେଣୁ ସନତ୍ ମଧ୍ୟ ବାଧ୍ୟହୋଇ ଉଠିଲେ । କାରଣ ମାମି ସେତେବେଳକୁ ଚାହାକରି ଦାଣ୍ଡ ଟେବୁଲ୍‍ ଉପରେ ରଖିଦେଇ ସାରିଥିଲେ ।

 

ସନତ୍ ସହିତ ଏହି ମୋର ପ୍ରଥମ ପରିଚୟ । ସନତ୍ ଓ ବାପା ଦି’ମହଲାର ଶିଢ଼ିଦେଇ ଓହ୍ଲାଇ ଯାଉଛନ୍ତି । ଠିକ୍ ତଳପାହାଚରେ ଗୋଡ଼ ପଡ଼ିଛିକି ନାହିଁ ବାପା ପ୍ରଶ୍ନକଲେ–ସତ କହିବ ସନତ୍ ! ଅହଲ୍ୟା ତୁମକୁ କେମିତି ଲାଗିଲା ? ସନତ୍ ଅପ୍ରସ୍ତୁତ ହୋଇ ପଡ଼ିଲେ–କିଛି କହିବାକୁ ତାଙ୍କ ପାଟି ଲେଉଟିଲା ନାହିଁ । ହୁଏତ ସେତେବେଳେ ମୋର ରୂପର ମିଶାଣ କଷିବାରେ ସେ ବ୍ୟସ୍ତଥିଲେ ।

 

ବାପା ପୁଣି ପ୍ରଶ୍ନକଲେ–କୁହ ସନତ୍–ସତ କୁହ–ଅହଲ୍ୟା ତୁମକୁ କେମିତି ଲାଗିଲା ?

 

ବାପାଙ୍କର ବାରମ୍ୱାର ପ୍ରଶ୍ନରେ ସନତ୍ କେତେ କ’ଣ ଚିନ୍ତାକରିଯାଉଥିଲେ । ବହୁସମୟ କେବଳ ଠିଆ ହୋଇ ଯିବାପରେ କହିଲେ–ଏପରି ପ୍ରଶ୍ନ କାହିଁକି ପଚାରୁଛନ୍ତି ?

 

ବାପା ଏଥର ଖୁବ୍ ଅଡ଼ୁଆରେ ପଡ଼ିଗଲେ, କହିଲେ–କୁହନା ସନତ୍, ମୁଁ କେବଳ ତୁମର ସମର୍ଥନ ଚାହେଁ । ସନତ୍ କହିଲେ–ଆପଣଙ୍କର ପଚାରିବାର ଉଦ୍ଦେଶ୍ୟ ମୁଁ ବୁଝିପାରୁନି ସାର ! ହୁଏତ ରୂପର ଅବା ଗୁଣର କାହାର ପ୍ରଶଂସା ଆପଣ ଚାହୁଁଛନ୍ତି ?

 

ବାପା ଏଥର ସାମାନ୍ୟ ଆଶ୍ୱସ୍ତ ହୋଇ କହିଲେ–ଉଭୟର ପ୍ରଶଂସା ମୁଁ ଶୁଣିବାକୁ ଚାହେଁ ସନତ୍ ? କୁହ, ଅହଲ୍ୟା କ’ଣ ତୁମକୁ ଖୁବ୍ ଭଲଲାଗିଲା ନାହିଁ ?

 

ଏଥର ସନତ୍ ଦୀର୍ଘନିଶ୍ୱାସ ଟାଣି କହିଲେ–ନା । ଏକ ସାମାନ୍ୟ ଗୋଟାଏ ପଦ କଥାରେ ବାପାଙ୍କର ଧୈର୍ଯ୍ୟ ଅଧାଅଧି ଭାଙ୍ଗି ପଡ଼ିଥିଲା । କହିଲେ–କିନ୍ତୁ କାହିଁକି, କାହିଁକି ସନତ୍ ? ଅହଲ୍ୟାର କି ତ୍ରୁଟି ତୁମେ ଦେଖିଲ ?

 

ନିର୍ବିକାର ଭାବରେ ସନତ୍ କହିଲେ–ଅହଲ୍ୟା ଆପଣଙ୍କର ଝିଅ ହେଲେ ମଧ୍ୟ ବ୍ୟବହାର ଜାଣନ୍ତି ନାହିଁ । ବାପା ଥରିଉଠି କହିଲେ–ଏ ତୁମେ କ’ଣ କରୁଛ ସନତ୍ ! କାହିଁ, ମୋ ଘରକୁ ଯେତେ ଆଗନ୍ତୁକ ଆସୁଛନ୍ତି–କେହି ତ ଏପରି ପଦେ ଅପବାଦ ଦେଇ ନାହାନ୍ତି ।

 

ସନତ୍ କହିଲେ–ମୁଁ ଠିକ୍ କହୁଛି ସାର ! ଅହଲ୍ୟା ବ୍ୟବହାର ଜାଣନ୍ତି ନାହିଁ । କାରଣ–ଦୀର୍ଘ ଏତେ ସମୟ ଧରି ଆପଣ ଆଉ ମୁଁ କୋଠରି ଭିତରେ ବସି ରହିଲେ । ହେଲେ ଅହଲ୍ୟାଙ୍କ ପାଟିରୁ ପଦେହେଲେ କଥା ବାହାରିଲା ନାହିଁ ।

 

ବାପା ଏଥର ହସି ଉଠି କହିଲେ–ଓ, ଏଇ କଥା ? ତଥାପି କୁହ ସନତ୍, ଅହଲ୍ୟାର କୌଣସି ଅଙ୍ଗ କ’ଣ ତୁମକୁ ସୁନ୍ଦର ଦିଶିଲା ନାହିଁ ?

 

ସନତ୍ ଏପରି ପ୍ରଶ୍ନରେ ଅଡ଼ୁଆ ଅନୁଭବ କରୁଥିଲେ ମଧ୍ୟ କହିଲେ–ରୂପ ଦେଖିବାକୁ ମୋର ସମୟ ନଥିଲା ସାର ! ତଥାପି କହିବି...ଅହଲ୍ୟାଙ୍କର ହସରେ ସୁଷମା ଅଛି ।

 

ହଠାତ୍ ଆନନ୍ଦରେ ନାଚିଉଠି ବାପା କହିଲେ, ଠିକ୍ କହିଛ ସନତ୍, ମୋ ଘରକୁ ଯେତେ ଅତିଥି ଆସିଛନ୍ତି...ସମସ୍ତେ ଏକସ୍ୱରରେ ଅହଲ୍ୟା ହସର ପ୍ରଶଂସା କରିଛନ୍ତି । ସମସ୍ତଙ୍କ ମୁହଁରୁ ଅହଲ୍ୟାର ଶତମୁଖର ପ୍ରଶଂସା ଶୁଣିଛି । ହେଲେ ସମାଲୋଚନା କରିବାର ନିର୍ଭୀକତା ମୁଁ କାହାରିଠାରୁ ପାଇ ନଥିଲି ସନତ୍ । ଏଇ ପ୍ରଥମଥର ତୁମରିଠାରୁ ଶୁଣିଲି । ସତରେ ସନତ୍, ତୁମେ ଏ ଯୁଗର ହିରୋ ।

 

ସନତ୍ ପୁଣି କହିଲେ–ହେଲେ ଆପଣ ଏମିତି ଆନନ୍ଦିତ ହେବାର କାରଣ କ’ଣ ଅଛି, ମୁଁ ତ କିଛି ବୁଝି ପାରୁନାହିଁ ?

 

ବାପା ସନତ୍‍ଙ୍କର ଏ କଥାପ୍ରତି ଦୃଷ୍ଟି ନଦେଇ ପୁଣି କେବଳ ବାରମ୍ୱାର ଅନୁରୋଧକରି କହିଲେ–କୁହ ସନତ୍ ! ତୁମକୁ କ’ଣ ଅହଲ୍ୟାର ହସ ଖୁବ୍ ଭଲ ଲାଗିଲା ? ଅହଲ୍ୟାର ପାଟି ଆଉ ଓଠ ଖୁବ୍ ସୁନ୍ଦର ଦିଶିଲା ?

 

ସନତ୍ କହିଲେ–କହିଲି ପରା ସାର ! ଅହଲ୍ୟାଙ୍କର ହସରେ ସୁଷମା ଅଛି, ଓଠରେ ଲାବଣ୍ୟ ଅଛି, ପାଟିରେ–

 

ବିରାଟ କୋଣାର୍କ ଦେଉଳ ଉପରୁ ଧରମା ସାଗରଗର୍ଭକୁ ଝାସ ଦେବାପରି ସନତ୍‍ଙ୍କର ପାଟିରୁ କଥା ଛଡ଼ାଇ ନେଇ କହିଲେ–କିନ୍ତୁ ପାଟିରେ କଥା କହିବାର ଶକ୍ତି ନାହିଁ ।

 

ସନତ୍ କହିଲେ–ଏ ଆପଣ କ’ଣ କହୁଛନ୍ତି ସାର ?

 

ବାପା କହିଲେ–ମୁଁ ଠିକ୍ କହୁଛି ସନତ୍, ଅହଲ୍ୟାର ଦେହରେ ପ୍ରଚୁର ସୁଷମା ଅଛି, ମୁଣ୍ଡରେ ବୁଦ୍ଧି ଅଛି, ସମୟର ରୂଚିଅଛି, ହେଲେ କଥା କହିବାର ଶକ୍ତିନାହିଁ । କେବଳ ସେଇଥିପାଇଁ ମୋ ମନରେ କେତେ ଦୁଃଖ ତୁମେ ବୁଝିପାରିବନି ସନତ୍, ତୁମେ ଅନୁମାନ ମଧ୍ୟ କରି ପାରିବନି ।

 

କେବଳ ସେଇଥିପାଇଁ–ଅହଲ୍ୟା ଅନ୍ୟମାନଙ୍କ ପାଖରେ ହସିଲେ ମୁଁ ଆନନ୍ଦିତ ହୁଏ । କିନ୍ତୁ ମୋ ପାଖରେ ହସିଲେ ମୁଁ ଦୁଃଖକରେ ।

 

ଯେଉଁମାନେ ନୂଆ ଅତିଥି ହୋଇ ମୋ ଘରକୁ ଆସିଛନ୍ତି, ସେମାନେ ସମସ୍ତେ ପ୍ରାୟ ଅହଲ୍ୟାକୁ ଦେଖିଛନ୍ତି । ରୂପର ପ୍ରଶଂସା କରିଛନ୍ତି । ଗୁଣର ମଧ୍ୟ ପ୍ରଶଂସା କରିଛନ୍ତି । ଲାଲଗୁଲାଲ ଅଧର ଦେଖି ହୁଏତ ଆତ୍ମହରା ହୋଇଛନ୍ତି–ବାପ ହୋଇ ମୋତେ ସବୁ ସହ୍ୟକରିବାକୁ ପଡ଼ିଛି । କାରଣ ହୁଏତ ତୁମେ ବୁଝିପାରୁଥବ ସନତ୍ ! ମୁଁ ଅହଲ୍ୟାର ରୂପ ବିକି ସମ୍ମାନ ଚାହିଁନାହିଁ, ଅର୍ଥ ଚାହିଁନାହିଁ–ଚାହିଁଛି କେବଳ ଟିକିଏ ପ୍ରଶଂସା ।

 

ତୁମେ କୁହ ସନତ୍ ! ସେହି ସୁଠାମ ଅଧର ଦେଖି, କ’ଣ କେହି କେବେ କହିପାରିବ ଯେ–ଏ ଅଧରର କଥାକହିବା ଶକ୍ତି ନାହିଁ ? ମୋର କହିବା ଆଗରୁ ତୁମେ କ’ଣ ବିଶ୍ୱାସକରିଥିଲ ଯେ–ଅହଲ୍ୟା କଥାକହି ପାରେ ନାହିଁ ବୋଲି ।

 

ବହୁ କଷ୍ଟ, ବହୁ ସାଧନା କରି ମୁଁ ଅହଲ୍ୟାକୁ ବଢ଼ାଇ ଆଣିଛି । ହେଲେ ପ୍ରତିଦାନରେ କ’ଣ ପାଇଛି କହିପାରିବ ସନତ୍ ? ତା’ରି ପାଟିରୁ ଟିକେ ‘ବାପା’ ଡାକ ଶୁଣିବାକୁ ମୋର ସୁପ୍ତ ପିତୃତ୍ୱ କାନ୍ଦି ଉଠିଛି । ଆତ୍ମହତ୍ୟା କରିବାକୁ ଚେଷ୍ଟାକରିଛି, ହେଲେ ସେହି ହସଟିକକୁ ଛାଡ଼ି ମଧ୍ୟ ମୁଁ ଯାଇପାରିନାହିଁ ।

 

କୁହ ସନତ୍ ! ନୀରବ ରହିଲ କାହିଁକି ? ତୁମେ ବାପା ହୋଇନାହଁ ସତ...ହେଲେ ବାପର ବେଦନା ତ ବେଶ୍ ଅନୁଭବ କରିପାରୁଥିବ ।

 

ବାପାଙ୍କର କଥା ଶୁଣି ସେତେବେଳକୁ ସନତ୍ ଏକରକମ୍ ଦୋ’ମହଲା ଶିଢ଼ି ଉପରେ ଢଳିପଡ଼ିଥିଲେ । ସେ ଚିନ୍ତାକରି ପାରୁ ନଥିଲେ ଯେ ମୁଁ ବାକ୍‍ଶକ୍ତିବିହୀନା ହୋଇପାରେ ।

 

ବହୁ ସମୟ ବିତିଯିବାପରେ ସନତ୍ କହିଲେ–ତେବେ କ’ଣ ଅହଲ୍ୟା ଜନ୍ମରୁ ବାକ୍‍ଶକ୍ତିବିହୀନା ସାର ?

 

ସନତ୍‍ଙ୍କର ଏ ପ୍ରଶ୍ନରେ ବାପାଙ୍କ ମୁଣ୍ଡରେ ଆଉ ଏକ ଆକାଶ ଛିଡ଼ିପଡ଼ିଲା । ଦୁଃଖରେ ଭାଙ୍ଗି ପଡ଼ୁ ପଡ଼ୁ କହିଲେ–ସେ କଥା ମୁଁ କହି ପାରିବିନି ସନତ୍, ହେଲେ–ଅହଲ୍ୟାକୁ ମୁଁ ଯେଉଁଦିନଠୁ ଦେଖିଛି...ସେ ଦିନଠୁ ଜାଣିଛି...ସେ ହାଉଡ଼ି ।

 

ସନତ୍ ଆହୁରି ଗୋଳମାଳିଆରେ ପଡ଼ି ଆଶ୍ଚର୍ଯ୍ୟରେ ସିଧା ହୋଇ ଠିଆ ହେଲେ–କହିଲେ ଆପଣଙ୍କ କଥା ମୁଁ କିଛି ବୁଝିପାରୁନି ସାର । ଅହଲ୍ୟାଙ୍କର ଜନ୍ମଦିନଠାରୁ ତ’ ଆପଣ ସବୁ ଲକ୍ଷ୍ୟକରୁଥିବେ ? ହେଲେ–ସେ ଜନ୍ମରୁ ବାକ୍‍ଶକ୍ତିହୀନା କି ନୁହେଁ....ଜାଣି ପାରିଲେ ନାହିଁ କେମିତି-?

 

ବାପା ପୁଣି ମୁଣ୍ଡ ଉଠାଇ କହିଲେ–ସତ କହୁଛି ସନତ୍, ମୁଁ ସେ ବିଷୟରେ କହି ପାରିବିନି ।

 

ସନତ୍ ପୁଣି ଟିକେ ଜୋର ଦେଇ କହିଲେ–ତା’ହେଲେ ମାଉସୀ ତ ଏ ବିଷୟରେ କହି ପାରିବେ ?

 

ବାପା ଦୃଢ଼ଭାବରେ ଗଳା ଥରାଇ କହିଲେ–ନା...ନା..ରୀତା ମଧ୍ୟ ସେ ବିଷୟରେ କିଛି ସଠିକ୍ ଭାବରେ କହି ପାରିବେ ନାହିଁ ।

 

ସନତ୍ ଆଉ ବାପାଙ୍କର ଏଇ କଥା ଚାଲୁଥିବାବେଳେ ମୁଁ କବାଟ କ’ଣ ପାଖରେ ଛିଡ଼ା ହୋଇ ସବୁ ଶୁଣୁଥାଏ । ବାପାଙ୍କର କଥା ମୋତେ କୁହୁକ ପରି ଲାଗୁଥାଏ । ବେଳେ ବେଳେ ମନରେ ଭାବୁଥାଏ, ବାପାଙ୍କର ପାଗଳାମି ବଢ଼ିଯାଇଛି ନିଶ୍ଚୟ ।

 

ବାପାଙ୍କର କଥା ଉପରେ ବାଧାଦେଇ ସନତ୍ କହିଲେ–କିନ୍ତୁ ଏ କେମିତି ସମ୍ଭବ ହେଲା ସାର ? ବାପା ମାଆ ହୋଇ ଆପଣ କ’ଣ ଝିଅର ଏତିକି କଥା ଲକ୍ଷ୍ୟ କରି ପାରିଲେ ନାହିଁ ?

 

ନା...ନା....ଲକ୍ଷ୍ୟକରିବାକୁ ଆମେ ଏକଦମ୍ ଭୁଲିଯାଇଛୁ । ସେତେବେଳକୁ ବାପା କାନ୍ଦି କାନ୍ଦି ଏକଦମ୍ ବେଦମ୍ ହୋଇ ପଡ଼ିଥିଲେ । ହେଲେ ମନେ ହେଉଥିଲା....ସତେ ଯେମିତି ବାପା କ’ଣ କହିବାକୁ ଯାଇ କହିପାରୁ ନାହାନ୍ତି । କହିବା କଥାଟା ଅକୁହା ହୋଇ ମନ ଭିତରେ ମରିଯାଉଛି ।

 

ମୁଁ ସେମିତି ଆଗ୍ରହରେ କାନଡ଼େରି କବାଟ କଣରେ ଠିଆ ହୋଇଥାଏ ।

 

ଠିକ୍ ଏହି ସମୟରେ କହିଲେ–ମୋତେ ସତ କୁହନ୍ତୁ ସାର, ଅନ୍ତତଃ ମୁଁ ଚେଷ୍ଟାକରି ଅହଲ୍ୟାଙ୍କର ବାକ୍‍ଶକ୍ତି ଫେରାଇ ଆଣିବାକୁ ପ୍ରୟାସୀ ହେବି । ଇଂଲଣ୍ଡରେ ଡାକ୍ତରୀ ପଢ଼ୁଥିବାବେଳେ, ଜିଭ ଓ ମୁହଁ ମୋର ସ୍ୱତନ୍ତ୍ର ପାଠ୍ୟ ଥିଲା । ସେ ଦିଗରେ ମୋର ପରୀକ୍ଷା ମୁଁ ନେବି । ହେଲେ ଅହଲ୍ୟା ଜନ୍ମରୁ ହାଉଡ଼ି ନା କିଛି ବ୍ୟତିକ୍ରମ ଯୋଗୁଁ ହାଉଡ଼ି ହୋଇଛନ୍ତି...ସେ କଥା ନ ଜାଣିଲେ ତ, ପରୀକ୍ଷା ନେବା କଷ୍ଟକର କଥା ।

 

ଆନନ୍ଦରେ ଅସ୍ଥିର ହୋଇ ବାପା କହିଲେ–ମୋ ଅରୁ ସତରେ ପୁଣି କଥା କହି ପାରିବ ସନତ୍ ? ମୋତେ ବାପା ବାପା ଡାକି ପାରିବ ?

 

ସନତ୍ କହିଲେ–ମୁଁ ଜବାବ୍ ଦେଉଛି ସାର, ଅନ୍ତତଃ ଏ ଦିଗରେ ମୋର ଚରମ ଚେଷ୍ଟା ମୁଁ ନେବି ।

 

ଏଥର ବାପା ସନତ୍‍ର ହାତଟାକୁ ଧରି ଏକରକମ୍ ଝିଙ୍କି ଝିଙ୍କି ନେଇ ଚେଆର ଉପରେ ବସାଇ ଦେଇ କହିଲେ–ତାହାହେଲେ ମୁଁ ନିଶ୍ଚୟ କହିବି ସନତ୍, ଅନ୍ତତଃ ମୋ ଅରୁ ପାଇଁ ମୁଁ ଅକୁହା କଥା କହିବି ।

 

ଯାଦୁକୋଠୀର ମଣିଷ ପରି ସନତ୍ ଚେଆର ଉପରେ ବସି ରହିଲେ । ବାପା ଆରମ୍ଭ କଲେ ତାଙ୍କ ଜୀବନର କାହାଣୀ....ମୋର ବାକ୍‍ଶକ୍ତିହୀନତାର ଇତିହାସ ।

 

ନିଜ ଜୀବନର କାହାଣୀ ଶୁଣାଇଥିବା ଆଗରୁ ବାପା କେବଳ କେଇପଦ କଥା କହି ତାଙ୍କର କାହାଣୀ ଆରମ୍ଭ କଲେ । କହିଲେ–ମୋର ଜୀବନୀ ଶୁଣିବା ପରି ବୟସ ତୁମର ହୋଇନି ସନତ୍, ତଥାପି କେବଳ ଅହଲ୍ୟାର ମୁହଁ ଖୋଲିବା ଆଶାରେ କହୁଛି...

 

ବାପାଙ୍କର ଏଇ କଥା କେଇ ପଦ ପରେ କବାଟ କଣରେ ମୁଁ ଆହୁରି ସତର୍କ ହୋଇ ଠିଆ ହେଲି । ଯେପରି କୌଣସି ଚାକର ବା ପୁଝାରୀ ମୋତେ ଦେଖି ନପାରିବେ ।

 

ବାପା ଆରମ୍ଭ କଲେ.....

 

ବିଖ୍ୟାତ ଯୋଧପ୍ରଗଣାରେ.....କାନୁନ୍‍ଗୋ ବଂଶରେ ମୋର ଜନ୍ମ । ହେଲେ ମୋର ଜନ୍ମବେଳକୁ ଆମ ବଂଶର ଆଭିଜାତ୍ୟ ଧୂଳିସାତ୍ ହୋଇଯାଇଥିଲା । କେବଳ ଭିଟାମାଟି ଆଉ କାନୁନ୍‍ଗୋ ପଦ୍ଧତି ଛଡ଼ା ଆଉ କିଛି ନଥିଲା ବୋଲି କହିବାକୁ ହେବ । ସେହି ଭିଟାମାଟିର ହିଡ଼ମାଟି ହିଡ଼ରେ ଲଦି ଅଭାବି ପରିବାରକୁ ବାପା ଯେ କୌଣସି ମତେ ଚଳେଇ ନେଉଥିଲେ ।

 

କିନ୍ତୁ......

 

ଅଚାନକଭାବେ ଦିନେ ପେଟରୋଗରେ ବାପାଙ୍କର ମୃତ୍ୟୁ ହୋଇଗଲା । ବାପା ମଲାବେଳକୁ ମୋତେ ମୋଟେ ତିନିବର୍ଷ ।

 

କଥାଟା ଆରମ୍ଭ କରୁ କରୁ ରଣଜିତ୍‍ବାବୁ ମାନେ ମୋର ବାପା କାନ୍ଦ କାନ୍ଦ ହୋଇପଡ଼ୁଥିଲେ ।

 

ଇନ୍ଦ୍ରଦେବ କହିଲେ–କୁହ ଅହଲ୍ୟାଦେବୀ, ଏସବୁ ଗୋଟାଏ ଉପନ୍ୟାସର କାହାଣୀ ପରି ଲାଗୁଛି ।

 

ଅହଲ୍ୟା ପୁଣି ଆରମ୍ଭ କଲେ । କହିଲେ–ସନତ୍‍ଙ୍କ ଆଗରେ ବାପା ତାଙ୍କ ଜୀବନରେ ଯେଉଁ ଯେଉଁ ଘଟଣା ବର୍ଣ୍ଣନା କରିଥିଲେ, ସେଗୁଡ଼ିକ ମୋ ମନଭିତରେ ଏବେ ବି ସେମିତି ଅକ୍ଷତ ଭାବରେ ରହିଛି । ସତ କହିବାକୁ ଗଲେ ମୋର ବାପାଙ୍କର ଜୀବନୀ ଗୋଟିଏ ମହାପୁରୁଷର ଜୀବନୀ ବା ଜଣେ ନିହାତି ଭାଗ୍ୟହୀନର ଜୀବନୀ ।

 

ଇନ୍ଦ୍ରଦେବ କହିଲେ–କୁହ ଅହଲ୍ୟା, ମୁଁ ସବୁ ଶୁଣିବି । ଅହଲ୍ୟା କହିଲେ–ହଁ, ତା’ପରେ ବାପା ଯାହା କହିଲେ କହୁଛି ଶୁଣ..... ।

 

ବାପା ମଲା ପରେ ବୋଉ ହେଲେ ଗୃହର କର୍ତ୍ତ୍ରୀ । ପରିବାରର ଭାର ତାଙ୍କରି ଉପରେ ପଡ଼ିଲା । ପରିବାର କହିଲେ ଯେ ସେମିତି କିଛି ବଡ଼ ପରିବାର, ତା ନୁହେଁ....ସମଗ୍ର ପରିବାରର ଲୋକ ସଂଖ୍ୟା ମୋଟେ ତିନି । ମୁଁ, ମୋର ବଡ଼ ଭାଇ ଓ ବୋଉ । ଗାଉଁଲି ଭାଷାରେ କହିବାକୁ ଗଲେ ବଡ଼ଭାଇଙ୍କର ମୁଣ୍ଡକୁ ହାତ ପାଇଯାଇଥିଲା । ହେଲେ ଭାଇଙ୍କୁ ବଡ଼ବାପା ପୁଅକରି ନେଇ ଯାଇଥିବା ହେତୁ ଭାଇ ଆମଠାରୁ ଅଲଗା ରହୁଥିଲେ ।

 

ଏବେ ଆମ ପରିବାରର ଆମେ ଦୁଇଟି ମଣିଷ । ତଥାପି ମଧ୍ୟ ପୈତୃକ ସମ୍ପତ୍ତି ଆମର ଭରଣପୋଷଣ ପାଇଁ ଯଥେଷ୍ଟ ହେଉ ନଥିଲା । କଥାରେ କହନ୍ତି ବୟସ ବଢ଼ିଲେ ପେଟ ବଢ଼େ । ମୋର ବୟସ ବଢ଼ିବା ସଙ୍ଗେ ସଙ୍ଗେ ପେଟ ବଢ଼ୁଥିଲା । କିନ୍ତୁ ଖାଲି ପେଟ ନୁହେଁ....ତା ସହିତ ବିଦ୍ୟା ବୁଦ୍ଧି, କଳ୍ପନା ମଧ୍ୟ ବଢ଼ୁଥିଲା ।

 

ସତକହିବାକୁ ଗଲେ ମୋର ଏହି ବିଦ୍ୟା ବୁଦ୍ଧି ବଢ଼ିବାହିଁ ଆମ ପରିବାରକୁ କାଳ ହେଉଥିଲା । କାରଣ...କରଣ ଘର, ଦି’ଅକ୍ଷର ପାଠ ନପଢ଼ିଲେ ସାଇପଡ଼ିଶାରେ ମୁଣ୍ଡ ଟେକି ଚାଲି ହେବ ନାହିଁ । ବୋଉକୁ ଏହି ଚିନ୍ତା ମଧ୍ୟ ଦିନକୁ ଦିନ ଗ୍ରାସକରି ବସୁଥିଲା । ସେ ମୋ’ରି କଥା ଚିନ୍ତା କରି କରି ମ୍ରିୟମାଣ ହୋଇ ପଡ଼ୁଥିଲେ ।

 

ସମୟ ତ ରଥଚକ ପରି ଗଡ଼ୁଛି । ତାକୁ ଅବା ରୋକିବା କିଏ ? ଚାହୁଁ ଚାହୁଁ କେଇଟା ଦିନ ଭିତରେ ଗାଁ ପାଠପଢ଼ା ସରିଗଲା । ଏଣିକି ମୋତେ ସଭ୍ୟତାର ଡାକରାରେ....ବିଦ୍ୟାର ଡାକରାରେ ବାହାରକୁ ବାହାରିବାକୁ ପଡ଼ିବ ? ହେଲେ ଟଙ୍କା କାହିଁ ?

 

ଟଙ୍କା ତ’ ଏ ଦୁନିଆର ମାପକାଠି । ତା ବିନା ଅବା ମଣିଷକୁ ମଣିଷବୋଲି ସମାଜରେ ପଚାରୁଛି କିଏ ? ବୋଉ ମନ ମାରିଦେଇ କହିଲେ–ମୁଁ କ’ଣ କରିବିରେ ରଣୁ ! ସବୁ ତୋର ଭାଗ୍ୟ, ମୋ’ପାଖରେ ଆଉ କ’ଣ ଅଛି ଯେ ମୁଁ ତୋତେ ପାଠପଢ଼ାଇବି ? କଥାଟା ମୋ ଦେହରେ ଚାଉଁକରି ଲାଗିଗଲା । କହିଲି, ଚିନ୍ତା କରନା ବୋଉ ! ଭଗବାନଙ୍କର ଦୟାଥିଲେ ମୁଁ ନିଶ୍ଚୟ ପାଠପଢ଼ିପାରିବି । ତୋର ଦୁଃଖ ମେଣ୍ଟାଇ ପାରିବି ।

 

କଥାଟା ସିନା ଜୋରରେ କହିଦେଲି । ହେଲେ ପର ମୁହୂର୍ତ୍ତରେ ମୁଣ୍ଡ ଘୂରିବାକୁ ଲାଗିଲା-। ସତେ କ’ଣ ମୋର ପାଠପଢ଼ାରେ ଡୋର ବନ୍ଧାଯିବ ?

 

ଚାହୁଁ ଚାହୁଁ ଦିନଗୁଡ଼ାକ ମୁଣ୍ତ ପିଟିପିଟି ଗଡ଼ିଯାଉଛି । ତା ସହିତ ତାଳଦେଇ ମୋତେ ଦୌଡ଼ିବାକୁ ପଡ଼ିବ । ପିଲାମନ, ପିଲା ବୁଦ୍ଧି–ସମୟ ସହିତ ଜୁଆଖେଳିବାକୁ ତା’ର ବା ଶକ୍ତି କେତେ-?

ଅଚାନକ ଭାବରେ ସେଦିନ ଜାଣିବାକୁ ପାଇଲି–ସରକାରଙ୍କ ଦ୍ୱାରା ଗୋଟିଏ ଅନାଥାଶ୍ରମ ଖୋଲା ଯାଇଛି । ବାପା ମାଆ ନଥିବା ପିଲାମାନେ ସେଠାରେ ବିନାପଇସାରେ ପଢ଼ିବାର ସୁବିଧା ପାଉଛନ୍ତି । ସୁବିଧାର ସୁଯୋଗ ନେବାପାଇଁ ମନ ବ୍ୟାକୁଳ ହୋଇ ପଡ଼ିଲା । କର୍ମକର୍ତ୍ତାଙ୍କ ସହିତ ଦେଖାକଲି । କର୍ମକର୍ତ୍ତା ମୋର ଆବେଦନ ଗ୍ରହଣ କଲେ–ହେଲେ ଜୀବନରେ ପ୍ରଥମଥର ପାଇଁ ମୋତେ ସେଠି ମିଛ କହିବାକୁ ପଡ଼ିଥିଲା । ଆଦରଣୀୟା ବୋଉ ମଧ୍ୟ ମୋର ସଂସାରରୁ ବିଦାୟ ନେଇଛି ବୋଲି ମୁଁ ନିର୍ଭୀକ କଣ୍ଠରେ କହିଥିଲି । ଏତେକ କହିସାରିବା ପରେ ଯେ, ମୋ ମନରେ କେତେ ଦୁଃଖ ହୋଇଥିଲା–ତାହା ମୋ ଛଡ଼ା ଅନ୍ୟକେହି କଳନା କରିବା ସମ୍ଭବ ନୁହେଁ ।

ପାଠପଢ଼ା ଆଗେଇ ଚାଲିଲା । ଅନାଥାଶ୍ରମର ପିଲାମାନେ ସର୍ବସାଧାରଣ ସ୍କୁଲରେ ପାଠ ପଢ଼ୁଥିଲୁ । ଶ୍ରେଣୀର ଜଣେ ମେଧାବୀ ଛାତ୍ର ହିସାବରେ ମୋର ଯଥେଷ୍ଟ ସୁନାମ ଥିଲା ।

ଏହି ଆଶ୍ରମ ଜୀବନର କାହାଣୀ ଏବେ ମଧ୍ୟ ମୋତେ ଭାଙ୍ଗି ପକାଏ । ମନେପଡ଼ିଲେ ଅଜସ୍ର ଦୁଃଖହୁଏ ।

ପିଲାମାନେ ପୂରାମାତ୍ରାରେ ଦୁଇଓଳି ଖାଇବାକୁ ପାଆନ୍ତିନାହିଁ । ଡାଲି, ଭାତ, ତରକାରୀ ଚୋରିକରି ଖାଇଯାଉଥିବାର ମଧ୍ୟ ପ୍ରମାଣ ମିଳେ ।

ଏହି ଭୋକିଲା ପିଲାମାନଙ୍କ ଭିତରୁ ମୁଁ ଥାଏ ଜଣେ । ପେଟର ଆର୍ତ୍ତନାଦରେ ଅନେକ ସମୟରେ କେତେ କ’ଣ ଚିନ୍ତାକରେ । ଆଶ୍ରମ ଛାଡ଼ି ଚାଲିଯିବାକୁ ମନସ୍ଥକରେ । ହେଲେ ମନକଥା ମନରେ ମରେ...କିଛି କରିବାକୁ ସାହସ ପାଏନାହିଁ ।

ଦୁଃଖ ମଣିଷର ଚରମ ଶତ୍ରୁ, ଭୋକ ମଣିଷର ସବୁଠାରୁ ବଡ଼ ବିପଦ । ଏ ଦୁଇଟିଯାକ ଅନେକ ସମୟରେ ପ୍ରସେସନ୍ କରି ମେରୁଦଣ୍ଡକୁ ଦୋହଲାଇ ଦେଉଥିଲେ । ମନ ପ୍ରତିକ୍ରିୟାଶୀଳ ହୋଇ ଉଠୁଥିଲା । ଉତ୍ତେଜନା ବୃଦ୍ଧି ପାଉଥିଲା । କର୍ତ୍ତୃପକ୍ଷଙ୍କ ବିପକ୍ଷରେ ଛୋଟଛୋଟ ଅଭିଯୋଗଗୁଡ଼ିକ ମୋ ପାଟିରୁ ଆପେ ଆପେ ବାହାରି ପଡ଼ୁଥିଲା । କାରଣ ପିଲାଦିନୁଁ ମୁଁ ଥିଲି ନିହାତି ସ୍ପଷ୍ଟବାଦୀ....

ଆଶ୍ରମଜୀବନରେ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଏଇମାତ୍ର ପ୍ରଥମ । ଆଗରୁ କୌଣସି ଛାତ୍ର ଏପରି ଦୁଃସାହସ କରିନଥିଲେ । ତେଣୁ ମୋ ଉପରେ କର୍ତ୍ତୃପକ୍ଷଙ୍କର ବିଷଦୃଷ୍ଟି ଘନୀଭୂତ ହୋଇ ଉଠୁଥିଲା ।

ଫଳରେ ମୋତେ ପଢ଼ିବାକୁ ବହି ମିଳୁନଥିଲା । ପିନ୍ଧିବାକୁ ଲୁଗା ମିଳୁନଥିଲା । ଏମିତି କେତେ...ଏମିତି କେତେ...

ପିଲାଦିନର ସ୍ମୃତି ଅନେକ ମଣିଷ ଭୁଲିଯାଆନ୍ତି । କଳଙ୍କମୟ ଜୀବନର ଇତିହାସ କହିବାକୁ ଘୃଣାକରନ୍ତି । କିନ୍ତୁ ମୋର ରକ୍ତ ଏ ସବୁଠାରୁ ବହୁଦୂରରେ ଥିଲା...ମୁଁ ମୋର ଦାରିଦ୍ର୍ୟ ପ୍ରକାଶକରି ଆତ୍ମସନ୍ତୋଷ ଲାଭକରୁଥିଲି ।

ଏହି ଦୁଃଖ କଷ୍ଟର ଅଗ୍ନିଦାହ ମଧ୍ୟରେ ବହୁଦିନ ବିତିଯାଇଛି । ସେତେବେଳକୁ ପ୍ରାୟ ମୋର ନବମଶ୍ରେଣୀ । ମୁଁ କହୁଛି ସନତ୍ ଏହି ବର୍ଷଟି ପ୍ରାୟ ମୋର ଜୀବନର ସବୁଠାରୁ ବିପଦର ବର୍ଷ ।

ତା’ପରେ ବାପା ପୁଣି ଆରମ୍ଭକଲେ....

ଆମ ବହୁଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରୀତିପଦ୍ମା ଥିଲା ଜଣେ । ଯଦିଚ ତା’ର ନାଁ ପ୍ରୀତିପଦ୍ମା ନଥିଲା, ତଥାପି ମୁଁ ତାକୁ ପ୍ରୀତିପଦ୍ମା ବୋଲି ଡାକୁଥିଲି ।

 

ସନତ୍ କହିଲେ–କିନ୍ତୁ ଏ ସବୁ କାହାଣୀ ଗାଇବାର କାରଣ କ’ଣ ସାର ? ମୁଁ ଆପଣଙ୍କ ଜୀବନୀ ଶୁଣିବାକୁ ଇଚ୍ଛା କରୁନାହିଁ । ଅହଲ୍ୟାଙ୍କର ବାକ୍‍ଶକ୍ତିହୀନତାର କାରଣହିଁ କେବଳ ପଚାରୁଛି-

 

ବାପା କହିଲେ–ସବୁ କହିବି ସନତ୍, ହେଲେ ମୋ ଜୀବନର କାହାଣୀ ତୁମକୁ ଧୈର୍ଯ୍ୟଧରି ଶୁଣିବାକୁ ହେବ ।

 

ଏଥର ସନତ୍ ନୀରବରେ କାନଡ଼େରି ବସିଲେ ।

 

ବାପା ଆରମ୍ଭ କଲେ–ପ୍ରୀତିପଦ୍ମାଙ୍କର ବାପା ଜଣେ ନାମଜାଦା ଅଫିସର ହିସାବରେ ସହରରେ ଖ୍ୟାତିଅର୍ଜନ କରିଥାଆନ୍ତି । ତେଣୁ ଅନେକ ସମୟରେ ବହୁ ଅଭାବ ଅସୁବିଧାର ଦରଖାସ୍ତ ତାଙ୍କ ପାଖକୁ ଆସେ-

 

ସେଦିନ ପ୍ରାୟ ଗୋଟିଏ କ’ଣ ପରୀକ୍ଷା ଥାଏ । ପ୍ରୀତିପଦ୍ମା ପରୀକ୍ଷାହଲକୁ ପଶିଯାଉ ଥାଆନ୍ତି । ଠିକ୍ ସେତିକିବେଳେ ହଲ୍‍ର ବାରଣ୍ଡାରେ ଗୋଟାଏ କ’ଣ ନୋଟ୍ ପଢ଼ିବାରେ ମୁଁ ବ୍ୟସ୍ତଥାଏ । ଏହି ସମୟରେ କାହାର ଚାପା ଚାପା କଣ୍ଠ ଶୁଭିଲା । ମୁଁ ପଛକୁ ଚାହିଁଲି–ଦେଖିଲି ପ୍ରୀତିପଦ୍ମା ମୋତେ କ’ଣ କହିବାକୁ ଉପକ୍ରମକରି ପୁଣି ଲାଜରେ ମ୍ରିୟମାଣ ହୋଇ ପଢ଼ୁଛନ୍ତି ।

 

କହିଲି–କ’ଣ କହିବ କୁହ ?

 

ଆବେଦନ ଫିଟିପଡ଼ିଲା । କହିଲେ–ମୋ କଲମଟି ମୁଁ ଆଣିବାକୁ ଭୁଲିଯାଇଛି ରଣଜିତ୍, ପରୀକ୍ଷା ବା ଦେବି କେମିତି ?

 

ଚିନ୍ତା କରିବାକୁ ସମୟ ନଥିଲା, ହଠାତ୍ ନିଜ କଲମଟି ପକେଟରୁ କାଢ଼ି ଦେଇଥିଲି । ହସି ହସି ପ୍ରୀତି ଚାଲିଗଲେ ।

 

କିନ୍ତୁ...

 

କିନ୍ତୁ...ମୁଁ ବା ପରୀକ୍ଷା ଦେବି କେଉଁଥିରେ ? ଏ ପାଖ ସେପାଖ ଦୌଡ଼ା ଦୌଡ଼ିକଲି । ବହୁ ସମୟପରେ ଜଣେ ଶିକ୍ଷକଙ୍କଠାରୁ ଗୋଟିଏ କଲମ ପାଇଲି । ହେଲେ ସେତେବେଳକୁ ପ୍ରାୟ ଅଧଘଣ୍ଟାଏ ସମୟ ବିତିଯାଇଥିଲା ।

 

ପ୍ରୀତି ସହିତ ଏଇ ମୋର ପ୍ରଥମ ପରିଚୟ–

 

ତା’ପରେ ପ୍ରୀତି ହୁଏତ ତାଙ୍କ ବାପାଙ୍କ ପାଖରେ ସବୁକଥା କହିଛନ୍ତି । ମୋର ପ୍ରଶଂସା କରିଛନ୍ତି । କାରଣ ପରଦିନ ପ୍ରୀତିଙ୍କର ବାପା ମୋତେ ଡକାଇ ମୋର ପ୍ରଶଂସା କରିବାକୁ ଭୁଲିନଥିଲେ ।

 

ଏଇ ମୋର ପ୍ରାରମ୍ଭିକ ଜୀବନ–

 

କେତେଦିନ ପରେ ଆଶ୍ରମ କର୍ତ୍ତୃପକ୍ଷ ମୋତେ ଆଶ୍ରମରୁ ବାହାର କରି ଦେଇଥିଲେ । କାରଣ ମୁଁ କୁଆଡ଼େ ଆଶ୍ରମର ନିୟମ କାନୁନ୍ ମାନୁ ନଥିଲି ।

 

ଆଶ୍ରମରୁ ବାହାରି କେତେଦିନ ବୁଲିବୁଲି କଟାଇଦେଲି ।

 

ଅଚାନକ ପୁଣି ଦିନେ ପ୍ରୀତିସହିତ ମୋର ଦେଖା ହେଲା । ମସିଆ ଜାମା ପ୍ୟାଣ୍ଟ ଦେଖି କେତେ ପ୍ରଶ୍ନ ଉଠିଲା । ମୁଁ ମୁକ୍ତ କଣ୍ଠରେ ଗୋଟି ଗୋଟି କରି ସବୁକଥା କହିଗଲି । ପ୍ରୀତି ଆଖିରୁ ଲୁହଝରି ଆସୁଥିଲା ।

 

ତା’ ପରେ....

 

ପ୍ରୀତିର ବାପା ମୋତେ ତାଙ୍କ ଘରେ ରହିବାକୁ ଅନୁରୋଧ କରିଥିଲେ । ପ୍ରୀତି ଓ ମୁଁ ସାଙ୍ଗହୋଇ ପାଠପଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ସେତେବେଳେ ଏ ସୁବିଧା ଛାଡ଼ିବାର ଜୁ’ ମୋର ନଥିଲା । ଅନିଚ୍ଛା ସତ୍ୱେ ମୁଁ ପ୍ରସ୍ତାବରେ ରାଜି ହୋଇଥିଲି ।

 

ପାଠପଢ଼ା ଚାଲିଲା–

 

ଶ୍ରେଣୀରେ କେହିକାହାରିକୁ ଊଣା ନଥିଲୁ । ସତରେ ସନତ୍–ଏଇ ଦିନଗୁଡ଼ିକ ମୋ ଜୀବନର ସ୍ୱର୍ଣ୍ଣଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ । ଆମେ ଦୁଇଜଣ ପଢ଼ୁଥିଲୁ–ଖେଳୁଥିଲୁ–ନାଚୁଥିଲୁ–ଠିକ୍ ଦୁଇଟି ରଙ୍ଗୀନ୍‍ ପ୍ରଜାପତି ପରି । ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଯୌବନ ପ୍ରସ୍ଫୁଟିତ ହୋଇ ଆସୁଥିଲା । ମନ ଗୋଳମାଳିଆ ହୋଇ ଉଠୁଥିଲା ।

 

ଏବେ ପ୍ରୀତିକୁ ଦେଖିଲେ ମୋ ମନ ଚିହିଙ୍କିଉଠେ । ପ୍ରୀତି ମଧ୍ୟ ମୋତେ ଛାଡ଼ି ଘଡ଼ିଏ ବାହାରେ ରହିବାକୁ ମୋଟେ ଇଚ୍ଛାକରେ ନାହିଁ ।

 

ଏବେ ମଧ୍ୟ ଏ ସବୁ ସ୍ମୃତି ବଞ୍ଚିଛି ସନତ୍, ଠିକ୍ ଅକ୍ଷୁର୍ଣ୍ଣ ଭାବରେ–

 

ସନତ୍ ଦୀର୍ଘନିଶ୍ୱାସ ଛାଡ଼ି ମୁଣ୍ଡ ଟୁଙ୍ଗାରିଲେ । ବାପା ପୁଣି ଆରମ୍ଭ କଲେ–

 

ସ୍ନେହର ଦିଆନିଆ ଭିତରେ ମଣିଷ ଜୀବନ କେଡ଼େ ପାଗଳ, ତୁମେ ହୁଏତ ଅନୁଭବ କରିନାହଁ । ହେଲେ ମୋ ଜୀବନ ସବୁ ଅନୁଭବ କରିଛି ।

 

ପ୍ରୀତିର ବାପାଙ୍କ ଆଖି ଯେ ଏ ସବୁକୁ ଲକ୍ଷ୍ୟକରି ପାରିନଥିଲା ତା’ନୁହେଁ । ସେ ସବୁ ଲକ୍ଷ୍ୟ କରିଥିଲେ, କିନ୍ତୁ ପ୍ରତିବାଦ କରୁ ନଥିଲେ । କାରଣ ତାଙ୍କ ମନୋଭାବ ଅଦ୍‍ଭୁତ ଥିଲା । ସେ ସବୁବେଳେ କହୁଥିଲେ–ରଣଜିତ୍ ବଡ଼ ମଣିଷ ହେବ ।

 

ଖାଲି ଏତିକି ନୁହେଁ–ବେଳେ ବେଳେ ସେ ପ୍ରୀତିର ବୋଉକୁ କହୁଥିଲେ–ରଣଜିତ୍ ଆଉ ପ୍ରୀତି, ଉଭୟଙ୍କର ବିବାହ କରାଇଲେ କେମିତି ହେବ ? ପ୍ରୀତିର ବୋଉ ଅନେକ ସମୟରେ ହସି ହସି କହନ୍ତି–ଛି–ଛି–ଆଜିଠାରୁ ତୁମର ଏ ଚିନ୍ତା କାହିଁକି ପଡ଼ିଛି ? ହେଲେ ତାଙ୍କ ମନରେ ଯେ ପ୍ରସ୍ତାବପ୍ରତି ପୂର୍ଣ୍ଣସମର୍ଥନ ଥିଲା, ଏଥିରେ ସନ୍ଦେହ ନାହିଁ ।

 

ବହୁ ଉତ୍‍ଥାନ ପତନ ଦେଇ ମୋର ପାଠପଢ଼ା ଚାଲିଲା ।

 

ପ୍ରୀତିର ମଧ୍ୟ ।

 

ଏଇସବୁ ଦିନଗୁଡ଼ିକରେ କେତେ ଯେ ରାଜାଘର କାହାଣୀ ସୃଷ୍ଟି ହୋଇଛି ତା’ର ଇୟତ୍ତା ନାହିଁ । ନୂଆ ଜୀବନର ଖେଳ କେତେ ନୂଆ ନୂଆ ରକମରେ ଦେଖାଦେଇଛି, ପୁଣି ଯାଇଛି । ଦିନକୁ ଦିନ ପ୍ରୀତି କେବଳ ମୋର ନିକଟରୁ ନିକଟତମା ହୋଇ ଠିଆ ହୋଇଛି ।

 

ଗୋଟାଏ ଗୋଟାଏ ମୁହୂର୍ତ୍ତ ଗୋଟାଏ ଗୋଟାଏ ଯୁଗ ସୃଷ୍ଟି କରିଛି । ମ୍ୟାଟ୍ରିକ୍ ପରେ ମୁଁ ଆଇ:ଏ: ଶ୍ରେଣୀରେ ନାଁ ଲେଖାଇଛି, ପ୍ରୀତି ମଧ୍ୟ । ଏସବୁ ଦିନଗୁଡ଼ିକର ଦୈନନ୍ଦିନ କାହାଣୀ ଗୋଟାଏ ଗୋଟାଏ ଇତିହାସ ହେବ ।

 

ଛାଡ଼ ସେ କଥା ।

 

ବହୁ ଅଭାବ ଅସୁବିଧା ଭଲମନ୍ଦ ଭିତରେ ମୋର ପାଠପଢ଼ା ଜୀବନ ଅତିବାହିତ ହୋଇଛି । ପ୍ରୀତି ମଧ୍ୟ ମୋ ସାଙ୍ଗରେ ପାଠପଢ଼ିଛି । ଏଇଠି ଗୋଟାଏ କଥା କହି ରଖେ–

 

ପ୍ରୀତିର ପାଠପଢ଼ା ଭିତରେ ବଞ୍ଚିବାର ମୋହ ନଥିଲା, ବଡ଼ହେବାର ବାସନା ନଥିଲା । ସେ କେବଳ ପଢ଼ୁଥିଲା ମୋରି ଅନୁରୋଧରେ, ସତରେ–ନାରୀ ଚରିତ୍ର ବଡ଼ ବିଚିତ୍ର । କୌଣସି ପୁରୁଷକୁ ସେ ମନ ଦେଇ ଦେଇପାରେ, ନିଜତ୍ୱକୁ ହରାଇବସେ । ସତ୍ତା ଲୋପକରିଦିଏ ।

 

ଅର୍ଥଶାସ୍ତ୍ରରେ କୃତିତ୍ୱର ସହିତ ଏମ୍.ଏ.ପାଶ କରିବା ପରେ, ଅଧ୍ୟାପକ ହେବାପାଇଁ ଡାକରା ଆସିଲା । କିନ୍ତୁ ଶିକ୍ଷକତା କରିବାକୁ ଜୀବନର ପ୍ରଥମରୁ ମୁଁ ଘୃଣା କରୁଥିଲି । ତେଣୁ ଅଧ୍ୟାପକ ହେବାର ବାସନା ତ୍ୟାଗକରି, ମୁଁ ଆଇ:ଏ:ଏସ୍: ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲି । ଏଥିରେ ମଧ୍ୟ ଆଶା ଫଳବତୀ ହେଲା । ଓଡ଼ିଶାରୁ ମୁଁ ଏକମାତ୍ର ପ୍ରାର୍ଥୀ...ସେ ବର୍ଷ ଆଇ:ଏ:ଏସ୍: ହେବାର ଗୌରବ ଅର୍ଜନ କରିଥିଲି ।

 

ଆଉ ପଦେ କହିରଖେ ସନତ୍...ମଣିଷ ଗରିବ ହୋଇଗଲାବେଳେ, ସାଙ୍ଗ ସାଥୀ, ସାଇପଡ଼ିଶାମାନେ ଦୂରେଇ ଯାଆନ୍ତି । ହେଲେ ଟିକେ ଉଚ୍ଚ ଆସନକୁ ଉଠି ବସିଲେ–ନିଜର ନିଜର କହି ଖୁନ୍ଦି ହୋଇ ପଶି ଆସନ୍ତି । ମୋର ଭାଗ୍ୟରେ ମଧ୍ୟ ତାହାହିଁ ହେଲା । ମୁଁ ଆଇ:ଏ:ଏସ୍: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଦେଖିଲି... ମୋର ପରିବାର ଆଉ ଛୋଟ ନାହିଁ । କେତେ ଭାଇ, ବତିସା, ସାଇପଡ଼ିଶା ଲୋକେ ମୁରବୀତ୍ୱ ଦାବୀକରି ସାହାଯ୍ୟ ଓ ସମ୍ମାନ ଆଶାରେ ଆଗୁଆ ।

 

ହସ ଲାଗିଲା...

 

ଯେଉଁମାନେ ମୋର ଦରିଦ୍ରାବସ୍ଥାରେ ଖଣ୍ଡେ ଚିରା ପେଣ୍ଟ ବା ସାତସିଆଁ ସତରଞ୍ଜି ସାହାଯ୍ୟ ଦେବାକୁ କୁଣ୍ଠିତ ହେଉଥିଲେ, ମୁହଁ ବୁଲାଇ ଦେଉଥିଲେ, ଥଟ୍ଟା କରି ମୋର ପାଠପଢ଼ାକୁ ବିଦ୍ରୁପ କରୁଥିଲେ, ସେମାନେ ଦାବୀ କରୁଛନ୍ତି...‘‘ରଣଜିତ୍ ଆମପାଇଁ ମଣିଷ ।’’

 

ଗାଁ ମାଟିରେ ମଣିଷକୁ ଖରାପ ବା ଭଲ ହେବାକୁ ସମୟ ଲାଗେନାହିଁ । ଦେଇ ପାରିଲେ ମଣିଷ ଭଲ । ନ ଦେଇ ପାରିଲେ ନିହାତି ଖରାପ ।

 

ଏଇ ହେଲା ଆମ ନିତିଦିନିଆଁ ଗାଁ ମାଟି ।

 

ଚାକିରୀ ପାଇବା ପରେ ମୋର ପ୍ରଥମ ପୋଷ୍ଟିଂ କଟକରେ ହେଲା । ସେତେବେଳକୁ ପ୍ରୀତିର ବାପା ମଧ୍ୟ କଟକକୁ ବଦଳି ହୋଇ ଯାଇଥାନ୍ତି ।

 

ଅନେକ ସମୟରେ ପ୍ରୀତିର ବାପା ମୋ ବସାକୁ ଆସନ୍ତି । ମୋତେ ଦେଖିଲେ ସତେ ଯେମିତି ତାଙ୍କ ମନ କୁଣ୍ଢେ ମୋଟ ହୋଇଯାଏ । ରୀତିମତ କୋଳକୁ ଟେକିନେଇ କହନ୍ତି...ରଣୁ ! ମୁଁ ଜାଣିଥିଲି ତୁ ନିଶ୍ଚୟ ବଡ଼ ମଣିଷ ହେବୁ, ତୋ ପରି ଯଦି ମୋର ଗୋଟିଏ ପୁଅ ଥାଆନ୍ତା...ମୁଁ ପକ୍‍କା କାନ୍ଥକୁ ଦୁଇବିଧା ମାରନ୍ତି । ମନ ମୋର ଆନନ୍ଦରେ ପୁରି ଉଠେ । କାରଣ ଏ ସ୍ନେହ ବାଧ୍ୟବାଧକତାର ନୁହେଁ....ଛଳନାର ନୁହେଁ....ପରିତୃପ୍ତିର ।

 

ପ୍ରୀତିର ବାପାଙ୍କୁ ଯେ ଅଭାବ ପଡ଼ିନାହିଁ...ତା ନୁହେଁ । ପରିବାରର ରଥ ବ୍ୟତିବ୍ୟସ୍ତ କରିନାହିଁ, ତା ନୁହେଁ...ହେଲେ ସବୁ ଅଭାବ ଅସୁବିଧାକୁ ଦୂରକୁ ଠେଲି, ମୋତେ ସାହାଯ୍ୟ କରିବାକୁ ଆଗଭର ହୋଇ ଆସିଛନ୍ତି ।

 

ସେଦିନ ପ୍ରୀତିର ବାପାଙ୍କ ପାଖରେ ଟଙ୍କା ନ ଥାଏ । ବି:ଏ:ପରୀକ୍ଷାର ଫିସ୍ ଦେବାକୁ ସମୟ ହୋଇ ଯାଇଥାଏ ।

 

ହସି ହସି ଯେତେବେଳେ ସେ ପ୍ରୀତିର ଗଳାରୁ ହାରଟି କାଢ଼ି ବିକ୍ରି କରି ଦେବାକୁ ପଠାଇ ଦେଲେ–ସେତେବେଳେ ମୁଁ ଦେଖିଛି...ତାଙ୍କର ସ୍ନେହ କେଡ଼େ ନିବିଡ଼ ଥିଲା ।

 

ନାରୀମନରେ ଅଳଙ୍କାର ମୋହ କିନ୍ତୁ ସବୁଠାରୁ ବେଶୀ । ସେଦିନ ପ୍ରୀତିର ବୋଉ କହିଥିଲେ...ଗହଣା ବିକି ତୁମେ ରଣଜିତ୍‍କୁ ସାହାଯ୍ୟ କରୁଛ, ସେ ଯଦି ତୁମକୁ ଠକିଦିଏ ? ଏମିତିତ କେତେ ଘଟୁଛି ।

 

ନିର୍ମଳ ବଦନରେ ପ୍ରୀତିର ବାପା ହସି ହସି କହିଥିଲେ–କୌଣସି ଲାଭର ଆଶାରେ ମୁଁ ରଣଜିତ୍‍କୁ ସାହାଯ୍ୟ କରୁନି ପ୍ରୀତି ବୋଉ, ମୁଁ ତାକୁ ସାହାଯ୍ୟ କରୁଛି ଜଣେ ମେଧାବୀ ଛାତ୍ର ହିସାବରେ । ପ୍ରୀତି ଯଦି ତା’ର ମନକୁ ଚହଲାଇ ନ ପାରିବ...ତେବେ ବିବାହ ନ ଦେବ । ସେଥିରେ ମୋର ଯାଏ ଆସେ କେତେ ?

 

କିନ୍ତୁ ଏଇ କେଇପଦ କଥାରେ, ପ୍ରୀତିର ବୋଉ ଏକରକମ୍ ଭାଙ୍ଗି ପଡ଼ିଥିଲେ ।

 

ଏଇ ମୋର ସେ ସମୟର ଜୀବନ ।

 

ପାଠପଢ଼ା ସରିଲା । ଚାକିରୀ ହେଲା । ଓଡ଼ିଆ ଘରର ଏକ ତୃତୀୟାଂଶ ଜୀବନ ଶେଷ-। ବାକି ରହିଲା ବିଭାଘର ।

 

ସେତେବେଳକୁ ଗାଁ’ର ତଥାକଥିତ ଅଭିଭାବକମାନେ....ପ୍ରୀତି ଓ ତା’ର ବାପାଙ୍କ ସମ୍ୱନ୍ଧରେ ଅଳ୍ପବହୁତେ ଶୁଣିଥିଲେ । କେତେ ମନଗଢ଼ା କଥା ମଧ୍ୟ ଉଠାଇବାକୁ ପଛାଇ ନ ଥିଲେ । ଏ ସବୁ କଥା ଶୁଣି ବେଳେବେଳେ ପ୍ରୀତିର ବୋଉ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିଲେ । ହେଲେ ପ୍ରୀତିର ବାପା ଥିଲେ ସେମିତି ସ୍ଥିର...ଅଟଳ ।

 

ଏକ...ଦୁଇ...ତିନ୍...ସମୟ ଗଡ଼ୁଛି ।

 

ଦିନେ କେହି ଜଣେ ଗୋଟିଏ ବିବାହ ପ୍ରସ୍ତାବ ନେଇ ଆମ ଘରକୁ ଆସିଥିଲା । ଖୁବ୍ ଗୁଡ଼ାଏ ଯୌତୁକ ଦେବାର ମୋହ ଦେଖାଇଲା । ବୋଉକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କଲା ।

 

ବୁଢ଼ୀ ମନ ଅବା ଜାଣୁଛି କ’ଣ ? ସେ କେବଳ ଖୋଜୁଥିଲା ଘରକୁ ଗୋଟିଏ ବହୂ । ଆଗରୁ ଅବଶ୍ୟ ଗାଁ ଲୋକେ ବୋଉକୁ କାନେ କାନେ ଶିଖାଇବାକୁ ଭୁଲି ନ ଥିଲେ ।

 

ବୋଉକୁ ଶିଖାଇବାରେ ଯେ ଗାଁ ଲୋକଙ୍କର ସେମିତି କିଛି ଉଦ୍ଦେଶ୍ୟ ଥିଲା...ତା’ନୁହେଁ-। ସେମାନେ କେବଳ ଚାହୁଥିଲେ...ଆମ ଘରକୁ ଗୋଟିଏ ପାଠୋଇ ବହୂ ନଆସୁ-। କାରଣ ଆମ ଗାଁ’ର କୌଣସି ବହୂ ସେ ପର୍ଯ୍ୟନ୍ତ ମାଇନର ପର୍ଯ୍ୟନ୍ତ ମଧ୍ୟ ଯାଇ ନଥିଲା । ଈର୍ଷା...ମଣିଷର ପ୍ରଧାନ ଶତ୍ରୁ । ଏ ଶତ୍ରୁକୁ ଜୟକରିବା ମଧ୍ୟ ଦୁରୂହ ବ୍ୟାପାର ।

 

ପୃଷ୍ଠା ଲେଉଟିଲା । ମୋ ପାଖକୁ ଟେଲିଗ୍ରାମ ଆସିଲା । ମୁଁ ଗଲି । କଥାଟା ଶୁଣିଦେଇ କାନମୁଣ୍ଡ ଝାଇଁ ଝାଇଁ କଲା । କ’ଣ କରାଯିବ ? ବୋଉକୁ ବୁଝାଇବାକୁ ଚେଷ୍ଟାକଲି । ହେଲେ–ବୋଉ କେବଳ ଗୋଟାଏ ଯୁକ୍ତିକରି ବସିଲା–‘‘ମରିବା ବେଳକୁ ମୁଁ କେବଳ ଟିକେ ସୁଖ ଚାହେଁ, ସେତେକ ତୁ ଦେବୁ କି ନାହିଁ ରଣୁ ? ଏ ଜୀବନରେ ବହୁ ଦୁଃଖ ସହିଛି–କେବଳ ତୋ’ରି ମୁହଁକୁ ଚାହିଁ ? ଶେଷରେ କ’ଣ ତୁ ମୋତେ ହତାଶ କରିବୁ ?’’

 

ବହୁ ଉପାୟରେ ବୋଉର ମନକୁ ବଦଳାଇବାକୁ ମୁଁ ଚେଷ୍ଟାକଲି । କିନ୍ତୁ ଶେଷରେ ବୋଉ କିଛି କଥା ନ ଶୁଣି କାନ୍ଥଟାରେ ମୁଣ୍ଡଟାକୁ ଢୋ ଢୋ କରି ବାଡ଼େଇ ଦେଇ କହିଲା–‘‘ପାଠପଢ଼ିଲୁ ବୋଲି ତ ଶେଷରେ ମୋ କଥା ଭାଙ୍ଗି ଦେଲୁ ରଣୁ ? ମୁଁ ଆଉ ବଞ୍ଚିବି କାହିଁକି-? ମୋ ତଣ୍ଟି ଚିପି ମାରିଦେ–ତା’ପରେ ତୁ ଯା କରୁଛୁ କର ।’’

 

ଶାନ୍ତ ପରିବାର ଭିତରେ ଗୋଟାଏ ଅଶାନ୍ତର ଝଡ଼ସୃଷ୍ଟିକରି ଗାଁ ଲୋକମାନେ ଯେ–ଚୁପୁ ଚୁପୁ ହସୁନଥିଲେ, ତା’ ନୁହେଁ । ହେଲେ ସେ ହସର ସ୍ୱରକୁ ବୁଝିବା ବୋଉ ପକ୍ଷରେ କଷ୍ଟକର ବ୍ୟାପାର ଥିଲା ।

 

କାନ୍ଥ ଦେହରେ ପିଟିହୋଇ–ବୋଉ ମୁଣ୍ଡରୁ ଝର ଝର ରକ୍ତ ବହିବାକୁ ଲାଗିଲା । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲି ମୁଁ ।

 

ଯେଉଁ ବୋଉକୁ ପଦେ କଡ଼ାକରି କଥା ମୁଁ ଜୀବନରେ କହିନାହିଁ, ସେ ବୋଉର ଏ ଦୁଃଖ ସହନ୍ତି କେତେକେ ?

 

ଆଗ ପଛ କିଛି ବିଚାର ନକରି କହିଲି–ତୋର ପ୍ରସ୍ତାବରେ ମୁଁ ଏକମତ ବୋଉ–ତୋର ଯାହା ଇଚ୍ଛା, ତୁ କର । ଏଇ ପଦକ କଥା ଶୁଣିବାପରେ ବୋଉ ମନରେ ଯେ କେତେ ଆନନ୍ଦ ଲହରୀ ଭାଙ୍ଗିଥିଲା, ସେ କଥା କୁହାଯାଇ ନପାରେ । କାରଣ ସେତେବେଳକୁ ବୋଉର ପୂର୍ଣ୍ଣ ବିଶ୍ୱାସ ହୋଇଯାଇଥିଲା ଯେ–ମୁଁ ପ୍ରୀତିକୁ ବିବାହ କରିଥିଲେ ନଷ୍ଟହୋଇ ଯାଇଥାନ୍ତି ।

 

ତା’ପରେ–

 

ସେହି ତଥାକଥିତ ଅଭିଭାବକମାନେ ବିବାହ ଆୟୋଜନରେ ବ୍ୟସ୍ତହୋଇ ପଡ଼ିଥିଲେ । ଆମ ଘର ସରଗରମ ହୋଇ ଉଠିଥିଲା ।

 

ଏଇଠି ମୋର ଦୋଷ ମୁଁ ମଧ୍ୟ ସ୍ୱୀକାର କରିଯିବା ଉଚିତ୍ ସନତ୍ । ପ୍ରୀତି ପ୍ରତି ମୋର ଆନ୍ତରିକ ସେହି ଥିଲେ ମଧ୍ୟ ମୁଁ ତା ଉପରେ ଅତ୍ୟାଚାର କରିଥିଲି । ତା’ର ବାପାଙ୍କର ସ୍ୱାଧୀନତା ଯୋଗୁଁ, ମା’ ଙ୍କର ସମର୍ଥନ ଯୋଗୁଁ–ମୁଁ ପ୍ରୀତିକୁ ନଷ୍ଟକରି ଦେଇଥିଲି ।

 

ସନତ୍ ମୁଣ୍ଡଟେକି କହିଲା–ଆପଣଙ୍କ କଥା ମୁଁ କିଛି ବୁଝି ପାରିଲାନି ସାର !

 

ବାପା କହିଲେ–ତୁମର ବୟସ ହୋଇଛି ସନତ୍ । ଅଧିକ ବୁଝାଇବାକୁ ପସନ୍ଦ ମନେକରୁ ନାହିଁ । ତଥାପି ସଂକ୍ଷେପରେ କହୁଛି–ସେତେବେଳକୁ ହୁଏତ ପ୍ରୀତିର ଗର୍ଭରେ ସଞ୍ଚିତ ହେଇଥିଲା ଏକମାସର ଭ୍ରୁଣ । ରଣଜିତ୍‍ର ଶିକ୍ଷାକୁ ଓ ସ୍ୱାଧୀନତାକୁ ବିଦ୍ରୁପ କରିବାକୁ ନୁହେଁ–ଅଧିକାର ସାବ୍ୟସ୍ତ କରିବାକୁ ।

ସନତ୍ ସେତେବେଳକୁ ଆଶ୍ଚର୍ଯ୍ୟ ହୋଇ ହୁଏତ ବାପାଙ୍କ ଆଡ଼କୁ ଘୃଣାପୂର୍ଣ୍ଣ ଦୃଷ୍ଟିରେ ଅନାଇ ରହିଥିଲେ ।

ତା’ ପରେ ବାପା ଆରମ୍ଭ କଲେ...

ଦୁଃଖ ଯାହାର ଜୀବନର ସହଚର, ତା’ର ସୁଖ ସହିତ ପରିଚୟ ହେବା କଠିନ୍ ସନତ୍ । ଅନ୍ତତଃ ମୋ ଜୀବନରେହିଁ ଏଇଆ ମୁଁ ଅନୁଭବ କରିଛି ।

ବିବାହ ସରିଗଲା...

ଏଇ ରୀତା ଆସିଲା ଆମ ଘରକୁ ବହୂ ହୋଇ ।

ବୋଉର ଆଶା ପୂର୍ଣ୍ଣ ହେଲା । ଗାଁ ଲୋକଙ୍କର ମଧ୍ୟ ।

ପ୍ରଥମ ରାତି । ମନ ନ ଥିଲେ ମଧ୍ୟ ଭଲ ପାଇବାର ଅଭିନୟ କରିବାକୁ ପଡ଼ିବ । ରୀତାକୁ ଏକାନ୍ତ ପ୍ରେମିକା ଭାବରେ ଗ୍ରହଣ କରିବାକୁ ପଡ଼ିବ । ରାତି ଘନେଇ ଆସୁଛି...ଅନ୍ଧାର ଜମାଟ ବାନ୍ଧି ଆସୁଛି ।

ସଂଧ୍ୟାଦୀପର ଶିଖା ଥରିଥରି ମରିମରି ଆସୁଛି ।

ରଣଜିତ୍ କାନୁନ୍‍ ଗୋର ନୂଆ ଜୀବନ ।

ମଧୁଶଯ୍ୟାର ପଲଙ୍କ ଉପରେ ସେ । ଆଇ:ଏ:ଏସ୍: ଅଫିସର ନୁହେଁ । ଏମ୍‍.ଏ. ଶ୍ରେଣୀର ପରୀକ୍ଷାର୍ଥୀ ନୁହେଁ । ପ୍ରୀତିର ପ୍ରେମିକା ନୁହେଁ । ବୋଉର ସ୍ନେହ ପିତୁଳା ନୁହେଁ । ପ୍ରୀତି ବାପାଙ୍କର ମହାମାନବ ନୁହେଁ । ରୀତାର ଗୁଣଗ୍ରାହୀ ସ୍ୱାମୀ ।

 

ଥରିଲା ହାତରେ ଲଜ୍ଜା ଆବରଣଟି ଖୋଲିଦେଲି ରୀତାର କପାଳରୁ । ଅବନତ ଆଖି ଦୁଇଟି ତୋଳି ରୀତା ନିକ୍ଷେପକଲା ମୋ ଆଖି ଉପରେ...। ଲିଭିଲା ସଂଧ୍ୟା ଦୀପର ଶିଖାଟି ହଠାତ୍ ଧପ୍‍କରି ଜଳିଉଠି ଲିଭିଗଲା । କ୍ଷଣେ ମାତ୍ର ଆଲୋକିତ ହୋଇଗଲା ରୀତାର ସମଗ୍ର ମୁଖମଣ୍ଡଳ ।

 

ଚିହିଙ୍କି ଉଠିଲା ମୋ ଛାତି... ।

 

ରୀତା.... । ଯୁଗଯୁଗର ସହଯାତ୍ରିଣୀ ରୀତା । ରଣଜିତ୍ କାନୁନ୍‍ ଗୋର ନବ ବିବାହିତା ସ୍ତ୍ରୀ... ।

 

ଉପନ୍ୟାସ ପଢ଼ିଥିଲି...

 

ନବ ବିବାହିତା ତନୁଶ୍ରୀ ତରୁଣୀର ଆରକ୍ତ ଗଣ୍ଡରୁ ସୁଷମା ଝରିପଡ଼େ । ଡାଳିମ୍ୱ ଅଧରରେ ନାଚିଉଠେ ଲଜ୍ଜାନତ ସମର୍ଥନ । କପାଳର ସ୍ୱେଦବିନ୍ଦୁ ତଳେ କୁଙ୍କୁମ ଆତ୍ମଗୋପନ କରେ ।

 

କିନ୍ତୁ ଏ କଣ ଦେଖିଲି ?

 

ରୀତାର ତାରୁଣ୍ୟ କାହିଁ ? ତନୁଶ୍ରୀ କାହିଁ ? କୋମଳତାର ସ୍ୱପ୍ନରେ, ଉପଭୋଗର ମୋହରେ ଏଇ ଦୀର୍ଘ ୨୫ଟି ବସନ୍ତ କଟି ଯାଇଥିଲା । ରୀତା କ’ଣ ସେହି ବସନ୍ତର ପରିପୂର୍ଣ୍ଣକାରିଣୀ ?

ରୀତାର ଲୋଳିତଚର୍ମ ଦେହରେ ବର୍ଷର ରେଖା ସ୍ପଷ୍ଟ ।

କଇଁ କଇଁ ହୋଇ କାନ୍ଦି ଉଠିଲି ମୁଁ.... ।

ହୁଏତ ସେତେବେଳେ ରୀତା ମୋର ନିବିଡ଼ ଆଶ୍ଳେଷକୁ ଅପେକ୍ଷା କରିଥିଲା । ଜୀବନକୁ ଉପଭୋଗ କରିବାର ମୁହୂର୍ତ୍ତ ଖୋଜୁଥିଲା ।

କିନ୍ତୁ....

ଆଉ କହି ପାରୁନି ସନତ୍ । କିନ୍ତୁ....ମୋ ଜୀବନର ଗୋଟାଏ ବିରାଟ ପୂର୍ଣ୍ଣଚ୍ଛେଦ ପଡ଼ିଆସିଲା । ମୁଁ ରୀତାଠାରୁ ଦୂରେଇ ଆସିଲି । ସେହିଦିନଠାରୁ ରୀତା ସବୁବେଳେ ମୋର ହେବାକୁ ଚେଷ୍ଟା କରିଛି...ଅଭିନୟ କରିଛି, ଆତ୍ମନିବେଦନ କରିଛି । ହେଲେ ମୁଁ ତାକୁ ନିଜର କରି ପାରିନି । ବହୁ ସମୟରେ ଭାବିଛି, ହୁଏତ ରୀତା ମରିଗଲେ ମୁଁ ସୁଖରେ ରହିବି ।

ତା’ପରେ... ।

ମୋ ଚାକିରୀ ଡାକରାରେ ମୁଁ ବାହାରିଯାଇଛି । ଆଉ କେବେ ରୀତାର କଥା ଚିନ୍ତା କରିବାକୁ ଅବସର ପାଇନି ।

କେଇଟା ଦିନ ଭିତରେ ମୋର ଶିରୀଷକୋମଳ ଗଣ୍ଡକୁ ବିବର୍ଣ୍ଣ କରି....ବାର୍ଦ୍ଧକ୍ୟର ରେଖା ଫୁଟି ଉଠିଛି । ଖୁବ୍ କମ୍ ଦିନ ଭିତରେ ମୁଁ ଦଶବାର ବର୍ଷ ଯାଏ ଆଗକୁ ଆଗେଇ ଯାଇଛି ।

ଏଇ ମୋର ଜୀବନ.... ।

ହଁ...ସନତ୍ ! ସବୁ କଥା କହି ଆଉ ଲାଭ ନାହିଁ । କେବଳ ଆବଶ୍ୟକୀୟ କଥା କହିଯାଉଛି ।

ଦୁଃଖ ପରେ ଦୁଃଖ ଧାଡ଼ିବାନ୍ଧି ଆସିବାହିଁ ମୋର ଜୀବନ ।

ସେଦିନ ମଧ୍ୟ ମୋ ଜୀବନର କମ୍ ଦୁଃଖର ଦିନ ନ ଥିଲା ।

ସନତ୍ ମୁଣ୍ଡ ଟେକି କହିଲେ–କେଉଁ ଦିନ ?

ବାପା କହିଲେ–କହୁଚି ସନତ୍ ! ଶୁଣ....

ହଠାତ୍ ଦିନେ ଟେଲିଗ୍ରାମ ପାଇଲି, ବୋଉ ଇହଧାମ ଛାଡ଼ି ଚାଲିଯାଇଛି ।

ଚିନ୍ତା କରିବାକୁ ସମୟ ନଥିଲା । ଘରକୁ ଗଲି । ବୋଉପାଇଁ କାନ୍ଦିଲି । ଅନ୍ତ୍ୟେଷ୍ଟିକ୍ରିୟା ଶେଷ କଲି ।

କିନ୍ତୁ ଆଉ ଏବେ ଏକୁଟିଆ ଫେରୁଛି କେମିତି ? ରୀତା ଗାଁ’ରେ କାହା ପାଖରେ ରହିବ-? ମୁଣ୍ଡ ଗୋଳମାଳ ହୋଇ ଆସିଲା । ଶେଷରେ ରୀତାକୁ ଧରି କଟକ ଆସିବାକୁ ବାଧ୍ୟ ହେଲି । ସେହିଦିନଠାରୁ ରୀତା ମୋର ପାଖେ ପାଖେ ରହିଲା.... ।

ସମୟର ପରଶରେ କୃଷ୍ଣଚୂଡ଼ାର ଅଙ୍ଗରେ ରଙ୍ଗ ବୋଳି ହୋଇଛି । ମାଳତୀ ଲତାରେ ଫୁଲ ଧରିଛି । ହେଲେ ମୋ ମନରେ...ମୋ ମନରେ ଘୂରିବୁଲୁଛି ସେମିତି ଏକ ହତାଶାର ବାତ୍ୟା ।

ସେଦିନ ସଞ୍ଜପହରରୁ କ’ଣ ହେଲା କେଜାଣି...କପେ ଚାହା ଧରି ରୀତା ମୋ ନିକଟକୁ ଆସିଲା । ଟେବୁଲ ଉପରେ ଥୋଇଦେଇ ଠିଆ ହେଲା । ଅନ୍ୟମନସ୍କଭାବେ ପ୍ରଶ୍ନକଲି–‘‘କିଛି କହିବ ରୀତା ?’’

ବେଗଗାମୀ ଝରଣା ରାସ୍ତାପାଇଲେ ଛୁଟିଯିବା ପରି ରୀତା ମୋ ଉପରେ ଲଦି ହୋଇପଡ଼ି କହିଲା–ଆଉ ମୋ ଉପରେ କେତେ ଦିନ ପରୀକ୍ଷା କରିବ ଜୀବନ ? ମୁଁ କ’ଣ ତୁମର କେହି ନୁହେଁ ? ତୁମ ମନରେ ସିନା ମୁଁ ଆସନ ପାତି ପାରିନି, ହେଲେ ଦେହରେ ? ମୋ ପ୍ରତି ତୁମର କିଛି ବାସନା ନଥାଇ ପାରେ...ହେଲେ କର୍ତ୍ତବ୍ୟ ?

ଏସବୁ କିନ୍ତୁ ମୋ ମନକୁ ଟିକେମାତ୍ର ଛୁଉଁ ନଥିଲା । ବିରକ୍ତରେ ଉଠିପଡ଼ି କହିଲି–ଏ ତୁମେ କ’ଣ କରୁଛ ରୀତା ? ମୁଁ ଥରେ କହିଛି....ତୁମ ବାସନା ପୂର୍ଣ୍ଣକରିବାକୁ ମୁଁ ଅକ୍ଷମ ?

କିନ୍ତୁ ହୁଏତ ମୋର ଏ ସବୁ କଥା ରୀତାକୁ ଶୁଭୁନଥିଲା । ସେ କେବଳ ତା’ର ଅଳିଗୁଡ଼ିକ ବାରମ୍ୱାର ଉପସ୍ଥାପିତ କରୁଥିଲା । ମୋ ମନକୁ ଚହଲାଇବାକୁ ଚେଷ୍ଟା କରୁଥିଲା ।

ଆଉ ପାରିଲିନି......

ରୀତାକୁ ଠେଲିଦେଇ ବାହାରି ଆସିଲି ପଦାକୁ । ତା’ପରେ ନୂଆକରି କିଣିଥିବା ଷ୍ଟୁଡ଼ିବେକର କାର୍‍ଟିକୁ ଧରି ଛୁଟିଚାଲିଲି ଉଦ୍ଦେଶ୍ୟହୀନ ଭାବରେ ।

କାର୍ ଛୁଟିଛି....ତା ସହିତ ଧାଡ଼ିବାନ୍ଧି ମୁଁ, ପ୍ରୀତି, ରୀତା ଛୁଟିଛୁ ।

ମହାନଦୀ ପୋଲପାଖରେ ବ୍ରେକ୍‍ଦେଇ କାର୍ ଅଟକାଇଲି !

ଏ କ’ଣ ? ଏକ୍‍ସିଡ଼େଣ୍ଟ ?

ଦ୍ରୁତଗତିରେ କାର୍‍ରୁ ଓହ୍ଲାଇ ଛୁଟିଗଲି ଆଗକୁ । ଦେଖିଲି, ଗୋଟିଏ ଝଟ୍‍କା ଗାଡ଼ି ସହିତ ଧକ୍‍କା କରି ହୁଏତ ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଚାଲିଯାଇଛି । ଝଟ୍‍କାଚାଳକ ସହିତ ସମସ୍ତ ଆରୋହୀ ପ୍ରାଣ ହରାଇଛନ୍ତି । କେବଳ ଗୋଟିଏ ଦୁଇତିନି ବର୍ଷ ଝିଅର ନିଃଶ୍ୱାସ ଯିବା ଆସିବା କରୁଛି । ତରତରରେ ଝିଅଟିକୁ ଟେକି ଆଣିଲି । ଦେଖିଲି ତା’ର ପାଟିରୁ ରକ୍ତର ସ୍ରୋତ ଛୁଟିଛି । ଦେହରେ ସଜ୍ଞାନାହିଁ ।

ଅପେକ୍ଷା ନକରି କାର୍‍ ରେ ଝିଅଟିକୁ ପକାଇ ଚାଲି ଆସିଲି ଡାକ୍ତରଖାନା । ଦୀର୍ଘ ତିନି ଦିନ ପରେ ଝିଅଟିର ସଂଜ୍ଞା ଫେରିଲା । ଝିଅଟି ବଞ୍ଚିଗଲା । ହେଲେ ତା’ର ପରିବାରର ସମସ୍ତେ ଏକ୍‍ସିଡ଼େଣ୍ଟରେ ପ୍ରାଣ ହରାଇଥିଲେ ।

କ’ଣ କରିବି ? ଝିଅଟିକୁ କୁଆଡ଼େ ନେବି ? ଉପାୟ କିଛି ମିଳିଲାନି । ଶେଷରେ ବୁଦ୍ଧି ପଶିଲା । ଝିଅଟିକୁ ଆଣି ଘରେ ପଶିଲି । ରୀତା ମୋ ପାଖକୁ ଦୌଡ଼ି ଆସିଲା । ଝିଅଟିକୁ ତା କୋଳକୁ ଟେକିଦେଇ କହିଲି–ଜୀବନରେ ତୁମକୁ କିଛି ଅନୁରୋଧ କରିନି ରୀତା ! ଏଇ ମାତ୍ର ପ୍ରଥମ ଅନୁରୋଧ ।

ରୀତା ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁରହିଥିଲା । କହିଲି....ଏ ଝିଅଟିକୁ ଠିକ ତୁମ ଝିଅପରି ତୁମେ ପାଳିରଖି ପାରିବ ? ଯେପରି ସାରା ଦୁନିଆଁ ଜାଣିବ, ଏ ତୁମରି ଝିଅ ।

ରୀତା ମୋ କଥା ଉପରେ ପ୍ରତିବାଦ କରି ନଥିଲା । ସଜଳ ଆଖିରେ ଝିଅଟିକୁ କୋଳକୁ ଉଠାଇ ନେଇଥିଲା ।

ଏ ସେହି ଝିଅ ଅହଲ୍ୟା.....

ପାଷାଣରୁ ମଣିଷ ଆଉ ମଣିଷରୁ ପାଷାଣ ହୋଇ ସେ ଜନ୍ମ ନେଇଛି ।

ଅହଲ୍ୟା ସୁସ୍ଥହୋଇ ଯିବାପରେ ଦେଖିଲି ସେ କଥା କହିପାରୁନାହିଁ । ସେ ଜନ୍ମରୁ କହିବା ଶକ୍ତି ହରାଇଛି ବା...ଏକ୍‍ସିଡ଼େଣ୍ଟ ଦିନରୁ ହରାଇଛି....ମୁଁ ସଠିକ୍‍ଭାବରେ କହିପାରିବିନି ସନତ୍ ।

ତୁମେ ଯେ କୌଣସିମତେ ଅହଲ୍ୟାକୁ ଭଲକରିଦିଅ । ଠିକ୍ ଏଇ ପଦକ କଥାରେ ସନତ୍ ଉଠିବାକୁ ଉପକ୍ରମ କରୁଥିଲେ । ବାବା ଆଉ କ’ଣ କହିବାକୁ ଯାଇ ନୀରବ ରହିଲେ ।

କବାଟ କଣରେ ଠିଆ ହୋଇ ମୋ ଆଖିରୁ ଝରିପଡ଼ିଲା ଦୁଇଟୋପା ଲୁହ । ଏ ଲୁହ ବେଦନାର ନଥିଲା । ଥିଲା ସ୍ନେହର । କାରଣ ମୁଁ ରଣଜିତ୍ ବାପାଙ୍କର ନିଜଝିଅ ନହୋଇଥିଲେ ମଧ୍ୟ... କେବେ ହତାଦାର ପାଇନାହିଁ । ଏପରିକି ଏ ସବୁ କଥା ସେ କେବେ କାହାକୁ କହିଥିବାର ମଧ୍ୟ ମୁଁ ଶୁଣିନାହିଁ ।

 

ଏଥର ଇନ୍ଦ୍ରଦେବ ଅହଲ୍ୟାଙ୍କୁ ଏକରକମ୍ କୋଳ ଉପରୁ ଉଠାଇ ଦେଇ କହିଲେ–ତୁମ ଜୀବନରେ ଏ କାହାଣୀ ଶୁଣିବାକୁ ମୋର ଆଉ ଧୈର୍ଯ୍ୟନାହିଁ ଅହଲ୍ୟାଦେବୀ ! ମୁଁ ଆଉ ଶୁଣିପାରିବିନି, ମୋତେ କ୍ଷମାକର, ତୁମ କାହାଣୀ ବନ୍ଦକର ।

 

ଅହଲ୍ୟା କହିଲେ–କାହାଣୀର ବିରାଟ ଅଂଶ ଯେ ବାକି ରହିଗଲା ଇନ୍ଦ୍ରଦେବ ! ପୂର୍ଣ୍ଣମାତ୍ରାରେ ସେତେକ ନକହି ସାରିବାଯାଏ, କେବଳ ବେଦନାରେହିଁ ଦିନକୁ ଦିନ ମୁଁ ଭାଙ୍ଗି ପଡ଼ୁଥିବି ।

 

ଇନ୍ଦ୍ରଦେବ ନିଜକୁ ଆଉ ସମ୍ଭାଳିପାରୁନଥିଲେ । କହିଲେ–ମୁଁ ଯେ ଆଉ ଶୁଣିପାରୁନି ଅହଲ୍ୟାଦେବୀ !

 

ଅହଲ୍ୟା ବାଧ୍ୟହୋଇ ନୀରବ ରହିଲେ–

 

ସେତେବେଳକୁ ଘରକୁ ଫେରିବାର ସମୟ ହୋଇ ଯାଇଥିଲା ।

 

ତା’ ପରେ..... ।

 

ମଣିଷ ଜୀବନରେ ଯୌବନଟା ସବୁଠାରୁ ବଡ଼ ବ୍ୟାଧି । ଏ ବ୍ୟାଧିର ଉପଶମ ନାହିଁ । ଯୌବନର ତାଳେ ତାଳେ ମାଂସ ନାଚେ । ମନ ରାଗିଣୀ ତୋଳେ, ଆଉ ବିବେକ ହୁଏ ଅନ୍ଧ ।

 

ଏଇ ଯୌବନ ଯେତେବେଳେ ଅହଲ୍ୟାର ଛାତିକୁ ଦୋହଲାଇ ମନକୁ ଗୋଳମାଳିଆ କରି ଆସିଥିଲା, ସେତେବେଳେ ବେଶି-ମାତ୍ରାରେ ବିପ୍ଳବକରି ଉଠିଥିଲେ ଅହଲ୍ୟାଙ୍କ ମାଂସପେଶୀ-। ସତକହିବାକୁ ଗଲେ ବୟସଟା ନିହାତି ଦୁଷ୍ଟ । ସେ ସମୟ, ଅସମୟ, ପାତ୍ର, ଅପାତ୍ର ବୁଝେନା । ମଣିଷ ସହିତ ତାଳ ଦେଇ କେବଳ ଖୁନ୍ଦିହୋଇଯାଏ ଦେହଭିତରେ ।

 

ଆଜି ଆଷାଢ଼ର ବର୍ଷଣମୁଖୀ ବତାସ ତୁହାଏ ବର୍ଷିଦେଇ ଯିବାପରି, ଅହଲ୍ୟାର ଯୌବନ ପ୍ରାପ୍ତିଦିନ ସାମାନ୍ୟ କାନ୍ଦି ଉଠିଥିଲେ । ଗତଦିନର ନାଚ କୁଦ ମନଭିତରେ ବିପ୍ଳବ ସୃଷ୍ଟିକରିଥିଲା ।

 

Unknown

ଏ କାନ୍ଦ ଭିତରେ କିନ୍ତୁ କିଛି ଉଦ୍ଦେଶ୍ୟ ନଥିଲା–ଥିଲା କେବଳ ଆତ୍ମଶୋଚନା । ଅନେକ ସମୟରେ ଅହଲ୍ୟା ଚିନ୍ତା କରୁଥିଲେ–ମୁଁ ତ ମୂକ, ଜାଡ଼ୀ, ମୁଁ ସଂସାରରେ ଥାଇ କ’ଣ କରି ପାରିବି-? କେମିତି ଅବା ଘରସଂସାର କରିବି ?

 

ଜଗତରେ ଆତ୍ମଶୋଚନା ସବୁଠାରୁ ବଡ଼ ମର୍ମନ୍ତୁଦ । ଛୋଟାର ଗୋଡ଼ପାଇଁ ଦୁଃଖ, ଅନ୍ଧର ଆଖିପାଇଁ ଦୁଃଖ, ଠିକ୍ ସେହିପରି ବାକ୍‌ଶକ୍ତିହୀନତାପାଇଁ ଅହଲ୍ୟା ଦୁଃଖ କରୁଥିଲେ । ସମୟ ସମୟରେ କାନ୍ଦୁଥିଲେ ।

 

ରଣଜିତ୍‍ବାବୁ ଝିଅର ଏ ଦୁଃଖ ଦେଖନ୍ତି, ବୁଝନ୍ତି, ହେଲେ ଚୁପ୍ ରହନ୍ତି । ଆଉ ରିତାଦେବୀଙ୍କ କଥା ତ କହିଲେ ନସରେ । କିନ୍ତୁ ତାଙ୍କ ଦୁଃଖ ଦେହରେ ବ୍ୟତିକ୍ରମ ଥିଲା । ସେ ରୀତାର ମୁହଁ ଦେଖି ଦୁଃଖ କରୁନଥିଲେ–ଭବିଷ୍ୟତ ଚିନ୍ତାକରି ଅନେକ ସମୟରେ ମ୍ରିୟମାଣ ହୋଇପଡ଼ୁଥିଲେ ।

 

ଏମିତି ଉତ୍‍ଥାନ, ପତନ, ତଳ, ଉପରଦେଇ ଅହଲ୍ୟାଙ୍କର ନିତିଦିନିଆଁ ଜୀବନ କଟିବାରେ ଲାଗିଥିଲା ।

 

ଅହଲ୍ୟା..... ।

 

ହଁ....ରଣଜିତ୍ କାନୁନ୍‌ଗୋଙ୍କ ଝିଅ ଅହଲ୍ୟା, ସୁଶ୍ରୀ, ତନ୍ୱୀ ପୁଣି ତରୁଣୀ । ଏସବୁ ଥିବା ଭିତରେ ତାଙ୍କର କେବଳ ନ ଥିଲା ଗୋଟାଏ ଜିନିଷ, ଯାହା ମଣିଷ ମଣିଷ ଭିତରେ ଭାବର, ସ୍ନେହର ଭଲପାଇବାର ଆଦାନ ପ୍ରଦାନ କରେ ।

 

ସମୟ ନାଚୁଛି । କାମନା ନାଚୁଛି । ତା ସହିତ ନାଚୁଛି ରଣଜିତ୍ ବାବୁଙ୍କ ଆଶା ହରିଣ ଛୁଆ ।

 

ସନତ୍ କଥା ଦେଇ ଯାଇଛି....ଅହଲ୍ୟାକୁ ଭଲ କରିବାକୁ ଆପ୍ରାଣ ଚେଷ୍ଟା କରିବ । ଅହଲ୍ୟା କଥା କହିପାରିବ ।

 

ସକାଳ ଜଳଖିଆଟା ଖାଇନେଇ ରଣଜିତ୍ ବାବୁ ଆଜି ପାଗଳଙ୍କ ପରି ଏପାଖ ସେପାଖ ହେଉଛନ୍ତି । ଚେସ୍ ଖେଳିବାର ନିଶା ନାହିଁ । ନୂଆ ଅତିଥି ସତ୍କାରର ଅଭିଳାଷ ନାହିଁ । ଆଜି ସେ ଦଶଥର ଦୁଆରମୁହଁକୁ ଯାଇ ଫେରୁଛନ୍ତି କେବଳ ସନତ୍‍କୁ ଅପେକ୍ଷା କରି ।

 

ଦିନ ନଅଟା ହେଲା, ତଥାପି ସନତ୍ ଆସିନାହିଁ । ତେବେ କ’ଣ ସନତ୍ ଆଉ ଆସିବ ନାହିଁ ? ଅହଲ୍ୟାର କଳଙ୍କିତ ଇତିହାସ ଶୁଣି ସେ ସାହାଯ୍ୟ କରିବାକୁ ଚାହେଁନାହିଁ ?

 

ଚେୟାର ଉପରୁ ଉଠି ପୁଣି ଠିଆହେଲେ ରଣଜିତ୍ ବାବୁ । ନା–ସନତ୍ ଆଉ ଆସିବ ନାହିଁ । ଅନ୍ତତଃ ତା’ର ମନକଥା ବୁଝିବାକୁ ଥରେ ତାଙ୍କ ଘରକୁ ଯିବାକୁ ପଡ଼ିବ ।

 

ରଣଜିତ୍ ବାବୁ ଆଉ କିଛି ଚିନ୍ତା କରି ପାରି ନାହାନ୍ତି । ଉଠି ଠିଆ ହେଲେ । ଆଖି ଆଗରେ କଟକ ସହରର ରାଜରାସ୍ତା । ଆଗକୁ ଆଗକୁ କେତେ ଗଳି ଉପଗଳିରେ ବିଭକ୍ତ ।

 

ଠିକ୍ ଏହି ସମୟରେ ଦାଣ୍ଡ ଦୁଆରେ ଶୁଭିଲା ସନତ୍‍ର କଣ୍ଠସ୍ୱର–‘‘ସାର୍ ନମସ୍କାର’’ ।

 

ରଣଜିତ୍ ବାବୁଙ୍କର ହାତ ଆପେ ଆପେ ମୁଣ୍ଡଉପରକୁ ଉଠିଗଲା । ରଣଜିତ୍ ବାବୁ ଆନନ୍ଦରେ ଅଧୀର ହୋଇପଡ଼ିଲେ । ଖୋଜିଲା ଜିନିଷକୁ ପାଇଲେ ମଣିଷ କେତେ ଆନନ୍ଦିତ ହୁଏ, ତାହା କେବଳ ଅନୁଭବୀହିଁ କହିବ ।

 

ରଣଜିତ୍ ବାବୁ କ’ଣ କହିବାକୁ ଉଦ୍ୟତ ହେଉଥିଲେ; କିନ୍ତୁ ସନତ୍ ସେଥିପ୍ରତି ଦୃଷ୍ଟିନଦେଇ ଦୋ’ମହଲା ଶିଢ଼ି ଉପରେ ଖପ୍‍ଖପ୍‍କରି ଗୋଡ଼ପକାଇ ଉଠିଗଲା ଉପରକୁ । ଉପର ମହଲାରେ କୁମାରୀ ଅହଲ୍ୟାଙ୍କର କୋଠରି ।

 

ଏଥିରେ କିନ୍ତୁ ରଣଜିତ୍ ବାବୁଙ୍କର ଦୁଃଖ ନଥିଲା । ସେ ନିଜେ ନିଜେ ହସୁଥିଲେ ମନଖୋଲା ହସ । ପ୍ରତବାଦୀ ନ ଥିଲେ ମଧ୍ୟ ରଣଜିତ୍ ବାବୁ ଆପେ ଆପେ ଚେସ୍‍ବୋର୍ଡ଼ର ସୈନ୍ୟଗୁଡ଼ାଙ୍କୁ ଚଳାଇବାକୁ ଲାଗିଲେ । ବେଳେ ବେଳେ ତାଙ୍କ ପାଟିରୁ ବାହାରି ଆସୁଥିଲା–‘‘ Yes, your horse died’’ ।

 

ଅହଲ୍ୟା ସେତେବେଳକୁ ନିତ୍ୟକର୍ମ ସାରି ସୋଫା ଉପରେ ଅଳସ ତନୁଟିକୁ ଅଜାଡ଼ି ଦେଇଥିଲେ । ଦୋ’ ମହଲାର ଝରକା ଦେଇ ଚାହିଁଥିଲେ ବାହାରକୁ । କଳା ନାଗସାପପରି ଉଲୁରା କେଶଗୁଡ଼ିକ ବିଛାଡ଼ିହୋଇପଡ଼ିଥିଲା ଅହଲ୍ୟାଙ୍କର ମୁଖମଣ୍ଡଳରେ । କଟକ ସହରର ନରମ ଖରାର ପ୍ରତିଫଳନ ଅହଲ୍ୟାଙ୍କର ମୁହଁଉପରେ ସୃଷ୍ଟିକରିଥିଲା ଆଲୋକର ରୋଷଣି ।

 

ଏଇ ଦୋ’ ମହଲା ଉପରୁ କଟକର ବହୁଅଂଶ ଦିଶୁଛି । କେତେ ରଙ୍ଗବେରଙ୍ଗର କୋଠାଘର, ଦୋକାନ, ବଜାର, ସିନେମାଘର ଆଉ ତା ସହିତ ଗଳି ଓ ଉପଗଳି ।

 

କଟକର ଛାତି ଉପରେ ମିଲ୍ ଅଛି । ଦ୍ୱିମହଲାବାସୀ ମଣିଷ ଅଛନ୍ତି । ପୁଣି ଅଜସ୍ର ପରିଶ୍ରମକରି ହୋଟେଲରୁ ହାପ୍‍ମିଲ୍ ଖାଇବାର ମଣିଷ ମଧ୍ୟ ଅଛନ୍ତି ।

 

ଦୋ’ ମହଲାର ତଳ ଦେଇ ରିକ୍‍ସା ଚାଲୁଛି । ଜୁଆନ ତେଲଙ୍ଗାଟୋକା ରିକ୍‍ସା ଟାଣୁଛନ୍ତି । ପଇସା କମାଉଛନ୍ତି ।

 

ହେଲେ ଦେଖିଛ ? ସେମାନଙ୍କ ରହିବାଘର ଦେଖିଛ ?

 

ଝାଟି, ମାଟି, ତାଟ ଘେରା ସେହି ଘର ଭିତରକୁ ଯାଅ–ଦେଖିବ, ବହୁତ କିଛି ଦେଖିବ । ଏ ଦେଖିବାର ଶେଷ ହେବ ନାହିଁ ।

 

କୁଷ୍ଠ ଦେଖିବ, ଯକ୍ଷ୍ମା ଦେଖିବ, ଗୋଦର ଦେଖିବ, ମ୍ୟାଲେରିଆ ଦେଖିବ, ଏଇ ଛୋଟ ଛୋଟ ଘରଗୁଡ଼ିକରେ ସବୁକିଛି ଦେଖିବାକୁ ପାଇବ । ଏଗୁଡ଼ିକ ସମୟ ଆଉ ଶତାବ୍ଦୀଠାରୁ ବହୁ ଦୂରରେ । ସତରେ କହିବାକୁ ଗଲେ ଏଗୁଡ଼ିକ ହାତୀଗୁମ୍ଫାର ଅନୁଶାସନ, ଅଜନ୍ତାର ଅବିନଶ୍ୱର କଳା ।

 

ବାରବାଟୀ ଦୁର୍ଗ ସିନା ଭାଙ୍ଗି ପଡ଼ିଛି, ହେଲେ ଏ ଦୁର୍ଗଗୁଡ଼ିକ କଟକର ବରବାଟୀ ଭୂଇଁଉପରେ ଏବେ ବି ରହିଛି ଠିକ୍ ଅକ୍ଷତ, ଅବିକୃତ, ଅବିନଶ୍ୱରଭାବରେ ।

 

ଛାଡ଼....

 

ସେହି କଟକ ମାଟିର ମଣିଷ ଅହଲ୍ୟା ।

 

ଅନେକ ସମୟରେ ଦୋ’ମହଲା ଝରକା ଦେଇ ସେହି ଆଦିମ କଟକକୁ ଦେଖନ୍ତି ।

 

ସେଦିନ ମଧ୍ୟ ଅହଲ୍ୟା ସେମିତି ଦେଖୁଥିଲେ । ଠିକ୍ ଏହି ସମୟରେ ଘରଭିତରକୁ ପଶିଆସିଲା ସନତ୍ । ପାଟିରେ ପାଟିଏ ହସ ।

 

ଅହଲ୍ୟା କିନ୍ତୁ ସନତ୍‍ର ପ୍ରବେଶ କଥା ଜାଣିପାରିନଥିଲେ । ଝରକାଦେଇ ସେମିତି ଏକଦୃଷ୍ଟିରେ ଚାହିଁଥିଲେ ବାହାରକୁ ।

 

ସନତ୍‍ର ମନରେ ସଂକୋଚ ନଥିଲା । ଭୟ ନଥିଲା, ନଥିଲା ଚପଳତା ଆଉ ଦୁଷ୍ଟାମୀ । ଧୀରେ ଧୀରେ ସନତ୍ ଅହଲ୍ୟାଙ୍କ ପାଖକୁ ଆଗେଇ ଗଲା...ତା’ପରେ....

 

ତା’ପରେ ଆଖିଦୁଇଟାକୁ ଜୋରକରି ମାଡ଼ିଧରି କହିଲା... ‘‘କୁହ ଦେଖି ...ମୁଁ କିଏ ?’’

 

ଚିହିଙ୍କି ଉଠିଲେ ଅହଲ୍ୟା...

 

ଦିନେହେଲେ କେହି ତାଙ୍କପ୍ରତି ଏପରି ଅପ୍ରତ୍ୟାଶିତ ବ୍ୟବହାର କରିନାହାନ୍ତି ।

 

କେବଳ ଆଖିର ଆଖିର କଥା ଛଡ଼ା ଅହଲ୍ୟାଙ୍କର ଦେହ ଛୁଇଁବାର ସାହସ ଯେ କାହାରି ନଥିଲା !

 

ତେବେ କାହାର ଏ ନରମ ସ୍ପର୍ଶ...

 

ଅହଲ୍ୟା ଆଉକିଛି ଚିନ୍ତାକରିବା ପୂର୍ବରୁ ସନତ୍ ଆଖିଦୁଇଟାକୁ ଛାଡ଼ିଦେଇ ନଥ୍‍କରି ବସିପଡ଼ିଲା ସେହି ସୋଫା ଉପରେ । ଖାଲି ସେତିକି ନୁହେଁ, କହିଲା–‘‘ମୁଁ ଜାଣେ, ମୁଁ କିଏ ତୁମେ କହିପାରିବନି ।’’

 

ହାତର ସ୍ପର୍ଶରେ ସିନା ଅହଲ୍ୟା ଚମକି ଉଠିଥିଲେ । ଏବେ ସନତ୍‍କୁ ଦେଖି ଶିହରୀ ଉଠିଥିଲେ । ବିଚଳିତ ହୋଇ ଉଠିପଡ଼ି ହୁଏତ କ’ଣ ଗୁଡ଼ାଏ କହିବାକୁ ଚେଷ୍ଟାକରୁଥିଲେ । କିନ୍ତୁ ସନତ୍ ଗୋଟାଏ ହାତକୁ ଟାଣିଆଣି ପାଖରେ ବସାଇ ଦେଉ ଦେଉ କହିଲା, ‘‘ବସ...ବସ ! ମୋ ପାଖରେ ବସିବାକୁ କ’ଣ ତୁମକୁ ଖରାପ ଲାଗୁଛି ?’’

 

ଅହଲ୍ୟାଙ୍କର ମନାକରିବାର କ୍ଷମତା ନଥଲା । ପ୍ରତିବାଦ କରିବାର ଜୁ ନଥିଲା । କେବଳ ସେ ଆଶ୍ଚର୍ଯ୍ୟ ହେଉଥିଲେ ସନତ୍‍ର ବ୍ୟବହାର ପାଇଁ ।

 

ଏଇ ଘରକୁ କେତେ ଅତିଥି ଆସିଛନ୍ତି ଆଉ ଯାଇଛନ୍ତି । ହେଲେ ସନତ୍ ପରି କେହି ଅନଧିକାର ପ୍ରବେଶ କରନାହିଁ, ବା ବଳତ୍କାରରେ ଜିଦଧରି ସାନ୍ନିଧ୍ୟ ଲୋଡ଼ିନାହିଁ । ତେବେ ସନତ୍ କ’ଣ ସବୁ ଯୁବକଙ୍କଠାରୁ ଗୋଟାଏ ବ୍ୟତିକ୍ରମ ?

 

ଅହଲ୍ୟା ରାଗିବାକୁ ଚେଷ୍ଟାକରୁଥିଲେ । ସନତ୍‍ର ବ୍ୟବହାରରେ ସେ ଯେ ଅସନ୍ତୁଷ୍ଟ–ସେହିପରି ଭାବ ମୁହଁରେ ଫୁଟାଇବାକୁ ଚେଷ୍ଟାକରୁଥିଲେ । ହେଲେ ଭାବନାଗୁଡ଼ାକ ଗୋଳମାଳିଆ ହୋଇଯାଉଥିଲା । ଓଲଟି ଅହଲ୍ୟାଙ୍କୁ ଆହୁରି ଦୁର୍ବଳକରି କହୁଥିଲା... ଛି.... ଛି... କେତେଦିନ ପରେ ଜଣେ ଦରଦୀ, ସାହସୀ ଅତିଥି ଆସିଛନ୍ତି, ତାଙ୍କୁ ତୁମେ ଏମିତି ଦୂରେଇ ଦେବ ?

 

ଅହଲ୍ୟା ବହୁ ଚେଷ୍ଟାକରି ମଧ୍ୟ ପ୍ରତିବାଦ କରିବାର ସମସ୍ତ ଚେଷ୍ଟା ହରାଇ ବସିଲେ ।

 

ସନତ୍ ନୀରବରେ ବସିରହିବା ପିଲା ନୁହେଁ । ଏଣୁ ତେଣୁ କେତେ ଗପର ଖିଅ ଯୋଡ଼ି ସେ କଥାକହିବାକୁ ଆରମ୍ଭ କରିଥାଏ । ଅହଲ୍ୟା କେବଳ ବଲବଲ କରି ଚାହିଁ ଥାଆନ୍ତି ।

 

ଅହଲ୍ୟାଙ୍କର ମନଭିତରେ କେତେ ଅଜବ୍ ପ୍ରଶ୍ନ । ଆଜି ବାପା ସନତ୍ ସହିତ ଆସିନାହାନ୍ତି କାହିଁକି ? ତେବେ କ’ଣ ସନତ୍‍ର ଅନଧିକାର ପ୍ରବେଶ ପ୍ରତି ବାପାଙ୍କର ସମର୍ଥନ ଅଛି-?

 

ଅହଲ୍ୟା ଆହୁରି କ’ଣ ଚିନ୍ତାକରି ଆଆନ୍ତେ–ଏହି ସମୟରେ ରୀତାଦେବୀ ଘର ଭିତରକୁ ପଶିଆସିଲେ । ଅହଲ୍ୟାପାଖରେ ସନତ୍‍କୁ ଦେଖି ପ୍ରଥମେ ଟିକେ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲେ । ପରମୁହୂର୍ତ୍ତରେ ନିଜର ଭାବ ବଦଳାଇ, କଥାଟାକୁ ବୁଲେଇ ନେଇ କହିଲେ–ଆରେ, ସନତ୍ କେତେବେଳେ ଆସିଲ ? ବସ....ବସ....ମୁଁ ଟିକେ ଚାହା କରିଆଣେ ।

 

ସନତ୍ ସୋଫାଉପରୁ ଉଠିପଡ଼ି ରୀତାଦେବୀଙ୍କୁ ନମସ୍କାର କରୁ କରୁ କହିଲା–ନା...ନା...ମାଉସୀ ! ଆପଣ ଚାହା କରିବା ଦରକାର ନାହିଁ । ଚାକର ପୁଝାରୀ ଅଛନ୍ତି, ସେମାନେ କରି ଆଣନ୍ତୁ ।

 

ରୀତାଦେବୀ କହିଲେ–ନାଇରେ ପୁଅ ! ଆମ ଘରକୁ କେହି ନୂଆ ଅତିଥି ଆସିଲେ, ମୁଁ ନିଜେ ଚାହା ଜଳଖିଆ ସଜାଡ଼ି ଦିଏ । ନହେଲେ ଚାକର ପୂଝାରୀଙ୍କ କାମରେ ମୋ ମନ ସନ୍ତୁଷ୍ଟ ହୁଏନାହିଁ ।

 

ସନତ୍ ହସରେ ଫାଟି ପଡ଼ୁ ପଡ଼ୁ କହିଲା–ବେଶ୍ ତା’ହେଲେ ମୋତେ ଆଜି ଅହଲ୍ୟା ଚାହାକରି ଦେବେ ମାଉସୀ । ମୁଁ ଆପଣଙ୍କ ଚାହା ଖାଇବି ନାହିଁ ।

 

ରୀତାଦେବୀଙ୍କ କଣ୍ଠଦେଶରେ କେତେ ପ୍ରଶ୍ନ ଭଉଁରୀଖେଳି ଅଟକି ଗଲା । ରୀତାଦେବୀ କହିଲେ–ବେଶ୍ ତାହାହିଁ ହେଉ ।

 

ଅହଲ୍ୟା କେବଳ ମାମିଙ୍କ ଆଡ଼କୁ ଚାହିଁ ଥରକୁ ଥର ସନତ୍ ଆଡ଼କୁ ମୁହଁ ଫେରାଉଥାନ୍ତି-

 

ଅହଲ୍ୟା....

 

ଏଇ ଦୀର୍ଘ ଷୋଳଟି ବସନ୍ତ ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ କେବେ ରୋଷେଇଶାଳ ଦେଖି ନାହାନ୍ତି । ଚାହାକରିବା ଶିଖିନାହାନ୍ତି । ହେଲେ ଆଜି–

 

ସନତ୍ କଥାଟାକୁ ଗୁରେଇ ତୁରେଇ ଜୋରଦେଇ ବାରମ୍ୱାର କହୁଥାଏ–ଆଜିକିନ୍ତୁ ଅହଲ୍ୟାଙ୍କୁ ନିଜହାତରେ ଚାହା କରିବାକୁ ପଡ଼ିବ ।

 

ଏହି ସମୟରେ ରଣଜିତ୍‍ବାବୁ କୋଠରି ଭିତରକୁ ପଶି ଆସୁଥିଲେ । ସନତ୍‍ର କଥାଟାକୁ ଶୁଣିପକାଇ ଜୋର ଦେଇ କହିଲେ–ହଁ–ହଁ–ଅହଲ୍ୟା ଆଜି ନିଜହାତରେ ଚାହା କରୁ । ତା’ ହାତରୁ ଚାହାଟିକେ ଖାଇବାକୁ ମୋର ମଧ୍ୟ ଇଚ୍ଛା ।

 

ରଣଜିତ୍‍ବାବୁଙ୍କର ଏହି ସାମାନ୍ୟ କେଇପଦ କଥାରୁ ରୀତାଦେବୀ ବହୁକିଛି କଥା ବୁଝିପାରି ନୀରବରେ ଚାଲିଗଲେ । ପଛେ ପଛେ ଅହଲ୍ୟା ମଧ୍ୟ ।

 

ସନତ୍‍ ପୁଣି ସୋଫାଉପରେ ବସିପଡ଼ି ଗୋଡ଼ହଲାଇବାକୁ ଲାଗିଲା । ରଣଜିତ୍‍ବାବୁ ସାମ୍‍ନା ସୋଫାଉପରେ ବସିଲେ ।

 

ସନତ୍ କିଛିସମୟର ନୀରବତାପରେ ସନତ୍ କହିଲା–ସାର୍ ! ମୁଁ ଗୋଟାଏ କଥା କହିବି, ଆପଣଙ୍କର ଆପତ୍ତି ଅଛି ? ରଣଜିତ୍‌ବାବୁ କଥାଟାଉପରେ ଜୋରଦେଇ କହିଲେ–ନା ନା, କୁହ, ମୋର ବା ଆପତ୍ତି ରହିବ କାହିଁକି ?

 

ସନତ୍ କହିଲା–ଅହଲ୍ୟାଙ୍କୁ ଭଲକରିବାକୁ ଚାହିଁଲେ ଆପଣଙ୍କ ବହୁ ସ୍ୱାର୍ଥତ୍ୟାଗ କରିବାକୁ ପଡ଼ିବ । ପାରିବେ ? ହସରେ ଫାଟି ପଡ଼ୁ ପଡ଼ୁ ରଣଜିତ୍‍ବାବୁ କହିଲେ–ପୁଅ ଝିଅଙ୍କର ମଙ୍ଗଳ ପାଇଁ, କେବେ କେଉଁ ଯୁଗରେ କ’ଣ ବାପ ମା’ ଅମନା ହୁଅନ୍ତି ସନତ୍ ?

 

ସନତ୍ ଅପ୍ରତିଭ ହୋଇ କହିଲେ–ନା–ନା, ସେମିତି କିଛି ନୁହଁ, ତେବେ–ଅହଲ୍ୟାଙ୍କ ସହିତ ମୁଁ ନାଚିବି, କୁଦିବି, ସ୍ନେହ କରିବି, ପ୍ରେମକରିବି, ହେଲେ ଏଥିପ୍ରତି ଯେପରି ଆପଣଙ୍କର ଆପତ୍ତି ନରୁହେ ।

 

ରଣଜିତ୍‌ବାବୁ ସନତ୍‍ର ସିଧା କଥାଗୁଡ଼ିକରେ ଅପ୍ରସ୍ତୁତ ହୋଇ କହିଲେ–ତେବେ...

 

କଥାଟାକୁ ଛଡ଼େଇ ନେଇ ସନତ୍ କହିଲା...ମୁଁ କାହିଁକି ଏକଥା କହୁଛି, ଆପଣ ବୁଝିପାରିବେନି ସାର୍ ! ମୋତେ କେବଳ ଅନୁମତି ଦିଅନ୍ତୁ ।

 

ରଣଜିତ୍‌ବାବୁ ମୁଣ୍ଡ ହଲାଇଲେ....

 

ତା’ପରେ ନୀରବରେ କିଛି ସମୟ କଟିଲା ।

 

ଦୁଇ ହାତରେ ଦୁଇଟି ଚାହାକପ୍ ଧରି ଘର ଭିତରକୁ ଆସିଲେ ଅହଲ୍ୟା । ଅଧରରେ ହସ ନଥିଲା । ଆଖିରେ ଲାଜ ନଥିଲା । କେବଳ ମୁହଁରେ ଥିଲା ପ୍ରବଳ ଆବେଗ ।

 

ଟେବୁଲଉପରେ ଚାହାକପ୍ ଦୁଇଟି ଥୋଇ ଦେଇ ନୀରବରେ ଠିଆ ହେଲେ ଅହଲ୍ୟା । ରଣଜିତ୍‍ବାବୁ ଗୋଟାଏ କପ୍ ଉଠାଇନେଇ କହିଲେ–ନିଅ, ଚାହାକପ୍‌ଟି ଉଠାଇ ନିଅ ସନତ୍ ! ମୋ ମାଆ ହାତର ଏଇ ପ୍ରଥମ ପରଶା ନିଶ୍ଚୟ ତୁମକୁ ଭଲଲାଗିବ ।

 

ସନତ୍ କିନ୍ତୁ କପ୍‌ଟି ଉଠାଇ ନେଲାନି । ମୁଣ୍ଡ ହଲାଇ କହିଲା–ଏ ଚାହା ତ’ ମୋ ପାଇଁ ଆସିନି ସାର ?

 

ରଣଜିତ୍‌ବାବୁ କମ୍ପି ଉଠି କହିଲେ–ମାନେ !!

 

ସନତ୍ କହିଲା–ଅଗିରାକୁ ବାଇଗଣ ଫୋପାଡ଼ିବା ପରି ଅତିଥିଙ୍କୁ ଚାହା ଫୋପାଡ଼ା ଯାଏନି ସାର ! ହାତରେ ଦିଆଯାଏ । ରଣଜିତ୍‍ବାବୁ ସନତ୍‍ର ବୁଦ୍ଧିକୁ ତାରିଫ୍‍କରି ଫେଁ କରି ହସିଉଠିଲେ । କହିଲେ–ବେଶ୍, ବେଶ୍, ସନତ୍‍ର ହାତକୁ ଚାହାକପ୍‍ଟି ବଢ଼ାଇଦେ ଅରୁ, ନଇଲେ ସନତ୍ ଖାଇବନି ।

 

ଅପ୍ରତିଭ ହେଲେ ଅହଲ୍ୟା....

 

ଚାହାକପ୍‌ଟି ଟେବୁଲ ଉପରୁ ଉଠାଇ ନେଇ ବଢ଼ାଇ ଦେଲେ ସନତ୍ ଆଡ଼େ ।

 

କପ୍‌ଟି ହାତରେ ଧରିଲା ସନତ୍ । ରଣଜିତ୍‍ବାବୁ ପୁଣି କହିଲେ–ଏଥର ଖାଅ ସନତ୍ ! ସନତ୍ ମୁଣ୍ଡ ହଲାଇ କହିଲା–ଓଡ଼ିଆ ଶିକ୍ଷିତ ହୋଇଛି, ହେଲେ ଅଭଦ୍ର ହୋଇ ଶିଖିନି ସାର୍ ! ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁରହିଲେ ଅହଲ୍ୟା ।

 

ସନତ୍ କହିଲା–ଅତିଥିଙ୍କୁ ଖାଇବାକୁ ଦେଇ ନିଜେ ନଖାଇଲେ ସତ୍‍କାରର ପୂର୍ଣ୍ଣତା ଆସେନି । ତୁମେ ନଖାଇଲେ ମୁଁ ଖାଇବିନି ।

 

ଅଡ଼ୁଆରେ ପଡ଼ିଲେ ଅହଲ୍ୟା । ମାତ୍ର ଦୁଇକପ୍ ଚାହା ସେ କରିଥିଲେ । ଏବେ ଆଉ ଗୋଟାଏ କପ୍ ଆସିବ କେଉଁଠୁ ?

 

ସନତ୍ ଅସୁବିଧା ବୁଝିଲା । କହିଲା–ହାତେ ମାପି ଚାଖଣ୍ଡକରେ ବାଟ ଚାଲିଲେ ଅସୁବିଧା ଆସେନି ଅହଲ୍ୟାଦେବୀ ! ସବୁ କାମରେ ବୁଦ୍ଧି ଦରକାର । ରଣଜିତ୍‍ବାବୁ ନୀରବରେ ମୁଣ୍ଡ ହଲାଉ ଥାଆନ୍ତି ।

 

କଥା ନଅସରେ ସନତ୍ କପ୍ ଓ ପ୍ଲେଟରେ ଚାହାକୁ ଦୁଇଭାଗ କରିବାରେ ଲାଗିଥାଏ । ଅହଲ୍ୟା ବାରମ୍ୱାର ନିଜର ପରାଜୟ ପାଇଁ ଅପ୍ରସ୍ତୁତ ହେଉଥାଆନ୍ତି ।

 

କପ୍ ଓ ପ୍ଲେଟ୍ ଦୁଇଟିକୁ ଦୁଇ ହାତରେ ଧରି ସନତ୍ କହିଲା–ତୁମେ ଗୋଟିକରୁ ଖାଅ ଅହଲ୍ୟାଦେବୀ । ଆଉ ଗୋଟିକରେ ମୁଁ ଖାଇବି ।

 

ଅହଲ୍ୟା ପ୍ରତିବାଦ କରି ନ ଥିଲେ । ତରବରରେ ପ୍ଲେଟ୍‍ଟିକୁ ସନତ୍ ହାତରୁ ନେବାପାଇଁ ଚା ଖାଇବାକୁ ଆରମ୍ଭ କରିଦେଲେ । କାରଣ ଡେରି କଲେ ହୁଏତ ସନତ୍ ଆଉ କିଛି କହି ବସିବ ।

 

ସେଦିନର ଚାହାଖିଆ ପରେ ସନତ୍ ଆଉ ଅପେକ୍ଷା ନ କରି ଘରକୁ ଫେରି ଆସିଥିଲା । ବୃଦ୍ଧ ରଣଜିତ୍‍ବାବୁ କଥାଟାକୁ ବିଶ୍ଳେଷଣ କରୁଥିଲେ । ତାଙ୍କ ଜୀବନରେ କେତେ ଆଶ୍ଚର୍ଯ୍ୟଜନକ କେଶ୍ ସେ ହାତକୁ ନେଇଛନ୍ତି–ହେଲେ କୌଣସି କେଶ୍‍ରେ କ୍ରମିକ ଅଭ୍ୟୁତ୍‍ଥାନ ପ୍ରତି ଦୃଷ୍ଟି କେବେ ଆକର୍ଷିତ ହୋଇନାହିଁ ।

 

ସନତ୍ ଚାଲିଯିବାପରେ ରଣଜିତ୍‍ବାବୁ କହିଲେ–ମା ! ତୋର ଭାର ମୁଁ ସନତ୍ ଉପରେ ଛାଡ଼ି ଦେଇଛି । ତା’ କଥାରେ ଅମନା ହେବୁନି । ଯାହା କହିବ ମାନିଯିବୁ । ଦେଖିଲୁ ତ ସେ କେଡ଼େ ସ୍ପଷ୍ଟବାଦୀ । ଆଘାତ କରିବା ପରି କିଛି କଥା କହିଲେ ହୁଏତ ସହି ପାରିବ ନାହିଁ ।

 

ବାପାଙ୍କର କଥାଶୁଣି ଅହଲ୍ୟା କେବଳ ମୁଣ୍ଡ ହଲାଉଥାଆନ୍ତି । ବାପାଙ୍କର ଆଦେଶ ଆଉ ସନତ୍ ପରି ତରୁଣ ଶିକ୍ଷକର ଆବେଦନ ଗ୍ରହଣ କରିବାକୁ ପଡ଼ିବ, କେବଳ ସୁଖମୟ ଜୀବନ ପାଇଁ ।

 

କିଛି ସମୟ ପରେ ଘରଟିକୁ ଶୂନ୍ୟକରି ସମସ୍ତେ ଚାଲିଗଲେ । ଅହଲ୍ୟା ସୋଫାଟି ଉପରେ ବସିଯାଇ ନିଜକୁ ଭୁଲିଯିବାକୁ ଚେଷ୍ଟା କଲେ । ହସିବାକୁ ଉପକ୍ରମ କଲେ । ଅହଲ୍ୟାଙ୍କର ଦଦରା ହୃଦୟସିତାର ତୋଳିବାକୁ ବସିଲା ଗୋଟିଏ ମନଭୁଲାଣିଆ ମୂର୍ଚ୍ଛନା ।

 

ଏଇଟା କଟକ ସହର । ବାରବାଟୀ ରାଜାଙ୍କର ଚାରଣଭୂଇଁ କଟକ । ଏଇଠି ମାଲ୍ୟାଣୀ ଫୁଲ ବିକ୍ରିକରୁଥିଲେ । ଗଣିକା ଦେହ ବିକ୍ରି କରୁଥିଲେ । କଳାକାର କଳା ବିକ୍ରି କରୁଥିଲେ । ଦରବାରୀ ରାଜନୀତି କରୁଥିଲେ । ପୁରାତନକୁ ଅକ୍ଷୁର୍ଣ୍ଣ ରଖି ଏବେ ବି ସବୁ ଚାଲିଛି । କେବଳ ବଦଳିଛନ୍ତି ମଣିଷର ସ୍ରୋତ ।

 

ସଦର ରାସ୍ତାରୁ ଏଇ ଯେଉଁ ଗଳିଟି ଯାଇଛି...ତାହାରି ଉପାନ୍ତରେ ଗୋଟିଏ ଛୋଟିଆ ଉପଗଳି । ଏ ଉପଗଳିର ମଣିଷଗୁଡ଼ିକ ଖୁବ୍ ପରିଶ୍ରମୀ । ଏମାନେ ନୂତନ କଟକ ଗଠନର ବାନରସେନା । ସେତୁବନ୍ଧର ପରିସମାପ୍ତି ପରେ ଏମାନଙ୍କର ବଂଶ ଲୋପ ପାଇ ନାହିଁ । ଅଯୋଧ୍ୟାର ଭୋଜୀ ସଭାରେ ଶିମ୍ୱମଞ୍ଜି ସହିତ ଡେଇଁବାର ଅଜ୍ଞତା ଏମାନେ ଆହୁରି ଦେଖାଇବେ-। ଆହୁରି ବହୁ କଥା ବାକି ଅଛି । ପୁରାଣ ଶେଷ ହୋଇନାହିଁ ।

 

କିନ୍ତୁ ହାୟ.....କେଡ଼େ ନିର୍ଦ୍ଦୟ ତୁମେ ପୁରାଣକାର ? କିସ୍କିନ୍ଧାର ରାଜା ବାଳୀ ପାଇଁ ଲଙ୍କା ଜୟକଲ । ଅଙ୍କଲକ୍ଷ୍ମୀ ସୀତାଙ୍କୁ ଲାଭକଲ । ଦୀର୍ଘ ଚଉଦବର୍ଷର ବନବାସ ପରେ ଅଯୋଧ୍ୟାର ରାଜସିଂହାସନ ଆରୋହଣ କଲ । ସବୁ ଏଇ ବାନରସେନାଙ୍କର ଦୟାରୁ । କିନ୍ତୁ ହେ ବୀର ରାମଚନ୍ଦ୍ର....ଅଯୋଧ୍ୟାଧିପ ହେବାପରେ, ତୁମେ କଣ ଏ ବାନର ସେନା କଥା ଥରେ ମାତ୍ର ମନେ ପକାଇଥିଲ ? କେବଳ ସେତୁବନ୍ଧକୁ କେତେଦିନ ଆଉ ଧୋଇ ଶୁଖେଇ ଖାଇବେ ରାମଚନ୍ଦ୍ର ? ରାମାୟଣର ପରବର୍ତ୍ତୀ ଅଧ୍ୟାୟରେ ଏ ବାନରସେନାଙ୍କୁ ସୁଯୋଗ ଦିଅ ।

 

ହଁ...ଏଇ ବାନର ସେନା ପରିବେଷ୍ଟିତ ନର୍ଦ୍ଦମାଗଡ଼ର ଗଡ଼ଖାଇ ସେପାଖରେ ଶ୍ୟାମାକାନ୍ତ ବାବୁଙ୍କ କୋଠା । ସେମିତି ବଡ଼ ନ ହେଲେ ମଧ୍ୟ ଛୋଟ ମଧ୍ୟ ନୁହେଁ । ହେଲେ ଭୁବନେଶ୍ୱରରେ ଥିବା ଶ୍ୟାମାକାନ୍ତ ବାବୁଙ୍କ କୋଠାଠାରୁ ଏ କୋଠାଟି ନିଶ୍ଚୟ ସାନ । ଲୋକେ କହନ୍ତି... ଶ୍ୟାମାକାନ୍ତ ବାବୁ ବିରାଟ ଧନୀ ଲୋକ ।

 

ଏସ୍. ଡ଼ି. ଓ. ଚାକିରିଟାରେ ଯେ ସେମିତି କିଛି ରୋଜଗାର ଥିଲା, ତା’ ନୁହେଁ । ହେଲେ ଢେଉଗଣା କରଣ ଜାତିର ମାନରଖି ଶ୍ୟାମାକାନ୍ତ ବାବୁ ବହୁ କିଛି ଉପାର୍ଜନ କରିବାକୁ ସକ୍ଷମ ହୋଇପାରିଥିଲେ ।

 

ଶ୍ୟାମାକାନ୍ତ ବାବୁ ଯେଉଁ ବର୍ଷ ଯାଜପୁର ସବ୍ଡ଼ିଭିଜନର ଭାରପ୍ରାପ୍ତ ଅଫିସର ଥାଆନ୍ତି–ସେ ବର୍ଷ କଥା କହିଲେ ନ ସରେ । ଊଣେଇଶି ଶହ ଶତଚାଳିଶ ମସିହାର ପୂର୍ବାବସ୍ଥା । ଇଂରେଜୀ ସରକାରଙ୍କର ଲେଲୀହାନ ଜିହ୍ୱା ତଳେ, ସାରା ଭାରତ ନିଷ୍ପେଷିତ । ଠିକ୍ ସେହି ସମୟର ଘଟଣା ।

 

ଜଇନ୍ତରା ଗ୍ରାମରେ କେତେ ଜଣ ଉଦ୍ଧତ ଯୁବକ ଡକାୟତି ଆରମ୍ଭ କରି ଦେଇଥିଲେ । ଏକେତ ସ୍ୱାଧୀନତା ପାଇଁ ଭାରତବ୍ୟାପୀ ବନ୍ଦେମାତରଂର ଡାକରା । ତା’ ସାଙ୍ଗକୁ ଜୟନ୍ତରା ହରିଜନ ବସ୍ତିରେ ପେଟ ଓ ପିଠିପାଇଁ ହା’ ଅନ୍ନର ଚିତ୍‍କାର ।

 

ଉପାୟଟା ଅସଦ୍ ଥିଲେ ମଧ୍ୟ ପେଟପାଇଁ ଜଇନ୍ତରା ଯୁବକ ହରିଜନ ଗୋଷ୍ଠୀ ଡକାୟତି କରୁଥିଲେ । ଭାରତର ବରପୁତ୍ର ଶ୍ୟାମାକାନ୍ତ ଅବା ଏ ପ୍ରକାରର ଅନ୍ୟାୟ ସହନ୍ତେ କିପରି ? ସେ ଏହି ଉଦ୍ଧତ ଯୁବକ ଗୋଷ୍ଠୀବିଷୟରେ ରୀତିମତ ଯୁଦ୍ଧଘୋଷଣା କରିଥିଲେ ।

 

ଯୁଦ୍ଧର ଫଳାଫଳ ଅବଶ୍ୟ ସେତେବେଳେ ଜଣାପଡ଼ି ନ ଥିଲା । ତେବେ ପରେ ଜଣାଗଲା । ଶ୍ୟାମାକାନ୍ତ ଏହି ଡକାୟତିରୁ ଗୋଟାଏ ସେୟାର ପାଉଥିଲେ ।

 

ତା’ପରେ.....

 

ତା’ପରେ ଶ୍ୟାମାକାନ୍ତ ଭଦ୍ରଖ ବଦଳି ହୋଇ ଯାଇଥିଲେ । ସେତେବେଳକୁ ଶ୍ୟାମାକାନ୍ତଙ୍କର ଖବ୍ ସୁନାମ ବଢ଼ିଯାଇଥିଲା । ଜଣେ ସାଧୁ ଓ କଡ଼ା ଅଫିସର ହିସାବରେ ସେ ପୂଜାପାଉଥିଲେ ।

 

ଭଦ୍ରଖଠାରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କେଶ୍ ସେ ହାତକୁ ନେଇଥିଲେ । ବାଦୀ ଓ ପ୍ରତିବାଦୀ ଉଭୟ ଶ୍ୟାମାକାନ୍ତଙ୍କୁ ସାଧୁ ଅଫିସର ବୋଲି ବିବେଚନା କରୁଥିଲେ ।

 

ବିଚାରକରିବାର କାରଣ ଅବଶ୍ୟ ଥିଲା... ।

 

ଅନେକ ସମୟରେ ବାଦୀପକ୍ଷରୁ ମଧ୍ୟସ୍ଥମାନେ ଯାଇ ଶ୍ୟାମାକାନ୍ତଙ୍କର କୋଠରିରେ ପହଞ୍ଚନ୍ତି, ନୋଟ ବିଡ଼ା କେତୋଟି ଥୋଇଦେଇ ଲମ୍ୱଲମ୍ୱ ଗୋଡ଼ତଳେ ପଡ଼ି ଯାଆନ୍ତି । ଶ୍ୟାମାକାନ୍ତ ମୁରୁକି ହସି କହନ୍ତି...ତୁମ ପାଇଁ ନିଶ୍ଚୟ ଚେଷ୍ଟାକରିବି । ତଥାପି ଯଦି ଡିଗ୍ରୀଟି ତୁମ ପକ୍ଷରେ ନଯାଏ ତେବେ ତୁମ ଟଙ୍କା ତୁମେ ଫେରାଇନେବ । ବାଦୀପକ୍ଷ ପରିତୃପ୍ତିରେ ଫେରନ୍ତି ।

 

ପ୍ରତିବାଦୀପକ୍ଷରୁ ମଧ୍ୟସ୍ଥ ମଧ୍ୟ ଯାଆନ୍ତି । ଠିକ୍ ପୂର୍ବରୀତିରେ ନୋଟ୍‍ବିଡ଼ା ଥୋଇଦେଇ ଅଳିକରନ୍ତି । ଶ୍ୟାମାକାନ୍ତବାବୁ ହସି ହସି ସେମାନଙ୍କୁ ମଧ୍ୟ ନିର୍ଭୟବାଣୀ ଶୁଣାନ୍ତି । ସେହିପରି କୁହନ୍ତି, ଚେଷ୍ଟା ନିଶ୍ଚୟକରିବି, ହେଲେ ଯଦି କେଶ୍ ତୁମପକ୍ଷରେ ନଯାଏ, ତେବେ ତୁମେ ଆସି ତୁମ ଟଙ୍କା ଫେରାଇ ନେବ । ପ୍ରତିବାଦୀ ପକ୍ଷ ମଧ୍ୟ ଆଶାନ୍ୱିତ ହୋଇ ଫେରନ୍ତି ।

 

ବାଦୀ ହେଉ ବା ପ୍ରତିବାଦୀ ହେଉ, କେହି ଜଣେ ନିଶ୍ଚୟ ଜୟ କରେ । ଜୟକରିବା ଲୋକର ଟଙ୍କା ଶ୍ୟାମାକାନ୍ତ ଆତ୍ମାସାତ୍‌ କରନ୍ତି । ହେଲେ ଅପରପକ୍ଷର ଟଙ୍କା ଅକ୍ଷତ ଭାବରେ ଫେରାଇ ଦିଅନ୍ତି । କିନ୍ତୁ ଅପରପକ୍ଷ ଜୟ ନକଲେ ମଧ୍ୟ ମନରେ ଭାବନ୍ତି...ଶ୍ୟାମାକାନ୍ତବାବୁ ସାଧୁ ଅଫିସର ।

 

ଏହି ଶ୍ୟାମାକାନ୍ତ ବାବୁଙ୍କ ପୁଅ ସନତ୍‌ । ବିଲାତରେ ଦୀର୍ଘଦିନ ରହି ଫେରିଛି । ହେଲେ ଆଧୁନିକ ସଭ୍ୟତାର ସେ ଏକ ବିଚିତ୍ର ବ୍ୟତିକ୍ରମ ।

 

ନାରୀଦେହର ଖୋଲା ମାଂସ ଦେଖିଲେ ଯେ ତା ମନରେ ଭୋକ ଜନ୍ମେନାହିଁ....ସେମିତି ନୁହେଁ । ହେଲେ–ସେ ଏ ସବୁକୁ ବେଖାତିର କରେ । ତା’ ମତରେ ନାରୀ ପଣତ ତଳେ ନସଢ଼ୁ । ବାହାରର ହାଉଆ ଆଘ୍ରାଣକରୁ । କିନ୍ତୁ ସ୍ୱେଚ୍ଛାଚାରୀ ନହୋଇ ଓଡ଼ିଆଣୀର ମହତ୍ତ୍ୱ ବଜାୟ ରଖୁ ।

 

ସେଦିନ ରଣଜିତ୍‌ବାବୁଙ୍କ ଘରୁ ଫେରିଆସି ସନତ୍‌ ନୀରବରେ ବହୁ ସମୟ କ’ଣ ଚିନ୍ତାକରିଥିଲା । ଅନେକ ସମୟରେ ନିଜେ ନିଜେ ହସୁଥିଲା ଆଉ କାନ୍ଦୁଥିଲା ମଧ୍ୟ ।

 

ଯୁବକ ପ୍ରାଣଟା ଏଇଆ । କେତେବେଳେ କେଉଁ କଥା ମନରେ ଢୁକେ, କଳନାକରିବା କଠିନ । ଯୌବନର ବଡ଼ ଧର୍ମ ସ୍ୱପ୍ନ । ଏହି ସ୍ୱପ୍ନ ଭିତରେହିଁ ଯୁବକ ବଞ୍ଚିରହି, ଭବିଷ୍ୟତର ରଙ୍ଗମହଲ ତୋଳି ବସେ । ନିଜକୁ ସମ୍ରାଟଆସନରେ ବସାଇ ପରିସ୍ଥିତିର ବିଶ୍ଳେଷଣ କରେ ।

 

ସ୍ୱପ୍ନ ନ ଦେଖୁଥିବା ଯୁବକ ହୁଏତ ଏ ସଂସାରରେ ନଥିବେ । କିଏ ହୁଏତ ବଡ଼ ଅଫିସର ହେବାକୁ ସ୍ୱପ୍ନ ଦେଖୁଥିବ । କିଏ ନେତା ହେବାକୁ ସ୍ୱପ୍ନଦେଖୁଥିବ । ଅବା କିଏ ବଡ଼ ବ୍ୟବସାୟୀ ହେବାକୁ ସ୍ୱପ୍ନ ଦେଖୁଥିବ ।

 

ଆଉ କେତେକ ଯୁବକ ଅଛନ୍ତି, ଯେଉଁମାନେ ବଦ୍ଧ ପାଗଳ । ପାଗଳାମି ସେମାନଙ୍କର ନିତିଦିନିଆଁ ଅଭ୍ୟାସ । ସନତ୍‌, ଏମିତିକା ଯୁବକମାନଙ୍କ ମଧ୍ୟରୁ ଥିଲା ଅନ୍ୟତମ ।

 

ଛାଡ଼....

 

ଶ୍ୟାମାକାନ୍ତବାବୁ ଏବେ ରିଟାୟାର୍ଡ଼ କରିବାପରେ ଘରେରହି ବ୍ୟବସାୟ କରୁଛନ୍ତି । ଅବଶ୍ୟ ଏ ବ୍ୟବସାୟ ବିଷୟରେ ସରକାର ଅଜ୍ଞ । ଛଗନ୍‌ଲାଲ ଓ ଧନ୍‌ପତ୍‌ଲାଲ ମାରୱାଡ଼ି ଶ୍ୟାମାକାନ୍ତବାବୁଙ୍କର ପାର୍ଟନର ।

 

ଓଡ଼ିଆରେ ଖାଉଟି ଜିନିଷର ଦର ଦିନକୁ ଦିନ ବଢ଼ିଯାଉଛି ବୋଲି ସେ ବଡ଼ ବଡ଼ ଭାଷଣ ଦିଅନ୍ତି । ଅଭ୍ୟର୍ଥନା ସମିତିର ସଭାପତି ହୁଅନ୍ତି । କିନ୍ତୁ....

 

କିନ୍ତୁ....ଛଗନ୍‌ଲାଲ ଓ ଧନପତ୍‌ଲାଲଙ୍କୁ କହି ଓଡ଼ିଶାରେ ଗୋଟିଏ ବିଚିତ୍ର ଅବସ୍ଥା ସୃଷ୍ଟିକରିଛନ୍ତି ।

 

ଓଡ଼ିଶାକୁ ଆସୁଥିବା ସାତଲକ୍ଷ ଟିଣ ସୋରିଷତେଲକୁ ଛଗନ୍‌ଲାଲ ଓ ମଗନ୍‌ଲାଲ କିଣିପକାଇ ଗୁପ୍ତରେ ମହଜୁତ୍‌କରି ରଖି ଦେଇଛନ୍ତି ଯେଉଁଥିରେ କି ବଜାରରୁ ଛଟାଙ୍କିଏ ସୋରିଷତେଲ ମିଳିବା କଷ୍ଟକର କଥା । ତେଣୁ ବର୍ତ୍ତମାନ ସୋରିଷତେଲରେ ହ୍ୱାଇଟ୍‌ଅଏଲ, ବାଦାମତେଲ ମିଶାଇ ବିକ୍ରିକରିବା ସୁବିଧାଜନକ ହୋଇ ଉଠିଛି ।

 

ତା’ଛଡ଼ା.....

 

ଝୋଟ, ଧାନ, ଗୁଡ଼, ସୋରିଷ, ସମସ୍ତପ୍ରକାରର କୃଷିଜାତଦ୍ରବ୍ୟର ଡିଲରସିପ୍‌ ଏହି ମାରୱାଡ଼ି ଭାଇମାନଙ୍କ ହାତରେ । ବର୍ଷକୁ କୋଟି କୋଟି ଟଙ୍କା ଏମାନେ ମଧ୍ୟସ୍ଥ ବେପାରରେ ଲାଭକରନ୍ତି । ହେଲେ ଶ୍ୟାମାକାନ୍ତଙ୍କର ବିଚିତ୍ର ବୁଦ୍ଧି, ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିପାରିନାହିଁ ।

 

ଶ୍ୟାମାକାନ୍ତ ଏବେ ସରକାର ବିପକ୍ଷଗୋଷ୍ଠୀରେ ଯୋଗଦେଇ ନେତାମାନେ ଦୁର୍ନୀତି କରୁଛନ୍ତି ବୋଲି ସ୍ୱର ତୋଳିଛନ୍ତି । ତେଣୁ ସମସ୍ତଙ୍କର ଆଖି କେବଳ ନେତାମାନଙ୍କ କାର୍ଯ୍ୟକଳାପ ଉପରେ । ଏକେତ ନେତାମାନେ ନିଜକୁ ରକ୍ଷାକରିବାକୁ ଯାଇ, ଏ ପ୍ରକାରର ଦୁର୍ନୀତି ପ୍ରତି ଦୃଷ୍ଟିଦେଇ ପାରିନାହାନ୍ତି । ତା’ ଛଡ଼ା......ଜନସାଧାରଣର ଦୃଷ୍ଟି ମଧ୍ୟ ସେ ଯାଏ ଯାଇପାରିନାହିଁ ।

 

ତା’ ଛଡ଼ା ମୁଖିଆ ସମ୍ୱାଦପତ୍ର ଗୁଡ଼ିକୁ ଶ୍ୟାମାକାନ୍ତ ନିଜ ହାତମୁଠାରେ ରଖିଛନ୍ତି । ଯେଉଁଥିରେକି କେବଳ ନେତାଗୋଷ୍ଠୀ ଦୁର୍ନୀତିପରାୟଣ ହେବା ଛଡ଼ା ଅନ୍ୟମାନଙ୍କ ପ୍ରତି କୋପଦୃଷ୍ଟି ପଡ଼ୁନାହିଁ । ବର୍ତ୍ତମାନର ଖବରକାଗଜ ମଣିଷର ବୁଦ୍ଧିକୁ ନିୟନ୍ତ୍ରିତ କରୁଛି । ଆମେସବୁ ଖବରକାଗଜ ଯୁଗର ମଣିଷ । ତେଣୁ ଗୋଟାଏ ଦିନଭିତରେ ଗୋଟାଏ ମଣିଷ ଖରାପ ହୋଇଯିବାରେ ବିଚିତ୍ରତା ନାହିଁ ।

 

ଯେଉଁ ବ୍ୟବସାୟୀମାନେ ନେତାମାନଙ୍କୁ ବାଧ୍ୟକରି ଦୁର୍ନୀତିପରାୟଣ କରାଇଥିଲେ–ସେମାନେ ନିରାପଦରେ ସେମାନଙ୍କର ବ୍ୟବସାୟ ଚଳାଇବାରେ ବ୍ୟସ୍ତ ।

 

ବର୍ତ୍ତମାନର ମଣିଷ, ବହୁଅଂଶରେ ରାଜନୀତିସଚେତନ । ଚାହାଖଟିରୁ ଲୋକସଭାଯାଏ କେବଳ ରାଜନୀତିହିଁ ଆଲୋଚନାର ବିଷୟ । ରାଜନୀତି କଳଙ୍କିତ ହୋଇଛି ବୋଲି, ଏ ଯୁଗର ମଣିଷ ସବୁସମୟରେ ଆଲୋଚନାକରେ । ନିଜକୁ ନଷ୍ଟଯୁଗର ମଣିଷବୋଲି ପରିଚିତ କରାଏ । କିନ୍ତୁ ହାୟ.....ଏଇ ମଣିଷ ଯେବେ ରାଜନୀତିରୁ ମୁଣ୍ଡଟେକି ନିଜ ନିଜ ପ୍ରତି ଦୃଷ୍ଟିଦିଅନ୍ତା..... ନିଜ କର୍ତ୍ତବ୍ୟକଥା ଚିନ୍ତା କରନ୍ତା.... ତେବେ କ’ଣ ସତରେ ରାଜନୀତି କଳଙ୍କିତ ହୋଇ ପାରନ୍ତା ?

 

ସନତ୍‌ ରଣଜିତ୍‌ବାବୁଙ୍କ ଘରକୁ ଫେରିବା ବେଳକୁ ଶ୍ୟାମାକାନ୍ତବାବୁ କେତେଜଣ ବ୍ୟବସାୟୀଙ୍କ ସହିତ କ’ଣ ଆଲୋଚନା କରୁଥିଲେ । ସନତ୍‍କୁ ଦେଖି ନୀରବ ହୋଇଗଲେ । ସନତ୍‌ ମଧ୍ୟ ନୀରବରେ ଘରଭିତରକୁ ପଶିଗଲା ।

 

ତେଣେ ଘରେ ସନତ୍‍ର ବୋଉ ସନତ୍‍କୁ ଅନେଇ ଅନେଇ ଅଖିଆ ଅପିଆ ବସିଥିଲେ-। ସନତ୍‌ ତାଙ୍କର ଏକଇରବଳା ବିଶିକେଶନ । ତାକୁ ଖାଇବାକୁ ନଦେଇ ସେ ଅବା ଏକୁଟିଆ ନିଜେ ନିଜେ ଖାଇଯିବେ କେମିତି ?

 

ପୁଅକୁ ଦେଖିପକାଇ ତାଙ୍କ ଜୀବନ ପଶିଲା । କୋଟିନିଧି ପାଇଲା ପରି କୁଣ୍ଢାଇପକାଇ କହିଲେ–ଏତେବେଳଯାଏ କୁଆଡ଼େ ଯାଇଥିଲୁରେ ସନତ୍‌, ତୋତେ ଅନାଇଁ ଅନାଇଁ ଆଖିରୁ ପାଣି ମଲାଣି ।

 

ସନତ୍‌ କେବଳ ବକ୍‌ ବକ୍‌ କରି ବୋଉଙ୍କୁ ଚାହିଁ.....କେତେ କ’ଣ ଭାବିବାରେ ଲାଗିଥିଲା-

 

ସନତ୍‍ର ବୋଉ ପ୍ରୀତି ଅଶିକ୍ଷିତା ନୁହଁନ୍ତି । ନାରୀଶିକ୍ଷାର ଚୂଡ଼ାନ୍ତ ସ୍ତରରେ ପହଞ୍ଚି, ସେ ପୁଣି ମଫସଲିଆଣି ସାଜିବାକୁ ଚେଷ୍ଟା କରୁଛନ୍ତି । ଓଡ଼ିଶାର କୌଣସି ଝିଅ ଡାକ୍ତରୀପାଠରେ ନାମଲେଖାଇବା କମ୍‌କଥା ନୁହେଁ । ଏଇ ଝିଅମାନଙ୍କ ଭିତରୁ ପ୍ରୀତି ଅନ୍ୟତମା ।

 

ଡାକ୍ତରୀ ବିଦ୍ୟାକୁ ସେ ଖୁବ୍‌ଭଲ ପାଆନ୍ତି । ପରସେବାରେ ଆତ୍ମନିୟୋଗ କରିବାକୁ ପସନ୍ଦ କରନ୍ତି । ତାଙ୍କରି ପ୍ରରୋଚନାରେ, ଉତ୍ସାହରେ, ଉଦ୍ଦୀପନାରେହିଁ ଆଜି ସନତ୍‌ ଜଣେ ସ୍ୱନାମଧନ୍ୟ ଡାକ୍ତରୀଛାତ୍ର ।

 

ନିଜେ କିନ୍ତୁ ପ୍ରୀତି ସେ ଲାଇନ୍‌ରୁ ଦୂରେଇ ଯାଇଛନ୍ତି । ବିରାଟ ଏ ମଣିଷର କିଉ ଭିତରେ ତାଙ୍କର ପାଳି ପଡ଼ିନାହିଁ । ସେଥିପାଇଁ ସେ ନିଜର ପରିବାରର ସେବାକୁହିଁ ବଡ଼ ସେବା ବୋଲି ଧରି ନେଇଛନ୍ତି ।

 

ମାତ୍ର ବି:ଏ: ପାଶ୍‌ପରେ, ଯେତେବେଳେ ଶ୍ୟାମାକାନ୍ତ ପ୍ରୀତିଙ୍କ ହାତ ଧରିଲେ–ସେତେବେଳେ ନିଜେ ଶ୍ୟାମାକାନ୍ତ ମଧ୍ୟ ନାହିଁନଥିବା ବିପଦର ସମ୍ମୁଖୀନ ହେଲେ ବୋଲି ବିଚାର କରୁଥିଲେ ।

 

କାରଣ–ଶିକ୍ଷିତା ନାରୀଙ୍କର ସ୍ୱେଚ୍ଛାଚାରିତାର ଭୁରି ଭୁରି ପ୍ରମାଣ, ଏ ଦେଶର ଗଳିକନ୍ଦିରେ ମଧ୍ୟ ବିଦ୍ୟମାନ ।

ହେଲେ ଖୁବ୍‌ ଅଳ୍ପଦିନ ଭିତରେ ଶ୍ୟାମାକାନ୍ତଙ୍କର ଏ ଧାରଣା ବଦଳିଯାଇଥିଲା । ଠିକ୍‌ ଓଢ଼ଣାତଳର ନାରୀ ପରି ପ୍ରୀତି ହୋଇଥିଲେ ଗୃହିଣୀ । କେହି କେବେ ତାଙ୍କୁ ବାହାରେ ଦେଖିନାହିଁ-। ହସୁଥିବାର ଦେଖିନାହିଁ । ବେଶ ସଜାଉଥିବାର ଦେଖିନାହିଁ ।

ଏହା ବୋଲି ଯେ ପ୍ରୀତି ମୋଟେ ହସୁନଥିଲେ, ତାହାନୁହେଁ, ବା ନିଜକୁ ସଜାଉ ନଥିଲେ, ତାହାନୁହେଁ । ହେଲେ ଏ ହସିବା ଓ ଦେହ ସଜାଇବା ଘରର ଚାରିକାନ୍ଥ ଭିତରେ ସୀମାବଦ୍ଧଥିଲା ।

ସେହି ଆଧୁନିକତାର ଉଲଗ୍ନ ପୁରାତନ ପ୍ରୀତି ଥିଲେ ସନତ୍‍ର ଜନ୍ମଦାତ୍ରୀ ।

ଠିକ୍‌ ନିଜ ଛାଞ୍ଚରେ ସେ ସନତ୍‍କୁ ଗଢ଼ିବାକୁ ଚେଷ୍ଟା କରୁଥିଲେ ।

ଶ୍ୟାମାକାନ୍ତ କିନ୍ତୁ ପ୍ରୀତିଙ୍କୁ ପସନ୍ଦକରୁ ନଥିଲେ । ସମର୍ଥନ କରୁନଥିଲେ । ଏ ଅସମର୍ଥନ ମୂଳରେ କୌଣସି ଦୋଷାଦୋଷ ନଥିଲା । କେବଳ ଥିଲା ସର୍ବଗ୍ରାସୀ ସ୍ୱାର୍ଥ ।

ଚାକିରି ଜୀବନରେ ଶ୍ୟାମାକାନ୍ତ ନିଜର ପଦୋନ୍ନତିପାଇଁ ପ୍ରୀତିଙ୍କୁ ବ୍ୟବହାର କରିବାକୁ ଚେଷ୍ଟାକରୁଥିଲେ । ବ୍ୟବସାୟୀ ଜୀବନରେ ମଧ୍ୟ ପ୍ରୀତିଙ୍କୁ ଅସ୍ତ୍ରରୂପେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି ।

ହେଲେ ପ୍ରୀତି ଥିଲେ ଏସବୁ ସଭ୍ୟତାର ବାହାର ମଣିଷ । ତେଣୁ ସ୍ୱାମୀଙ୍କର ସମର୍ଥନ ଅସମର୍ଥନ ପ୍ରତି ସେ ଖାତିର କରୁ ନଥିଲେ ।

କିନ୍ତୁ ଏବେ.....

ବହୁ କିଛି ସମ୍ଭବ, ଅସମ୍ଭବ କଥା ଏ ଆଖି ଦେଖୁଛି । ଦେହ ଅଙ୍ଗେ ନିଭୋଉଛି । କେଉଁ କଣ୍ଟ୍ରାକ୍‌ଟର ନିଜର ସ୍ତ୍ରୀକୁ ଶ୍ରୀଖଣ୍ଡି କରି ଭୀଷ୍ମର ଶରଶଯ୍ୟା ତିଆରି କରୁଛି ତ, କେଉଁ କିରାଣୀ ଅଫିସର ଗହଣରେ ତନ୍ୱୀ କନ୍ୟାକୁ ଛାଡ଼ି ପଦୋନ୍ନତି ଆଶାକରୁଛି ।

ଏ ସବୁ କିନ୍ତୁ ଦୁର୍ନୀତି ନୁହେଁ । ଏଗୁଡ଼ା ପ୍ରଗତି । ନଚେତ୍‌ ଠିକ୍‌ ଏଇ ମଣିଷମାନେ ସରକାର ଦୁର୍ନୀତି କରୁଛନ୍ତି ବୋଲି ସମାଲୋଚନା କରନ୍ତେ କାହିଁକି ?

ଆଜି ସକାଳ ପ୍ରହରଟା ଗଡ଼ିଯାଇଛି । ହେଲେ ସନତ୍‌ ଆସିନାହିଁ । ରଣଜିତ୍‌ବାବୁ କେବଳ ଏ ପାଖ ସେପାଖ ହେଉଛନ୍ତି । ବେଳେବେଳେ ଲୁଚିଛପି ଯାଇ ଅହଲ୍ୟାର କୋଠରି ବୁଲି ଦେଖିଆସୁଛନ୍ତି ।

ଅହଲ୍ୟା ମଧ୍ୟ ସେମିତି ନୀରବରେ ବସି ମୁକ୍ତ ବାତାୟନ ପଥରେ କଟକର ନିତିଦିନିଆଁ ଜୀବନ ଲକ୍ଷ୍ୟକରୁଛନ୍ତି । ହୁଏତ ସବୁ ସମୟରେ ସେ ସନତ୍‍ର ପ୍ରବେଶକୁ ଅପେକ୍ଷାକରି ବସିଛନ୍ତି ।

ଏଇ କେତେଦିନ ହେଲା ରଣଜିତ୍‌ବାବୁ ଏକରକମ୍‌ ଚେସ୍‌ଖେଳ ଭୁଲିଯାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଅନେକ ସମୟରେ ସ୍ୱପ୍ନ ଦେଖୁଛନ୍ତି । ସ୍ୱପ୍ନ ଅନ୍ୟକିଛି ନୁହେଁ । କେବଳ ଅହଲ୍ୟା ତାର ବାକ୍‌ଶକ୍ତି ଫେରିପାଇଛି ।

ଅନେକ ସମୟରେ ରଣଜିତ୍‌ବାବୁ ମଧ୍ୟ ଭୁଲ୍‍କରି ବସୁଛନ୍ତି । ଅହଲ୍ୟାକୁ କେତେକଥା ପଚାରି ବସୁଛନ୍ତି । ହେଲେ ପରେ ପ୍ରକୃତିସ୍ଥ ହେଉଛନ୍ତି । କାନ୍ଦି କାନ୍ଦି ଦୋ’ମହଲା କୋଠରି ଭିତରୁ ଓହ୍ଲାଇ ଆସୁଛନ୍ତି ।

 

ଚାହୁଁ ଚାହୁଁ ବେଳ ଗଡ଼ିଲା । ତଥାପି ସନତ୍‍ର ଦେଖାନାହିଁ । ରଣଜିତ୍‌ବାବୁ ଏକରକମ୍‌ ଆଶାଛାଡ଼ିଲେ । ଠିକ୍‌ ସେହି ସମୟରେ ଗୋଟିଏ ଛୋଟିଆ ବେଲୁନ୍‌କୁ ହାତରେ ଧରି ଘର ଭିତରକୁ ପଶିଆସିଲା ସନତ୍‌ ।

 

ରଣଜିତ୍‌ବାବୁ ଆନନ୍ଦର ଆତିଶଯ୍ୟରେ ଉଠି ପଡ଼ୁପଡ଼ୁ କହିଲେ, କେବଳ ତୁମକୁ ଅନେଇ ଅନେଇ ଆଜି ଦିନଟା ମୁଁ କାଟି ଦେଲିଣି ସନତ୍‌ । ଭାବିଥିଲି ତୁମେ ଆଉ ଆସିବ ନାହିଁ ।

 

ସନତ୍‌ ଉପରମହଲାକୁ ଉଠିଯାଉଯାଉ କହିଲା–ଏ କି କଥା କହୁଛନ୍ତି ସାର ? ଅହଲ୍ୟାଙ୍କର ଗୁରୁଦାୟିତ୍ୱ ଯେ ମୁଁ ନେଇଛି, ନଆସନ୍ତି କେମିତି ? ହେଲେ ମୋର ସୁବିଧା ନେଇ ମୁଁ ଆସିବି ଓ ଯିବି, ଏଥିପାଇଁ ଆପଣ ବ୍ୟସ୍ତହେଲେ ଚଳିବ ନାହିଁ ।

 

ନିଜେ ଲଜ୍ଜିତ ହୋଇ ରଣଜିତ୍‌ବାବୁ ଚୁପ୍‌ରହିଲେ ।

 

ସନତ୍‌ ଖପ୍‌ ଖପ୍‌ ହୋଇ ଉଠିଗଲା ଉପର ମହଲାକୁ । ସନତ୍‍ର ପାଦଶବ୍ଦ ଶୁଣି ଉଠି ଠିଆହେଲେ ଅହଲ୍ୟା । ସନତ୍‌ କହିଲା–ଖାଲି ଠିଆହେଲେ କ’ଣ ଅହଲ୍ୟାଦେବୀ ! ଶୀଘ୍ର ବାହାରି ପଡ଼ । ଆଜିଟିକେ କାଠଯୋଡ଼ି ବନ୍ଧ ଆଡ଼େ ବୁଲିଯିବା ।

 

ଅହଲ୍ୟାଙ୍କର ମନାକରିବାର କ୍ଷମତା ନଥିଲା । କାରଣ ବାପା ବାରମ୍ୱାର କରି ଅନୁରୋଧ କରିଛନ୍ତି–ସନତ୍‍ର କଥା ମାନିବୁ ଅରୁ, ନଚେତ୍‌.... ।

 

ଆଉ ଚିନ୍ତାକରିବାକୁ ସମୟ ନଥିଲା । ସାମାନ୍ୟ ଖଣ୍ଡେ ବ୍ଳାଉଜ୍‌ ବଦଳାଇନେଇ ବାହାରି ପଡ଼ିଲେ ଅହଲ୍ୟା ।

 

ଶୀତପରେ, ବସନ୍ତଋତୁର ପବନଟା ଖୁବ୍‌ ଉପଭୋଗ୍ୟ ଥିଲା ବାହାରେ ।

 

ଦିଗ୍‌ବିଦିଗ ବିସ୍ତୃତ କାଠଯୋଡ଼ି ବାଲି । ଆଉ ଅନ୍ୟ ପାଖରେ ବିଶାଳ ପଥରବନ୍ଧ । ବନ୍ଧଦେହରେ ଥିବା ପାଉଛଉପରେ ଗୋଡ଼ ପକାଇ ପକାଇ ବାଲି ଉପରକୁ ଆସୁ ଆସୁ ସନତ୍‌ କହିଲା–ଏ ବନ୍ଧର ଇତିହାସ ଜାଣିଛ ଅହଲ୍ୟାଦେବୀ ?

 

ଅହଲ୍ୟା ମୁଣ୍ଡହଲାଇ ସମର୍ଥନ ଜଣାଇଲେ । ସନତ୍‌ କହିଲା....ନା....ନା...ତୁମେ ଜାଣି ନଥିବ । କେବଳ ମର୍କତ କେଶରୀଙ୍କ ଛଡ଼ା ଅନ୍ୟ କାହାରିକୁ ହୁଏତ ଏ କାହାଣୀ ଜଣା ନଥିବ ।

 

ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲେ ଅହଲ୍ୟା ।

 

ସନତ୍‌ କହିଲା–ମୁଁ ସତକହୁଛି ଅହଲ୍ୟାଦେବୀ, ଏ ବନ୍ଧଦେହରେ ଅଛି ବିରାଟ ଇତିହାସ-। ତୁମେ ଯଦି ଅନୁମତି ଦିଅ ତେବେ ମୁଁ ସଂକ୍ଷେପରେ ଗପଟି କହିବି ।

 

ଗପଟିକୁ ଶୁଣିବାପାଇଁ ଅହଲ୍ୟାଙ୍କର ମନ କଲବଲ ହୋଇ ଉଠିଲା । କେବଳ ସନତ୍‍ର ହାତଟାକୁ ଧରିପକାଇ ଠିଆ ହୋଇଗଲେ ସେ ।

 

ସନତ୍‌ ବୁଝିଲା....ଅହଲ୍ୟାଙ୍କର ଗପଟି ଶୁଣିବାରେ ପ୍ରବଳ ଆଗ୍ରହ ଅଛି । କହିଲା–ହଉ, ତେବେ ଏଇ ପାଣିପାଖକୁ ଆସ । ମୁଁ ଗପଟି ନିଶ୍ଚୟ କହିବି ।

 

ବହିଯାଉଥିବା ପାଣିଧାର ପାଖରେ ବସିଲେ ସନତ୍‌ ଓ ଅହଲ୍ୟା ।

 

ଆଦିମ ଏହି କାଠଯୋଡ଼ି ଓ ଆଦିମ ତାର ଏହି ଜଳଧାର ।

 

ସନତ୍‌ କହିଲା...ସେତେବେଳେ ଏଇ କାଠଯୋଡ଼ି ତୀର ଅଞ୍ଚଳ ଥିଲା ନିବିଡ଼ ଅରଣ୍ୟ । ଟିକି ଟିକି ହରିଣଛୁଆ ମଧ୍ୟ କାଠଯୋଡ଼ିରୁ ପାଣି ପିଉଥିଲେ ।

 

ଗପର ଆଦିପର୍ବ ଶୁଣି ଫିକ୍‌କରି ହସିଦେଲେ ଅହଲ୍ୟା । ସନତ୍‌ ସାମାନ୍ୟ ଅପଦସ୍ତ ହୋଇ କହିଲା–ଅବିଶ୍ୱାସ କରନା ଅହଲ୍ୟାଦେବୀ । ଯାହା କହୁଛି ମନଦେଇ ଶୁଣ ।

 

ସେତେବେଳକୁ ସୂର୍ଯ୍ୟ ଅସ୍ତହୋଇ ଯାଇଥିଲେ । କଟକ ସହର ଅନ୍ଧାର ଭିତରେ ହଜିଯିବାକୁ ଉପକ୍ରମ କରୁଥିଲା । ସେହି ଅନ୍ଧାର ଭିତରେ ଅହଲ୍ୟା ଓ ସନତ୍‌ ନିଜନିଜକୁ ମଧ୍ୟ ହଜାଇ ଦେବାର ଉପକ୍ରମ କରୁଥିଲେ ।

 

ପୁଣି ଆରମ୍ଭ କଲା ସନତ୍‌ .....

 

ଏଇ ଆଖିଆଗରେ ଯେଉଁ ଛୋଟ ହନୁମାନ ମନ୍ଦିରଟି ଦିଶୁଛି, ତା’ର ପାଖରେ ଥିଲା, ଗୋଟିଏ ଦରିଦ୍ର କ୍ଷତ୍ରିୟପରିବାର । ପରିବାରରେ ମୋଟେ ତିନିଟି ଲୋକଥିଲେ । ବୁଢ଼ା, ବୁଢ଼ୀ ଓ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ଝିଅ । ବୁଢ଼ା ବୁଢ଼ୀ କାଠକାଟି ବାରବାଟି ଗଡ଼ରେ ବିକ୍ରୟକରି ଜୀବିକା ନିର୍ବାହ କରୁଥିଲେ । ବେଳେବେଳେ ଝିଅ ମୁଣ୍ଡରେ ମଧ୍ୟ ଏ ଦାୟିତ୍ୱ ପଡ଼ୁଥିଲା । ଝିଅର ଡାକ ନାଁ ଥିଲା ଯୋଡ଼ି ।

 

ଝିଅଟିର ନାଁ ଏପରି ହେବାର ମଧ୍ୟ କାରଣ ଥିଲା । ସେହି ଦରିଦ୍ର କ୍ଷତ୍ରିୟ ପରିବାରର ବୃଦ୍ଧାବସ୍ଥାରେ ଦୁଇଟି ଜାଆଁଳା ପିଲା ଜନ୍ମ ହୋଇଥିଲେ । କିଛିଦିନ ପରେ ସେହି ଦୁଇଟି ମଧ୍ୟରୁ ଗୋଟିଏ ମରିଯାଇଥିଲା । ହେଲେ ବୁଢ଼ା ବୁଢ଼ୀ ଏଇ ବଞ୍ଚିବା ଝିଅଟିକୁ ମଧ୍ୟ ଯୋଡ଼ି କହିବାକୁ ଭୁଲି ନଥିଲେ ।

 

ପଙ୍କ ଦେହରେ ପଦ୍ମ ପରି....କାଠଯୋଡ଼ିର ଏହି ତୀର ଅରଣ୍ୟରେ ଝିଅଟି ଚନ୍ଦ୍ରକଳାପରି ବଢ଼ିବାକୁ ଲାଗିଥିଲା ।

 

ଦିନକର କଥା.....

 

ମୃଗୟାଭିଳାଷୀ ମର୍କତକେଶରୀ କାଠଯୋଡ଼ିର ତୀରେ ତୀରେ ଛୁଟିଥାନ୍ତି । ହଠାତ୍‌ ଦେଖାହୁଏ କାର୍ଯ୍ୟରତା ଯୋଡ଼ି ସହିତ । ଯୋଡ଼ିର ଅନିନ୍ଦ୍ୟ ରୂପ ରୋଷଣିରେ ମର୍କତକେଶରୀ ଅନ୍ଧ ହୋଇ ଉଠନ୍ତି । ଅଶ୍ୱପୃଷ୍ଠରୁ ଅବତରଣ କରି ପ୍ରେମ ନିବେଦନ କରନ୍ତି କ୍ଷତ୍ରିୟକନ୍ୟା ଯୋଡ଼ି ନିକଟରେ ।

 

ଯୋଡ଼ି ଅମନା ହୁଏ । ମର୍କତ କେଶରୀଙ୍କର ଔଦ୍ଧତ୍ୟ ପରାସ୍ତ ହୁଏ ।

 

କିନ୍ତୁ କେଶରୀ ରାଜାଙ୍କର ସୁପ୍ତ କାମୁକତା ଜାଗରିତ ହୁଏ । ସେ ନିତି ନିତି ମୃଗୟାର ଆଳ ଦେଖାଇ ଆସନ୍ତି ଏହି କାଠଯୋଡ଼ି ତୀରକୁ । ବାରମ୍ୱାର କିନ୍ତୁ ରାଜତନ୍ତ୍ରର ଛତ୍ର ହାରମାନେ ଯୋଡ଼ି ନିକଟରେ ।

 

ଯୋଡ଼ି ମୁଣ୍ଡର କାଠ ଓ ଯୋଡ଼ି ପାଗଳ କରେ ମର୍କତକେଶରୀଙ୍କୁ ।

 

ଯୋଡ଼ିକୁ ଦୁର୍ଗ ଭିତରକୁ ଆଣିବାର ଗୁରୁଭାର ଦିଆଯାଏ, ନବରରକ୍ଷୀ ବାଇମୁଣ୍ଡୀଙ୍କ ହାତରେ । ବୃଦ୍ଧ ବାଇମୁଣ୍ଡୀଙ୍କର ମନ୍ତ୍ରଣା କାମକରେ । ଯୋଡ଼ି ନିତି ନିତି ମୁଣ୍ଡରେ କାଠ ବୋହି ନବରକୁ ଯାଏ । ହେଲେ ଫଳ କିଛି ହୁଏନାହିଁ..... ।

 

ସେବର୍ଷ କାଠଯୋଡ଼ି ନଦୀରେ ଭୀଷଣ ବନ୍ୟା ଆସିଲା । ଏହି ବନ୍ୟାର ଶୀକାର ହେଲା, ଯୋଡ଼ିର ନୁଆଁଣିଆ ଚାଳଘର । କେବଳ ଏତିକିରେ କାଠଯୋଡ଼ିର ଉଦ୍ଧତ ଜଳରାଶି କ୍ଷାନ୍ତ ହେଲାନି । ଯୋଡ଼ିର ବୃଦ୍ଧ ପିତାମାତା ମଧ୍ୟ ବନ୍ୟାର ଶୀକାର ହୋଇଥିଲେ ।

 

ତା’ ପରେ.....

 

ଅରଣ୍ୟର ଏହି ନିର୍ଜନ ସ୍ଥାନରେ ଏକ ପଡ଼ି ରହିଥିଲା ଯୋଡ଼ି ।

 

ମର୍କତକେଶରୀ ପୁଣି ଆସିଥିଲେ । ଯୋଡ଼ିକୁ ଦୁର୍ଗ ଭିତରକୁ ନେଇଯିବାର ଚେଷ୍ଟା କରିଥିଲେ । କିନ୍ତୁ ଯୋଡ଼ି ରାଜାଙ୍କର କଥା ରକ୍ଷାକରି ପାରି ନ ଥିଲା । କେବଳ କାଠବିକି ନିଜର ଜୀବିକା ନିର୍ବାହ କରିବାକୁ ଶପଥ ନେଇଥିଲା ।

 

ତରୁଣୀ ଜୀବନରେ କଠିନତା ସବୁଦିନ ଶୋଭାପାଏ ନା.... ।

 

ଠିକ୍‌ ଏହି ଯଶା ଯୋଡ଼ି ଭାଗ୍ୟରେ ମଧ୍ୟ ଘଟିଥିଲା ।

 

ରାଜାଙ୍କର ଗୋଟାଏ ସର୍ତ୍ତରେ ଯୋଡ଼ି ଦେହ ଦାନ କରିବାକୁ ରାଜି ହୋଇଥିଲା ।

 

ମର୍କତକେଶରୀ ଶପଥଟିକୁ ଶୁଣିବାକୁ କାନଡ଼େରି ବସିଥିଲେ ।

 

ଯୋଡ଼ି କହିଲା–ମୋର ବାପା ମାଆ ମରିଛନ୍ତି ବୋଲି ମୁଁ ଦୁଃଖ କରୁନି ମହାରାଜ, ମୁଁ ଚାହୁଁଛି ଯୁଗ ଯୁଗ ଧରି କଟକର ମଣିଷ ବିପଦର ସମ୍ମୁଖୀନ ନ ହୁଅନ୍ତୁ ।

 

ମର୍କତକେଶରୀ ବାରମ୍ୱାର ପ୍ରଶ୍ନ କରୁଥିଲେ–କ’ଣ କହିବ କୁହ ଯୋଡ଼ି ! ମୁଁ ନିଶ୍ଚୟ ଶପଥ ରକ୍ଷା କରିବି ।

 

ଯୋଡ଼ି କହିଲା–ମୁଁ ଚାହେଁ....ଏଇ ନଦୀର ତୀରେ ତୀରେ ଗୋଟାଏ ବିଶାଳ ପଥରବନ୍ଧ ହେଉ, ଯେଉଁଥିରେ କି ବାରବାଟୀ ନିରାପଦ ରହୁ ଓ ତା ସହିତ ତୀରବାସୀ ମଧ୍ୟ ନିରାପଦ ରୁହନ୍ତୁ । ଜାତିପାଇଁ ଏଇ ଅନୁରୋଧଟି ରକ୍ଷା କଲେ ଦେହଦାନ କରିବାକୁ ମୁଁ କୁଣ୍ଠିତ ହେବିନାହିଁ ।

ଅନାୟାସରେ ରାଜି ହୋଇଗଲେ ମର୍କତକେଶରୀ ।

ତା’ପରେ.....

ମୁଣ୍ଡରେ କାଠଗୋଛା ଲଦି ନିତି ନିତି ଯୋଡ଼ି, ଏଇ ନଦୀର ତୀରେ ତୀରେ ଫେରେ । ରାଜା ମର୍କତକେଶରୀ ହନୁମାନ ମନ୍ଦିର ପାଖରେ ଅପେକ୍ଷା କରିଥାନ୍ତି ।

କାଠ ଗୋଛା ମୁଣ୍ଡରୁ ଖସେ....

ହେଲେ ମର୍କତ ଓ ଯୋଡ଼ି ଓହ୍ଲାଇଯାନ୍ତି–ଏଇ ନଈର ବାଲୁକାଶଯ୍ୟା ଉପରକୁ.....। ଏ କିନ୍ତୁ....ଦୁର୍ନୀତି ନୁହେଁ, ରାଜନୀତି ।

ଏମିତି କେତେ.....ଏମିତି କେତେ.... ।

ଖୁବ ଅଳ୍ପଦିନ ଭିତରେ ଯୋଡ଼ି ପ୍ରାଣତ୍ୟାଗ କରିଥିଲା । ମର୍କତକେଶରୀ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ । କିନ୍ତୁ କ୍ଷତ୍ରିୟ କନ୍ୟା ଯୋଡ଼ି ଓ ତା ମୁଣ୍ଡର କାଠ ତାଙ୍କୁ ବହୁତ କିଛି ଭାବିବାକୁ ପରିସର ଦେଇଥିଲା ।

ସେହିଦିନଠାରୁ ମର୍କତକେଶରୀ ଏ ନବରଟିକୁ କାଠଯୋଡ଼ି ବୋଲି ଡାକୁଥିଲେ ।

ଆଜି ଯୋଡ଼ି ନାହିଁ । ସେଦିନର ଅରଣ୍ୟ ନାହିଁ । ମର୍କତକେଶରୀ ମଧ୍ୟ ନାହାନ୍ତି ।

ହେଲେ ଅଛି ସେ ସ୍ମୃତି....

କାଠଯୋଡ଼ିର ବାଲି, ତା’ ଛଡ଼ା ବିଶାଳ ପଥରବନ୍ଧ ।

ଗପଟି ଶେଷହେବାବେଳକୁ ଅହଲ୍ୟା ଏକରକମ୍‌ ଶୋଇଯାଇଥିଲେ ।

ମୁଣ୍ଡପାଖରେ କୁଳୁକୁଳୁହୋଇ ବହିଯାଉଥିଲା କାଠଯୋଡ଼ି ।

ସନତ୍‌ ମନରେ ଦୁଷ୍ଟାମି ଜାଗିଉଠିଲା । ଧୀରେ ହାତଟିକୁ ବଢ଼ାଇ ଅହଲ୍ୟାଙ୍କର ଗୋଟାଏ ନରମ ମାଂସଳ ଅଂଶକୁ କଠିନ୍‌ଭାବେ ଦଳିଦେଇ କହିଲା–ଅହଲ୍ୟାଦେବୀ ! ଶୋଇଗଲ ନାଁ କଣ ?

ଚମକି ଉଠିଲେ ଅହଲ୍ୟା....

ଦଳିତବିଦଳିତ ଅଂଶଟା ଶିରିଶିରି ହୋଇ ଦେହରେ ଚୁମ୍ୱକ ଖେଳାଇ ଦେଲା । ଏକରକମ୍‌ ଚିତ୍‌କାରକରି କହିଉଠିଲେ ଅହଲ୍ୟା–‘‘ଆଃ !’’ ସନତ୍‌ ମନର ସେତେବେଳକାର ଆନନ୍ଦ ଯେ ଦେଖିଛି....ସେ କେବଳ କହିବ–ସନତ୍‌ କେତେ ଆନନ୍ଦିତ ହୋଇଥିଲା ।

ଏ ଆନନ୍ଦ ଭିତରେ ଯୌବନର ଉଦ୍ଦୀପନା ନଥିଲା । ଆବିଷ୍କାରର କାହାଣୀ ଥିଲା । ଅହଲ୍ୟାଦେବୀ ‘ଆଃ’ ବୋଲି କହି ଚିତ୍‌କାର କରିବା ପରେ ସନତ୍‌ ସ୍ୱରତନ୍ତ୍ରୀର କ୍ଷମତା ଉପରେ ଗବେଷଣା ଆରମ୍ଭକରି ଦେଇଥିଲା ।

କିନ୍ତୁ ଅହଲ୍ୟା....

ଗୋଟାଏ ତାରରେ ହାତ ଟିପିଲେ ଗୋଛାଏ ସ୍ୱର ଝଂକୃତ ହୋଇ ଉଠିବା ପରି.....ଅହଲ୍ୟାଙ୍କର ପ୍ରତ୍ୟେକ ଲୋମକୂପରେ ଶହଶହ ବେଦନାର ଆର୍ତ୍ତନାଦ ମୁଖରି ଉଠିଥିଲା । ସୃଷ୍ଟିର ବିମୋହନ ବଂଶୀସ୍ୱନ ଅହଲ୍ୟାଙ୍କ ତରୁଣୀତନୁର ସୋପାନ ଦେଇ ଓହ୍ଲାଇ ଆସିବାକୁ ଉପକ୍ରମ କରିଥିଲା ।

ପୁରୁଷ ଦେହର କଠିନ ସ୍ପର୍ଶ, ନାରୀ ପ୍ରାଣରେ ଯେଉଁ ଅସରନ୍ତି ବାସନାର ଫୁଆର ତୋଳେ, ତାହା ନାରୀ ଛଡ଼ା ଅନ୍ୟ କେହି ଅନୁଭବ କରିବା କଷ୍ଟକର । ପୁଣି ପହିଲି ନାରୀତ୍ୱର ସିଂହଦ୍ୱାରରେ ପୁରୁଷର ଘଣ୍ଟାଧ୍ୱନି ଆହୁରି ଆକର୍ଷଣୀୟ ।

ତା’ପରେ....

କାଠଯୋଡ଼ିର ଉନ୍‌ମୁକ୍ତ ବାଲୁକାରାଶି ବହୁତ ଗୁଡ଼ାଏ ଆପତ୍ତିଜନକ ଅଭିଯୋଗକୁ ଭୁଲିଯିବାକୁ ଚେଷ୍ଟା କରିଥିଲା । ସେତେବେଳକୁ କାଠଯୋଡ଼ି ଉପାନ୍ତ–ନିବିଡ଼ ଅନ୍ଧକାର ମଧ୍ୟରେ ଆତ୍ମଗୋପନ କରିଥିଲା । କ୍ଷୀଣ ବିଜୁଳି ଆଲୋକ ଅସଲ କଟକକୁ ଆଲୋକିତ କରିବାକୁ ଅକ୍ଷମ ଥିଲା ।

ରାତି ନଅଟା ବେଳକୁ ଅହଲ୍ୟା ଘରକୁ ଫେରିଆସିଥିଲେ । ସନତ୍‌ ମଧ୍ୟ ନିଜ ଘରକୁ ଫେରିଯାଇଥିଲା ।

ବାକ୍‌ଶକ୍ତି ଫେରାଇ ଆଣିବାପାଇଁ ସନତ୍‍ର ଚିକିତ୍ସା ଅହଲ୍ୟା ମନରେ ସନ୍ଦେହର ବୀଜ ବୁଣିଦେଇଥିଲା ।

ଆଜି ଭାବୁଛି ଅହଲ୍ୟା–

ଏ ଭାବିବାର ସୀମା ନାହିଁ । କୂଳ ନାହିଁ । ପୂର୍ଣ୍ଣଚ୍ଛେଦ ମଧ୍ୟ ନାହିଁ । ମାଦକତାଭରା ଜୀବନ ଏମିତି ବଡ଼ ବିଚିତ୍ର । ଅହଲ୍ୟାଙ୍କ ମନରେ ଯେତେବେଳେ ଉପଭୋଗର ଉଦ୍ଦେଶ୍ୟ ନଥିଲା, ଭବିଷ୍ୟତର ସ୍ୱପ୍ନ ନଥିଲା, ସେତେବେଳେ ସେ ସବୁକୁ ଭୁଲିଯିବାକୁ ବେଶ୍‌ ଚେଷ୍ଟାକରି ପାରୁଥିଲେ ।

ହେଲେ ଆଜି....

ଯୁବକ ସନତ୍‍ର ମାତ୍ର ଟିକେ ଥଟ୍ଟାଳିଆ ସ୍ପର୍ଶ....କେତେ ନାହିଁ କେତେକଥାର ଇଙ୍ଗିତ ଦେଇ ଯାଉଛି । ଦୋ’ମହଲାର ଝରକାଦେଇ ବାହାରକୁ ଅନାଇବାର ଚେଷ୍ଟା କରୁଛନ୍ତି ଅହଲ୍ୟା ।

କ୍ୟାପିଟାଲ୍‍ ସିନେମା ନିକଟ ଉପଗଳିରେ ମଣିଷର ଭିଡ଼ ଜମିଛି । ଫାରୁକ୍‌ ମିଆଁ ମୁହଁରୁ ଝରିପଡ଼ୁଛି ଆଞ୍ଜୁଳା ଆଞ୍ଜୁଳା ହସ ।

ଠିକ୍‌ ଏହି ନଅଟାବେଳେ ହୁଏତ ଗ୍ରାଣ୍ଡ୍‌ ହୋଟେଲର ଗୋଟାଏ ଗୁପ୍ତ କୋଠରୀ ଭିତରେ ରୂପସୀ ତରୁଣୀର ଚଳଚଞ୍ଚଳ ପାଦର ଝଙ୍କାର ଶୀତ୍‌କାର ସୃଷ୍ଟି କରୁଥିବ । ବିଲାତି ଡ୍ରାଏଜିନ୍‌ ମୁହଁକୁ ବିକୃତକରି ହୃଦୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟାକରୁଥିବ । ହେଲେ....

କଟକର ଏ ଅଖ୍ୟାତ ଉପଗଳିରେ ବିଲାତି ସୂର୍ଯ୍ୟର ଉଦୟ ହୁଏନାହିଁ । ଏଇଟା ଦେଶୀ ମଣିଷଙ୍କ ଆଡ଼୍‌ଡ଼ାସ୍ଥଳୀ–ଏମାନେ ପଚାଭାତ–ଖଜୁରୀ ରସରୁ ବଞ୍ଚିବାର ଉପାଦାନ ଖୋଜିବାକୁ ଚେଷ୍ଟାକରନ୍ତି ।

ପତିତସ୍ତନା ନାକଫୋଡ଼ିଆ ମାଆ ଯେ ଫାରୁକ୍‌ ମିଆଁ ଦୋକାନରେ ଚାଞ୍ଚଲ୍ୟ ସୃଷ୍ଟିକରେ ନାହିଁ, ତା’ ନୁହେଁ । ହେଲେ ଅର୍ଥ ଅପେକ୍ଷା ଦେହର ଉପଭୋଗକୁ ସେ ବେଶୀ ପସନ୍ଦକରେ ।

ଆମ ସହିତ ଯଦି ତା’ର ଯୁକ୍ତିତର୍କ ହେଉଥାନ୍ତା, ତେବେ ସେ କହନ୍ତା–ଶତକଡ଼ା ଅନେଶ୍ୱତ ଅଧେ ମୁଁ ଜୀବନକୁ ଉପଭୋଗ କରିବାକୁ ଚାହେଁ ।

ଫାରୁକ୍‌ ମିଆଁଙ୍କର ସାମନା ଦୋକାନଟା ଲକ୍ଷ୍ମୀଧର ଦେଙ୍କର । ଲକ୍ଷ୍ମୀଧରବାବୁ ବଙ୍ଗାଳୀ-। ହେଲେ ନିଜକୁ ବଙ୍ଗାଳୀ ବୋଲି କହିବାକୁ ସେ ନିଜେ ଘୃଣାକରନ୍ତି । ଓଡ଼ିଶାର କେଉଁ ଅଖ୍ୟାତ ପଲ୍ଲୀଅଞ୍ଚଳରେ ତା’ଙ୍କ ଘର । ବାପଅଜା ଚଉଦ ପୁରୁଷ ହୁଏତ କିଏ ବଙ୍ଗଳାରୁ ପଳାଇ ଆସିଥିଲେ-

କଟକର ଏହି ଅଖ୍ୟାତ ଉପଗଳିରେ ଲକ୍ଷ୍ମୀଧରବାବୁ ପିଲାଟି ଦିନୁ ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ଲକ୍ଷପତି କହିଲେ ଅତ୍ୟୁକ୍ତି ହେବନାହିଁ ।

ଡାଲିଚାଉଳର ଭୂଷାମାଲ ଦୋକାନ । ଫାରୁକ୍‌ ପରି ଉଦ୍ଧତ ଦୋକାନଦାର ମଧ୍ୟ ତାଙ୍କପାଖରେ ମୁଣ୍ଡ ନୁଆଁନ୍ତି । ଲକ୍ଷ୍ମୀଧରବାବୁ ଶାନ୍ତ–ସରଳ–ନିରାଡ଼ମ୍ୱର ମଣିଷ ।

ନଡ଼ିଆତେଲ ଦେହରେ ହ୍ୱାଇଟ୍‌ଅଏଲ୍‌ ମିଶାଇ ବା ସୋରିଷତେଲ ଦେହରେ ବାଦାମତେଲ ମିଶାଇ ବିକ୍ରିକରିବାଟା ତାଙ୍କର ଦୋଷନୁହେଁ । ଏଇଟା ଏ ଶତାବ୍ଦୀର ଦୋଷ ।

 

ଅବଶ୍ୟ ସମୟବିଶେଷରେ ଲକ୍ଷ୍ମୀଧରବାବୁ କଣ୍ଟରୋଲ୍‌ମାଲ୍‌କୁ କଳାବଜାରରେ ବିକ୍ରି କରନ୍ତି, ଯୋଗାଣ ବିଭାଗକୁ ଲାଞ୍ଚଦିଅନ୍ତି–ହେଲେ ଏ ସବୁର ସୀମା ବାହାରକୁ ସେ ଯାଆନ୍ତିନାହିଁ । ଦୋକାନରେ ଦଶଜଣ ଲୋକ ଦେଖିଲେ ସେ କହନ୍ତି–ମୁଁ ଦଲାଲୀ କରେନାହିଁ ।

 

ବହୁ କିସମର ଲୋକ, ଏଇ ଦୋକାନର ଗ୍ରାହକ । କପଡ଼ା ଦୋକାନୀ–ମେସ୍‌ମାଲିକ–ପ୍ରଫେସର–କିରାଣୀ–ଇତ୍ୟାଦି ଇତ୍ୟାଦି ।

 

ପୁଣି କେତେଜଣ ନର୍ସ ମଧ୍ୟ ଏଇ ଦୋକାନର ଖରିଦ୍‌ଦାର । ଏ ନର୍ସ ଖରିଦ୍‌ଦାରମାନଙ୍କ ପ୍ରତି ଯେ ଲକ୍ଷ୍ମୀଧରବାବୁ ଖୁବ୍‌ ଦୟାଶୀଳ–ତାହାନୁହେଁ, ହେଲେ ଦେଖାଯାଏ, ଲକ୍ଷ୍ମୀଧରବାବୁ ଦୋକାନ ଭିତରେ ସେମାନଙ୍କୁ ଘଣ୍ଟା ଘଣ୍ଟାଧରି ଅଟକାଇ ରଖିବାକୁ ସୁଖପାଆନ୍ତି ।

 

ନାରୀପାଇଁ ପୁରୁଷର ମୋହ ଆଦିମ । ଲକ୍ଷ୍ମୀଧର ବାବୁ ଅବା ସେଥିରୁ ତ୍ରାହି ପାଆନ୍ତେ କେମିତି ?

 

ବାହାରୁ ଦୃଷ୍ଟି ଫେରାଇଲେ ଅହଲ୍ୟାଦେବୀ । ମନ ଭିତରେ ସେହି ସନତ୍‍ର ସ୍ପର୍ଶ....

 

ସାମାନ୍ୟ କିଛି ଖାଇଦେଇ ଅହଲ୍ୟା ଶୋଇବାକୁ ଆସିଛନ୍ତି । ହେଲେ ଆଜି ଆଖିରେ ନିଦ କାହିଁ ? ମୁଣ୍ଡ ଭିତରେ କେବଳ ଗୋଛା ଗୋଛା ସନତ୍‌ ଭଉଁରୀ ଖେଳି ଅହଲ୍ୟାଙ୍କୁ କୁତୁରାଉଚନ୍ତି ।

 

ରାତି ବଢ଼ିବାରେ ଲାଗିଛି.....

 

ତଥାପି ନିଦ୍ରାଦେବୀଙ୍କର କୋମଳ ଅଙ୍ଗ ଅହଲ୍ୟାକୁ ଆଲିଙ୍ଗନ କରିପାରୁନାହିଁ ।

 

କାନ୍ଥଘଣ୍ଟାରେ ଦୁଇଟା ବାଜିଲା....

 

କଟକ ସହର ନିର୍ଜନ ହୋଇ ଯାଉଛି । ଚତୁର୍ଦ୍ଦିଗରେ କେବଳ ରାତ୍ରିର ଇଶାରା ।

 

ଆଉ ହେବନି....

 

ବିଛଣା ଉପରୁ ଉଠିଲେ ଅହଲ୍ୟା । ଦୋମହଲାର ପାଉଛ ଉପରେ ଗୋଡ଼ ଦେଇ ତଳକୁ ଆସିଲେ । ସାମନା କୋଠରିଟି ମାମିଙ୍କର । ଜୀବନର ଷୋଳଟି ବର୍ଷ ଅତିବାହିତ କରିଥିଲେ ମଧ୍ୟ ରାତି ଦୁଇଟାବେଳେ ଅହଲ୍ୟା କେବେ ମାମିଙ୍କ କୋଠରିକୁ ଆସି ନ ଥିଲେ । ଆଜି ଏଇ ପ୍ରଥମ....-

 

ଆଶ୍ଚର୍ଯ୍ୟ ହେଲେ ଅହଲ୍ୟା । ମାମିଙ୍କ କୋଠରି ଖାଲି । ମନରେ କୌତୂହଳ ଜାଗିଲା । ବାପାଙ୍କ କୋଠରୀ ଆଡ଼େ ପୁଣି ମୁହାଁଇଲେ ସେ ।

 

ବାପାଙ୍କ କୋଠରି ଭିତରୁ ଚାପା ଚାପା କଣ୍ଠସ୍ୱର ଶୁଭୁଛି । ଅହଲ୍ୟା ଖୁଣ୍ଟକୁ ଆଉଜି କାନଡେରିଲେ ।

 

ବେଦନାଭରା ପରିଚିତ କଣ୍ଠସ୍ୱର । ରୀତାଦେବୀ ରଣଜିତ୍‌ବାବୁଙ୍କ ଖାଇବା ପଲଙ୍କଉପରେ ଝୁଙ୍କି ପଡ଼ି ବାରମ୍ୱାର ଅନୁରୋଧ କରିବାରେ ଲାଗିଛନ୍ତି.....

 

ଜୀବନ ! ମୋତେ ଭୁଲ୍‌ ବୁଝନି ଜୀବନ ! ସାରା ଜୀବନଟା ତୁମରି ସେବା କରି କରି କଟାଇ ଦେଲି । ହେଲେ ତଥାପି କ’ଣ ସାମାନ୍ୟଟିକେ ସ୍ନେହ, ଆଦର ପାଇବାକୁ ଅକ୍ଷମ ?

 

ଏଥର ପ୍ରଚଣ୍ଡଭାବରେ ରାଗିଉଠିଛନ୍ତି ରଣଜିତ୍‌ବାବୁ । ‘‘ମୋତେ କ୍ଷମାକର ରୀତା ! ମୁଁ ଆଉ ପାରୁନି । ସାରା ଜୀବନଟା କେବଳ ଅନୁତାପରେ କଟାଇ ଦେଲି । ତଥାପି କ’ଣ ମୋ ପାପର ପ୍ରାୟଶ୍ଚିତ୍ତ ହେଲାନି ? ଏ ବୁଢ଼ା ବୟସରେ ମଧ୍ୟ ମୋତେ ହନ୍ତସନ୍ତକରି ମାରିବାକୁ ତୁମେ ଚେଷ୍ଟାକରୁଛ ? ମୁଁ ସତକହୁଛି ରୀତା ! ତୁମେ ମରିଗଲେ ଖୁବ୍‌ ଖୁସିପାଇବି । ଜୀବନସାରା ବାରମ୍ୱାର କେବଳ ଏଇ ଅନୁରୋଧ କରି ଆସିଛି । ହେଲେ ତଥାପି ତୁମେ ବଞ୍ଚିରହି ମୋ ଗଳାରୁଦ୍ଧ କରିବାକୁ ଚେଷ୍ଟାକରୁଛ କାହିଁକି ?

 

ରୀତାଦେବୀ ପୁଣି ନିଜକୁ ପ୍ରସ୍ତୁତକରି ଯୁକ୍ତିକରିବାକୁ ଆଗଭର ହୋଇଛନ୍ତି–‘‘ମୁଁ ଜାଣେ, ତୁମେ ମୋର ମରଣ ଚାହଁ ପ୍ରିୟତମ ! ହେଲେ ଏ ଜୀବନଟା ପ୍ରତି ମୋର କାହିଁକି ଏତେ ମୋହ ମୁଁ ଜାଣିପାରୁନାହିଁ । ବାରମ୍ୱାର ମରିବାକୁ ଚେଷ୍ଟାକରିଛି । କିନ୍ତୁ ପାରିନାହିଁ । ବଞ୍ଚିରହିବାର ଅଭିଳାଷ ଛାତିଭିତରେ ଚିତ୍‌କାର କରି ଉଠିଛି ।

 

–ଏଇଠି ତୁମେ ଭୁଲ୍‌କରିଛ ରୀତା ! ତୁମେ ଯଦି ତୁମ ସ୍ୱାମୀର ମଙ୍ଗଳ ଚାହି ଥାଆନ୍ତ ତେବେ ବହୁ ଆଗରୁ ମରିଯିବା ଉଚିତ୍‌ ଥିଲା । ମୁଁ ବେଶ୍‌ ମୁତାବକ ନୂଆଘର ସଂସାର କରିପାରିଥାନ୍ତି । ଭାରତୀୟ ଜୀବନରେ ଝଡ଼ାଫୁଲର ଆଦରନାହିଁ । କେବଳ ଅନୁଶୋଚନା ଅଛି । ମୋର ଆସନରେ ତୁମେ ନିଜକୁ ବସାଇ ଦେଖ ରୀତା ! ମୁଁ କେଡ଼େ ଦୁଃଖୀ ।

 

–କିନ୍ତୁ କାହିଁକି ? କାହିଁକି ଜୀବନ ? ମୁଁ ତୁମକୁ କ’ଣ ନ ଦେଇଛି ? ଦେହ ଦେଇଛି, ମନ ଦେଇଛି । ତୁମ ପାପର କ୍ଷମା ଦେଇଛି । ତେବେ, ମୋ ପାପର କ’ଣ କ୍ଷମା ନାହିଁ ? ନାରୀ ପାପ କ’ଣ ଯୁଗ ଯୁଗ କେବଳ ଅକ୍ଷମଣୀୟ ?

 

ପୁରୁଷ ଓ ନାରୀ ମନସ୍ତତ୍ତ୍ୱର ମୁଁ ଅଧ୍ୟାପକ ହୋଇଥିଲେ ତୁମକୁ ଉତ୍ତର ଦେଇପାରନ୍ତି ରୀତା ! ହେଲେ ମୁଁ ଏ ସବୁର ଧାର ଧାରେନା । କେବଳ ସାମାଜିକ ସମ୍ମାନକୁ ଅକ୍ଷୁଣ୍ଣରଖି ମୁଁ ତୁମକୁ ସ୍ତ୍ରୀର ସମ୍ମାନଦେଇ ଆସିଛି । ସ୍ଥାନ ବିଶେଷରେ ତୁମକୁ ଅସ୍ୱୀକାର କରିବାରେ ମୋର କୁଣ୍ଠାନାହିଁ । କିନ୍ତୁ କେବଳ ସମାଜକୁ ସମ୍ମାନ ଜଣାଇ ତୁମଉପରେ କେବେହେଲେ ଅତ୍ୟାଚାର କରିନାହିଁ । ସ୍ୱାଧୀନଭାବରେ ବଞ୍ଚିରହିବାର ଅଧିକାର ଦେଇଛି । ଆଜିବି ତୁମେ କ’ଣ ସେହି ପୁହାଣୀରାତିର କଥା ମନେପକାଅ ରୀତା ! ଦେଖିବ, ରଣଜିତ୍‌ ଦେହର ରକ୍ତ ଗୁଡ଼ାକ ପାଣିଫାଟି ତଳକୁ ବହିଯାଉଛି । ରଣଜିତ୍‌ ପାଉଛ ଉପରେ ପାଉଛ ଗୋଡ଼ପକାଇ କେଉଁ ଏକ ଅଜଣା ଅଶୁଣା ରାଇଜକୁ ଚାଲିଯାଉଛି । ତୁମେ କୁହ ରୀତା ! ତୁମ ସ୍ୱାମୀର ମଙ୍ଗଳପାଇଁ ତୁମେ ମରିଯାଇଥିଲେ ବା ତୁମ ସ୍ୱାମୀକୁ ତୁମେ ଛାଡ଼ପତ୍ର ଦେଇଥିଲେ କ’ଣ ଭଲହୋଇ ନଥାନ୍ତା ?

 

ଜୀବନ୍‌ ! ମୁଁ ଅଧିକ କିଛି ଚାହେଁନି ଜୀବନ ! କେବଳ ଏଇ ୪୨ବର୍ଷର ରୁଗ୍‌ଣ ତନୁକୁ ଥରେ ହୃଦୟରେ ସ୍ଥାନ ଦେଇ କୁହ–ରୀତା ! ମୁଁ ତୁମକୁ କ୍ଷମାକରୁଛି । ବେଶ୍‌, ସେହି ମୋର ଯଥେଷ୍ଟ । ମୋର ଏ ଶିଥିଳ ବକ୍ଷ ଆଜି ତୁମର କଠିନ ହାତମୁଠାର ଉଷ୍ମତା ଭିକ୍ଷାକରୁନି । ପାଣ୍ଡୁର ଗଣ୍ଡ ଅଧର ଅତ୍ୟାଚାରର ଅଭିଳାଷୀ ମୁଁ ନୁହେଁ । କେବଳ ଚାହେଁ ଟିକେ ସ୍ୱୀକୃତି, ଟିକେ ସ୍ନେହ ।

 

ଉତ୍ତେଜନାରେ ଉଠିପଡ଼ିଲେ ରଣଜିତ୍‌ ! ନା–ତୁମେ ଶାନ୍ତିରେ ମଧ୍ୟ ଟିକେ ଶୋଇଦେବନି ରୀତା ! କର କ’ଣ କରୁଛ । ମୁଁ ଯାଇ ବାହାରେ ବସୁଛି ।

 

ଏଥର ରୀତାଙ୍କ ପ୍ରାଣରେ ଆଘାତଲାଗିଲା । ଆଖିରେ ଲୁଗାଦେଇ ଫେରିଆସିଲେ ନିଜ କୋଠରିକୁ ।

 

ଖୁଣ୍ଟକଡ଼ରୁ ଗୋଡ଼ ଚାପି ଚାପି ମଧ୍ୟ ଫେରିଆସିଲେ ଅହଲ୍ୟା ।

 

ହେଲେ ଅହଲ୍ୟାଙ୍କର ମନଭିତରେ ଝଡ଼ ଉଠିଥିଲା । ଏ ଝଡ଼ ବିଶ୍ଳେଷଣର । ସେ ବୁଝିପାରିନଥିଲେ–ମାମିର କି ଅପରାଧ । ସାମାନ୍ୟ କେଇପଦ କଥାରୁ ବହୁତ କିଛି ବୁଝିବାକୁ ଅହଲ୍ୟାଙ୍କୁ ସମୟ ଲାଗିନଥିଲା ।

 

ଅହଲ୍ୟା ବୁଝିଲେ–ମାମି, ଆଜିଯାଏ ବାପାଙ୍କର ସ୍ୱୀକୃତି ପାଇ ନାହାନ୍ତି । ଯୌବନର ରଙ୍ଗହୋରି ଖେଳଦିନ ଗଡ଼ିଯାଉଛି । ଉଦ୍ଦାମ ଯୌବନ ପିଟି ଛେଚିହୋଇ ଦୁଇଟି ଜୀବନକୁ ନଷ୍ଟଭ୍ରଷ୍ଟ କରିଛି । ହେଲେ କାହାର ସାନ୍ନିଧ୍ୟ କେହି ପାଇବାକୁ ସକ୍ଷମ ହୋଇ ପାରିନାହାନ୍ତି ।

 

କ’ଣ ଏହାର ରହସ୍ୟ..... ?

 

ରାତି ପାହି ଆସୁଛି । ସିନ୍ଦୂରା ଫାଟି ଆସୁଛି । କଟକ ସହରର ଗଳିଉପଗଳି ଆଲୋକିତ ହୋଇ ଉଠୁଛି । ଅହଲ୍ୟା ସେହି ଝରକା ଦେଇ ଚାହିଁଛନ୍ତି ବାହାରକୁ । ରାସ୍ତାଉପରେ ଆସ୍ତେ ଆସ୍ତେ ଜନସମାଗମ ଆରମ୍ଭ ହୋଇଛି ।

 

ଦ୍ୱିମହଲା ଉପରୁ ତଳକୁ ଓହ୍ଲାଇ ଆସିଲେ ଅହଲ୍ୟା । ମାମି ରୋଷେଇ ଘରକୁ ଚାଲି ଯାଇଛନ୍ତି । ଶୂନ୍ୟ କୋଠରି.....।

 

କୋଠରି ଭିତରକୁ ପ୍ରବେଶକଲେ ଅହଲ୍ୟା । ପଲଙ୍କଉପରେ ଦାମିକା ବେଡ଼୍‌ସିଟ୍‌ । ଫୁଲପକା ତକିଆ । ଏ ସବୁ ଜିନିଷକୁ ଅହଲ୍ୟା ଆଜି ନୂଆ ଦେଖିନାହାନ୍ତି । ହେଲେ ଏହାରି ଉପରେ ଯେ ଶହ ଶହ ରାତିଧରି ଗୋଟିଏ ଅତୃପ୍ତ ଆତ୍ମା ଲୋଟି ପଡ଼ୁଛି, ତାକୁ ଲକ୍ଷ୍ୟକରୁଛନ୍ତି ।

 

ହଠାତ୍‌ ତକିଆତଳେ ଥିବା ଗୋଟିଏ ଖାତା ଉପରେ ନଜର ପଡ଼ିଲା ଅହଲ୍ୟାଙ୍କର, ଖାତାଟିକୁ ଟାଣି ଆଣିଲେ ଅହଲ୍ୟା । ଉପରେ ଲେଖାଅଛି....ଆତ୍ମଲିପି ।

 

ରୀତା ଦେବୀଙ୍କର ହାତର ଲେଖା ।

 

ହୁଏତ ରୀତା ଭୁଲବଶତଃ ଖାତାଟିକୁ ତକିଆତଳେ ଥୋଇଦେଇ ଚାଲିଯାଇଛନ୍ତି କାମରେ..... । ଗତରାତିରେ କଥାଗୁଡ଼ାକ ଅହଲ୍ୟାଙ୍କ ମନଭିତରେ ସନ୍ଦେହର ବୀଜ ବୁଣିଦେଇଥିଲା-। ତେଣୁ ଅହଲ୍ୟା ଖାତାଟିକୁ ଗୁପ୍ତରେ ଧରି ଚାଲିଆସିଲେ ଉପରକୁ ।

 

ବିଳମ୍ୱ ନକରି ପୃଷ୍ଠାପରେ ପୃଷ୍ଠା ଲେଉଟାଇବାକୁ ଲାଗିଲେ । ଲେଖାଥିଲା–

 

ବହୁଦିନପରେ ଆଜିବି ତୁମକୁ ମୁଁ ମନେପକାଉଛି ଶାନ୍ତନୁ । ତୁମେ ହୁଏତ ମୋର ନାଁ’ଟା ମଧ୍ୟ ଭୁଲିଯିବାକୁ ଚେଷ୍ଟାକରିଥିବ । ନିଜର ସ୍ତ୍ରୀ ପାଖରେ ନିଜକୁ ପତ୍ନୀଭକ୍ତ ସତ୍ୟବାନ୍‌ ବୋଲି ପରିଚିତ କରାଉଥିବ । କିନ୍ତୁ ମୁଁ....ତୁମକୁ ଆଜି ପାଖରେ ପାଇଲେ କହନ୍ତି, ଭେଜାଲ ଦୁନିଆରେ ସତର ସ୍ଥାନ ନାହିଁ । ତୁମେ ଯାହାକରିଛ ନିହାତି ଠିକ୍‌ କରିଛ ।

ତୁମେ ଯାହା କରିଛ ଠିକ୍‌ କରିଛ ବୋଲି....ସେହିଦିନର କଥାଗୁଡ଼ାକୁ ସଂକ୍ଷେପରେ ଏଠାରେ ଟିପି ଦେଉଛି, କେବଳ ମନେପକାଇବା ପାଇଁ । ତା’ପରେ, ମୋର ଆଜିକା ଜୀବନକଥା ମଧ୍ୟ ମୁଁ ସଂକ୍ଷେପରେ କହିବି । ଇତି ରୀତା....

ରବିବାର.....

ରବିବାସରୀୟ ସଂଧ୍ୟାଟାକୁ ଉପଭୋଗ କରିବାକୁ ତୁମେ ହୁଏତ ଆମଘରକୁ ଆସିଥିଲ । କଷ୍ଟ ମ୍ୟାଟ୍ରିକ୍‌ ଇଂରାଜୀ ପୋଏଟ୍ରିଟାକୁ ବୁଝିବାକୁ ମୁଁ କସ୍‌ରତ୍‌ ଆରମ୍ଭକରି ଦେଇଥିଲି । ତୁମେ ବୋଉପାଖରେ ବସି କ’ଣ ଗପସପ କରୁକରୁ ମୋ ଆଡ଼େ କଣେଇ କଣେଇ ଚାହୁଁଥିଲ ।

ହଠାତ୍‌ ମୋର ଗୋଟାଏ ଅର୍ଥ ହୁଏତ ଭୁଲ୍‌ ହୋଇ ଯାଇଥିଲା । ତୁମେ ବୋଉପାଖରୁ ଉଠିଆସି ମୋ ପାଖରେ ବସିଥିଲ । ମୋତେ କିଛି ପାଠ ପଚାରିବାକୁ ଉପକ୍ରମ କରିଥିଲ । ମୁଁ ଲଜ୍ଜାନତ ମଥାତୋଳି ତୁମଆଡ଼କୁ ଅନାଇ ପାରିନଥିଲି ।

ତୁମେ କିନ୍ତୁ ବାରମ୍ୱାର ଅଭୟବାଣୀ ଶୁଣାଉଥିଲ । ବୋଉ ମଧ୍ୟ ମୋତେ ଅଭୟବାଣୀ ଶୁଣାଉଥିଲା । କାରଣ ସୂର୍ଯ୍ୟୋଦୟ ଆଗରୁ ଉଷାର ନରମ ଆଲୋକ ଫୁଟିଉଠିବା ପରି ବନ୍ଧୁତ୍ୱର ଆବରଣତଳୁ କାମନାର ସର୍ବଗ୍ରାସୀ ଆକାଂକ୍ଷା ଯେ ସ୍ରୋତସ୍ୱିନୀ ହୁଏ, ଏ ଚିନ୍ତା ବୋଉର ନଥିଲା ।

ତୁମେ ମୋତେ ଡାଫୋଡ଼ିଲ୍‌ସ୍‌ର କୋମଳ ତନୁଶ୍ରୀ ସମ୍ୱନ୍ଧରେ ବହୁତ କିଛି ପ୍ରଶ୍ନ ପଚାରିଥିଲ । ୱାଡ଼ର୍ସୱାର୍ଥଙ୍କର ତରଳ କବିପ୍ରାଣ ଡାଫୋଡ଼ିଲର ରୂପମାଧୁର୍ଯ୍ୟ ସମ୍ୱନ୍ଧରେ ନୀରବ ରହିଥିଲେ ମଧ୍ୟ ତୁମେ ମୁଖର ହୋଇଉଠିଥିଲ । ବ୍ୟାଖ୍ୟାର ପ୍ରଥମ ବାକ୍ୟରେ ତୁମେ କହିଥିଲ.....‘‘ନବବିକଶିତ ଡାଫୋଡ଼ିଲ ଫୁଲ ହ୍ରଦକଡ଼ରେ ଷୋଡ଼ଶୀର ରୂପଧରି ମୁଣ୍ଡହଲାଉଥିଲେ’’ । ତୁମ ପୁରୁଷପ୍ରାଣ ହୁଏତ ସେତେବେଳେ ଟିକେ ଆନନ୍ଦ ପାଇଥିଲା ।

ତା’ ପରେ..... ।

ସୋମବାର.....

ସ୍କୁଲଯିବା ବାଟରେ ସାଇକେଲ୍‌ ଧରି ତୁମେ ମୋର ପଛେ ପଛେ ଯାଇଥିଲ । କେତେ ଅଦରକାରୀ ପ୍ରଶ୍ନ ମଧ୍ୟ ପଚାରୁଥିଲ । ବେଳେବେଳେ ମୁଁ ଅସୁବିଧା ଅନୁଭବ କରୁଥିଲେ ମଧ୍ୟ ଉନ୍‌ମନା ହେଉଥିଲି । ତୁମରି ଭୂତ ମୋ ମନଭିତରେ ଆସନ ପାତୁଥିଲା । ମୁଁ ତୁମକୁ ବିଶ୍ଳେଷଣ କରୁଥିଲି । ବୁଝିବାକୁ ଚେଷ୍ଟା କରୁଥିଲି ।

 

ତୁମକୁ ଆଜି ପ୍ରଶଂସା କରୁଛି ଶାନ୍ତନୁ, କାରଣ ତୁମେ ଠିକ୍‌ ବୁଝିଥିଲ–ନାରୀପ୍ରାଣର ଦୁର୍ବଳତା କେଉଁଠି ।

 

ମଙ୍ଗଳବାର......

 

ମୌନ ସଂଧ୍ୟାର କ୍ଷୀଣ ଦୀପାଳୀ ଆଲୋକ ଅଗଣାରେ ବିଛାଡ଼ି ହୋଇପଡ଼ିଥାଏ । ସେଦିନ ପଡ଼ାର ଆଦିପର୍ବ ମୁଁ ବୁଝିବାକୁ ଚେଷ୍ଟାକରୁଥାଏ । ଠିକ୍‌ ସେହି ସମୟରେ ଆସିଥିଲ ତୁମେ-। ମନରେ ଭୟ, ଭ୍ରାନ୍ତି, ଗ୍ଳାନି ନଥିଲା । ତୁମେ ଗଙ୍ଗାଧର ମେହେରଙ୍କର ପ୍ରଣୟବଲ୍ଲରୀ କାବ୍ୟଟିକୁ ମୋ ପାଖରୁ ଖୋଜି ବସିଥିଲ ।

 

ଆଉ ମୁଁ.....

 

ଖୁବ୍‌ ସହୃଦୟତାର ସହିତ–ଟ୍ରଙ୍କ୍‌, ପେଟରା, ଥାକ ଖୋଜି ବହିଟିକୁ ଆବିଷ୍କାର କରିଥିଲି-। ଆବେଗରେ ବହିଟି ତୁମ ହାତକୁ ବଢ଼ାଇଦେବା ବେଳେ ତୁମେ ଜାଣି ଜାଣି ବହି ମିଶା ମୋ ହାତଟାକୁ ଧରିପକାଇଥିଲ । ଦେହରେ ଚୁମ୍ୱକ୍‍ ଖେଳିଲା ପରି ମୁଁ ଥରିଉଠିଲି ।

 

ତା’ପରେ..... ।

 

ବୁଧବାର ରାତି ନଅଟା । ବହିଟିକୁ ଫେରାଇ ଦେବାର ଆଳ ଧରି ତୁମେ ଆସିଥିଲ । ନେବାକୁ ମୁଁ ହାତ ବଢ଼ାଇଥିଲି । କିନ୍ତୁ ତୁମେ ହାତରେ ନଦେଇ ହସି ହସି ମୋ ବକ୍ଷଉପରକୁ ଫିଙ୍ଗି ଦେଇଥିଲ । ପ୍ରଣୟବଲ୍ଲରୀଟି ବକ୍ଷଦେଶରେ ଅଜସ୍ର ଯନ୍ତ୍ରଣାଯୁକ୍ତ ଆଘାତ ଦେଇଥିଲେ ମଧ୍ୟ ଘୂମନ୍ତ ପ୍ରଣୟ ସୃଷ୍ଟିକରି ଖସି ପଡ଼ିଥିଲା ତଳେ ।

 

ଏହି ଦିନଠାରୁ ଅନେକ ସମୟରେ ପାଠପଢ଼ାକୁ ଗୋଳମାଳ କରୁଥିଲା ତୁମର ଆବିର୍ଭାବ ।

 

ଗୁରୁବାର....

 

ଆଜି ଗୁରୁବାର । ଓଡ଼ିଆ ଘରର ଶ୍ରେଷ୍ଠଦିନ । ତୁମେ ଆମ ଘରକୁ ପଶିଆସି କହିଥିଲ–ମାଉସୀ ! ଆଜି କିଛି ଖାଇବାକୁ ଦିଅ । ବୋଉ କହିଥିଲା.....ମୁଁ ତ ଖଳାଟାକୁ ଲିପିବାକୁ ଯାଉଛିରେ ପୁଅ ! ରୀତାକୁ କୁହ ଚକୁଳିଟାଏ କରିଦେବ । ତା’ପରେ ସେହି ଯୁକ୍ତିଧରି ତୁମେ ମୋ ପାଖକୁ ଆସିଥିଲ । ପିଠା କରିବାକୁ ଡାକିଥିଲ । ମୁଁ ହସିହସି ବାରଣ କରିଥିଲି । ତୁମେ ମୋ ହାତଧରି ଟାଣିବାକୁ ଆରମ୍ଭ କରିଥିଲ । ମୁଁ ରକ୍ଷା ପାଇବାକୁ ଝିଙ୍କିଟାଣି ହେଉଥିଲି । ତୁମ ହାତ ଖସିଯାଇଥିଲା-। ମୁଁ ପଳାଇବାକୁ ଚେଷ୍ଟା କରୁଥିଲି । ହେଲେ ଠିକ୍‌ ସେହି ସମୟରେ ଦ୍ରୁତଗତିରେ ତୁମ ହାତଟା ମୋ କାଖତଳକୁ ଖସିଯାଇ ବକ୍ଷଦେଶରେ ଯନ୍ତ୍ରଣା ସୃଷ୍ଟି କରିଥିଲା ।

 

ଆଉ ପଳାଇଯିବାର କ୍ଷମତା ନଥିଲା ।

 

ଭୟ....ଆନନ୍ଦ...ଅଭିମା....

 

ତାଉଆ ଉପରେ ପିଠାଗୁଡ଼ାକ ଗୁଡ଼େଇ ତୁଡ଼େଇ ହୋଇଯାଉଥିଲା । ଏହା ଭିତରେ ବହୁତଗୁଡ଼ାଏ ଅତ୍ୟାଚାରିତ ଦିନ କଟିଛି ।

 

ସେଦିନ କୁଆଁର ପୁନେଇଁ.....

 

ଆମ ଗାଁ ଆକାଶରେ ନହୁଲୀ ଚାନ୍ଦ ଉଠିଛି । କୁମାରୀ ମେଳରେ ମୁଁ ସେ ଚାନ୍ଦକୁ ଉପଭୋଗ କରିଛି । ଗୀତଗାଇଛି ଆଉ ନାଚିଛି ।

 

ଠିକ୍‌ ଏହି ସମୟରେ ତୁମେ ଆସିଲ ।

 

କେତେ ଆଳ କରି ସାଥୀ ମେଳରୁ ମୁଁ ଖସି ଆସିଥିଲି ।

 

ତା’ ପରେ....

 

ଆମ ଗାଁ କଡ଼ରେ ବହିଯାଇଥିବା କ୍ଷୀଣସ୍ରୋତା ନଦୀର ବାଲିଉପରକୁ ଆମେ ଚାଲିଯାଇଥିଲେ । କେତେ ଗପର ଜୁଆର ଉଠିଥିଲା । ଛାତି ଉଠୁଥିଲା ପଡ଼ୁଥିଲା । କଥାର ସୁଅଭିତରେ ତୁମେ ମୋତେ କୋଳକୁ ଉଠାଇ ନେଇଥିଲ । ଆଶ୍ଳେଷ ଦେଇଥିଲ । ଉଦ୍ଦୀପନା ଦେଇଥିଲ । ତା’ପରେ.....ବହୁତ କିଛି–ସବୁକିଛି– ।

 

ଆଜି ବି ସେମିତି ଗୋଟାଏ ଭଲଦିନ....

 

ଆମ ଗାଁ’ରେ ଥିଏଟର ହେଉଥିଲା । ମୋ ସାଙ୍ଗସାଥିଙ୍କ ମନର ଆନନ୍ଦ କହିଲେ ନସରେ । ସ୍ୱାଧୀନ ଭାବରେ ସେଦିନ ଆମେ ବୁଲୁଥିଲୁ । ଥିଏଟର ଆରମ୍ଭ ହୋଇଥିଲା ।

 

ତୁମେ ମୋତେ ତୁମ ଘରକୁ ଡାକିଥିଲ । ମୁଁ ଯାଇଥିଲି । ଘରେ କେହି ନଥିଲେ । ଏକୁଟିଆ ଘରଭିତରେ ତୁମେ ଓ ମୁଁ । ଦଣ୍ଡଘରର ଦଉଡ଼ିଆ ଖଟିଆଟି ଉପରେ ତୁମେ ମୋତେ ବସିବାକୁ କହିଥିଲ । ମୁଁ ରାଜିହୋଇନଥିଲି । ତେଣୁ ହସି ହସି ତୁମେ ମୋତେ ଖଟିଆଟି ଉପରକୁ ପେଲି ଦେଇଥିଲ ।

 

ତା’ପରେ.....ତା’ପରେ.....

 

ଏଇ ମୋର ଜୀବନ । କଳଙ୍କିତ ଇତିହାସ ଧରି ମୋର ଜୀବନ ଗଡ଼ିଆସିଥିଲା । ହେଲେ ଯେଉଁଦିନ ଆଇ.ଏ.ଏସ୍‌. ଅଫିସର ରଣଜିତ୍‌ବାବୁଙ୍କ ପ୍ରସ୍ତାବ ଆମ ଘରେ ପଡ଼ିଲା–ସେଦିନ ମୁଁ ଲୋଭସମ୍ୱରଣ କରିପାରିଲି ନାହିଁ । ରଣଜିତ୍‌ବାବୁଙ୍କ କାଳ୍ପନିକରୂପ ମୋ ମନରେ ଇନ୍ଦ୍ରଜାଲ ସୃଷ୍ଟିକଲା ।

 

ସାମାଜିକ ଖ୍ୟାତି, ଅର୍ଥଲୋଭ, ପଦସମ୍ମାନ, ସଦ୍‌ଗୁଣସବୁଗୁଡ଼ିକ ନାରୀଜୀବନର ସବୁଠାରୁ ବଡ଼ କାମ୍ୟ ଜିନିଷ । ରଣଜିତ୍‌ବାବୁଙ୍କର ଏ ସବୁ ଥିଲା । ତେଣୁ ମୁଁ ଶାନ୍ତନୁକୁ ଭୁଲିଯିବାକୁ ଯୁଦ୍ଧ ଆରମ୍ଭ କରିଦେଇଥିଲି । ଫଳରେ ସେଇଆହିଁ ହୋଇଥିଲା ।

 

ମୁଁ ହୋଇଥିଲି ଆଇ.ଏ.ଏସ୍‌. ଅଫିସର ରଣଜିତ୍‌ କାନୁନ୍‌ଗୋଙ୍କ ସହଧର୍ମିଣୀ ।

 

କିନ୍ତୁ !

 

ମଧୁଶଯ୍ୟାର ପ୍ରଥମ ରାତ୍ରି । ବହୁ ଆକାଂକ୍ଷିତ ଏ ରାତ୍ରି । ଦୀର୍ଘ ଷୋଳଟି ବସନ୍ତର ତନ୍ଦ୍ରାଭିତରୁ ଏହାର ଜନ୍ମ । ଉତ୍ସାହ, ଉଦ୍ଦୀପନା, ଅଭିମାନ ଏକତ୍ରିତ ହେବାର କଥା ।

 

ହେଲେ କାହିଁ ସେ ଉଦ୍ଦୀପନା–?

 

ପ୍ରଥମଥର ପାଇଁ ମୋତେ କୋଳକୁ ଟେକି ନେଇଥିଲେ ରଣଜିତ୍‌ବାବୁ ।

 

ନିଜକୁ ସଂଯତକରି ମୁଁ ଅଭିନୟ ଆରମ୍ଭ କରିଥିଲି ।

 

କିନ୍ତୁ–

 

ଅଭିଜ୍ଞ ରଣଜିତ୍‌ବାବୁଙ୍କ ନିକଟରେ ମୋର ଅଭିନୟ ଧରାପଡ଼ିଯାଇଥିଲା । ସେ ସବୁକଥାକୁ ଟିକି ନିଖି ପରୀକ୍ଷାକରିବାକୁ ଲାଗିଲେ । ପ୍ରଶ୍ନପରେ ପ୍ରଶ୍ନ ପଚାରି ମୋତେ ଘାଉଲାକଲେ । ମୋର ନାରୀଧର୍ମ ଭୁଲୁଣ୍ଠିତ ହୋଇଗଲା ।

 

ରଣଜିତ୍‌ବାବୁଙ୍କୁ ଠକିବାକୁ ମୁଁ ଅକ୍ଷମ ହେଲି । ତେଣୁ ହୃଦୟର ଗୋପନକାହାଣୀଗୁଡ଼ାକୁ ଖୋଲି ଆଶ୍ୱସ୍ତ ହେବି ବୋଲି ମନସ୍ଥ କଲି ।

 

ରଣଜିତ୍‌ବାବୁ ଶୁଣୁଥିଲେ....ଏକ ଲୟରେ ।

 

ସତରେ, ପୁରୁଷ ପ୍ରାଣ ଯେ ସ୍ଥାନ ବିଶେଷରେ ଏତେ ଦୁର୍ବଳ, ଏ ଧାରଣା ମୋର ନଥିଲା । ରଣଜିତ୍‌ବାବୁ ମୋର କାହାଣୀ ଶୁଣିବାପରେ ଆଶ୍ୱସ୍ତହୋଇ ଘୁମେଇ ପଡ଼ିଲେ । ହେଲେ ରାତି ପାହିଲାବେଳକୁ ତାଙ୍କର ଆଉ ଉଠିବାର ଶକ୍ତି ନଥିଲା । ସେ ଥରୁଥିଲେ ଠିକ୍‌ ବରଡ଼ାପତ୍ର ପରି । ଗୋଟାଏ ରାତିର ବ୍ୟବଧାନରେ ରଣଜିତ୍‌ବାବୁ ପ୍ରାୟ ଦଶବର୍ଷ ଆଗେଇ ଯାଇଥିଲେ ।

 

ତା’ପରେ.....

 

ରଣଜିତ୍‌ବାବୁଙ୍କୁ ମୁଁ ବହୁରୂପେ ନିଜର କରିବାକୁ ଚେଷ୍ଟାକରିଛି । ନିଜର କରିବାକୁ ଉପକ୍ରମ କରିଛି । କ୍ଷମା ମାଗିଛି । ନାରୀତ୍ୱର ଭିକାରୁଣୀ ସାଜିଛି । ହେଲେ....ରଣଜିତ୍‌ବାବୁ ହୋଇଛନ୍ତି.....ମୂକ....ବଧିର....ଅଥର୍ବ ।

 

+ + + +

 

ବିବାହପରେ ଆହୁରି ଛବିଶିଟି ବସନ୍ତ ଛାତିଉପରେ ନାଚିକୁଦି ଚାଲିଯାଇଛି । ହେଲେ ରଣଜିତ୍‌ବାବୁଙ୍କ ମନଭିତରେ ଆଉ ବସନ୍ତର ମଳୟ ବହିନାହିଁ । ସୃଷ୍ଟିର ସ୍ୱପ୍ନ ଜାଗିନାହିଁ ।

 

ଆହୁରି କ’ଣ ପଢ଼ିବାକୁ ଯାଉଥିଲେ ଅହଲ୍ୟା । ତଳୁ ରଣଜିତ୍‌ବାବୁ ପାଟିକରି ଡାକିକହିଲେ–ସନତ୍‌ ଆସିଲାଣି ଅରୁ ! ତା’ ପାଇଁ ଚାହାଟିକେ ଆଣ ।

 

ଅହଲ୍ୟା ଖାତାଟିକୁ ପୁଣି ଗୁପ୍ତରେ ପଣତତଳେ ଲୁଚାଇ ମାମିଙ୍କର ତକିଆ ତଳେ ଥୋଇଦେଇ ଚାହା ଆଣିବାକୁ ଗଲେ । ସେତେବେଳକୁ ରୀତାଦେବୀ ପୂଜାରୀ ସହିତ ସହଯୋଗ କରି ବହୁତ କିଛି କାମ ଉଠାଇନେଇଥିଲେ । ମୁହଁରେ ଗତରାତ୍ରିର ବେଦନା ନଥିଲା । ଗୃହିଣୀର ଦାୟିତ୍ୱ ଥିଲା ।

 

ରୋଷେଇ ଘର ଭିତରକୁ ପଶିଯାଇ ଅହଲ୍ୟା ଠିଆହେଲେ । ରୀତାଦେବୀ ବୁଝିଲେ, ଅହଲ୍ୟା ଚାହାପାଇଁ ଆସିଛି । ଦୁଇ ହାତରେ ଦୁଇଟି କପ୍‌ ଧରାଇଦେଇ କହିଲେ–ନେ.....ମାଆ । ଦେଇଆସି ଆଉ ଗୋଟାଏ କପ୍‌ ତୋ ନିଜପାଇଁ ନେଇଯିବୁ ।

 

ଅହଲ୍ୟା ଚାହାକପ୍‌ ଧରି ଫେରି ଆସିଲେ ।

 

ଜୀବନର ସୁଖମୟ କବିତା ଦେହରୁ ଅହଲ୍ୟା ଗୋଟାଏ ଇମେଜ୍‌ ହରାଇ ବସିଥିଲେ । ଆଜି ତାଙ୍କୁ ଅନେକ ଭାବିବାକୁ ଖୁବ୍‌ ଅବସର ମିଳିଥିଲା । ଦୟାବାନ୍‌ ମାଟିର ବୁକୁରେ ପଡ଼ିରହି ସେ ତେଲଲୁଣର ଚିନ୍ତାକରୁ ନଥିଲେ ।

 

ହେଲେ.....

 

ମର୍ମନ୍ତୁଦ ଏ ଚିନ୍ତା । ମର୍ମନ୍ତୁଦ ଏ କଳ୍ପନା । ବାପା ଓ ମାମି । ଯେଉଁ ଦୁଇଜଣଙ୍କୁ ସେ ସଂସାରରେ ସବୁଠାରୁ ଅଧିକ ସ୍ନେହ, ଶ୍ରଦ୍ଧା ଭକ୍ତି କରନ୍ତି–ସେହି ଦୁଇଜଣ, ଗୋଟାଏ ବିରାଟ ମରୁଭୂମିର ଖାପଛଡ଼ା ଘୂର୍ଣ୍ଣିବାୟୁ ।

 

ବାପା ନିଜର ବ୍ୟର୍ଥ ଅତୀତକୁ ଭୁଲିବାକୁ ପ୍ରବଳ ଚେଷ୍ଟା ଚଳାଇଛନ୍ତି । ଆଉ ମାମି ଅତୀତକୁ ବିଶ୍ଳେଷଣକରି ବର୍ତ୍ତମାନର ସ୍ୱପ୍ନ ଦେଖୁଛନ୍ତି । ମନଭିତରେ ସ୍ୱପ୍ନର ବିଳାସ ନାହିଁ......ଅଛି କେବଳ ବାସ୍ତବମୁଖୀ ହେବାର ପ୍ରଚଣ୍ଡ କାମନା ।

 

ପୁଣି ମୁହଁ ବୁଲାଇଥିଲେ ଅହଲ୍ୟା । କେବଳ ମାମି ବା ବାପା ନୁହଁନ୍ତି, ହୁଏତ ଜଗତରେ ଆହୁରି ଅନେକ ଅତୃପ୍ତ ବାସନା ଏମିତି ରେଖା କାଟି କେନ୍ଦ୍ରର ଚାରିପାଖେ ଘୂରିବାରେ ଲାଗିଥିବ । ଭେଜାଲ ଦୁନିଆଁରେ ମଣିଷ ମଣିଷକୁ ଚିହ୍ନିବା କଷ୍ଟସାଧ୍ୟ..... ।

 

ପାଖ ତେଲ୍‌ଗୁ ବସ୍ତିର ରାମୁଲ୍‌ ସ୍ତ୍ରୀ କଥା ଚିନ୍ତାକରୁଥିଲେ ଅହଲ୍ୟା ।

 

ସେଦିନ ଜରୁଆ ଛୁଆଟାକୁ ଗଣ୍ଡାଏ ଗରମଭାତ ଖୋଇବାକୁ ଦେବ ବୋଲି ରଣଜିତ୍‌ବାବୁଙ୍କ ଦ୍ୱାରସ୍ଥହୋଇଥିଲା । ସ୍ନେହଶୀଳା ରୀତା ତା’ର ଅନ୍ତରଫଟା କାହାଣୀ ଶୁଣି ବିଗଳିତ ହୋଇପଡ଼ିଥିଲେ । ବହୁତ କିଛି ଶୁଣିବାକୁ କାନଡେରି ଅନେଇ ବସିଥିଲେ ।

 

ରାମୁଲ୍‌ର ସ୍ତ୍ରୀ....କହୁଥିଲା ତା’ର ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତର ଜୀବନ ।

 

ଆନ୍ଧ୍ର ପ୍ରଦେଶର ଶ୍ରୀକାକୋଲମ୍‌ ସହରରେ ତା’ର ଜନ୍ମ । ବାପା ଦରିଦ୍ର । ରିକ୍‌ସା ଟାଣୁ ଟାଣୁ ବାପା ପ୍ରାଣତ୍ୟାଗ କରିଥିଲା । ସେଇ ସୁବିଧା ନେଇ ପାଖ ପଡ଼ୋଶୀ ଆପାରାଓ ତାକୁ ରାତି ରାତି ଧରି ପଳାଇ ଆସିଥିଲା ବରହମ୍‌ପୁର । ଆପାରାଓ ପରିଶ୍ରମୀ ଆଉ ଜୁଆନ । ବରହମ୍‌ପୁରରେ କିଛିଦିନ ସୁରୁଖୁରୁରେ କଟିଥିଲା ।

 

ସେଦିନ କି ବେଳରେ ଆପାରାଓ ଘରୁ ବାହାରିଲା କେଜାଣି ରାତିକୁ ଆଉ ଫେରିଲା ନାହିଁ । ସେଇ ରାତିରେ ତା’ର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ସୂରୁଜ ଉଦୟ ହେବାବେଳକୁ ଆପାରାଓର ଘରେ ଶୁଭିଥିଲା କୁଆଁ କୁଆଁ ରବ । ପୁଅଟିଏ ଜନ୍ମ ହୋଇଥିଲା ।

 

କିନ୍ତୁ ଆପାରାଓ ଆଉ ପୁଅ ମୁହଁ ଦେଖି ନ ଥିଲା । କେଉଁଆଡ଼େ ଗଲା ତା’ର ଠିକଣା ମଧ୍ୟ କେହି କହିପାରିଲେ ନାହିଁ ।

 

ସେତେବେଳେ ପାଖ ଆଖ ଗୋଟିଏ କୁଡ଼ିଆ ଘରେ ରହୁଥିଲା ଏହି ରାମୁଲ୍‌ । ଅଯାଚିତଭାବେ ସାହାଯ୍ୟ କଲା । ଏବେ ସେ ରାମୁଲର ସ୍ତ୍ରୀ ହୋଇ ଆସିଛି ଏଠାକୁ । ଆପାରାଓ ଆଡ଼ୁ ହୋଇଥିବା ପୁଅଟି ମଧ୍ୟ ରାମୁଲ ପାଖରେ ଅଛି । କିନ୍ତୁ ରାମୁଲ କେବେ ପିଲାଟି ପ୍ରତି ହିଂସା କରେନାହିଁ । ସ୍ନେହ କରେ, ଆଉ ଶ୍ରଦ୍ଧା କରେ ।

 

ସେହି ପିଲାଟିକୁ ଦୁଇଦିନ ହେଲା ଜର । ତେଣୁ ରାମୁଲ ଛାତିଫଟା ପରିଶ୍ରମ କରି ରିକ୍‌ସା ଟାଣୁଛି । ଦି’ପଇସା ବଳିପଡ଼ିଲେ ଡାକ୍ତରବାବୁଙ୍କୁ ଡାକି ଦେଖାଇବ ।

 

କାହାଣୀ ଶୁଣି ରୀତା ଦେବୀଙ୍କ ଆଖିରୁ ବହିଆସିଥିଲା ଲୁହ ।

 

ଅହଲ୍ୟା ବିଗତ ସେହି କାହାଣୀକୁ ବିଶ୍ଳେଷଣ କରୁଥିଲେ । ହୁଏତ ଏହି ତୈଲଙ୍ଗୀ ନାରୀଟିର ଜୀବନ ବାପା ଓ ମାମିଙ୍କଠାରୁ ମଧ୍ୟ ଭଲ ।

 

ପେଟ ପାଇଁ ଚିନ୍ତା ଅଛି, ହେଲେ ମନପାଇଁ ଚିନ୍ତା ନାହିଁ । ଅବଶୋଷ ନାହିଁ ।

 

ଏମାନଙ୍କ ପକ୍ଷରେ ଦେହର ମୋହ ବଡ଼ ନୁହେଁ । ଦେହ ଗୋଟିଏ ଚଲାପଥ । ବହୁ ଲୋକ ଆସିବେ ଆଉ ଯିବେ ।

 

ଚାଲିବାର ସ୍ମୃତି ନାହିଁ । ଫେରିବାର ବିରକ୍ତି ନାହିଁ ।

 

ଏଇ ପୁରାତନ କୁଲି ବସ୍ତିର ଜୀବନ ଆଧୁନିକ ସଭ୍ୟତା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛି ମାତ୍ର । ଦେହର ପରିଚର୍ଯ୍ୟାରେ ଯେବେ ବେଦନା ନରୁହନ୍ତା, ତେବେ ହୁଏତ ଆତ୍ମହତ୍ୟା, ଆତ୍ମଚିନ୍ତା ବହୁ ଅଂଶରେ ଲୋପ ପାଇ ଯାଆନ୍ତା ।

 

ଅହଲ୍ୟା ଆହୁରି କ’ଣ ଚିନ୍ତା କରିବାକୁ ଯାଉଥିଲେ । ନୀରବତା ଭଙ୍ଗକରି ଆସିଲା ସନତ୍‌ । ସନତ୍‍ର ଅଙ୍ଗ ପ୍ରତ୍ୟଙ୍ଗରେ ବୟସର ଦୁଷ୍ଟାମୀ । ଆଖିରେ ଶାସକର ଚାବୁକ ।

 

ସୋଫା ଉପରେ ବସି ଯାଉ ଯାଉ ସନତ୍‌ କହିଲା–ଆସ ଟିକେ ଛାତ ଉପରେ ବୁଲି ଆସିବା ଅହଲ୍ୟାଦେବୀ ।

 

ଅହଲ୍ୟା କିନ୍ତୁ କିଛି ନ ଶୁଣିବା ପରି ମୁହଁ ବୁଲାଇ ଦେଲେ । କାରଣ କାଠଯୋଡ଼ି ବାଲିର ଘଟଣା ତାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ସେ ସନତ୍‍ର କଥାବାର୍ତ୍ତା, ହାବଭାବକୁ ପସନ୍ଦ କରୁ ନ ଥିଲେ ।

 

ସନତ୍‌ କିଛି ଛାଡ଼ିବାର ପିଲା ନୁହେଁ । ସୋଫା ଉପରୁ ଉଠି ଅହଲ୍ୟାଙ୍କ ପାଖକୁ ଆସିଲା-। ହାତଟାକୁ ଧରି ପକାଇ ଅଭିନୟ କରିବା ଭଳି ଭଙ୍ଗୀରେ କହିଲା–ରାଗିଚ ?

 

କି ଉତ୍ତର ଦେବେ ଅହଲ୍ୟା ?

 

ନାରୀ ହୃଦୟ ଜୟ କରିବାକୁ ପୁରୁଷର ଏ ଚିରାଚରିତ ଆଦିମ ପ୍ରଶ୍ନ । ନାରୀ କିନ୍ତୁ ପୁରୁଷର ଏ ପ୍ରଶ୍ନ ସମାଧାନ କରିବାକୁ ଅକ୍ଷମ ହୁଏ । ପ୍ରତିବାଦ କରିବାକୁ ଅକ୍ଷମ ହୁଏ । ତେଣୁ ଅଭିଯୋଗକୁ ବଳିଷ୍ଠ କରିପାରେ ନାହିଁ ।

 

ଠିକ୍‌ ତାହାହିଁ ହେଲା ଅହଲ୍ୟାଙ୍କ ଭାଗ୍ୟରେ । ସନତ୍‍ର ପ୍ରଶ୍ନରେ ଅହଲ୍ୟା ନୀରବ ରହିଲେ । ସନତ୍‌ ଅହଲ୍ୟାଙ୍କର ହାତଟିକୁ ଧରି ଛାତ ଉପରକୁ ଝିଙ୍କି ନେଉ ନେଉ କହିଲା–ତୁମେ ସିନା ରାଗିଛ । ହେଲେ ମୁଁ ତ ରାଗିନାହିଁ । ତେଣୁ ତୁମକୁ ମୋ ସହିତ ଯିବାକୁ ପଡ଼ିବ ।

 

କଟକ ସହରର ଦ୍ୱିମହଲା ଛାତ ।

 

ପ୍ରଚୁର ସୂର୍ଯ୍ୟାଲୋକ ବିଛାଡ଼ି ହୋଇ ପଡ଼ିଛି ଚତୁର୍ଦ୍ଦିଗରେ ।

 

ସନତ୍‌ ପୁଣି ପ୍ରଶ୍ନ କଲା–ମୋ ପାଖରେ ବସିବାକୁ ତୁମକୁ କ’ଣ ଖରାପ ଲାଗୁଛି ଅହଲ୍ୟାଦେବୀ ?

 

ଏ ଅଭିନୟର କାହାଣୀ ଶୁଣିବାକୁ ଅହଲ୍ୟାଙ୍କ ଦେହରେ ଧୈର୍ଯ୍ୟ ନ ଥିଲା । ସେ ବିଜୁଳି ପରି ହାତଟାକୁ ଝିଙ୍କି ଆଣିଲେ ସନତ୍‍ର ହାତ ମୁଠାରୁ ।

 

ଏଥର ସନତ୍‌ ଜାଣିଲା ଅହଲ୍ୟା ତା’ ଉପରେ ଭୀଷଣ ରାଗି ଯାଇଛନ୍ତି । କ’ଣ ଟିକେ ଚିନ୍ତା କଲା ସନତ୍‌ । ତା’ପରେ–

 

ଦୋ’ମହଲାର ବାଢ଼ା ନିକଟକୁ ଆଗେଇ ଆସି କହିଲା–ତୁମର ଚିକିତ୍ସା ଆରମ୍ଭ କରି ମୁଁ ଗୌରବ ନେବି ବୋଲି ଆଶା କରିଥିଲି । ହେଲେ ପ୍ରଥମରୁ ତୁମେ ମୋ ଉପରେ ରାଗିବା ଆରମ୍ଭ କରି ଦେଇଛ । ତେଣୁ ମୋର ଚିକିତ୍ସାର ଆଉ ମୂଲ୍ୟ କ’ଣ ଅଛି ? ଏ ଜୀବନ ରହି ଲାଭ କ’ଣ ?

 

କଥା କହୁଁ କହୁଁ ସନତ୍‌ ବାଢ଼ା ଉପରକୁ ଝୁଙ୍କି ପଡ଼ିଥିଲା । ସତେ ଯେମିତି ଅହଲ୍ୟାଙ୍କ ସମର୍ଥନ ନ ପାଇଲେ ସେ ଦ୍ୱିତଳ ପ୍ରାସାଦ ଉପରୁ ଡେଇଁପଡ଼ି ପ୍ରାଣ ହରାଇବ ।

 

ବିଜୁଳି ବେଗରେ ଚିତ୍‌କାର କରି ଉଠିଲେ ଅହଲ୍ୟା–ନା.....

 

ଅଟକି ଗଲା ସନତ୍‌ ।

 

ସେତେବେଳେ ସନତ୍‍ର ଫାଙ୍କା ଛାତଟା କଥା ଖିଆଲ ନ ଥିଲା । ମନ ଉତ୍‌ଫୁଲ୍ଲିତ ହୋଇ ଉଠିଥିଲା । ଏ ଆନନ୍ଦ ଅହଲ୍ୟାଙ୍କର ସମର୍ଥନ ପାଇଁ ନ ଥିଲା, ଥିଲା ସ୍ୱରତନ୍ତ୍ରୀ ପାଇଁ ।

 

ଛାତର ବାଢ଼ା କଡ଼ରୁ ଅହଲ୍ୟାଙ୍କ ପାଖକୁ ଧାଇଁ ଆସିଲା ସନତ୍‌ । ଜବରଦସ୍ତି ଫାଙ୍କା ଛାତଟା ଉପରେ ବସାଇ ଦେଇ ନିଜେ ମଧ୍ୟ ବସି ପଡ଼ିଲା ।

 

ଏଇ ବସିବା ଭିତରେ ଯେ କେତେବେଳେ ସେ ଅହଲ୍ୟାଙ୍କର ମୁଣ୍ଡଟି ଆଣି ନିଜ କୋଳରେ ସ୍ଥାନ ଦେଇଛି, ତାକୁ ମଧ୍ୟ ମାଲୁମ୍‌ ନାହିଁ ।

 

ତା’ ପରେ....

 

ସନତ୍‌ କେବଳ ଅହଲ୍ୟାଙ୍କର ରକ୍ତାଭ ଅଧରର ରକ୍ତିମା ଉପଲବ୍‌ଧି କରୁଥିଲା । ପୁଣି ଅଧରକୁ ଉନ୍‌ମୁକ୍ତ କରି ସ୍ୱରତନ୍ତ୍ରୀକୁ ପରୀକ୍ଷା କରୁଥିଲା । ବେଳକୁ ବେଳ ଲାଜରା ହେଉଥିଲେ ଅହଲ୍ୟା ।

 

ଏମିତି ନୀରବତାରେ କଟିଥିଲା ଅନେକ ସମୟ । ସେଦିନ ସେତିକିରେ ସନତ୍‌ ଫେରି ଯାଇଥିଲା ନିଜ ଘରକୁ ।

 

ଶୀତଦିନର ଶୀତଟା ନିଜର ଅଙ୍ଗ ପ୍ରତ୍ୟଙ୍ଗ ବିସ୍ତାର କରିଛି । କଟକ ସହର ଜାକିଜୁକି ହୋଇ ଶୋଇପଡ଼ିଛି ଗଳୀ ଉପଗଳି ଦେହରେ ।

 

ସନତ୍‌ ନିଜର କୋଠରି ଦେହରେ ବସି ଅହଲ୍ୟାଙ୍କ ଉପରେ ଗବେଷଣା ଆରମ୍ଭ କରିଛି-

 

ରୂପସୀ ଅହଲ୍ୟା.....

 

ରଣଜିତ୍‌ କାନୁନ୍‌ଗୋଙ୍କର ଏକମାତ୍ର ଲାଲିତା କନ୍ୟା.... ।

 

ଅଧରରେ ହସିବାର ଶକ୍ତି ଅଛି । ଦେହରେ ଅନୁଭବର କ୍ଷମତା ଅଛି । ହେଲେ ପାଟିରେ କହିବାର କ୍ଷମତା ନାହିଁ । ସେଇଥିପାଇଁ ରଣଜିତ୍‌ବାବୁଙ୍କ ମନରେ ଯୁଗଯୁଗର ଅନ୍ଧାର ଜମାଟ ବାନ୍ଧି ଯାଇଛି । ଅହଲ୍ୟାଙ୍କର ପଦେ କଥା ଶୁଣିବାକୁ ସେ ପାଗଳ ହୋଇ ଉଠିଛନ୍ତି ।

 

ସେଦିନର ସେହି କାଠଯୋଡ଼ି ବାଲି । ଆହୁରି ଚିନ୍ତାକଲା ସନତ୍‌ । ଅହଲ୍ୟା ତା’ର ଅତ୍ୟାଚାରର ପ୍ରତିବାଦ କରିଥିଲେ ସତ, ହେଲେ ଅଙ୍ଗପ୍ରତ୍ୟଙ୍ଗରେ ଅନୁଭୂତିର କ୍ଳେଦ ବେଶ୍‌ ପରିସ୍ଫୁଟ ହୋଇଉଠିଥିଲା । ଅହଲ୍ୟା ନାରୀ, ନାରୀତ୍ୱର ବିକାଶ ଦିଗରେ ତାଙ୍କ ଦେହରେ କ୍ଷମତାର ପ୍ରାଚୁର୍ଯ୍ୟ ଯଥେଷ୍ଟ ।

 

ଆଉ ଗତକାଲିର ଛାତ ଉପରର ଘଟଣା, ଘଟଣାରେ ବୈଚିତ୍ର୍ୟ ନଥିଲେ ମଧ୍ୟ ହୃଦୟ ଅଛି । ଅହଲ୍ୟା ସନତ୍‍ର ଆତ୍ମଶୋଚନାକୁ ନାପସନ୍ଦ କରିଥିଲେ ।

 

ପୁଣି ଏହି ଦୁଇଟି ଦିନରେ ଦୁଇଟି ବିରାଟ ସ୍ମୃତି, ଦୁଇଟି ଶବ୍ଦ । ଯାହାକୁ ଅହଲ୍ୟା ନିଜେ ମୁହଁରେ ଉଚ୍ଚାରଣ କରିଛନ୍ତି । ଗୋଟିଏ ‘ଆଃ’ ଅନ୍ୟଟି ‘ନା’ । ତେଣୁ ଆଃ ଓ ନା ଆଦି ଶବ୍ଦ ଉଚ୍ଚାରଣକରିବାର କ୍ଷମତା ଅହଲ୍ୟାଙ୍କର ନିଶ୍ଚୟ ଅଛି ।

 

ଅଧର ଚାପରେ, ଜିହ୍ୱାର ଚାଳନାରେ ଓ କଣ୍ଠର ସଂକୋଚନ ପ୍ରସାରଣରେ ଶବ୍ଦ ସୃଷ୍ଟିହୁଏ । ଶବ୍ଦ ଭିତରଦେଇ ଫୁଟିଉଠେ ମନୋଭାବ । ଦୀର୍ଘ ନିଶ୍ୱାସ ଟାଣି ବାହାରକୁ ଚାହିଁଲା ସନତ୍‌ ।

 

ଠିକ୍‌ ସେହି ସମୟରେ ବାଲ୍ୟସାଥୀ ଶିଳ୍ପୀ ଇନ୍ଦ୍ରଦେବ ବର୍ମା ଘରଭିତରକୁ ପଶିଆସୁଥିଲେ ।

 

ସନତ୍‌ ଚେୟାରରୁ ଉଠିପଡ଼ି କହିଲା–ସକାଳୁ ସକାଳୁ କେଉଁଆଡ଼େ ଗଡ଼ିପଡ଼ିଲ ଶିଳ୍ପୀ ?

 

ଇନ୍ଦ୍ରଦେବ ରୀତିମତ ସନତ୍‍କୁ ଆଲିଙ୍ଗନ କରିପକାଇ କହିଲେ–ନାଇଁ ଏମିତି ।

 

ତା’ ପରେ ସାମାନ୍ୟ ହସଖୁସି ଚାଲିଲା । ହଠାତ୍‌ ସ୍ୱରବଦଳାଇ ସନତ୍‌ କହିଲା–ମୁଁ ତୁମକୁ ଗୋଟାଏ ପ୍ରଶ୍ନ କରିବି, ଉତ୍ତର ଦେଇ ପାରିବ ଶିଳ୍ପୀ ?

 

ଇନ୍ଦ୍ରଦେବ ହସି ହସି କହିଲେ–କହ, କ’ଣ କହିବୁ ।

 

ସନତ୍‌ କହିଲା–ମୁଁ ଗୋଟିଏ ସୁନ୍ଦର ଚିତ୍ରପଟ ଆବିଷ୍କାର କରିଛି । ତୁମେ ତା ମୁହଁରେ ଭାଷା ଫୁଟାଇପାରିବ ଶିଳ୍ପୀ !

 

ଏଥର ହସି ହସି ଏକଦମ୍‌ ବେଦମ୍‌ ହୋଇ ଇନ୍ଦ୍ରଦେବ କହିଲେ–ମୁଁ ଏତକ କରିପାରୁଥିଲେ ଶିଳ୍ପୀ ହୋଇନଥାନ୍ତି ସନତ୍‌ ! ମୁଁ ହୋଇଥାନ୍ତି ସ୍ରଷ୍ଟା । କେବଳ ଗୋଲାପି ଅଧରରେ ଭାଷା ଫୁଟାଇପାରୁନାହିଁ ବୋଲି, ମୁଁ ବନରେ ଏକାକୀ । ଶହ ଶହ ଚିତ୍ର ମୋ ହାତ ଗୋଡ଼ ମୁଣ୍ଡ ପାଖରେ ଗଡ଼ୁଛନ୍ତି । ହେଲେ ଭଲ ମନ୍ଦ, ଅଭାବ ଅସୁବିଧା କଥା ପଚାରିବାକୁ କାହାରି ଦେହରେ କ୍ଷମତା ନାହିଁ ।

 

ସନତ୍‌ ରାଗିଉଠି କହିଲା–ତୁମେ ଅପରେସନ୍‌ କର ଶିଳ୍ପୀ ! ତା’ ହେଲେ ପ୍ରତ୍ୟେକ ଚିତ୍ର ନିଶ୍ଚୟ କଥାକହିବାକୁ ସକ୍ଷମ ହୋଇ ପାରିବେ ।

 

ଇନ୍ଦ୍ରଦେବ କହିଲେ–ମୁଁ ଡାକ୍ତର ନୁହେଁ ସନତ୍‍ । ଅସ୍ତ୍ରୋପଚାରର କ୍ଷମତା ମୋ ପାଖରେ ନାହିଁ । ସୌନ୍ଦର୍ଯ୍ୟ–ଗନ୍ତାଘରରୁ ମୁଁ ସୌନ୍ଦର୍ଯ୍ୟ ଲୁଟ୍‌କରେ, ହେଲେ ଶକ୍ତି ଲୁଟ କରି ପାରେନାହିଁ ।

 

ଅସ୍ତ୍ରୋପଚାର.....

 

କିଛିସମୟ ନୀରବ ହୋଇ ବସିଗଲା ସନତ୍‌ । ତା’ପରେ ହଠାତ୍‌ ଚେୟାର ଉପରୁ ଉଠିପଡ଼ି କହିଲା–ତୁମେ ଠିକ୍‌ କହୁଛ ଶିଳ୍ପୀ ! ଡାକ୍ତରୀ ଅସ୍ତ୍ରୋପଚାର ମଣିଷର ବାଗ୍‌ଶକ୍ତି ଫେରାଇଆଣିପାରିବ ?

 

ଇନ୍ଦ୍ରଦେବ କହିଲେ–ତୁ ଡାକ୍ତର । ତୋତେ ସେ ବିଷୟ ବେଶ୍‌ ଜଣାଥିବ । ହେଲେ ମୁଁ ଅଧିକ କ’ଣ କହିବି ?

 

କଥା ସରିଆସିବା ବେଳକୁ ଶ୍ୟାମାକାନ୍ତବାବୁ ଘରଭିତରକୁ ପଶିଆସିଥିଲେ । ସାଥିରେ ଥିଲେ ଚାଉଳ ବ୍ୟବସାୟୀ ଛଗନ୍‌ଲାଲ ଜାଜୋଡ଼ିଆ ।

 

ସନତ୍‌ ଓ ଇନ୍ଦ୍ରଦେବ ଉଠିଗଲେ ଅନ୍ୟଘରକୁ । ଶ୍ୟାମାକାନ୍ତ ବାବୁ କହିଲେ–କାଠଯୋଡ଼ିର ଅଶିବସ୍ତା କ୍ଷୁଦ୍ର କଳାଗୋଡ଼ି ମୁଁ ସଂଗ୍ରହକରିଛି । ତୁମେ ଟ୍ରକ୍‌ରେ ବୋଝାଇକରି ନେଇଯାଇପାର । କିନ୍ତୁ ମନେରଖ–ପ୍ରତ୍ୟେକ ବସ୍ତାରେ କେବଳ ପାଞ୍ଚ ଛଅ କିଲୋ ଛଡ଼ା ଯେପରି ଅଧିକ ଗୋଡ଼ି ନମିଶାଅ । କାରଣ, ଅଧିକ ମିଶାଇଲେ, ଆମ ଫାର୍ମ ବଦନାମର ସମ୍ମୁଖୀନ ହେବ ।

 

ଛଗନଲାଲ ବସି ବସି ମୁଣ୍ଡ ହଲାଉଥାନ୍ତି ।

 

ଛଗନ୍‌ଲାଲଙ୍କ ପରି ଲୋକ ଓଡ଼ିଶାର ଝୋଟ, ଚାଉଳ, ସୋରିଷ ଆଦିର ହୋଲ୍‌ସେଲ ଡିଲର । ଚାଷୀଙ୍କୁ ଅବଶ୍ୟ ମନମାଫିକ୍‌ ପାଉଣା ଦେଇ ଏମାନେ ଜିନିଷ କିଣନ୍ତି । ହେଲେ ଜିନିଷ କିଣାପରେ ଏମାନେ ଆରମ୍ଭ କରନ୍ତି କାରସାଦି ।

 

ଷ୍ଟକ୍‌ରୁମ୍‌ରେ ଜିନିଷଗୁଡ଼ିକ ଆପେ ଆପେ ଭେଜାଲ ହୋଇଯାଏ । ସେହି ଭେଜାଲ ଜିନିଷର ଖରିଦ୍‌ଦାର ହୁଅନ୍ତି ଦରିଦ୍ର ଓଡ଼ିଶାବାସୀ । କିନ୍ତୁ ଯୋଗାଣଦାର ହିସାବରେ ଗୌରବ ନିଅନ୍ତି ଛଗନ୍‌ଲାଲ ଗୋଷ୍ଠୀ ।

 

ଏବେ ଶ୍ୟାମାକାନ୍ତବାବୁଙ୍କ ପରାମର୍ଶ ଅନୁସାରେ ଗୋଟିଏ ନୂଆ ପ୍ଳାନ୍‌ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଯୋଜନା ଅନୁସାରେ ଗୋଟିଏ ଅନୁଷ୍ଠାନ ଗଢ଼ାଯିବ । ଯେଉଁ ଅନୁଷ୍ଠାନ ଜାତୀୟ ଖାଦ୍ୟଶସ୍ୟ ସରବରାହ କେନ୍ଦ୍ର ନାମରେ ଅଭିହିତ ହେବ । ବାହାର ଦେଶମାନଙ୍କରୁ ଖାଦ୍ୟଶସ୍ୟ ଆମଦାନୀ କରାଯିବ । ପ୍ରତିବଦଳରେ ଚିନି ଓ ଲୁହାପଥର ଆଦି କେତେକ ମାଲ ଯୋଗାଇ ଦିଆଯିବ । ଏହି ସଂସ୍ଥା ମାଧ୍ୟମରେ ଚୋରା ସୁନା ମଧ୍ୟ ବିଦେଶ ସହିତ କାରବାର କରାଯିବ । ଅନୁଷ୍ଠାନର ଅଧିନାୟିକା ହେବେ ଛଗନ୍‌ଲାଲଙ୍କ କନ୍ୟା ତନୁଲତା ।

 

ତନୁଲତା ଉଚ୍ଚ ଶିକ୍ଷିତା ପୁଣି ଆଧୁନିକା । ସଭ୍ୟତାର ଡାକରା ସେ ବୁଝନ୍ତି । ବ୍ୟବସାୟୀ ଦୃଷ୍ଟିଭଙ୍ଗୀ ମଧ୍ୟ ମନ୍ଦ ନୁହେଁ ।

 

ଯୋଜନା ଅନୁସାରେ ଅନୁଷ୍ଠାନର ଅଧିବେଶନ ମାସକୁ ଥରେ ବସିବାର କଥା । ଏହି ଅଧିବେଶନକୁ ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବାର ବ୍ୟବସ୍ଥା ରଖାଯାଇଥିଲା । ପ୍ରତ୍ୟେକ ଅଧିବେଶନର ଆବାହିକା ମଧ୍ୟ ହେବେ ତନୁଲତା ।

 

ଶ୍ୟାମାକାନ୍ତଙ୍କର ଏ ପ୍ଳାନ୍‌ଟିକୁ ଛଗନ୍‌ଲାଲ ପସନ୍ଦ କରିଥିଲେ । ଖୁବ୍‌ କମ୍‌ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସମୟ ବିଳମ୍ୱ ହୋଇ ନ ଥିଲା । କାରଣ ଛଗନ୍‌ଲାଲଙ୍କ ପରି ଧନୀ ବ୍ୟବସାୟୀଙ୍କ ପାଖରେ ଓ ଶ୍ୟାମାକାନ୍ତଙ୍କ ପରି ବିଚିତ୍ର ବୁଦ୍ଧିସମ୍ପନ୍ନ ବ୍ୟକ୍ତିମାନଙ୍କ ନିକଟରେ କିଛି ଅସମ୍ଭବ କିଥିଲା ।

 

ଇନ୍ଦ୍ରଦେବ ଚାଲିଯିବା ପରେ ସନତ୍‌ ରଣଜିତ୍‌ବାବୁଙ୍କ ଘରକୁ ବାହାରିଲା ।

 

ଆଜି ସମ୍ୱରଦଶମୀ ।

 

ସମ୍ୱରଦଶମୀ ଓଡ଼ିଆଘରର ଗୋଟିଏ ବଡ଼ ପର୍ବ । ଜାତିଜାତିକା ପିଠାପଣାରେ ଘର ଭରପୂର ହୋଇଉଠେ । ପିଲାପିଲିଙ୍କ ଲାଗି କେତେ ଜାତିକା ପିଠା ଭୋଗ ଦିଆଯାଏ ।

 

ସନତ୍‌ ରଣଜିତ୍‌ବାବୁଙ୍କ ଘରେ ଗୋଡ଼ଦେବା ବେଳକୁ ରଣଜିତ୍‌ବାବୁ ଘରେ ନ ଥିଲେ । କିଛି ଗୋଟାଏ କାମରେ ବାହାରକୁ ବାହାରି ଯାଇଥିଲେ । ଏଣେ ରୀତାଦେବୀ ରୋଷେଇଘରେ ପିଠାପଣା ତିଆରି କରିବାରେ ବ୍ୟସ୍ତ ।

 

ଦୋ’ ମହଲା ସିଡ଼ି ଦେଇ ଉପରକୁ ଉଠିଗଲା ସନତ୍‌ ।

 

ଅହଲ୍ୟା ସେମିତି ସୋଫା ଉପରେ ବସି ଝରକା ବାଟଦେଇ ଚାହିଁଥିଲେ ଦୂରର ଗୋଟିଏ ଝାଉଁଗଛକୁ । ନରମ ପବନରେ ଝାଉଁଗଛଟି ହଲୁଛି । ସତେ ଯେମିତି ମୃଦୁପବନର ଅତ୍ୟାଚାର ପ୍ରତି ତା’ର ଅଛି ନୀରବ ସମର୍ଥନ ।

 

ଠିକ୍‌ ତା’ରି ପାଖକୁ ଆଉ ଗୋଟିଏ ବିଦେଶୀ ଫୁଲଗଛ । ରଙ୍ଗ ବେରଙ୍ଗର ଫୁଲରେ ଗଛଟି ଭରପୂର । ଗଛଟିର ଅଙ୍ଗପ୍ରତ୍ୟଙ୍ଗରେ ପୁଲକ ଲହରୀ ଖେଳୁଛି । ବସନ୍ତ ଜମାଟ ବାନ୍ଧିଆସୁଛି-

 

ଚମକି ଉଠିଲେ ଅହଲ୍ୟା.....

 

ଏମିତି ଦିନେ ତାଙ୍କ ଜୀବନରେ ମଧ୍ୟ ବସନ୍ତ ଆସିବ, ଫୁଲ ଫୁଟିବ । କୋମଳ ତନୁଲତାରେ ସ୍ୱପ୍ନ ଜାଗିବ । କେତେ ଅକୁହା କଥା ମନ ଭିତରେ ଗୁମୁରି ଉଠିବ ।

 

ହେଲେ ବାଗ୍‌ଶକ୍ତିହୀନା ଅହଲ୍ୟାର ଜୀବନରେ ଏ କ’ଣ ସମ୍ଭବ ? ସେତେବେଳକୁ ସନତ୍‌ ଅହଲ୍ୟାର କୋଠରି ଭିତରେ ପ୍ରବେଶ କରି ସାରିଥିଲା । ଅହଲ୍ୟାଙ୍କୁ ଭାବପ୍ରବଣ ଥିବାର ଦେଖି ମୁଣ୍ଡଟାକୁ ଖୁବ୍‌ ଜୋରରେ ହଲାଇଦେଇ କହିଲା–କ’ଣ ଏମିତିଗୁଡ଼ାଏ ଆକାଶପାତାଳ ଚିନ୍ତା କରୁଛ ଅହଲ୍ୟାଦେବୀ !

 

ଅହଲ୍ୟାଙ୍କର ଇଚ୍ଛା ହେଉଥିଲା କ’ଣ ଗୁଡ଼ାଏ କହିଯିବେ । କିନ୍ତୁ ଜିଭ ଲେଉଟୁ ନାହିଁ । କହିବା କଥାଗୁଡ଼ାକ ଅକୁହା ହୋଇ ରହିଯାଉଛି ମନ ଭିତରେ । ବହୁ ଚେଷ୍ଟା କରି ଅହଲ୍ୟା କେବଳ କହିଲେ–ହୁଁ ।

 

କେବଳ ଏହି ‘ହୁଁ’ ପଦକ ମଧ୍ୟ ସନତ୍‌ ମନରେ କମ୍‌ ଆନନ୍ଦର ରେଖାପାତ କରି ନ ଥିଲା । ସନତ୍‌ କହିଲା–ଆଚ୍ଛା ଅହଲ୍ୟାଦେବୀ ! ଏହି ନିର୍ଜନ କୋଠରି ଭିତରେ ମୁଁ ଯେବେ ତୁମ ଉପରେ ଅକଥନୀୟ ଅତ୍ୟାଚାର କରେ, ତେବେ ତୁମେ କ’ଣ କରିବ ?

 

ଅହଲ୍ୟା ପ୍ରତିବାଦ ନ କରି କେବଳ ହସରେ ଫାଟି ପଡ଼ିଥିଲେ । କାରଣ ସେ ଜାଣନ୍ତି–ସନତ୍‍ର ଏପରି ସାହସ ହେବାର ଦିନ ଆହୁରି ବହୁତ ବାକି ଅଛି । ସନତ୍‌ କିନ୍ତୁ ଅହଲ୍ୟାଙ୍କର ହସର ଅର୍ଥ ବୁଝିପାରିଲା ନାହିଁ ।

 

ସାମାନ୍ୟ କିଛି ସମୟ କଟିବା ପରେ ଆସିଲେ ରୀତାଦେବୀ ! ଘର ଭିତରେ ସନତ୍‍କୁ ଦେଖିପକାଇ କହିଲେ–ଆରେ ପୁଅ ! ତୁମେ କେତେବେଳେ ?

 

ସନତ୍‌ କହିଲା–ନା, ଏଇ ବର୍ତ୍ତମାନ ଆସିଲି ମାଉସୀ ।

 

ରୀତାଦେବୀ କହିଲେ–ବେଶ୍‌ ଭଲବେଳେ ଆସିଛ ସନତ୍‌ । ଆଜି ସମ୍ୱରଦଶମୀ, ତୁମେ ନଆସିଥିଲେ ମୁଁ ଲୋକ ପଠାଇଥାନ୍ତି । ବସ, ଦି’ଖଣ୍ଡ ପିଠା ଖାଇଦେବ ।

 

ସନତ୍‌ କହିଲା–ମୁଁ ଯେ ବର୍ତ୍ତମାନ ଘରୁ ଖାଇ ଆସିଲି ମାଉସୀ ।

 

କିନ୍ତୁ ରୀତାଦେବୀ ସେ ସବୁ କିଛି ଶୁଣିନଥିଲେ । ଜୋର୍‌ଦେଇ କହିଲେ–ନା, ନା, ଅରୁ ସହିତ ତୁମକୁ ନିଶ୍ଚୟ ଖାଇବାକୁ ପଡ଼ିବ ।

 

ମନ ନଥିଲେ ମଧ୍ୟ ଖାଇବାକୁ ରାଜିହେଲା ସନତ୍‌ । ଏକେତ ମାତୃସ୍ଥାନୀୟା ରୀତାଦେବୀଙ୍କର ଅନୁରୋଧ । ଦ୍ୱିତୀୟରେ ଅହଲ୍ୟାଙ୍କ ସହିତ ଖାଇବାର ମୋହ । ଏ ଦୁଇଟି ତାକୁ ଖାଇବାକୁ ବାଧ୍ୟ କରିଥିଲା ।

 

ମଣିଷ ଜ୍ଞାନ, ବୁଦ୍ଧି, ପାଠ ମାଧ୍ୟମରେ ଶିକ୍ଷିତ ହୁଏ । ହେଲେ ଦେହ ଶିକ୍ଷିତ ହୋଇପାରେ ନାହିଁ । ଆକାଂକ୍ଷା ଶିକ୍ଷିତ ହୋଇ ପାରେନାହିଁ । ଦେହ ଓ ଆକାଂକ୍ଷା ଆଦିମ । ଏହାର ଚିରନ୍ତନ ରୀତିରେ ଏପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ ।

 

ସନତ୍‍ର ନିସ୍ତରଙ୍ଗ ଜୀବନ–ଯମୁନାରେ ଅହଲ୍ୟା କ୍ଷୀଣ ଚହଳ ସୃଷ୍ଟିକରି ଦେଇଛି । ଏ ଚହଳ କିନ୍ତୁ ନିହାତି ବାସ୍ତବ ଆଉ ସ୍ୱତଃ ।

 

ସନତ୍‌ ଡାକ୍ତର । ରୋଗୀସେବାକୁ ଜୀବନର ବ୍ରତ କରି ସେ ବିଲାତ ଯାଇଥିଲା । ସେହି ଶପଥ ଏବେ ବି ମନ ଗହ୍ୱରରେ ଗୁମୁରିଉଠି ତରଙ୍ଗ ତୋଳୁଛି । ତେବେ ସେ ରୋଗିଣୀ ଅହଲ୍ୟାଙ୍କ ପାଖରେ ସମୟ ବିଶେଷରେ ଦୁର୍ବଳତା ଅନୁଭବ କରୁଛି କାହିଁକି ? ଅହଲ୍ୟା ତ’ ରୋଗିଣୀ..... ।

 

ତେବେ ଅହଲ୍ୟାଙ୍କୁ ସେ କ’ଣ ମନ ଅଭ୍ୟନ୍ତରରେ ଭଲପାଇବସିଛି ?

 

ଭଲପାଇବା ଓ ସେବା, ଏ ଦୁଇଟି ପୃଥକ୍‌ ଜିନିଷ । ହେଲେ ଦୁଇଟିର ଆପେକ୍ଷିକ ଗୁରୁତ୍ୱ ସମପରିମାଣର । କେନ୍ଦ୍ରାଭିମୁଖୀ ଦୁଇଟି ଜ୍ୟା ଦୁଇଦିଗରୁ ଆସିଲେ ମଧ୍ୟ ଗୋଟାଏ ବିନ୍ଦୁରେ ମିଳିତ ହୁଅନ୍ତି ।

 

କିନ୍ତୁ କାହିଁ.....ଡାକ୍ତରୀ ପାଠ ପଢ଼ିବାକୁ ଗଲାବେଳେ ସେ ତ’ ଭଲପାଇବା କଥା ଚିନ୍ତାକରି ନଥିଲା ?

 

ଅବଶ୍ୟ ବହୁ ସାଙ୍ଗସାଥୀଙ୍କଠାରୁ ଭଲପାଇବାର ଆରବ୍ୟ କାହାଣୀ ସେ ଶୁଣିଥିଲା । ହେଲେ ସେ ସବୁ ଶୁଣି ସେ ସେତେବେଳେ ହସରେ ଉଡ଼ାଇ ଦେଉଥିଲା । ଭଲପାଇବାଟା ନାରୀସୁଲଭ ଚପଳତା ବୋଲି ବିବେଚନା କରୁଥିଲା ।

 

ସେଇଥିପାଇଁ ପିଲାବେଳେ ଅର୍ଦ୍ଧନଗ୍ନ ରମଣୀଙ୍କୁ ଦେଖି ସେ ବିଦ୍ରୂପ କରିଛି । ସଭ୍ୟତାର ଉଗ୍ରତା ସମ୍ୱନ୍ଧରେ ସତର୍କ କରାଇଛି ।

 

ହେଲେ ଆଜି.....

 

ଅହଲ୍ୟାଙ୍କର ପିଆଜ ପାଖୁଡ଼ା ପରି ଅଧର, ସ୍ଥିର ଜଳ ପରି ଢଳ ଢଳ ଆଖି, ରକ୍ତଗୋଲାପ ପରି ଫୁଟିଉଠୁଥିବା କପାଳର କୁଙ୍କୁମ ତାକୁ ଅନେକ ସମୟରେ ଯାଦୁକୋଠୀର କୁହୁକ କଥା କହୁଛି କାହିଁକି ?

 

ତେବେ କ’ଣ ରଣଜିତ୍‌ବାବୁଙ୍କ ଅନୁରୋଧ ପାଇଁ ସେ ଅହଲ୍ୟାଙ୍କର ସେବା ହାତକୁ ନେଇନାହିଁ ? ନେଇଛି ଅହଲ୍ୟାଙ୍କର ବିଶ୍ୱମନଭୁଲା ରୂପ ପାଇଁ ?

 

ଆଉ ଚିନ୍ତାକରି ପାରିନଥିଲା ସନତ୍‌ .....

 

ଗୋଟିଏ ପ୍ଳେଟ୍‌ରେ କେତେଖଣ୍ଡ ପିଠା ଧରି ପ୍ରବେଶ କଲେ ରୀତାଦେବୀ ।

 

ସନତ୍‌ ପ୍ରକୃତିସ୍ଥ ହେଲା ।

 

ରୀତାଦେବୀ ବେଶୀସମୟ ଅପେକ୍ଷା କରିନଥିଲେ । ପିଠା ପ୍ଲେଟ୍‌ଟି ରଖିଦେଇ ପୁଣି ରୋଷେଇଶାଳକୁ ଚାଲିଗଲେ ।

 

ତା’ପରେ.....

 

ଅହଲ୍ୟା ଖଣ୍ଡେ ପିଠା ଧରି ସନତ୍‍ର ପାଟିଆଡ଼େ ହାତ ବଢ଼ାଇଲା । ଆଖିରେ ଖାଇବାକୁ ଅନୁରୋଧକରିବାର ଶତ ଅନୁନୟ ଫୁଟି ଉଠୁଥିଲା । ସ୍ଥିର ଦୃଷ୍ଟିରେ ଚାହିଁରହିଥିଲା ସନତ୍‌ ।

 

ଏଇ ଅହଲ୍ୟା.....

 

ଯିଏ ଦିନେ ସନତ୍‍କୁ ଦେଖିଲେ ଦୂରେଇ ରହିବାକୁ ଚେଷ୍ଟା କରୁଥିଲା । ସେ ଆପେ ଆପେ ପ୍ରଗ୍‌ଳଭା ହୋଇ ବହିବାକୁ ଚେଷ୍ଟା କରିଛି । ଅହଲ୍ୟାଙ୍କର ନୂଆକରି ଏଇମାତ୍ର ଚପଳତା । ଯଦି ଅହଲ୍ୟାଙ୍କର କଥାକହିବାର ଶକ୍ତିଥାନ୍ତା, ତେବେ ହୁଏତ ସେ କହିଥାନ୍ତେ–‘‘ମୋ ରାଣ, ମୋ ହାତରୁ ପିଠାଖଣ୍ଡକ କାମୁଡ଼ିନିଅ ସନତ୍‌ ! ସେତିକରେ ମୁଁ ଖୁବ୍‌ ଶାନ୍ତିପାଇବି ।’’

 

କିନ୍ତୁ କଥା କହିବାର ଶକ୍ତି ନଥିଲା ଅହଲ୍ୟାଙ୍କର ।

 

ସନତ୍‍ର ମନ–ବୀଣାରେ ଗୁମୁରି ଉଠିଲା କରୁଣତାର ଗୋଟିଏ ଅସ୍ଥିର ଝଙ୍କାର । ପାଟି ବଢ଼ାଇ ସନତ୍‌ କାମୁଡ଼ିନେଲା ପିଠାଖଣ୍ଡକୁ । ସେତେବେଳେ ଅହଲ୍ୟାଙ୍କର ମନରେ ଯେଉଁ ଆନନ୍ଦ, ତାକୁ କଳନା କରିବା କଠିନ ।

 

ମନୁଷ୍ୟତ୍ୱର ଦିଆ ନିଆ ଏଇଠି । ଗଙ୍ଗାର ଜଳ ଯୁଗ ଯୁଗ ଧରି ପବିତ୍ର । ହେଲେ ଦେହଗଙ୍ଗାର ଜଳ ସବୁଦିନ ନିହାତି ଆବିଳ । ଏ ଜଳ ଚାହେ.... ଶହ ଶହ ଯାତ୍ରୀ ପ୍ରତିଦିନ ଡୁବ ମାରନ୍ତୁ ।

 

ଅହଲ୍ୟାଙ୍କର ଏହି ଅନୁରୋଧ ଟିକକ ତଳେ ଯେ କି ଆବେଦନ ଥିଲା, ତାହା ସନତ୍‌ ପରି ଅପ୍ରାପ୍ତବୟସ୍କ ଯୁବକ ବୁଝିବା କଠିନ୍‌ । ଖାଲି ଅହଲ୍ୟା କାହିଁକି, ପ୍ରତ୍ୟେକ ନାରୀ ମନ ଅଡ଼ୁଆସୂତା । ଯେତେ ଖୋଲିବାକୁ ଚେଷ୍ଟାକରିବ ସେ ସେତେ ଗୁଡ଼ାଇ ହୋଇଯିବ ।

 

ବିବାହପରେ ଯେଉଁ ନାରୀ ଏକାନ୍ତ ଆପଣାର ହୋଇଉଠେ ସେ ବିବାହ ଆଗରୁ ଯେ କେତେ ହୃଦୟରେ ନିଜକୁ ଉପସ୍ଥାପିତ କରିଥିବ, ସେ କଥା କିଏ କହିବ ?

 

କିନ୍ତୁ ନାରୀଜୀବନର ଗୋଟିଏ ବିଚିତ୍ର ପ୍ରକୃତି ଅଛି । ବିବାହ ପରେ ସେ କହେ......ମୁଁ ସାବିତ୍ରୀ ପରି ସତୀ । ଯମୁନାର ଜଳ ପରି ମୋର ହୃଦୟ ନିର୍ମଳ । ସେଇଥିପାଇଁ ସେ ନିଜ ପୁରୁଷକୁ ଅନ୍ୟ ସ୍ତ୍ରୀ ସହିତ ମିଶିବାର ଦେଖିଲେ ହିଂସାକରି ମ୍ରିୟମାଣ ହୋଇପଡ଼େ ।

 

କିନ୍ତୁ....

 

ସ୍ୱାମୀ ସ୍ତ୍ରୀଠାରୁ ବହୁଦିନ ଦୁରେଇରହୁ । ଆଉ ସେହି ସମୟ ମଧ୍ୟରେ ସ୍ତ୍ରୀକୁ ଅନ୍ୟଜଣେ ପୁରୁଷସହିତ ମିଳିବାକୁ ଅବାଧ-ସୁଯୋଗ ଦିଆଯାଉ; ତା’ପରେ ଦେଖିବ....ସବୁକିଛି ଓଲମ୍‌ବିଲମ୍‌ ହୋଇଯାଇଛି । ସ୍ତ୍ରୀ ଔଦ୍ଧତ୍ୟର ସୀମାଟପି ଖୁବ୍‌ ଆଗକୁ ଆଗେଇ ଯାଇଛି ।

 

ତେବେ ଏ ସବୁ ଗଭୀର ଗବେଷଣା ଭିତରେ ସନତ୍‌ କେବେ ନିଜକୁ ବିନିଯୋଗ କରି ନଥିଲା ।

 

ସେଇଥିପାଇଁ ଅହଲ୍ୟାଙ୍କର ଭାବଭଙ୍ଗୀ ଉପରେ ସେ ବିଶେଷ ଗୁରୁତ୍ୱ ଦେଉନଥିଲା ।

 

ହେଲେ ଆଜି.....

 

ଅହଲ୍ୟାଙ୍କର ମୃଦୁବ୍ୟବହାର ତାକୁ ବହୁତ କିଛି ଭାବିବାର ସୁବିଧା ଦେଇଛି । ଅହଲ୍ୟା ମଧ୍ୟ ହସି ହସି ବିନାକାରଣରେ ବେଦମ୍‌ ହୋଇ ପଡ଼ୁଛନ୍ତି ।

 

ଯୌବନଟା ନିହାତି ଦୁଷ୍ଟ । ସେ ଅନେକ ସମୟ ଏମିତି ବିନାକାରଣରେ ମଣିଷକୁ ହସାଏ । ପୁଣି ସମୟ ବିଶେଷରେ ମଧ୍ୟ କନ୍ଦାଏ ।

 

ସେଦିନ ସନତ୍‌ ରଣଜିତ୍‌ବାବୁଙ୍କ ଘରେ ବେଶୀ ସମୟ ବସିବାକୁ ପସନ୍ଦ ମନେକରି ନଥିଲା । ତା’ର ମନଭିତରେ ଗୋଟାଏ ଅକୁହା କଥା ରାଗିଣୀ ତୋଳିଥିଲା । ତେଣୁ ଅହଲ୍ୟାଠାରୁ ବିଦାୟ ନେଇ ଉଠିଲା ସନତ୍‌ ।

 

କିନ୍ତୁ କି ଆଶ୍ଚର୍ଯ୍ୟ । ଆଜି ଅହଲ୍ୟା ଏତେ ଅଳ୍ପସମୟ ମଧ୍ୟରେ ସନତ୍‍କୁ ଛାଡ଼ିବାକୁ ନାରାଜ । ହାତଟାକୁ ଝିଙ୍କି ବସାଇଦେଇ ଦୁଷ୍ଟାମିର ହସ ହସିଲେ ଅହଲ୍ୟା ।

 

କୋଠରି ଭିତରେ ଲୋଟିପଡ଼ୁଥିଲା ଅହଲ୍ୟାଙ୍କର ହସର ସୁଷମା । ଏ ହସକୁ ଆଜି ନୂଆକରି ଉପଭୋଗ କରୁଛି ସନତ୍‌.....ସତ କହିବାକୁ ଗଲେ ଅହଲ୍ୟା ହସୁନାହାନ୍ତି ତ.....ଏଇ ହସର ଅଭ୍ୟନ୍ତରରେ କହୁଛନ୍ତି–ମୋତେ ଭଲକରିଦିଅ ସନତ୍‌ , ମୁଁ ତମ ସହିତ ହସିବି, ଖେଳିବି, ନାଚିବି ଆଉ ଗୀତ ଗାଇବି ।

 

ଆଉ ଧୈର୍ଯ୍ୟଧରି ରହିପାରିଲାନି ସନତ୍‌ । ଅହଲ୍ୟାଙ୍କୁ ନିଜ କୋଳରେ ଜାକିଧରି କହିଲା–ତୁମ ମନ ବୃନ୍ଦାବନରେ ମୁଁ ନିଶ୍ଚୟ କେଳିକଦମ୍ୱ ଫୁଲ ଫୁଟାଇବି ଅହଲ୍ୟାଦେବୀ । ମୋ ଉପରେ ତୁମେ ବିଶ୍ୱାସ କର ।

 

ଏତେକ ଯେବେ ମୁଁ କରିନପାରେ–ତେବେ ଜାଣିବି ମୋର ସେବା ସାଂଘାତିକ ରକମ୍‌ ଫେଲ୍‌ମାରି ଯାଇଛି ।

 

ଏଥର କିନ୍ତୁ ସ୍ଥାଣୁଭଳି ନୀରବ ହୋଇଗଲେ ଅହଲ୍ୟା । ଭବିଷ୍ୟତର ଗୋଟିଏ ଜମାଟବନ୍ଧା ଅନ୍ଧାରପୁଳା ତାଙ୍କ ଉଲ୍ଲସିତ ମୁଖମଣ୍ଡଳକୁ ଢାଙ୍କିପକାଇଲା । ସେ ସନତ୍‍ର ଉଷୁମ କୋଳରେ ଥାଇ କଇଁ କଇଁ ହୋଇ କାନ୍ଦିଉଠିଲେ ।

 

ଆଶ୍ଚର୍ଯ୍ୟ ହେଲା ସନତ୍‌.....

 

କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା । ଯେବେ ଅହଲ୍ୟାଙ୍କର ପାଟି ଖୋଲୁଥାନ୍ତା.....ତେବେ ହୁଏତ ସେ କହିଥାନ୍ତେ ତୁମେ ଏ ଜୀବନରେ ବୃନ୍ଦାବନର ସ୍ୱପ୍ନ ସୃଷ୍ଟିକରନି ସନତ୍‌ ! କାରଣ ଦରଦୀ କୃଷ୍ଣବିହୀନ ବୃନ୍ଦାବନ କେବଳ ଯନ୍ତ୍ରଣା ଦେବା ଛଡ଼ା ଆନନ୍ଦ ଦେଇପାରିବ ନାହିଁ ।

 

ସେମିତି ବୁଝା ଅବୁଝା ହୋଇ ରହିଗଲା ସନତ୍‌ ।

 

ଅହଲ୍ୟା ପୁଣି ନିଜକୁ ସତର୍କ କରାଇ ନେଲେ । ସନତ୍‍ର କୋଳରୁ ମୁଣ୍ଡ ଉଠାଇ ନେଲେ ।

 

ଏଇ କେତେ ସମୟହେଲା ସେ ସନତ୍‌ ଓ ତାଙ୍କ ଭିତରେ ଥିବା ଦୂରତ୍ୱକୁ ଏକରକମ୍‌ ପାଶୋରି ପକାଇଥିଲେ ।

 

ଦୁଇଟି ଜୀବନ ଅଦ୍ଭୁତ ରକମ ଏକହୋଇ ଆସୁଥିଲେ ।

 

ସନତ୍‌ ଓ ଅହଲ୍ୟା

 

ଅହଲ୍ୟା, ସନତ୍‌.....

 

ଜଣେ ରୋଗୀ ଓ ଜଣେ ଡାକ୍ତର.....

 

ପ୍ରୀତିଙ୍କ ଛାତି ଭିତରେ ଆଜି ନିଆଁ ଲାଗିଛି । ବହୁଦିନର ସୁପ୍ତ ଆଗ୍ନେୟ ପର୍ବତରୁ ଲାଭା ଉଦ୍‌ଗୀରଣର ଇଶାରା ।

 

ସ୍ଥିରହୋଇ ଠିଆ ହୋଇଥିଲେ ଶ୍ୟାମାକାନ୍ତ ।

 

ପ୍ରୀତି କହିଲେ–ଏ ଜୀବନପାଇଁ ଆଉ ତୁମେ କ’ଣ ପାଇଛ ? ଗୋଟିଏ ବୋଲି ସୁନାକାଠିପରି ପୁଅ । ତାକୁ କ’ଣ ତୁମେ ଚାହଁନାହିଁ ? ଏତେ ପାପ ଏତେ ଅନ୍ୟାୟ ଭଗବାନ କ’ଣ ସହିବେ । କ’ଣ ନାହିଁ ଆମର । ହେଲେ ତଥାପି ଅର୍ଥର ସର୍ବଗ୍ରାସୀ ମୋହ ତୁମକୁ ଛାଡ଼ିଲା ନାହିଁ ?

 

Unknown

ଫଟାହାଣ୍ଡିର ଆବାଜ୍‌ପରି ହସିଉଠିଲେ ଶ୍ୟାମାକାନ୍ତ । ଏଇ ହସଭିତରେ ବିଦ୍ରୂପର ଇଙ୍ଗିତ ଶିହରଣ ତୋଳିଥିଲା । ଶ୍ୟାମାକାନ୍ତ କହିଲେ–ନାରୀର ପରାମର୍ଶ ଭୟାବହ ପ୍ରୀତି ! ନାରୀକୁ ଅଙ୍କଲକ୍ଷ୍ମୀ କରିହୁଏ । କିନ୍ତୁ ପରାମର୍ଶଦାତା କରିହୁଏନି । ମୋ କାମର ତୁମେ ଆଉ ପ୍ରତିବାଦ କରିବନି । ପ୍ରତିବାଦ କଲେ ଭଲଫଳ ହେବନି ।

 

କଥା କେଇପଦ ସରିଆସିବା ବେଳକୁ ଶ୍ୟାମାକାନ୍ତ ରାସ୍ତାଉପରକୁ ବାହାରି ଆସିଥିଲେ-

 

ଘରଭିତରେ ଥାଇ କଇଁ କଇଁ କାନ୍ଦିଉଠୁଥିଲେ ପ୍ରୀତି । ହୁଏତ ସେ ଭଗବାନଙ୍କୁ ଡାକି କହୁଥିଲେ ତାଙ୍କ ଦୋଷ କ୍ଷମାକରି ଦିଅ ଭଗବାନ ।

 

ବାରବାଟୀ ଷ୍ଟାଡ଼ିୟମ କଡ଼ର ନୀଳରଙ୍ଗର ସାମୁଏଲ୍‌ ବିଲ୍‌ଡ଼ିଂ ଏବେ ଆନ୍ତର୍ଜାତୀୟ ଖାଦ୍ୟ ଅନୁଷ୍ଠାନ ଅଫିସରେ ପରିଣତ ହୋଇଛି । ବହୁ କର୍ମଚାରୀ କାମ କରୁଛନ୍ତି । ଅଫିସର, କିରାଣୀ, ଅଡ଼ର୍ଲି, ଡ୍ରାଇଭର ଇତ୍ୟାଦି....ଇତ୍ୟାଦି....।

 

ଏ ଅଫିସକୁ ବେଳେ ବେଳେ ଶ୍ୟାମାକାନ୍ତ ଆସନ୍ତି । ଛଗନ୍‌ଲାଲ ମୁଣ୍ଡକୁ ନବେଡ଼ିଗ୍ରୀ କୋଣକରି ଅଭିବାଦନ ଜଣାନ୍ତି ।

 

ତା’ ପରେ.....

 

ବହୁ ସମୟ ଧରି ଗୁପ୍ତ ମନ୍ତ୍ରଣା ଚାଲେ....

 

ଅନ୍ୟମାନେ ମନ୍ତ୍ରଣାରେ ଭାଗନେବାର ସୁବିଧା ପାଆନ୍ତିନାହିଁ ।

 

ସେଦିନ ଯୋଗାଣବିଭାଗ ମନ୍ତ୍ରୀ ନିମନ୍ତ୍ରଣକ୍ରମେ ଆନ୍ତର୍ଜାତୀୟ ଖାଦ୍ୟଅନୁଷ୍ଠାନ ଅଫିସକୁ ଆସିଥିଲେ । କର୍ମକର୍ତ୍ତାମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ।

 

ଏମାନେ ବିଦେଶକୁ କଞ୍ଚାମାଲ୍‌ ପଠାଇ ବିଦେଶୀ ମୁଦ୍ରା ସଂଗ୍ରହ କରିବାକୁ ସକ୍ଷମହେବେବୋଲି ସେ ଆଶ୍ୱସ୍ତି ଲାଭକରିଥିଲେ ।

 

ଶ୍ୟାମାକାନ୍ତ ଜଣ ଜଣ କରି ଅଫିସର ଓ ଅନ୍ୟାନ୍ୟକର୍ମକର୍ତ୍ତାମାନଙ୍କ ସହିତ ପରିଚୟ କରାଇଦେଇଥିଲେ ।

 

ସାମୁଏଲ ବିଲ୍‌ଡ଼ିଂ.....

 

କଟକର ନାମାଜାଦା ବ୍ୟବସାୟୀମାନଙ୍କର ଅନୁଷ୍ଠାନ ।

 

ଏଇ ଅନୁଷ୍ଠାନର ମ୍ୟାନେଜିଂ ଡାଇରେକ୍‌ଟର ଛଗନ୍‌ଲାଲ୍‌ଙ୍କ କନ୍ୟା ତନୁଲତା ଜାଜୋଡ଼ିଆ ।

 

ମନ୍ତ୍ରୀ ଆସିଥିବାର କଥା ଶୁଣି ଗ୍ରେ–ରଙ୍ଗର ଭ୍ୟାନିଟି ବ୍ୟାଗ୍‌ଟି ହଲାଇ ହଲାଇ ତନୁଲତା ଆସିଥିଲେ । ହସି ହସି କଥାକହି ସରଳତାରେ ମନ୍ତ୍ରୀଙ୍କ ହୃଦୟ ଜୟ କରି ଯାଇଥିଲେ ।

 

ରାତ୍ରି ଆସନ୍ନ ପ୍ରାୟ.....

 

ଷ୍ଟାଡ଼ିୟମର ନିକଟବର୍ତ୍ତୀ ପିଚୁରାସ୍ତା ଉପରେ କଳା କଳା ଅନ୍ଧାର ଜମାହୋଇ ପଡ଼ିଥିଲା-

 

କାର୍ଯ୍ୟବ୍ୟସ୍ତତାର ସୂଚନାଦେଖାଇ ଛଗନ୍‌ଲାଲ୍‌ ଓ ଶ୍ୟାମାକାନ୍ତ ବାହାରକୁ ଚାଲିଯାଇଥିଲେ । ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଅଫିସ ଛାଡ଼ି ଚାଲିଯାଇଥିଲେ । ବିରାଟ ସାମୁଏଲ୍‌ ବିଲ୍‌ଡ଼ିଂରେ ଏକା ଥିଲେ ମନ୍ତ୍ରୀ ଓ ତନୁଲତା.....

 

ତରଳ ମନ୍ତ୍ରୀତ୍ୱକୁ ତନୁଲତା ଆକଣ୍ଠ ପାନକରୁଥିଲା ।

 

ନାରୀର ଲେଲିହାନ ଜିହ୍ୱା ବିରାଟ ସ୍ୱର୍ଣ୍ଣଲଙ୍କାକୁ ଜାଳିପୋଡ଼ି ଛାରଖାର କରିଦେଇଛି । ବିରାଟ ମହାଭାରତ ଯୁଦ୍ଧର ସୂତ୍ରପାତ କରିଛି । ବୃନ୍ଦାବନରେ ବିରାଟ ପ୍ରେମର ସୁଅ ଛୁଟାଇଛି । ଆଜି ଅବା ମନ୍ତ୍ରୀଙ୍କ ନିକଟରେ ହାର ମାନିବ କେମିତି ?

 

ସ୍ୱତଃପ୍ରବୃତ୍ତ ହୋଇ ମନ୍ତ୍ରୀମହାଶୟ ରାଜ୍ୟବାହାରେ ବାଣିଜ୍ୟ କରିବାର ଅନୁମତି ଦେଇଛନ୍ତି ।

 

ଏମିତି.....

 

ପରେ ଜଣାଗଲା.....ସାମୁଏଲ୍‌ ବିଲ୍‌ଡ଼ିଂକୁ ମନ୍ତ୍ରୀମହାଶୟ ଅନେକ ସମୟରେ ଆସନ୍ତି ।

 

ପ୍ରୀତିଙ୍କ ମନର ଉଚ୍ଚାଙ୍ଗ ଆନନ୍ଦ ଆଜି ସୀମା ଟପିଛି । ଏକମାତ୍ର ଅଲିଅଳପୁଅ ସନତ୍‌ କଟକ ଡାକ୍ତରଖାନାରେ ଚାକିରୀ ପାଇଛି ।

 

କଟକ ନହୋଇ ଯେବେ ଅନ୍ୟସ୍ଥାନରେ ଚାକିରୀଟା ମିଳିଥାନ୍ତା ତେବେ ପ୍ରୀତି ଦୁଃଖରେ ମ୍ରିୟମାଣ ହୋଇପଡ଼ିଥାନ୍ତେ ।

 

ଶ୍ୟାମାକାନ୍ତବାବୁଙ୍କ ଘରେ ଆଜି ଭୋଜିଭାତର ଆୟୋଜନ ।

 

ଅହଲ୍ୟାଙ୍କ କୋଠରି ଭିତରକୁ ପଶିଆସୁ ଆସୁ ସନତ୍‌ କହିଲା, ଅହଲ୍ୟାଦେବୀ ! ତୁମକୁ ଆଜି ମୋ ସହିତ ଆମ ଘରକୁ ଯିବାକୁ ପଡ଼ିବ ।

 

ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁରହିଲେ ଅହଲ୍ୟା ।

 

ସନତ୍‌ କହିଲା–ଜାଣି ହୁଏତ ତୁମେ ଖୁସିହେବ ଯେ ମୋର କଟକ ଡାକ୍ତରଖାନାରେ ପୋଷ୍ଟିଂ ହୋଇଛି ।

 

ଅହଲ୍ୟାଙ୍କର ଅଭ୍ୟନ୍ତରରେ ଗୋଟାଏ ଆନନ୍ଦର ତରଙ୍ଗ ଖେଳିଗଲା । ସୋଫାଉପରୁ ଉଠିଆସି କହିଲା କହିଲା ଆଖିରେ ସନତ୍‍କୁ ଚାହିଁରହିଲେ ଅହଲ୍ୟା । ଅହଲ୍ୟାଙ୍କ ପ୍ରାଣଭିତରେ ସେତେବେଳେ ଯେଉଁ ଅଭିବ୍ୟକ୍ତିର ବିକାଶ, ତାହା ଅନ୍ୟ କାହାରି ଆଖିକୁ ଦେଖା ନଗଲେ ମଧ୍ୟ ସନତ୍‍କୁ ଜଳ ଜଳ ହୋଇ ଦେଖାଯାଉଥିଲା ।

 

କଥାଟା ଉପରେ ଜୋର ଦେଇ ସନତ୍‌ କହିଲା–ଆଜି ଆମ ଘରକୁ ଯିବକି ନାହିଁ କୁହ ।

 

କେବଳ ସମର୍ଥନର ହସ ହସିଲେ ଅହଲ୍ୟା ।

 

ରଣଜିତ୍‌ବାବୁ ତଳମହଲାରୁ ଉଠି ଆସୁଆସୁ କହିଲେ ସନତ୍‍ର କଥାରେ ଅମନା ହୁଅନା ମାଆ ସେ ଯାହା କହୁଛି, ତା’ରି କଥା ଅନୁସାରେ କାମକର ହଠାତ୍‌ ରଣଜିତ୍‌ବାବୁଙ୍କୁ ଦେଖି ନମସ୍କାର ଜଣାଇ ସନତ୍‌ କହିଲା, ଆପଣଙ୍କୁ ମଧ୍ୟ ଆମ ଘରକୁ ଯିବାକୁ ପଡ଼ିବ ସାର୍‌, ଭୋଜିଭାତର କିଛି ଅଂଶ ଭୋଗକରିବାକୁ ପଡ଼ିବ ।

 

ଥକାହୋଇ ଠିଆ ହୋଇଗଲେ ରଣଜିତ୍‌ବାବୁ ।

 

ତାଙ୍କ ସୂକ୍ଷ୍ମ ମନଭିତରେ ଗୋଟାଏ ସନ୍ଦେହର ଘୂର୍ଣ୍ଣିବାୟୁତଡ଼ିତ ଛୁଟାଇଥିଲା ।

 

କିନ୍ତୁ ପରକ୍ଷଣରେ ସବୁ ସନ୍ଦେହକୁ ଦୂରକୁ ଠେଲି ସନତ୍‌ କହିଲା–ମୋର କଟକ ଡାକ୍ତରଖାନାରେ ପୋଷ୍ଟିଂ ହୋଇଯାଇଛି ସାର୍‌ ! ସେଇଥିପାଇଁ ଏ ଭୋଜିଭାତର ଆୟୋଜନ, ହଠାତ୍‌ ଗୁଡ଼ାଏ ଲାଭା ଏକସମୟରେ ବାନ୍ତିହୋଇ ପଡ଼ିଲା ପରି ହସିଉଠିଲେ ରଣଜିତ୍‌ ।

 

କଥାଟାର ପୂର୍ଣ୍ଣ ସମର୍ଥନ ଜଣାଇ କହିଲେ–ଏପରି ପର୍ବରେ ମୁଁ ଯୋଗ ଦେବିନାହିଁତ ଆଉ ଯୋଗଦେବ କିଏ ?

 

ମନ ଆନନ୍ଦରେ ସେଦିନ ସେତିକିରେ ଫେରିଗଲା ସନତ୍‌ । ଅହଲ୍ୟା ଯେବେ କଥା କହିପାରୁଥାନ୍ତେ–ତେବେ କେତେ ଥଟ୍ଟାପରିହାସକରି ଆନନ୍ଦର ସମର୍ଥନ କରିଥାନ୍ତେ । କିନ୍ତୁ.....

 

କିନ୍ତୁ ଭୋଜିଭାତର ଆଦ୍ୟପର୍ବରେ ସନତ୍‌ ଦେଖିଲା ଏକା ରଣଜିତ୍‌ବାବୁ ଗାଡ଼ିରୁ ଓହ୍ଲାଇ ତାଙ୍କ ଘରଆଡ଼କୁ ଆସୁଛନ୍ତି । ଦମକି ଛିଡ଼ାହୋଇଗଲା ସେ । କେତେ କ’ଣ ଚିନ୍ତାକରିଗଲା ସାମାନ୍ୟ ଗୋଟାଏ ମୁହୂର୍ତ୍ତରେ ।

 

ରଣଜିତ୍‌ବାବୁ ବଡ଼ ଚାଲାଖ୍‌ ଲୋକ । ସନତ୍‍ର ମନକୁ ପଢ଼ିବାକୁ ତାଙ୍କୁ ବେଶୀ ସମୟ ଲାଗିନଥିଲା । ହଠାତ୍‌ କହି ଉଠିଲେ, ବହୁତ ବୁଝାଇଲି, ହେଲେ ଅମନା ଝିଅଟା ଆସିବାକୁ ମଙ୍ଗିଲା ନାହିଁ ।

 

କଥା ନସରୁଣୁ ଶ୍ୟାମାକାନ୍ତ ବାବୁ ରଣଜିତ୍‌ବାବୁଙ୍କୁ ଝିଙ୍କି ଝିଙ୍କି ଘର ଭିତରକୁ ନେଇ ଯାଇଥିଲେ । ସେତେବେଳକୁ ଛଗନ୍‌ଲାଲ ଆଦି ଭଦ୍ରଲୋକ ଉତ୍ସବରେ ଯୋଗଦେଇସାରିଥିଲେ । ତନୁଲତା ମଧ୍ୟ ଆସି ଇଂରାଜୀକାଇଦାରେ ସ୍ଥାନ ଦଖଲ କରିଥିଲେ । ତାଙ୍କ ପାଟିରୁ ଅନବରତ ସନତ୍‍ର ପ୍ରଶଂସା ଝରିପଡ଼ୁଥିଲା ।

 

ଏ ସବୁକୁ କିନ୍ତୁ ଲକ୍ଷ୍ୟକରିବାକୁ ସନତ୍‍ର ସମୟ ନଥିଲା । ସେ ଘରୁ ରାସ୍ତାଉପରକୁ ଚାଲିଆସି.....ଝଟ୍‌କରି ଗୋଟାଏ ରିକ୍‌ସାରେ ବସିପଡ଼ି କହିଲା–ଚାଲ୍‌ ରିକ୍‌ସା !

 

ରିକ୍‌ସା ଚାଲିଛି..... । ଆଉ ଚାଲିଛି ସନତ୍‍ର ଗତିଶୀଳମନ ।

 

ରଣଜିତ୍‌ବାବୁଙ୍କ କୋଠା ।

 

ରିକ୍‌ସା ଅଟକିଲା । ସନତ୍‌ କୁଦାମାରି ଉଠିଗଲା ଉପରମହଲାକୁ । ଅହଲ୍ୟା ସେମିତି ସୋଫାଉପରେ ବସି ଚାହିଁଥିଲେ ବାହାରର ବିଜୁଳିବତୀ ଆଡ଼େ ।

 

ପଛଆଡ଼ୁ ରୀତିମତ ଅହଲ୍ୟାଙ୍କୁ ଝୁଲାଇ ଦେଇ ସନତ୍‌ କହିଲା–ଏ କ’ଣ କଲ ଅହଲ୍ୟାଦେବୀ ? ମୋର ଏତେ ବଡ଼ ଅନୁରୋଧକୁ ଏଡ଼େଇ ଦେଇ ତୁମେ ନୀରବ ରହିପାରିଲ ?

 

ଅହଲ୍ୟା କିନ୍ତୁ କିଛି କହିପାରି ନଥିଲେ । ତାଙ୍କ ଆଖିରୁ ଝର ଝର ହୋଇ ଲୁହ ଖସି ପଡ଼ିଥିଲା । ଖଣ୍ଡେ କାଗଜ ସେ ବଢ଼ାଇଦେଲେ ସନତ୍‌ ଆଡ଼କୁ ।

 

ମୁହୂର୍ତ୍ତକ ମଧ୍ୟରେ କାଗଜଖଣ୍ଡକ ପଢ଼ିଗଲା ସନତ୍‌ । ଲେଖାଥିଲା–ସନତ୍‌ ବାବୁ ! ବହୁ ଇଚ୍ଛା ଓ ଆଗ୍ରହନେଇ ତୁମଘରକୁ ଯିବାର ମୋର ଇଚ୍ଛାଥିଲା । ହେଲେ କି ଯୁକ୍ତି ନେଇ ମୁଁ ଯିବି ? କ’ଣ କହି ତୁମେ ମୋର ପରିଚୟ କରାଇଦେବ ? ତା’ ଛଡ଼ା ପରିଚୟର ପ୍ରତ୍ୟୁତ୍ତର ଦେଇ ପାରିବି ତ ?

 

କେବଳ ଏହି କଥା କହିପାରେନାହିଁ ବୋଲି ମୁଁ ବାହାରକୁ ଯାଏ ନାହିଁ । ସାଧାରଣଙ୍କ ସହିତ ମିଶେନାହିଁ । ବାପା ସିନା ମୋତେ ତୁମଘରକୁ ନେଇ ଆନନ୍ଦ ପାଇବେ–ହେଲେ ଯେତେବେଳେ ପ୍ରତ୍ୟେକ କଥାରେ ମୁଁ ନିରୁତ୍ତର ରହିବି, ସେତେବେଳେ ବାପାଙ୍କ ମନରେ ଯେଉଁ ଦୁଃଖ ରେଖା କାଟିବ, ତାହା ମୋ ଛଡ଼ା ଅନ୍ୟ କେହି ହୃଦୟଙ୍ଗମ କରିପାରିବନାହିଁ । ଏଇଠିଥାଇ କଳ୍ପନା ଦେହରେ ମୁଁ ତୁମ ଭୋଜିଭାତ ଉପଭୋଗକରି ନେଉଛି ସନତ୍‍ବାବୁ ! ଅକାରଣେ ବାପାଙ୍କ ମନରେ ବା ମୋ ମନରେ ଆଘାତ ଦେବାକୁ ମୋତେ ନିଅନାହିଁ । ରୋଗିଣୀ କି କେବେ ଆନନ୍ଦ ମହୋତ୍ସବରେ ଯୋଗଦେଇପାରେ ?

 

କାଗଜ ଖଣ୍ଡକ ପଢ଼ୁ ପଢ଼ୁ ଗୋଟାଏ ଅଜଣା କରୁଣତାର ଶୀତ୍‌କାର ସନତ୍‍ର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ଖେଳିଗଲା । ଆଖିରୁ ଲୁହ ଖସିଲା । ସନତ୍‌ କହିଲା–ତୁମର ଦୁଃଖ ମୁଁ ବୁଝୁଛି ଅହଲ୍ୟାଦେବୀ.....ଉତ୍ସବରେ ଯୋଗ ଦେବାକୁ ଆଉବାଧ୍ୟ କରୁନାହିଁ । ହେଲେ ଆଜି ଏଇଠି ଶପଥନେଉଛି, ଖୁବ୍‌ ଶୀଘ୍ର ମୁଁ ନିଶ୍ଚୟ ତୁମକୁ ଭଲକରିବି । ତା’ ନହେଲେ ମୋର ଏ ବିରାଟ ସେବକ ଜୀବନ ନଷ୍ଟହୋଇ ଯିବ ।

 

ପୁଣି ସେମିତି ଏକାକୀ ଫେରିଆସିଲା ସନତ୍‌ ।

 

ଭୋଜିଭାତ ଚାଲିଛି....

 

ସନତ୍‌ ନିକଟରେ ବସିଛି ତନୁଲତା.....

 

କେତେବେଳେ କେମିତି ଟମାଟୋ ଖଟା ବା ମଟନ୍‍ ଚପ୍‌ରେ ମୃଦୁ ଚୁମ୍ୱନ କରି ତନୁଲତା କହୁଛନ୍ତି–ଭେରି ନାଇସ୍‌ ମିଷ୍ଟର ସନତ୍‌ ! ଭେରି ନାଇସ୍‌ ।

 

ସନତ୍‌ ଅନ୍ୟଆଡ଼େ ମୁହଁ ବୁଲାଇଲା ବେଳକୁ ହାଇହିଲ୍‌ ଚପଲରେ ଗୋଡ଼କୁ ଠେଲିଦେଇ କହୁଛନ୍ତି–ଡୁ ୟୁ ନଟ୍‌ ଆପ୍ରିସିଏଟ୍‌ ଦି ଆଇଟମ୍‌ ?

 

ବାଧ୍ୟ ହୋଇ ହଁ ଭରୁଛି ସନତ୍‌ ।

ଏ ଝିଅଟିର ବ୍ୟବହାର ଦେଖି ଅନେକ ସମୟରେ ଆଶ୍ଚର୍ଯ୍ୟ ହେଉଛି ସନତ୍‌ । ସତରେ....ମଣିଷ ମଣିଷ ଭିତରେ କି ଆକାଶ ପାତାଳ ପ୍ରଭେଦ ।

ଠିକ୍‌ ଏହି ତନୁଲତା ପରି ଅହଲ୍ୟା ମଧ୍ୟ ଗୋଟିଏ ଝିଅ । କଥା କହି ନ ପାରିଥିଲେ ମଧ୍ୟ ସରଳତା, ନମ୍ରତା, ଭଦ୍ରାମୀ ତନୁଲତାଠାରୁ କେତେ ଉନ୍ନତ ଧରଣର ।

ଅହଲ୍ୟାଙ୍କ କଥା ଚିନ୍ତା କରୁ କରୁ ଅନେକ ସମୟରେ ପାଗଳ ହୋଇ ଉଠୁଥିଲା ସନତ୍‌-

ଭୋଜିଭାତ ସରିଲାବେଳକୁ ରାତି ଦଶଟା ହୋଇ ଯାଇଥିଲା । ଅତିଥିମାନେ ଯେ ଯାହା ଘରକୁ ଫେରି ଯାଇଥିଲେ ।

ରାତିର ଅନ୍ଧକାର ମଧ୍ୟରେ କଟକ ସହର ଶୋଇଛି । ଶୋଇଛନ୍ତି ମଧ୍ୟ କୁମାରୀ ଅହଲ୍ୟା-। ବାପା ଭୋଜିଭାତ ଖାଇ ଆନନ୍ଦରେ ହାକୁଟି ମାରି ମାରି ଫେରିଛନ୍ତି । କିନ୍ତୁ ଅହଲ୍ୟା ପେଟ ଖରାପର ଦ୍ୱାହି ଦେଇ ଆଜି ଉପବାସ । କିଏ କହିବ ଏ ଉପାସନା କାହିଁକି ?

ଦେହର ଘା’ ପାଇଁ ମଣିଷ ଔଷଧ ବ୍ୟବହାର କରେ । କିନ୍ତୁ ମନର ଘା ଦୂରାରୋଗ୍ୟ । ଏ ଘା’ କେବଳ ଦିନକୁ ଦିନ ବଢ଼ିବାକୁ ଲାଗେ । ସେବା ପାଇଲେ ବେଶୀ ବେଶୀ ପୁଜ ନସି ଦେବାକୁ ଆରମ୍ଭ କରେ । ଆଜି ସେବା ପାଇ ସେମିତି ଅହଲ୍ୟାଙ୍କ ଘା’ ଯନ୍ତ୍ରଣା ଦେଉଛି ।

ଥରୁଟାଏ ବାଟ ପାଇଲେ ସେ ବାଟଦେଇ ସବୁବେଳେ ଧାଇଁବା ହେଲା ପାଣିର ଧର୍ମ....

ସେମିତି....

ଭୋଜିଭାତକୁ ଥରେ ତନୁଲତା ଆସିଥିଲା । ଏ ଆସିବା ଆଉ ବନ୍ଦ ହୋଇନାହିଁ । ବହୁ ଅଦରକାରୀ ସମୟରେ ମଧ୍ୟ ଆସିଛି । ଖାଲି ଆସିବା ଯିବାରେ ବା ଗୁରୁତ୍ୱ କ’ଣ ଅଛି ? ହେଲେ ତନୁଲତା ଆସେ ଗୋଟିଏ ନିର୍ଦ୍ଦିଷ୍ଟ ଅନୁରୋଧ ନେଇ । କେଉଁଦିନ ସିନେମା ଦେଖି ଯିବାର ଅନୁରୋଧ ଅବା କେଉଁଦିନ ମାଡ଼୍ରାସୀ ହୋଟେଲ୍‌ରେ ଟିକେ ଟିଫିନ୍‌ ଖାଇ ନେବାର ଅନୁରୋଧ ।

ସନତ୍‌ ଏ ସବୁ ଅନୁରୋଧକୁ ଏଡ଼ାଇବାକୁ ଚେଷ୍ଟା କରେ । କିନ୍ତୁ ସମୟ ବିଶେଷରେ ଯିବାକୁ ବାଧ୍ୟ ହୁଏ ।

ମାଡ୍ରାସୀ ହୋଟେଲରେ ତନୁଲତା ସହିତ ଖଣ୍ଡେ ଇଟ୍‌ଲି ପାଟିକୁ ନେଉ ନେଉ ସନତ୍‌ ଚିନ୍ତାକରେ.... ଯେବେ ଅହଲ୍ୟା ଦେଖନ୍ତି, ତେବେ କ’ଣ ଭାବିବେ ?

ହେଲେ ଭାବିବାର କ’ଣ ଅଛି ? ଅହଲ୍ୟା ରୋଗୀ, ତାଙ୍କର ଅଧିକ କିଛି ଚିନ୍ତା କରିବାର କି ଅଧିକାର ଅଛି ?

ଅଧିକାର ସାବ୍ୟସ୍ତ ପାଇଁ ଅନେକ ସମୟରେ ଆଇନର ଆଶ୍ରୟ ନେବାକୁ ପଡ଼େ ନାହିଁ । ଅହଲ୍ୟା ସନତ୍ ଜୀବନର ଯେଉଁ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ଯାଇଥିଲେ, ସେ ଅଧିକାରକୁ ଅସ୍ୱୀକାର କରିବା ସନତ୍‌ ପାଖରେ ଅନେକ ସମୟରେ ଅସମ୍ଭବ ହୋଇ ପଡ଼ୁଥିଲା ।

ତନୁଲତାଙ୍କର ହୋଟେଲ, ବାହାର, ଘର ଏ ସବୁର ବାଛ ବିଚାର ନ ଥାଏ । ସେ ସନତ୍‍ଙ୍କ ସହିତ ଥଟ୍ଟା, ପରିହାସ, ଦୁଷ୍ଟାମି ଆରମ୍ଭ କରନ୍ତି । ସନତ୍‍ର ତରୁଣ ତନୁତୀର୍ଥରେ ତରଙ୍ଗ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ।

 

ଯୁବକ ପ୍ରାଣ...

 

ବିସ୍ତୃତ ସମୁଦ୍ର ତୀରର ନୀଳ ଉପତ୍ୟକା ପରି । ଚତୁର୍ଦ୍ଦିଗ କେବଳ କୋମଳତାର ଆବେଷ୍ଟନୀ । ଏଇ ଉପତ୍ୟକାରେ ଫୁଲ ଫୁଟେ, ସ୍ୱରୁପ ଉଠେ, ଦିଗ ଚହଟେ ।

 

ମୃଦୁ ମଳୟର ନରମ ସ୍ପର୍ଶ ଜ୍ୟାମିତିକ ରେଖା ଟାଣି ରାଗିଣୀ ତୋଳେ ।

 

ଅନେକ ସମୟରେ ତନୁଲତାଙ୍କର ମାଂସ–କୋକନଦରୁ ଗନ୍ଧ ଆଘ୍ରାଣ କରିବାକୁ ଚେଷ୍ଟାକରେ ସନତ୍ । ପୁଣି ପ୍ରକୃସ୍ଥିତ ହୁଏ ପର ମୁହୂର୍ତ୍ତରେ ।

 

ପର ମୁହୂର୍ତ୍ତରେ ତନୁଲତା ସନତ୍‍ର କାନ୍ଧକୁ ହଲଇଦେଇ କହନ୍ତି–ମିଷ୍ଟର ସନତ୍ ! କ’ଣ ଭାବୁଛନ୍ତି ?

 

ଲାଜରା ହୁଏ ସନତ୍‌ । କହେ–ନାଇଁ ଏମିତି ।

 

ଦୁଷ୍ଟାମିର ହସ ହସି ତନୁଲତା କହେ–ନୂଆ ଜୀବନର କଥାଗୁଡ଼ାକ ଏମିତି । ଯାହାର ଆଦ୍ୟ ନାହିଁ କି ପ୍ରାନ୍ତ ନାହିଁ । ଗତି ନାହିଁ କି ବିସ୍ତୃତି ନାହିଁ । ହେଲେ ଅବସ୍ଥିତି ଅଛି ।

 

ତନୁଲତାଙ୍କର ଯୁକ୍ତି ଶୁଣି ସ୍ଥାଣୁ ଭଳି ଠିଆହୋଇ ରହେ ସନତ୍‌ । ତନୁଲତାଙ୍କୁ ବୁଝିବାକୁ ଚେଷ୍ଟା କରେ । ହେଲେ ଭାବନାର ଖିଅଗୁଡ଼ାକ ଓଲମ ବିଲମ୍ ହୋଇଯାଏ । ସନତ୍ ଫେରିଆସେ ନିଜ କୋଠରିକୁ ।

 

ଯୁବକ ଓ ଯୁବତୀ, ପ୍ରୟାଗର ପବିତ୍ର ସଂଗମ କ୍ଷେତ୍ର ।

 

ଯୁବକ ସମୟରେ ଭାଗ୍ୟ ଆକାଶରେ ବହୁ ଯୁବତୀ ଉଦୟ ହୁଅନ୍ତି । ଆଉ ଯୁବତୀର କୋମଳ ଅଧର, ଉନ୍ନତ ତନୁଲତା ସହିତ ବହୁ ଯୁବକ ମଧ୍ୟ ଖେଳ ଖେଳି ଯାଆନ୍ତି ।

 

କିନ୍ତୁ...

 

ପୁରୁଷ ପାଖରେ ସ୍ତ୍ରୀ, ବିଗତ ଦିନର ବହୁ କିଛି ଅକୁହା କଥା ନ କହି ହୁଏ ସତୀ । ଠିକ୍ ସେମିତି ସ୍ତ୍ରୀ ପାଖରେ ପୁରୁଷ ବହୁ କପୋଳ କଳ୍ପିତ ମିଛକଥା କହି ନିଏ ବାହାଦୁରୀ ।

 

ଏ ଭେଜାଲ୍‍ ଦୁନିଆରେ ଏମିତି ବହୁକିଛି କଥା ସମ୍ଭବ ହୁଏ ।

 

ସ୍ତ୍ରୀ ସମ୍ମାନ ଦେଖାଇ ନୀରବ ରହେ ।

 

ପୁରୁଷ ଆତ୍ମତୃପ୍ତିରେ ନିଶ୍ୱାସ ମାରେ ।

 

ଯୁବକ ଯୁବତୀଙ୍କର ମନ ଆଉ ବିଗତକୁ ପଢ଼ିବାକୁ ଯେବେ ଗୋଟାଏ ଯନ୍ତ୍ର ଥାନ୍ତା, ତେବେ ବହୁ ଅଜଣା କଥା ସର୍ବସାଧାରଣରେ ଜଣା ପଡ଼ିଯାଆନ୍ତା ।

 

ଆଜି ସକାଳ ପ୍ରହରରୁ ଅହଲ୍ୟାଙ୍କୁ ସାମାନ୍ୟ ଜର । ରୀତାଦେବୀ ବ୍ୟସ୍ତ ହୋଇ ଉଠିଛନ୍ତି । ରଣଜିତ୍‌ବାବୁ ମଧ୍ୟ ବାହାର ଟେବୁଲଟା ପାଖରେ ବସି ମିଛରେ ଚେସ୍‌ବୋର୍ଡ଼ର ସୈନିକଗୁଡ଼ାକୁ ବାଡ଼େଇବାରେ ଲାଗିଛନ୍ତି ।

 

ଗୋଟାଏ ତାର ଛିଡ଼ିଗଲେ ଯେମିତି ଏକତାରାର ସ୍ୱର ହଠାତ୍ ବନ୍ଦ ହୋଇଯାଏ, ସେମିତି ଅହଲ୍ୟାଙ୍କର ସାମାନ୍ୟ ଅସୁସ୍ଥତାରେ ରଣଜିତ୍‌ବାବୁଙ୍କ ଘରେ ଯନ୍ତ୍ରଣାର ଲଘୁଚାପ ସୃଷ୍ଟି ହୋଇଛି । ସକାଳର ଚାହାଟା ଟେବୁଲ ଉପରେ ଥୁଆ ହୋଇ ଥଣ୍ଡା ହୋଇଛି । ହେଲେ ରଣଜିତ୍‌ବାବୁ ସେତେକ ଖାଇବାକୁ ଭୁଲି ଯାଇଛନ୍ତି ।

 

ରୀତାଦେବୀ ଦାଣ୍ଡ ଘରକୁ ଆସୁ ଆସୁ କହିଲେ–ଡାକ୍ତର ଡାକ । ଝିଅଟା ଦେହରୁ ଏ ଯାଏ ତାତି ଓହ୍ଲାଇଲା ନାହିଁ । ରଣଜିତ୍‍ବାବୁ ହଠାତ୍‌ ବାଘଭଳି ଗର୍ଜିଉଠି କହିଲେ–ତା’ ହେଲେ ତୁମେ କହୁଛ ମୋ ଅରୁ ଆଉ ଭଲ ହେବନାହିଁ ?

 

ଅଜଣା ଆତଙ୍କରେ ଥରି ଉଠିଲେ ରୀତାଦେବୀ । ଅନୁନୟ ଭରା ନରମ ଗଳାରେ ପୁଣି ଅନୁରୋଧ କରି କହିଲେ–ଏଇଟା ପାଗଳାମି କରିବାର ବେଳ ନୁହେଁ । ଜର ନୂଆ ଆରମ୍ଭ ହୋଇଛି ଚିକିତ୍ସା କଲେ ନିଶ୍ଚୟ ଚଞ୍ଚଳ ଛାଡ଼ିଯିବ ।

 

ପ୍ରକୃତିସ୍ଥ ହେଲେ ରଣଜିତ୍‍ବାବୁ ।

 

ରୀତାଦେବୀ ଓ ରଣଜିତ୍ ବାବୁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ଘରଭିତରକୁ ପ୍ରବେଶ କରିଥିଲା ସନତ୍ ।

 

ହଠାତ୍ ରୋକିଯାଇ କହଲା–ଜର କାହାକୁ ସାର୍ ?

 

ତଟସ୍ଥ ତଟିନୀ ପ୍ରଖରଗତିରେ ବହିବାକୁ ଆରମ୍ଭ କରିଛି । ରଣଜିତ୍‍ବାବୁ ଟେବୁଲଟାକୁ ବାଡ଼େଇ ଦେଇ କହିଲେ–ଡାକ୍ତର ଆସିଗଲା ରୀତା, ଏବେ ଝିଅର ଦାୟିତ୍ୱ ତାରି ଉପରେ ।

 

ସନତ୍‍ଆଡ଼େ ଆଖି ଫେରାଇ ରୀତାଦେବୀ କହିଲେ–କାଲି ରାତିଠାରୁ ପ୍ରାୟ ଅରୁକୁ ଜର । ଏ ପର୍ଯ୍ୟନ୍ତ ତାତି କମିନାହିଁ ।

 

ଆଉକିଛି ଶୁଣିବାକୁ ଅପେକ୍ଷା କରିନଥିଲା ସନତ୍ । ନୀରବରେ ଉଠିଗଲା ଉପର ମହଲାକୁ ।

 

ତୁଳିତଳ୍ପ ଡନ୍‌ଲପ୍ ଶଯ୍ୟାରେ ଶୋଇଛନ୍ତି ଅହଲ୍ୟା ।

 

ଆଖିରେ ବିଷାଦର କାଳିମା ।

 

ସ୍ଥିର ଦୃଷ୍ଟିରେ ଅହଲ୍ୟା ଚାହିଁରହିଛନ୍ତି ଛାତର ସିଲିଂଆଡ଼େ । ଅହଲ୍ୟାଙ୍କ ବିଛଣାରେ ଯାଇ ବସିଲା ସନତ୍ ।

 

ଅହଲ୍ୟା ହଠାତ୍‌ ଭୋ ଭୋ ହୋଇ କାନ୍ଦିଉଠି ସନତ୍‍କୁ ଝିଙ୍କିନେଲେ ନିଜର ସ୍ପନ୍ଦିତ ବକ୍ଷ ଉପରକୁ ।

 

ବିନା ପ୍ରତିବାଦରେ ଢଳିପଡ଼ିଥିଲା ସନତ୍‌ ।

 

କାଠଯୋଡ଼ିର ସ୍ରୋତସ୍ୱିନୀ ଜଳରାଶି ସାଗରର ଅନନ୍ତ ଗହ୍ୱରରେ ଆଶ୍ରୟ ନେଇଛି, ବିନା ଆଲୋଡ଼ନରେ ।

 

ବହୁ ସମୟ ବିତିଗଲା ।

 

ଫାଙ୍କା ବାତାୟନ ଦେଇ ବହୁଥିଲା ହାଲ୍‌କା ପବନ । ପୁଣି ମୁଣ୍ଡ ତୋଳିଲା ସନତ୍ । ଅହଲ୍ୟାଙ୍କ ମୁଦ୍ରିତ ପଦ୍ମପାଖୁଡ଼ା ପରି ମୁହଁ ଉପରେ ହାତ ବୁଲାଇଆଣି କହିଲା–ଦେହରେ ଏତେ ଜର, ହେଲେ ମୋତେ ଖବର ଦେଲନାହିଁ ?

 

କିଛି ଉତ୍ତର ଦେଇପାରି ନଥିଲେ ଅହଲ୍ୟା ।

 

ଯଦି ମୁହଁ ଖୋଲିଥାନ୍ତା...ତେବେ ହୁଏତ ସେ କହିଥାନ୍ତେ, କେବଳ ତୁମରି ପାଇଁ ଯେ ଏ ଜ୍ୱରର ଉତ୍ତାପ ସନତ୍‌, ତୁମକୁ ଖବର ଦେଇ କ’ଣ ମୁଁ ଆକୁ ଆହୁରି ବଢ଼ାଇବାକୁ ଚାହେଁ ?

 

ସନତ୍‌ କହିଲା–ମୋ ଡାକ୍ତରୀ ଜୀବନର ତୁମେହିଁ ପ୍ରଥମ ରୋଗୀ ଅହଲ୍ୟାଦେବୀ । ତୁମକୁ ଭଲକରି ନପାରିଲେ, ମୋର ଦୀର୍ଘ ରୋଗୀସେବାର ଜୀବନ ନଷ୍ଟହୋଇ ଯିବ ।

 

ଏତେବେଳେ ଅହଲ୍ୟା ହୁଏତ ବହୁତ କିଛି ଚିନ୍ତାକରିବାକୁ ଉପକ୍ରମ କରୁଥିଲେ ।

 

ସନତ୍ କହିଲା–ରଣଜିତ୍‍ବାବୁଙ୍କୁ କହି ମୁଁ ଆଜି ତୁମକୁ ଡାକ୍ତରଖାନା ସିଟ୍‌କୁ ନେଇଯିବି । ତା’ ନହେଲେ ଏଠାରେ ଏଣୁ ତେଣୁ ଚିନ୍ତା କରି କରି ତୁମର ଜର ଆହୁରି ବଢ଼ିବାକୁ ଲାଗିବ ।

 

ପ୍ରତିବାଦ କରିପାରି ନଥିଲେ ଅହଲ୍ୟା ।

 

ସାମୁଏଲ ବିଲ୍‌ଡ଼ିଂର ଗୋଟିଏ ନିଭୃତ କୋଠରି । କୋଠରି ଭିତରେ ବସିଛନ୍ତି ଶ୍ୟାମାକାନ୍ତ, ତନୁଲତା ଓ ଛଗନ୍‌ଲାଲ । ଶ୍ୟାମାକାନ୍ତ କହିଲେ, ଦେଖନ୍ତୁ ଛଗନ୍‍ଲାଲବାବୁ ! ଯେକୌଣସିମତେ ପାଞ୍ଚ ହଜାର ମହଣ ତେନ୍ତଳିମଞ୍ଜି ଅଟା ଆସନ୍ତାକାଲି ମଧ୍ୟରେ ଯୋଗାଡ଼ କରିବାକୁ ପଡ଼ିବ । ତା’ ନହେଲେ ଅଟା ଚାହିଦା ମେଣ୍ଟାଇବା କଷ୍ଟସାଧ୍ୟ ହୋଇପଡ଼ିବ ।

 

କେରଳ, ପଶ୍ଚିମବଙ୍ଗ, ବିହାର–ପ୍ରତ୍ୟେକ ରାଜ୍ୟରେ ହୁ ହୁ ହୋଇ ଖାଦ୍ୟାଭାବ ବଢ଼ିବାରେ ଲାଗିଛି । ଆମେ ପନ୍ଦର ହଜାର ମହଣ ଅଟା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛୁ । କିନ୍ତୁ ଆମ ପାଖରେ ଯେତିକି ଅଟା ମହଜୁଦ ଅଛି, ତାହାର ସମଗ୍ର ପରିମାଣ ହୁଏତ ଏଗାର ବାର ହଜାର ମହଣ ଭିତରେ । ତେଣୁ ସୁବିଧା ନକଲେ ନିଶ୍ଚୟ ଅସୁବିଧାରେ ପଡ଼ିବାକୁ ପଡ଼ିବ ।

 

ଏ ସମ୍ବନ୍ଧରେ ଯୋଗାଣମନ୍ତ୍ରୀ ମଧ୍ୟ ବାରମ୍ବାର ଫୋନ କରୁଛନ୍ତି । ରାଜ୍ୟସ୍ତରରେ ସେ ଅଟା ଖରିଦ କରିବାକୁ ସ୍ଥିର କରିଛନ୍ତି ।

 

କଥାଟାକୁ ଶୁଣି ନୀରବରେ ମୁଣ୍ଡ ହଲାଇଲେ ଛଗନ୍‌ଲାଲ । ଶ୍ୟାମାକାନ୍ତବାବୁ ପୁଣି ଆରମ୍ଭ କଲେ–କେବଳ ଏଇବର୍ଷ ଯେ ଗହମ ଅଭାବ ପଡ଼ିଲା ତା ନୁହେଁ, ଆସନ୍ତା ବର୍ଷ ମଧ୍ୟ ଗହମ ପ୍ରଚୁର ଅଭାବ ପଡ଼ିବ । କାରଣ ଗହମ ଏରିଆମାନଙ୍କରେ ମରୁଡ଼ି ଦେଖା ଦେଇଛି । ଜଳାଭାବ ଯୋଗୁଁ ଗହମ ଚାଷ ଉତୁରି ପାରୁନାହିଁ । ଏ ସବୁର ବ୍ୟବସ୍ଥା ଆମକୁ ଆଗରୁ କରିବାକୁ ପଡ଼ିବ ।

 

ତନୁଲତା ମୁଣ୍ଡକୁ ନବେଡ଼ିଗ୍ରୀ ବକ୍ରକରି କହିଲେ–ମୋ କଥା ରକ୍ଷା କରିବେକି ଶ୍ୟାମାକାନ୍ତବାବୁ ?

 

ଶ୍ୟାମାକାନ୍ତବାବୁ କହିଲେ–କୁହ କଣ କହିବ ?

 

ତନୁଲତା କହିଲା–ବିଦେଶରୁ ଯେଉଁ ଅଟା, ଗହମ ଓ ଚାଉଳ ଆସୁଛି, ତାକୁ ସତର୍କରେ ପାରାଦ୍ୱୀପ କୋଠିକୁ ନେଇ ଆସନ୍ତୁ । ଆଉ କେତେଟା ବସ୍ତାକୁ ପାଣିରେ ଡୁବାଇ ଦେଇ, ଗହମ ଜାହାଜ ପାଣିରେ ବୁଡ଼ିଯାଇଛି ବୋଲି ପ୍ରଚାର କରାଯାଉ । ସେ ଅନୁସାରେ ଜାହାଜର କର୍ମଚାରୀମାନଙ୍କ ସହିତ ମଧ୍ୟ ଯୋଗସୂତ୍ର ସ୍ଥାପନ କରାଯାଉ । ତା’ ହେଲେ ବହୁ ଗହମ ଓ ଅଟା ଆମ ହାତରେ ବଳକା ରହିଯିବ ।

 

ଆଶାନ୍ୱିତ ଆଖିରେ ଚାହିଁରହିଲେ ଶ୍ୟାମାକାନ୍ତ ।

 

ହସରେ ଫାଟିପଡ଼ିଲେ ଛଗନ୍‌ଲାଲ ।

 

କଟକ ମେଡ଼ିକାଲ ।

 

ମହିଳା ଓ୍ୱାର୍ଡ଼ରେ ନବାଗତା ରୋଗିଣୀ ଅହଲ୍ୟା ।

 

କେତେ କ’ଣ ଚିନ୍ତା କରୁଛନ୍ତି ଅହଲ୍ୟା । ମୁଣ୍ଡପାଖରେ ବସି ଉଲୁରା ବାଳକୁ ସଜାଡ଼ିବାରେ ଲାଗିଛନ୍ତି ରୀତାଦେବୀ । ବାହାର ଓ୍ୱେଟିଂରୁମରେ ବସି ଢୁଳାଉଛନ୍ତି ରଣଜିତ୍‌ବାବୁ । ଚେସ୍ ଖେଳର ନିଶା ଆଜି ତାଙ୍କୁ ଘାରୁନାହିଁ । କେବଳ ସେ ଚିନ୍ତାକରୁଛନ୍ତି କନ୍ୟା ଅହଲ୍ୟାର କଥା ।

 

ଡାକ୍ତରୀ ପୋଷାକ ପିନ୍ଧି ଆସିଲା ସନତ୍‌ ।

 

ରୀତାଦେବୀ ସଜାଡ଼ି ହୋଇ ବସିଲେ । ତାଙ୍କ ହାଡ଼ ମାଂସରେ ବୟସର ଛଞ୍ଚାଣ ଉଡ଼ିଛି-। ବାର୍ଦ୍ଧକ୍ୟର ପାଣ୍ଡୁରିମା ବୋଳିହୋଇ ଯାଇଛି । ତଥାପି...ନୀରତ୍ୱର ସଂକୋଚ ଯାଇନାହିଁ ।

 

ନାରୀ.....

 

ପୁରୁଷର ଛାୟାପାତରେ ସଂକୁଚିତ ହୋଇପଡ଼େ । ପୁତ୍ରସ୍ଥାନୀୟ ଯୁବକକୁ ଦେଖିଲେ ମଧ୍ୟ ମ୍ରିୟମାଣ ହୋଇପଡ଼େ । ନାରୀଧର୍ମ ଅବା ରୀତାଦେବୀଙ୍କ ନିକଟରେ ହାରମାନନ୍ତା କେମିତି ?

 

ସନତ୍‍କୁ ଦେଖି, ଉଠିବାକୁ ଉପକ୍ରମ କରୁଥିଲେ ଅହଲ୍ୟା ।

 

କିନ୍ତୁ ସନତ୍‌ ଉଠିବାକୁ ନଦେଇ କହିଲେ ‘‘ନା ନା.. ଉଠନାହିଁ । ପୂର୍ଣ୍ଣ ବିଶ୍ରାମକର । କଥା ନଅସରେ ସେ ଅହଲ୍ୟାଙ୍କର ହାତଟା ଟାଣିଆଣି ନାଡ଼ିଦେଖିବାକୁ ଆରମ୍ଭ କରିଥିଲା । ରୀତାଦେବୀ ଚାହିଁଥିଲେ ଏକଲକ୍ଷ୍ୟରେ ।

 

ସରୁ ଗୋଲାପୀ ଫିତାଖଣ୍ଡେ ପରି ଅହଲ୍ୟାଙ୍କର ହାତଟା ବିଶ୍ରାମ ନେଇଛି ସନତ୍‌ ହାତ ମୁଠାରେ । ସତେ ଯେମିତି ସେ ଯୁଗ ଯୁଗ ଏମିତି ବିଶ୍ରାମ ନେବାକୁ ଚାହେଁ ।

 

ହସହସ ମୁହଁରେ ସନତ୍ କହିଲା–ନା, ଜର ସେମିତି ନାହିଁ ।

 

ସାନ୍ତ୍ୱନାର ଉଜ୍ଜ୍ୱଳ ଝଲକ ନାଚିଉଠିଲା ରୀତାଦେବୀଙ୍କ ମୁଖମଣ୍ଡଳରେ ।

 

କନ୍ତୁ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ ଅହଲ୍ୟା ।

 

ଜ୍ଵର ଭଲହୋଇ ଯିବା ପ୍ରତି ତାଙ୍କର ଶତ୍ରୁତା ନ ଥିଲା । ସନତ୍‍ର ବାରମ୍ବାର ପ୍ରବେଶ ଓ ସାନ୍ତ୍ୱନା ତାଙ୍କୁ ଉତ୍ସାହିତ କରୁଥିଲା । ସେଇଥିପାଇଁ ସେ ଅସୁସ୍ଥତାକୁ ଅଧିକ ପରିମାଣରେ ପସନ୍ଦ କରୁଥିଲେ ।

 

ପାଖ ସିଟ୍‌ରେ ଆଉ କେତୋଟି ରୋଗିଣୀ... ।

 

ସମସ୍ତେ ପ୍ରାୟ ବୟସ୍କା ।

 

ଅହଲ୍ୟାଙ୍କ ସିଟକୁ ଲାଗି ଆଉଗୋଟିଏ ରୋଗିଣୀ ଥିଲା । ପେଟମରା ଯୋଗୁଁ ସେ ଡାକ୍ତରଖାନାରେ ଆଶ୍ରୟ ନେଇଛି । ପନ୍ଦର ଷୋଳ ବର୍ଷର ଦୁଇଟି ପୁଅଝିଅ କାୟାପଛରେ ଛାୟାପରି ସର୍ବଦା ଲାଗିରହିଛନ୍ତି । ଅଭାବଗ୍ରସ୍ତ ଦରିଦ୍ର କିରାଣୀ ସ୍ଵାମୀ ମଧ୍ୟ ଟିକେ ହେଲେ ଅନ୍ତର ହୋଇ ଯାଇ ନାହାନ୍ତି ।

 

ଦୁଇଜଣଙ୍କ ଭିତରେ ଯେଉଁ ଗଭୀର ସ୍ନେହର ଦିଆନିଆ । ତାକୁ କେବଳ ଅହଲ୍ୟାହିଁ ଲକ୍ଷ୍ୟ କରୁଥିଲେ ।

 

ସ୍ତ୍ରୀଟିର ପୁତ୍ରକନ୍ୟାଙ୍କ ପ୍ରତି ଯେତିକି ଲୋଭ ଥିଲା, ସ୍ଵାମୀଙ୍କ ପ୍ରତି ମଧ୍ୟ ସେତିକି ସ୍ନେହଥିଲା ।

 

ଅସ୍ତରଙ୍ଗ ଗୋଧୂଳିପରି ସ୍ତ୍ରୀଟିର ଯୌବନ ଦେହରୁ ଓହ୍ଲାଇ ଯାଇଛି । ମାଂସର ପେଣ୍ଡୁଳାଗୁଡ଼ାକ ସମୟ ଚାପରେ ହାରମାନି ଅବନତ ହୋଇପଡ଼ିଛନ୍ତି । ତଥାପି ବଞ୍ଚିବାର ଅବାରିତ ମୋହ, ସେମାନଙ୍କୁ ପୁଣି ଉତ୍ତେଜିତ କରିବାକୁ ଚେଷ୍ଟାକରୁଛି ।

 

ମାଂସର ଭୋକ ମରିଛି । ହେଲେ ମନର ଭୋକ ମରିନାହିଁ । ଅହଲ୍ୟା ସ୍ତ୍ରୀଟି ମୁହଁରୁ ଶୁଣିଛନ୍ତି–ସେ ଏବେବି ଦୁଇ ମାସର ଅନ୍ତସତ୍ତ୍ୱା ।

 

ଲୋଳିତ ସ୍ତନାଗ୍ରରେ ହୁଏତ ଉତ୍ତେଜନା ନାହିଁ । ବିମ୍ବ ଅଧରରେ ବର୍ଣ୍ଣାଢ଼୍ୟ ସୂର୍ଯ୍ୟର କାହାଣୀ ନାହିଁ । ହେଲେ ପରିତୃପ୍ତ କିରାଣୀ ସ୍ଵାମୀ ଆଖିକୁ ସବୁ ଥିବାପରି ଜଣାଯାଉଥିବ ।

 

ଶିଥିଳ ବକ୍ଷର ସ୍ଥିର ତରଙ୍ଗ ଭିତରୁ ସ୍ଵାମୀ କାଳ୍ପନିକ ଅନ୍ଧାର ଖୋଜି ବୁଲୁଥିବେ । କାର୍ଯ୍ୟବ୍ୟସ୍ତ ଦିନାନ୍ତରେ ଏହି ମ୍ଳାନ ଗୋଧୂଳିହିଁ ବୁଣିଦେଉଥିବ ବଞ୍ଚିବାର ଅବାରିତ ଉପାଦାନ ।

 

ସ୍ଥିର ଦୃଷ୍ଟିରେ ଚାହିଁଛନ୍ତି ଅହଲ୍ୟା...

 

ବାହାରୁ ଶୁଭୁଛି ମେଡ଼ିକାଲହତା ଝାଉଁଗଛର ମର୍ମର ଶବ୍ଦ ।

 

ପେଟମରା ରୋଗିଣୀଟି ବେଳେ ବେଳେ ଚିତ୍‌କାର କରି ଉଠୁଛି । ହୁଏତ ପେଟର ଯନ୍ତ୍ରଣାରେ ନୁହେଁ, କେବଳମାତ୍ର ଥରେ ସ୍ୱାମୀଙ୍କୁ ଆଖିପୂରେଇ ଦେଖିନେବା ଲାଗି ।

 

ଏ ଦେଖିବାରେ କିନ୍ତୁ ପରିତୃପ୍ତି ଆସେ ନାହିଁ । ଦେଖିବାଟା ନୂଆ ନୂଆ ଲାଗେ । ଅଧିକ ଅଧିକ ଦେଖିବାକୁ ଇଚ୍ଛା ହୁଏ ।

 

ସ୍ୱାମୀ ଆସି ଭଲମନ୍ଦ ପଚାରି ପୁଣି ଫେରିଯାଆନ୍ତି ନିଜର ସ୍ଥାନକୁ ।

 

ଶୋଇବାକୁ ଚେଷ୍ଟାକରେ ସ୍ତ୍ରୀ ଲୋକଟି ।

 

ବିବାହ ଓ ଜୀବନ, ଏ ଦୁଇଟିକୁ କେନ୍ଦ୍ରକରି ବହୁକଥା ଚିନ୍ତାକରନ୍ତି ଅହଲ୍ୟା ।

 

ଭାବନାର ଘୋଡ଼ା ଛୁଆ ପରି କୁଦା କରେ । କୌଣସି ସମାଧାନରେ ପହଞ୍ଚିପାରନ୍ତିନି ଅହଲ୍ୟା ।

 

କେବଳ ଅହଲ୍ୟା ନୁହନ୍ତି, ସମସ୍ତ ଖୁଣଯୁକ୍ତ ଯୁବତୀଙ୍କ ଏ ଗୋଟିଏ ବିରାଟ ଚିନ୍ତାର ବିଷୟ । କାଣୀ ଆଖିପାଇଁ ନିଜକୁ ଧିକ୍‌କାର କରେ, ଛୋଟି ଗୋଡ଼ପାଇଁ ଚିନ୍ତିତା ହୁଏ, କାଳି ନିଜର ରଙ୍ଗପାଇଁ ପିତାମାତାଙ୍କୁ ଦୋଷଦେଇ ବସେ ।

 

ସାମୁଏଲ୍ ବିଲ୍‌ଡ଼ିଂ ଆଜି କାର୍ଯ୍ୟବ୍ୟସ୍ତ । ଶହେ ପେଟି ବିଲାତି ମଦ ନିରାପଦରେ ପହଞ୍ଚିଛି । ପ୍ରତ୍ୟେକ ପେଟି ଉପରେ ‘ସିରପ’ ବୋଲି ଲେଖାଯାଇଥିଲା । ଅବକାରୀ ବିଭାଗ ଆନ୍ତର୍ଜାତୀୟ ଖାଦ୍ୟାନୁଷ୍ଠାନର ବୁଦ୍ଧିପାଖରେ ହାରମାନିଛି ।

 

ସେସବୁ ପେଟିଗୁଡ଼ିକୁ ଗୋଟି ଗୋଟି କରି ପରୀକ୍ଷା ନିରୀକ୍ଷା କରୁଛନ୍ତି ତନୁଲତା । ଆଖିରେ ଆଶାର ଦୀପ ଜଳିଉଠୁଛି । ଖୁବ୍ ଶୀଘ୍ର ସେ ବଡ଼ଲୋକ ହେବାରେ ଲାଗିଛନ୍ତି । ଏମିତି କିଛିଦିନ ବ୍ୟବସାୟ ଚଳିଲେ ହୁଏତ ବହୁତ ବଡ଼ଲୋକ ହୋଇଯିବେ ।

 

ଖାଦ୍ୟାନୁଷ୍ଠାନ ତରଫରୁ ଅନେକ ସମୟରେ ଅଫିସରମାନଙ୍କୁ ଭୋଜି ଦିଆଯାଏ ।

 

ବହୁବିଶିଷ୍ଟ ସରକାରୀ କର୍ମକର୍ତ୍ତା ଏଥିରେ ଭାଗନିଅନ୍ତି ।

 

ଆଶ୍ଚର୍ଯ୍ୟକଥା–

 

ଯେଉଁ ପୋଲିସ୍‌ ବିଭାଗକୁ ମଣିଷ ନିହାତି ଭୟକରେ, ପାପ କାମରୁ ଦୂରେଇ ରହିବାକୁ ଇଚ୍ଛା କରେ, ସେ ବିଭାଗର କର୍ମକର୍ତ୍ତା ମଧ୍ୟ କମ୍‌ ପରିମାଣରେ ଯୋଗଦିଅନ୍ତି ନାହିଁ ।

 

ସେଦିନ ଯୋଗାଣ ବିଭାଗର ଜଣେ ଯୁବକ କର୍ମକର୍ତ୍ତା ସାମୁଏଲ ବିଲ୍‌ଡ଼ିଂର ଅତିଥି ହୋଇଥିଲେ । ଦ୍ୱିମହଲା ଉପରେ ଖାଇବା ପିଇବାର ବ୍ୟବସ୍ଥାକରାଯାଇଥିଲା ।

 

ତା’ ପରେ–

 

ପେଗ୍‌ପରେ ପେଗ୍‌ ବିଲାତି ମାଲ ଖୋଲାଗଲା । ଡାଇଜିନ–ପରି ବିଷାକ୍ତ ଶକ୍ତିଶାଳୀ ଅବକାରୀ ମାଲ୍‍ ମଧ୍ୟ ଛାଡ଼ଯାଇନଥିଲା ।

 

ଅଫିସର ମହାଶୟ ଟେବୁଲଉପରେ ସାମାନ୍ୟ ଘୁମେଇ ପଡ଼ିଥିଲେ । ଆଖି ଲାଲଲାଲ ଦିଶୁଥିଲା । ସେତେବେଳେ ତନୁଲତାଙ୍କର କର୍ଲିଂ ହେୟାର ଓ ଗୌରତନୁଶ୍ରୀ ତାଙ୍କୁ ପାଗଳ କରିଥିଲା । ସେ ଟଳମଳ ହୋଇ ତନୁଲତାଙ୍କୁ ଆଘ୍ରାଣ କରିବାକୁ ଚେଷ୍ଟା କରୁଥିଲେ ।

 

ତନୁଲତା ମଧ୍ୟ କମ୍ ମାତାଲ ହୋଇନଥିଲେ ।

 

ତନୁଲତା...

 

ଛଗନ୍‌ଲାଲ ଜାଜୋଡ଼ିଆଙ୍କ କନ୍ୟା ତନୁଲତା....

 

ଯୁବକ ପ୍ରାଣର ପ୍ରତ୍ୟେକ ଲୋମକୂପରେ ବୁଣିଦେଇଥିଲା ଇନ୍ଦ୍ରପୁରୀର ମାୟା ।

 

ସାମୁଏଲ ବିଲ୍‌ଡ଼ିଂ ପରି ବହୁ ମାୟାପୁରୀ କଟକର ବୁକୁ ଉପରେ ଅଛି । ଏ ସବୁ ପୁରର ଗୁପ୍ତ ରହସ୍ୟ ଦିନର ଆଲୋକରେ ଦେଖାଯାଏ ନାହିଁ । ରାତିର ଅନ୍ଧାରରେ ଏ ପୁରୀର ଗୁପ୍ତ ବାସ୍ନା ମହକି ଉଠେ ।

 

ଦିନ ଆଉ ରାତି....

 

ଦୁଇଟି ଭିତରେ ବିରାଟ ଦ୍ରାଘିମା ।

 

ଦିନର ଆଲୋକରେ ଆମକୁ ଯାହା ସୁନ୍ଦର ଦିଶେ ରାତ୍ରିର ଅନ୍ଧାରରେ ତାହା ଦିଶେ ନିହାତି ବୀଭତ୍ସ ।

 

ସାମୁଏଲ ବିଲ୍‌ଡ଼ିଂକୁ ଏଥିପାଇଁ ନିନ୍ଦା କରି ହେବନାହିଁ । ଆମର ବିଶ୍ୱଗ୍ରାସୀ ଭୋଗଲିପ୍‌ସା, ସଇତାନୀ ଯେବେ ଶତାବ୍ଦୀର ନିରୁଦ୍ଧ ଆତ୍ମଚେତନା ନିକଟରେ ଆତ୍ମହତ୍ୟା କରୁନଥାନ୍ତା, ତେବେ ସାମୁଏଲ ବିଲ୍‌ଡ଼ିଂ ଏ ଦେଶର ଶିରାପ୍ରଶିରାରେ ଆତଙ୍କ ସୃଷ୍ଟି କରୁନଥାନ୍ତା ।

 

ଆମେ ଲାଞ୍ଚମିଛ ଓ ମାତାଲାମୀକୁ ଘୃଣାକରୁ । କିନ୍ତୁ ସୁବିଧା ପାଇଲେ ନିଜେ ଗ୍ରହଣ କରି ନେଉ ।

 

କେହି ଜଣେ ନହୁଲି ରୂପସୀକୁ ଉପଭୋଗ କରିଛି, କହିଲେ ନାକ ଟେକୁ । ସମାଜର ସେ ଗୋଟିଏ ସୂଷ୍ଟିଛଡ଼ା ଜୀବ ବୋଲି ଯୁକ୍ତ କରୁ ।

 

କିନ୍ତୁ–

 

ଗୋଟିଏ ପ୍ରଭୃତି କୋଠରିରେ, ରୂପସୀ ତରୁଣୀ ନିକଟରେ ଆମକୁ ଛାଡ଼ି ଦିଆଯାଉ, ଦେଖିବ ଯାହା ନ ହେବାର କଥା ତାହା ହୋଇଛି ।

 

ଆଦିମ ଏ ମଣିଷ ପ୍ରକୃତି...

 

ବିଚିତ୍ର ଏହାର ପରିବେଶ ।

 

କେବଳ ସମାଜର ଖୋଳପା ଭିତରେ ଥାଇ ଆମେ ଭଦ୍ର ଆଉ ଅଭଦ୍ର ।

 

ଝରାପତ୍ରର ମର୍ମର ଭିତରେ ନୂତନ ପଲ୍ଲବର ସାଙ୍କେତିକ ଚିହ୍ନ ମେଡ଼ିକାଲ ହତାର କୃଷ୍ଣଚୂଡ଼ା ଗଛରେ ସ୍ପଷ୍ଟ ।

 

ଝରକା ଦେଇ ଚାହିଁଛନ୍ତି ଅହଲ୍ୟା...

 

କୃଷ୍ଣଚୂଡ଼ାର ଅଙ୍ଗେ ଅଙ୍ଗେ ଲାଲ ଫୁଲର ସମାରୋହ ।

 

ଦୁଲୁକି ଉଠିଲା ଅହଲ୍ୟାଙ୍କ ଛାତି ।

 

କୃଷ୍ଣଚୂଡ଼ାର ଛାତିରେ ମଳୟର ପୂର୍ବାଭାସ ।

 

ରୋଗ ଶଯ୍ୟାରେ ଥାଇ ଅହଲ୍ୟା ଭାବୁଛନ୍ତି ଆକାଶପାତାଳ । ଜର ଭଲ ହୋଇଯାଇଛି-। ହୁଏତ ଆଜି ବା କାଲି ମେଡ଼ିକାଲ ଛାଡ଼ି ଯିବାକୁ ପଡ଼ିବ । ସନତ୍ ଆଉ ଦଶଥର ଦେଖିବାକୁ ଆସିବନି, ଆଶ୍ୱାସନା ବାଣୀ ଶୁଣାଇବନି । ବାରମ୍ବାର ହାତଟାକୁ ଟାଣିନେଇ ନାଡ଼ି ପରୀକ୍ଷା କରିବନି ।

 

ଠିକ୍ ସେହି ସମୟରେ ହସି ହସି ପଶି ଆସିଲା ସନତ୍ ।

 

ସ୍ଥିର ଦୃଷ୍ଟିରେ ଚାହିଁ ରହିଥିଲେ ଅହଲ୍ୟା...

 

ସନତ୍ କହିଲା–ଆଉଟିକେ ଔଷଧ ଖାଇଦିଅ ଅହଲ୍ୟାଦେବୀ ! କ୍ଳାନ୍ତି ଦୂର ହୋଇଯିବ-

 

କ୍ଷୀଣ ହାସ୍ୟରେଖାଟିଏ ଉକୁଟିଉଠିଥିଲା ଅହଲ୍ୟାଙ୍କ ଗୋଲାପୀ ଅଧର ଉପରେ ।

 

ହୁଏତ ଯଦି ଅହଲ୍ୟାଙ୍କର କଥା କହିବାର ଶକ୍ତି ଥାନ୍ତା–ସେ କହିଥାନ୍ତେ, ଏ କ୍ଲାନ୍ତି ଆଉ ଦୂର ହେବନି ସନତ୍ ବାବୁ ! ଏ ଯୁଗ ଯୁଗ ପାଇଁ ରହିଗଲା ।

 

ନାରୀ ପ୍ରାଣର କ୍ଳାନ୍ତି କ’ଣ କେବେ ଦୂର ହୁଏ ? ପ୍ରେମର ପରଶରେ ପ୍ରଣୟର ବୀଜ ଅଙ୍କୁରି ଉଠେ । ଶାଖା ପ୍ରଶାଖା ମେଲାଏ । ହେଲେ ମାଟିସହ ରହିଯାଏ ଗୋଟାଏ ବିଚିତ୍ର ସମ୍ପର୍କ ।

 

ସନତ୍ କହିଲା–ତୁମର ଜର ଭଲ ହୋଇଯାଇଛି । ଆଜି ତୁମକୁ ଏ ସିଟ୍‌ ଛାଡ଼ି ଚାଲିଯିବାକୁ ପଡ଼ିବ ।

 

ଆହତା ହରିଣୀ ପରି ଥରି ଉଠିଲେ ଅହଲ୍ୟା ।

 

ବିଚିତ୍ର ଏ ଦୃଶ୍ୟ...

 

ସନତ୍‌ ପରି ସରଳ ଯୁବକ ପ୍ରାଣ କିଛି ବୁଝିପାରୁ ନ ଥିଲା ।

 

ଆବେଗରେ ଅହଲ୍ୟାଙ୍କ ପାଟିରୁ ବାହାରି ପଡ଼ିଲା–‘‘ମୁଁ...ନା..., ମୁଁ...ନା’’ । ଏହି ଦୁଇଟି ଅକ୍ଷର ଦେଇ ଅହଲ୍ୟା କହିବାକୁ ଚେଷ୍ଟା କରୁଥିଲେ–ମୁଁ ମେଡ଼ିକାଲ ଛାଡ଼ି ଯିବାକୁ ଚାହେଁ ନାହିଁ । ଏଇଠି ଅନାଦି କାଳପାଇଁ ରହିବାକୁ ଚାହେଁ ।

 

ହେଲେ ରୋଗ ଭଲ ହେବାପରେ ଡାକ୍ତରଖାନାରେ ରହିବା ନିୟମ ବିରୁଦ୍ଧ । କାହିଁକି ବା କି ଯୁକ୍ତି ନେଇ ସେ ରହିବେ ?

 

ସନତ୍‌ କିନ୍ତୁ ଏ ସବୁ କିଛି ଭାବୁ ନ ଥିଲା । ସେ ଲକ୍ଷ୍ୟ କରୁଥିଲା ଯେ–ଅହଲ୍ୟା ‘ମୁଁ’ ବୋଲି ଆଉ ଗୋଟିଏ ଅଧିକ ଅକ୍ଷର ଉଚ୍ଚାରଣ କରିପାରିଛନ୍ତି । ନିଜକୁ ଆଉ ସମ୍ଭାଳି ପାରିଲାନି ସନତ୍ । ଡାକ୍ତରଖାନାର ପରିସର ଭୁଲି ବସିପଡ଼ିଲା ଅହଲ୍ୟାଙ୍କ ଶଯ୍ୟା ଉପରେ । ଧୀରେ ଧୀରେ ଗୌର ମୁଖମଣ୍ଡଳରେ ହାତ ବୁଲାଇ କହିଲା–ଜର ଭଲ ହୋଇଯାଇଛି ଅହଲ୍ୟାଦେବୀ ! ଏଠାରେ ଆଉ ରହିବା ଦରକାର ନାହିଁ । ଜର ଯେ ଆଉ ଫେରିବ ଏ ଭୟ ରଖନା । କାରଣ ମୁଁ ଯେ ସବୁବେଳେ ପାଖେ ପାଖେ ଅଛି ।

 

ଦେହ ଆଉ ଟିକେ ସୁସ୍ଥ ହୋଇଯାଉ । ତା’ ପରେ ପାଟି ପାଇଁ ଚିକିତ୍ସା କରିବି । ଏପରି ଅସୁସ୍ଥତାର ଅବ୍ୟବହିତ ପରେ, ପାଟିପାଇଁ କିଛି କରିହେବନାହିଁ ।

 

ମୋ ଉପରେ ବିଶ୍ୱାସ ରଖ ଅହଲ୍ୟା ଦେବୀ ! ମୁଁ ନିଶ୍ଚୟ ତୁମକୁ ଭଲ କରିବାକୁ ଚେଷ୍ଟା କରିବି ।

 

ସନତ୍‌ର ହାତଟାକୁ ନିଜର ଛାତି ଉପରେ ମାଡ଼ି ଧରିଲେ ଅହଲ୍ୟା ।

 

ଏଇଠି ଯୁବକ ଓ ଯୁବତୀ ପ୍ରାଣର ଚରମ ଆଉ ପରମ ଶାନ୍ତି ।

 

ଅହଲ୍ୟାଙ୍କର ଆଖିରୁ ଟପ୍‌ଟପ୍ ହୋଇ ଖସି ପଡ଼ୁଥିଲା ଲୋତକ ବିନ୍ଦୁ ।

 

ହିମାଳୟର ଦୁର୍ଭେଦ୍ୟ ଗିରିଶୃଙ୍ଗ ପାରହୋଇ ଲଦାକ୍‍ ସୀମାରେ ଚୀନା ସୈନିକମାନଙ୍କର ଗୁଳି ଆବାଜ୍ କମ୍ପି ଉଠିଲା ପରି, ଅହଲ୍ୟାଙ୍କର ଆଚ୍ଛାଦିତ ଯୁବତୀ ପ୍ରାଣରେ ସନତ୍‍ର ପୁରୁଷତ୍ୱ ବାଧା ବନ୍ଧକ ଏଡ଼ି ପ୍ରବେଶ କରିଛି । ଅହଲ୍ୟା ଆତ୍ମବିଭୋରା ।

 

ଶିଳ୍ପୀ ଇନ୍ଦ୍ରଦେବଙ୍କର ତୂଳୀ ଆଜି ପ୍ରଖରଗତିରେ ଚାଲିଛି । ସମ୍ମୁଖରେ ବସିଛନ୍ତି ତନୁଲତା ।

 

ଆନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀରେ ଭାଗ ନେଉଛି କଟକର ଆନ୍ତର୍ଜୀତୀୟ ଖାଦ୍ୟ ଅନୁଷ୍ଠାନ । ଏଥିପାଇଁ ଖାଦ୍ୟାନୁଷ୍ଠାନକୁ ଗୋଟିଏ ସ୍ଵତନ୍ତ୍ର ଷ୍ଟଲ୍‌ କରିବାର କ୍ଷମତା ମଧ୍ୟ ମିଳଛି ।

 

ସୁଯୋଗର ସୁବିଧା ନେଇ ଖାଦ୍ୟାନୁଷ୍ଠାନକୁ ଲୋକପ୍ରିୟ କରିବାକୁ ଚାହାନ୍ତି ତନୁଲତା । ସେଥିପାଇଁ କେତେଗୁଡ଼ିଏ ଚାର୍ଟ କରିବାର ବରାଦ ଦେଇ ବସିଛନ୍ତି ଶିଳ୍ପୀ ଇନ୍ଦ୍ରଦେବ ବର୍ମାଙ୍କ କୋଠରିରେ ।

 

ଜଗତର ଶିଳ୍ପୀଗୋଷ୍ଠୀ ସବୁଦିନ ଗରିବ । ତେଣୁ ପେଟ ପୋଷିବାକୁ ସେମାନେ କଳାବିହୀନ ଏମିତିକା ବହୁ ବଡ଼ ଅର୍ଡ଼ର ଗ୍ରହଣ କରନ୍ତି ।

 

ତୂଳୀ ଚାଲିଛି....

 

ତୂଳୀର ତାଳେ ତାଳେ ଦୋହଲୁଛି ଧାନ, ଗହମ, ମକା ଗଛର କେନ୍ଦା ।

 

ଶିଳ୍ପୀ ପ୍ରାଣର ସମସ୍ତ ଚାତୁର୍ଯ୍ୟ ଫୁଟାଇ ଇନ୍ଦ୍ରଦେବ ଚାହାନ୍ତି–କିଛି ଅର୍ଥ... ।

 

କିନ୍ତୁ...

 

ଅର୍ଥନୀତିର ଲେଲିହାନ ଜିହ୍ୱା ସାରା ସଂସାରକୁ ଗ୍ରାସକରି ଯିବାକୁ ବସିଛି । ତାକୁ ଜୟକରିବା କଠିନ ।

 

ଚିତ୍ର ତଆରି ସରିଲା...

 

ହସି ହସି ଅହଲ୍ୟା କହିଲେ–ଆଜି ରାତିରେ ସାମୁଏଲ୍ ବିଲ୍‌ଡ଼ିଂକୁ ଯାଇ ତୁମର ପାଉଣା ନେଇ ଆସିବ ଶିଳ୍ପୀ ! ବର୍ତ୍ତମାନ ଚିତ୍ରଗୁଡ଼ିକ ଦେଇଦିଅ ।

 

ନିଃସହାୟ ହୋଇ ଚିତ୍ରଗୁଡ଼ିକ ଦେଇ ଦେଲେ ଇନ୍ଦ୍ରଦେବ ।

 

ତରଙ୍ଗାୟିତ ଆଖିରେ ଛଟକ ଖେଳାଇ ରାସ୍ତା ଉପରକୁ ଓହ୍ଲାଇଗଲେ ତନୁଲତା ।

 

ରାତି ଆଠଟା....

 

ସାମୁଏଲ୍‌ ବିଲ୍‌ଡ଼ିଂର ସମସ୍ତ ଦ୍ୱାର ବନ୍ଦ ।

 

ବାହାରେ ନେପାଳୀ ଦରୱାନ ।

 

ଆଜି ଶନିବାର ଯୋଗୁଁ ହୁଏତ କର୍ମଚାରୀମାନେ ବହୁବେଳୁ ଘରକୁ ବାହୁଡ଼ି ଯାଇଛନ୍ତି ।

 

ଦରୁଆନ ନିକଟରେ ନିଜର ଆପତ୍ତି ଜଣାଇଲେ ଇନ୍ଦ୍ରଦେବ ।

 

ଦରୱାନ ଉଦ୍ଦେଶ୍ୟପୂ୍ର୍ଣ୍ଣ ଦୃଷ୍ଟିରେ ଚାହିଁରହିଲା କିଛି ସମୟ । ତା’ ପରେ କଲିଂ ବେଲ୍‌ଟା ଟିପିଲା ।

 

ବେଶି ସମୟ ଯାଇନି । ହଠାତ୍ ଦ୍ୱିମହଲା ଉପରୁ ଶବ୍ଦ ଶୁଭିଲା–‘‘ହ୍ୟାଲୋ ଶିଳ୍ପୀ ! ଆସନ୍ତୁ....ଆସନ୍ତୁ....’’

 

ଦରୁୱାନ ସାଲ୍ୟୁଟ ବଜାଇ ରାସ୍ତା ଛାଡ଼ିଦେଲା । ପାଉଛପରେ ପାଉଛ ଗୋଡ଼ଦେଇ ଉପରକୁ ଉଠିଗଲେ ଇନ୍ଦ୍ରଦେବ । ମନେ ହେଉଥିଲା–ସତେ ଯେମିତି ସେ ଭୂତକୋଠୀର ରହସ୍ୟ ଭେଦ କରିବାକୁ ଭିତରକୁ ପ୍ରବେଶ କରୁଛନ୍ତି ।

 

ବେଶି ପରିଶ୍ରମ କରିବାକୁ ପଡ଼ିନି । ହଠାତ୍ ଗୋଟାଏ ଘରୁ ତନୁଲତା ବାହାରିଆସି ଧରିପକାଇଲେ ଇନ୍ଦ୍ରଦେବଙ୍କ ହାତ ।

 

ଥରି ଉଠିଲେ ଇନ୍ଦ୍ରଦେବ ।

 

ହସରେ ଫାଟି ପଡ଼ୁ ପଡ଼ୁ ତନୁଲତା କହିଲେ–କ’ଣ । ଆପଣଙ୍କୁ ଡରଲାଗୁଛି ଶିଳ୍ପୀ ?

 

ଇନ୍ଦ୍ରଦେବ କହିଲେ–ନା....ତେବେ ଆଉକିଛି କହିବାକୁ ସୁଯୋଗ ନଦେଇ ତନୁଲତା କହିଲେ–ତେବେ ଏକୁଟିଆ ଲାଗୁଛି ନା ? କିନ୍ତୁ ମୋର ଏଟା ଅଭ୍ୟାସଗତ ହୋଇଗଲାଣି । ପ୍ରଥମେ ପ୍ରଥମେ ମୁଁ ଆଠଟା ସୁଦ୍ଧା ଘରକୁ ଫେରିଯାଉଥିଲି । ଏବେ ସାରାରାତି ରହିବାକୁ ପଡ଼ୁଛି । କାରଣ ଖାଦ୍ୟସଂସ୍ଥାର କାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ବାପା ଓ ଶ୍ୟାମାକାନ୍ତବାବୁ ବାହାରକାମ ତୁଲାଇ ନେଉଛନ୍ତି । କିନ୍ତୁ ଅଫିସ କାମ ସବୁ ମୋରି ଉପରେ ନ୍ୟସ୍ତ ।

 

ଏଇ ଆପଣ ଆସିବାର ଟିକେ ପୂର୍ବରୁ ଜଣେ ଗଲେ, ତା’ପରେ ଆପଣ, ବସିବାକୁ ମଧ୍ୟ ଟିକେ ସମୟ ନାହିଁ ।

 

କଥାଟାକୁ ବିଶ୍ଳେଷଣ କରୁଥିଲେ ଇନ୍ଦ୍ରଦେବ । ସେ ଯୋଗାଣବିଭାଗର ଅଫିସର ବାଟରେ ଯାଉଥିବାର ଦେଖିଥିଲେ । ହୁଏତ ଏଇ ଟିକେ ପୂର୍ବରୁ ସାମୁଏଲ୍ ବିଲ୍‌ଡ଼ିଂରୁ ଫେରିଛନ୍ତି ।

 

ଖୁବ ଅଳ୍ପସମୟ ମଧ୍ୟରେ ପରକୁ ଆପଣାର କରିନେବା ତନୁଲତାଙ୍କର ଗୋଟାଏ ବିଶେଷ ଗୁଣ ଥିଲା । ସେହି ବଳରେ ସେ ଶିଳ୍ପୀ ଇନ୍ଦ୍ରଦେବଙ୍କୁ ଏକରକମ୍ ଆପଣାର କରିନେଇଥିଲେ ।

 

ତା’ ପରେ...

 

ଶିଳ୍ପୀପ୍ରାଣ ତନୁଲତାଙ୍କର ରହସ୍ୟ ଭେଦକରିବା କଷ୍ଟକର ହୋଇପଡ଼ିଥଲା । ଇନ୍ଦ୍ରଦେବ ନିଜତ୍ୱ ହରାଇ ବସିଥିଲେ ।

 

ତନୁଶ୍ରୀ ତନୁଲତା ଶିଳ୍ପୀ ଇନ୍ଦ୍ରଦେବଙ୍କୁ ଗୋଟିଏ ସୋଫା ଦଖଲକରିବା ପାଇଁ ଅଙ୍ଗୁଳି ନିର୍ଦ୍ଦେଶକରିଥିଲେ । ଯନ୍ତ୍ରଚାଳିତ ପିତୁଳାଟି ପରି ବସିଥିଲେ ଇନ୍ଦ୍ରଦେବ ।

 

ବଶେଷ ସମୟ ଯାଇନି । ତନୁଲତା ହସି ହସି ସେହି ସୋଫାର ଅପର ମୁଣ୍ଡରେ ବସିପଡ଼ିଲେ । କଥାର ଅସ୍ଥିର ତରଙ୍ଗମଧ୍ୟରେ ଇନ୍ଦ୍ରଦେବଙ୍କର କଠିନ ହାତଟିକୁ ଧରିପକାଇ କହିଲେ–‘‘ସତରେ ଶିଳ୍ପୀ ! ତୁମର ଏହି ସୁନ୍ଦର ରୂପାରଙ୍ଗିଆ ହାତର କି ଅପରିସୀମ ଶକ୍ତି ! ମୋ ଦେହରେ ଯେବେ ଏହି ହାତର ବଳ ଥାଆନ୍ତା ନା...!’’

 

ଆବାକାବା ହୋଇଗଲେ ଇନ୍ଦ୍ରଦେବ । ନିଜକୁ ଟିକେ ସଂଯତକରିନେଇ କହିଲେ–ଏ ହାତଟାର ତୁମେ ବୃଥା ପ୍ରଶଂସା କରନି ତନୁଲତାଦେବୀ ! ଏ ହାତଟା ନିମିତ୍ତ ମାତ୍ର । ହେଲେ ଯେଉଁ ଅହେତୁକୀ ଶକ୍ତି ମୋତେ ସୂକ୍ଷ୍ମକଳାଜ୍ଞାନ ଦେଇଛି, ସେହିହିଁ ମୋ ନିକଟରେ ନମସ୍ୟ ।

 

ହସରେ ଫାଟି ପଡ଼ୁ ପଡ଼ୁ ତନୁଲତା କହିଲେ–ଫାଙ୍କା, ନିହାତି ଫାଙ୍କା ତୁମର ଯୁକ୍ତି ଶିଳ୍ପୀ-! ତୁମେ ଚାଲ୍‌ବାଜ୍‌ ଶ୍ରୀକୃଷ୍ଣ ସମୟକୁ ଫେରିଯାଉଛ । ମଣିଷଙ୍କୁ ନିମିତ୍ତ କହି ଶ୍ରୀକୃଷ୍ଣ ଯେଉଁ ସର୍ବକର୍ତ୍ତାର ବାହାଦୁରୀ ନେଇଯାଇଛନ୍ତି, ମୁଁ ତାକୁ ପସନ୍ଦକରେନା । ଆମେ ବସ୍ତୁବାଦୀ ଯୁଗର ମଣିଷ । ଅହେତୁକୀ ଶକ୍ତି ଅପେକ୍ଷା ବାସ୍ତବ ଶକ୍ତିକୁ ଆମେ ଅଧିକ ସ୍ୱୀକାର କରିବା ଉଚିତ୍‌ ।

 

ଗ୍ରହଣ ନ କରିବା ଭଙ୍ଗୀରେ ମୁହଁବୁଲାଇ ଚୁପ୍‌ ରହିଲେ ଇନ୍ଦ୍ରଦେବ । ହୁଏତ ନିଜେ ନିଜେ ଭାବିଲେ ଏପରି ଗୁଡ଼ାଏ ଯୁକ୍ତି ନ କରିବା ଭଲ ।

 

କିନ୍ତୁ ତନୁଲତା ବୁଝିଲେ–ଶିଳ୍ପୀ ତାଙ୍କୁ ସମର୍ଥନ କରିଛନ୍ତି । ତେଣୁ ନିବିଡ଼ ରକମ୍‌ ଲାଗିଆସି କହିଲେ–କୁହନ୍ତୁ ଦେଖି ଶିଳ୍ପୀ ! ସିଧା ସଳଖ ଭଲପାଇବା ଭଲ, ଅଥବା ଗୋପୀଭାବ ନେଇ କାଳ୍ପନିକ ଭଲପାଇବା ଭଲ ?

 

ସେତେବେଳେ ଇନ୍ଦ୍ରଦେବ ନିଜକୁ ଖୋଜିବାକୁ ଚେଷ୍ଟାକରୁଥିଲେ । କାରଣ ଇନ୍ଦ୍ରଦେବଙ୍କ କୋଳରେ ତନୁଲତା ନୁହେଁ...ସମୟର ଅନନ୍ତ କୋଳଭିତରେ ଇନ୍ଦ୍ରଦେବ ନିଜକୁ ହଜାଇ ଦେଇଥିଲେ ।

 

ତରୁଣ ମନ, ଯୁବକ ପ୍ରାଣ ଏମିତି ଅନେକ ସମୟରେ ନିଜ ନିଜକୁ ହଜାଇ ବସେ । ଖୋଜିଲେ ମିଳେନାହିଁ ।

 

ଇନ୍ଦ୍ରଦେବ ତନୁଲତାଙ୍କୁ ବାଧାଦେଇ ପାରୁନଥିଲେ । କାରଣ ବିବେକ ତାଙ୍କୁ ବାଧା ଦେଉଥିଲା ।

 

କେବଳ ଥରିଲା କଣ୍ଠରେ ଇନ୍ଦ୍ରଦେବ କହିଲେ–ଏ ତୁମେ କ’ଣ କରୁଛ ତନୁଲତା ଦେବୀ-?

 

ତନୁଲତା କହିଲେ–ଜୀବନର ମ୍ୟାକ୍‍ସିମମ୍‌ ୟୁଟିଲାଇଜ୍‌ ନକଲେ, ଏ ଜୀବନ ବ୍ୟର୍ଥ ହୋଇଯିବ ଶିଳ୍ପୀ ! କେତେ ଦିନ ରହିବ ? ସାମାନ୍ୟ କେତେଟା ବର୍ଷର ଯୌବନପରେ ଏ ଜୀବନକୁ ଖୋଜିଲେ ମିଳିବ ନାହିଁ । ସେତେବେଳେ କେବଳ ହତାଶାର ନିଶ୍ୱାସ ଛାଡ଼ିବାକୁ ପଡ଼ିବ ।

 

ଇନ୍ଦ୍ରଦେବଙ୍କର ଆଖି ମୁଦିହୋଇ ଆସୁଥିଲା ।

 

କ୍ୟାଣ୍ଟନ୍‌ମେଣ୍ଟରୋଡ଼ର ନିବିଡ଼ ଅନ୍ଧକାର ମଧ୍ୟରେ ସାମୁଏଲ୍‌ ବିଲ୍‌ଡ଼ିଂ ନିଶ୍ଚିନ୍ତରେ ଶୋଇଥିଲା । ଆଉ ସାମୁଏଲ୍‌ ବିଲ୍‌ଡ଼ିଂର ଦ୍ୱିମହଲା ଉପରେ ଥାଇ ସେହି ଅନ୍ଧାରକୁ ଖୋଜୁଥିଲେ ଇନ୍ଦ୍ରଦେବ ।

 

କୋଠରିର ବିଜୁଳି ଆଲୁଅ ବିଦ୍ରୂପ କରୁଥିଲା । ହେଲେ ନିର୍ଲ୍ଲଜ୍ଜଭାବରେ ତନୁଲତା ଇନ୍ଦ୍ରଦେବଙ୍କୁ ମୋହିନୀମନ୍ତ୍ର ଶିଖାଉ ଥିଲେ ।

 

ମାଲ୍ୟାଣୀର ମନ୍ତ୍ର ଫୁଲ କାଟୁକରିଛି ।

 

ସିଂହ ଶିଶୁ ମଣିଷ ହୋଇଛି ମାଲ୍ୟାଣୀର ମେଣ୍ଢା ।

 

ଏ ସବୁ କାହାଣୀ ନୁହେଁ...

 

ପରିଚିତ ସାମୁଏଲ୍‌ ବିଲ୍‌ଡ଼ିଂର ଉପକଥା ।

 

ବାସ୍ତବ...

 

ସତ୍ୟ...

 

ରଣଜିତ୍‍ବାବୁଙ୍କର ଆନନ୍ଦ ଆଜି ଅପରିସୀମ । ଝିଅ ଭଲହୋଇଯାଇଛି । ଏଥିରେ କେଉଁ ବାପା ଅବା ଖୁସି ନହେବ ?

 

ରଣଜିତ୍‌ବାବୁ ଆଜି ପୁଣି ସେହି ପୁରାତନ ଚେସ୍‌ଖେଳକଥା ମନରେ ପକାଉଛନ୍ତି । ଦୁଇବାଜି ଖେଳିନେବାକୁ ଇଚ୍ଛା ହେଉଛି । ହେଲେ ପାର୍ଟନର ନାହିଁ । ରୀତାଦେବୀ ସେତେବେଳକୁ ଦୈନନ୍ଦିନ ଘରକାମରେ ବ୍ୟସ୍ତ । ନରମ ଗଳାରେ ଡାକିଲେ ରଣଜିତ୍‌–ରୀତା ! ଏଣେ ଣୁଣିବ ?

 

ଗୁଣ୍ଠୁଣୀ ହାତୀପରି ଢଳି ଢଳି ଆସିଲେ ରୀତାଦେବୀ । ଏଇ କେତେଦିନ ହେଲା ସେ ଦିନରାତି ଝିଅର ସେବା କରି ସାମାନ୍ୟଟିକେ ଅଧିକ ଦୁର୍ବଳ ହୋଇପଡ଼ିଛନ୍ତି । ଆଉ କିଛି ବର୍ଷର ବାର୍ଦ୍ଧକ୍ୟ ତାଙ୍କୁ ଆଚ୍ଛାଦିତ କରିଥିବାପରି ଜଣାଯାଉଛି ।

 

ରଣଜିତ୍‌ବାବୁ କହିଲେ–ଆଜି କାହିଁକି ପୁରୁଣା ଚେସ୍‌ଖେଳ କଥା ମନରେ ପଡ଼ିଛି । ଦୁଇବାଜି ଖେଳିନେବାକୁ ଇଚ୍ଛା ହେଉଛି । ସହଯୋଗ କରିବ ମୋ ସହିତ ?

 

ନୂଆକରି ଆଜି ହସିଉଠିଲେ ରୀତାଦେବୀ । ପୁଣି ହସଟାକୁ ନିଜ ଛାତିଭିତରେ ଗୁପ୍ତରଖି କହିଲେ–ମଦ ପୁରୁଣାହେଲେ ନିଶା ବେଶି ଧରେ, ନୁହେଁ ?

 

ରଣଜିତ୍‌ କିନ୍ତୁ ନିରୁତ୍ତର ରହିଲେ ନାହିଁ । କହିଲେ–ମଦ ପୁରୁଣା ହେଲେ ନିଶା ଅଧିକ ହୁଏ । କିନ୍ତୁ ମିଠା ବେଶିଦିନ ରହିଲେ ପରି ଗନ୍ଧହୁଏ । ମୋ ଚେସ୍‌ଖେଳଟା ମଦ ନୁହେଁ ମିଠା ।

 

ରୀତାବେଦୀ ନିର୍ବୋଧ ପରି ଠିଆହୋଇ ପୁଣି ହସିବାକୁ ଚେଷ୍ଟା କଲେ । ଇଚ୍ଛାହେଉଥିଲା–ଆଜି ମନପୁରାଇ ରଣଜିତ୍‌ବାବୁଙ୍କ ସହିତ ଖେଳିନେବେ । ଆଗ୍ରହ ମଧ୍ୟ ସେମିତି ତାଙ୍କୁ ବେଳୁବେଳ ବାଧ୍ୟ କରୁଥିଲା । ମୁହଁର ଭାବକୁ ଗୋପନରଖି ସେ କହିଲେ–ବେଶ୍‌ ତାହା ହିଁ ହେଉ । କିନ୍ତୁ ତୁମ ସହିତ ପ୍ରତିଯୋଗୀ ହେବିନାହିଁ । ଯଦି ତୁମେ ହାରିଯାଅ, ତେବେ ଆଜି ନୂଆକରି ମୋତେ ଗୋଟିଏ ଉପହାର ଦେବ ।

 

ରୀତାଦେବୀଙ୍କର ଏହି ଅନୁନୟକୁ ଲକ୍ଷ୍ୟକରୁଥିଲେ ରଣଜିତ୍‌ବାବୁ ।

 

ପଦଟିଏ କଥା–‘‘ତୁମେ ଯଦି ହାରିଯାଅ, ମୋତେ ଗୋଟିଏ ଉପହାର ଦେବ ।’’

 

ବହୁତ୍‌କିଛି ମନେପକାଇବାକୁ ଚେଷ୍ଟାକରୁଥିଲେ ସେ ।

 

ନା...

 

ଭାବନାଗୁଡ଼ାକ ଗୋଳମାଳ ହୋଇଯାଉଛି । କିଛି ମନରେ ପଡ଼ୁନି । ଯୁବକ ପ୍ରାଣର ଚଞ୍ଚଳତା ଉପରେ ବାର୍ଦ୍ଧକ୍ୟର ଢାଙ୍କୁଣୀ ଢାଙ୍କିହୋଇ ପଡ଼ିଛି । ତାରଲ୍ୟ ନଷ୍ଟହୋଇ ଯାଇଛି । ଦୁଷ୍ଟାମି ଆତ୍ମଗୋପନ କରିଛି । ହେଲେ...

 

ନା...ନା...ତଥାପି ବି କିଛି ମନେ ପଡ଼ୁନାହିଁ । ପୁଆଣୀ ରାତିପରି ବହୁରାତି ହସ ଖୁସିରେ ଦୁଃଖ ଯାତନାରେ କଟିଛି । କିନ୍ତୁ...

ମାନ ଅଭିମାନର ସ୍ରୋତଭିତରେ ଭଲପାଇବାର ଶିଶୁ ଖାଦ୍ୟାଭାବରେ ମୃତ୍ୟୁବରଣ କରିଛି ।

ଏମିତି କିଛି–ବହୁତ କିଛି–

ସ୍ୱପ୍ନ ଓ ବାସ୍ତବ ଭିତରେ ଜୀବନର ଡଙ୍ଗା ଭାସି ଭାସି ଏ କୂଳ ସେ କୂଳ ହୋଇଛି । ତଥାପି–

ନା–ନା–ନା–ତେବେ ବି କିଛି ମନେ ପଡ଼ୁନାହିଁ । ଦିନୁଟାଏ ମଧ୍ୟ ଏପରି ଆସିନାହିଁ । ବହୁ ବିସ୍ମୃତ ମୁହୂର୍ତ୍ତ, ବହୁ ବିଗତର ଇତିକଥାକୁ ବିଶ୍ଳେଷଣ କରୁଛନ୍ତି ରଣଜିତ୍‌ବାବୁ ।

କାହିଁ–

ଏପରି ଗୋଟାଏ ଦିନ ବି ଆସିନାହିଁ, ଯେଉଁଦିନ ସେ ନିଜେ ରୀତାଦେବୀଙ୍କୁ କିଛି ଉପହାର ଦେଇଛନ୍ତି । ଶେଯ ଉପରେ ଫୁଟିଲା ଗୋଲାପ ଫୁଲର ପାଖୁଡ଼ା ମଉଳି ଝଡ଼ି ପଡ଼ିଛି । ମୂଲ୍ୟବାନ ହାରର ଚେନ୍‌ ଛିଡ଼ିଛି ।

ହେଲେ...

ରଣଜିତ୍‌ବାବୁ କେବେ ରୀତାଦେବୀଙ୍କୁ କୋଳକୁ ଝିଙ୍କିଆଣି ଉପହାର ଦେଇ ନାହାନ୍ତି ।

ଆଉରି କେତେକଥା ମନେ ପକାଉଛନ୍ତି ସେ । କିନ୍ତୁ ସବୁଗୁଡ଼ିକ କେବଳ ଅନ୍ଧାରୁଆ ହୋଇ, ପାଣ୍ଡୁର ହୋଇ ତାଙ୍କ ଆଖି ଆଗରେ ଲିଭିଯାଉଛି ।

ବ୍ୟତିବ୍ୟସ୍ତ ହୋଇ ଉଠିଲେ ରଣଜିତ୍‌ବାବୁ ।

ସବୁ କିଛି ବୁଝୁଥିଲେ ରୀତାଦେବୀ ।

ନାରୀ ପ୍ରାଣରେ ଗବେଷଣାପ୍ରବୃତ୍ତି ସବୁଠାରୁ ବେଶି । ପରିସ୍ଥିତିକୁ ସମ୍ଭାଳି ନେବାକୁ ହସରେ ଫାଟି ପଡ଼ୁ ପଡ଼ୁ ରୀତାଦେବୀ କହିଲେ–ହଁ ଭରୁନା ଯେ, କ’ଣ ଉପହାର ଦେବାକୁ କୁଣ୍ଠିତ ଲାଗୁଛି ? ଟଙ୍କା ପଇସା ମାଗିବିନି ମ ? ଅବା ମୂଲ୍ୟବାନ୍‌ ଅଳଙ୍କାର ପାଇଁ ଅଳି କରିବିନି । ଯୌବନର ଉଦ୍ଦାମ ମୁହୂର୍ତ୍ତରେ କେବେ ନିଜକୁ ସଜାଇବାକୁ ଅଳିକରିନି । ଆଜି କ’ଣ ଏମିତି ଗୋଟିଏ ଅଳି କରିବି ବୋଲି ଭାବୁଛ ? ନାରୀ ଅଳଙ୍କାରକୁ ଭଲପାଏ ସତ, ହେଲେ ମୋ ଜୀବନର ପ୍ରତ୍ୟେକ ଛନ୍ଦରେ ତ’ ନାନାଦି ଅଳଙ୍କାର ଭରପୂର ହୋଇ ରହିଛି । ଆଉ ଅଧିକ କ’ଣ ମୁଁ ଚାହେଁ ?

ଏସବୁ କିଛି ଶୁଭୁ ନ ଥିଲା ରଣଜିତ୍‌ବାବୁଙ୍କୁ । ସେ କେବଳ ଚିନ୍ତା କରୁଥିଲେ–ରୀତା କେଡ଼େ ସରଳ-। ହେଲେ ସାରା ଜୀବନଟା ସେ ତାଙ୍କୁ କାହିଁକି ହା’ ହୁତାଶରେ ମରିବାକୁ ବାଧ୍ୟ କଲେ ।

ବାର୍ଦ୍ଧକ୍ୟର ଗୁରୁ ଚାପ ସତ୍ୱେ ଯୁକ୍ତି କରିବାକୁ ଠିଆହେଲେ ରଣଜିତ୍‌ । କହିଲେ–ସତ କହିବ ରୀତା ! ତୁମେ ଏତେ ସରଳ, ଏତେ ନିରାଡ଼ମ୍ୱର । ହେଲେ ପହିଲୁ ଜୀବନରେ ଗୋଡ଼ ଖସାଇ ହିନ୍ଦୁ ଆଭିଜାତ୍ୟକୁ ଧୂଳିସାତ୍‌ କଲ କେମିତି ?

କଥାଟା ଶୁଣି ରୀତାଦେବୀ ଦୁଃଖରେ ଭାଙ୍ଗିପଡ଼ି ନ ଥିଲେ । ସହଜ ଭାବରେ ନିଜକୁ ସଜାଡ଼ି ନେଇ କହିଲେ–ନିଜେ ଯଦି ନିଜକୁ ସେ ଦୃଷ୍ଟିରୁ ବିଚାର କରନ୍ତ, ତେବେ ହୁଏତ ମୋତେ ଦୋଷଦେଇ ପାରନ୍ତ ନାହିଁ । ଯୌବନର ପରାଙ୍ଗପୁଷ୍ଟ ଜୀବନ କେଡ଼େ ପାଗଳ, ସେ କଥା ତୁମେ ହୁଏତ ଜାଣିଥିବ । ଅନେକ ସମୟରେ ଏଇ ଯୌବନକୁ ଚୋରି କରିବାପାଇଁ ବହୁ ରୂପରେ ବହୁ ଚୋର ଆସନ୍ତି । ସେଗୁଡିକ ବୁଝି ନିଜକୁ ସମ୍ଭାଳି ନେବା କ୍ୱଚିତ୍‌ ଜୀବନରେ ଘଟେ ।

 

ସେ ସମୟରେ ସତୀତ୍ୱର ଚିନ୍ତା ନ ଥାଏ । ଭଲପାଇବାର ମୋହ, ନୂଆ ଅନୁଭୂତିର ରୋମାଞ୍ଚ ମନକୁ ଆକର୍ଷିତ କରିନିଏ । ଏ ଦୃଷ୍ଟିରୁ ଅବା ମୁଁ ଭୁଲ କଲି କେଉଁଠି ?

 

ଏହାଛଡ଼ା ଆଉ ଗୋଟାଏ କଥା–ସମାଜର ମେରୁଦଣ୍ଡ ଉପରେ ଠିଆ ହୋଇ ପ୍ରତିବାଦ କରିବାର ଜୁ ଆମର ନାହିଁ ।

 

ବିବାହବେଳେ ହୁଏତ ମୁଁ ତୁମକୁ ବିବାହ କରିବାର ଆଗ୍ରହ ମୋର ନ ଥିଲା । କିନ୍ତୁ...

 

ପରିସ୍ଥିତିର ଚାପରେ ମୁଁ ବାଧ୍ୟ ହୋଇଥିଲି ।

 

କୁହ ଦେଖି ଜୀବନ ! ବିବାହ ପରେ ସଦସ୍ର ଉଜାଗର ରାତି ମୁଁ ତୁମ ପାଇଁ କଟାଇ ଦେଇଛି । ହେଲେ କେବେ କ’ଣ... ?

 

ପ୍ରତିବାଦ କରି ଉଠିଲେ ରଣଜିତ୍‌ । କହିଲେ–ଅନ୍ତତଃ ସିଧାସଳଖ ତୁମେ ପ୍ରତିବାଦ କରି ପାରିଥାନ୍ତ ।

 

ଏଥର ନିର୍ବୋଧ କରି ହସି ଉଠିଲେ ରୀତାଦେବୀ କହିଲେ–ମୋ ଜୀବନର ଇତିବୃତ୍ତି ମୁଁ ତୁମକୁ କହିବା ପରେ ତୁମର ଏ ଯୁକ୍ତି । ଯଦି ମୋ ଜୀବନର ଇତିକଥା ମୁଁ ତୁମକୁ କହି ନ ଥାନ୍ତି–ତେବେ ?

 

ଯୁବତୀ ଜୀବନରେ ବହୁ ରହସ୍ୟପୂର୍ଣ୍ଣ ଘଟଣା ଘଟିଥାଏ, ହେଲେ ସ୍ୱାମୀ ପାଖରେ ସେ ସବୁ ରହେ ଗୁପ୍ତ । ଯୁବକ ଜୀବନରେ ମଧ୍ୟ ବହୁ ମାଂସଲୋଭୀ ପୈଶାଚିକ କାମ କରାଯାଇଥାଏ, ହେଲେ ସ୍ତ୍ରୀ ପାଖରେ ସେ ରହେ ଗୁପ୍ତ । କିନ୍ତୁ ମୁଁ ମୋର ଭିତର ମଣିଷକୁ ବାହାରେ ପକାଇ ଦେବା କ’ଣ ଭୁଲ୍‌ ହେଲା ?

 

ସେଇଥିପାଇଁ ବର୍ଷ ବର୍ଷ ଧରି ତୁମର ନିର୍ଯାତନା ନୀରବରେ ସହ୍ୟ କରି ଯାଇଛି । ଦିନୁଟାଏ ପାଇଁ ପ୍ରତିବାଦ କରିନାହିଁ । ତୁମେ ମଧ୍ୟ ସରାଗରେ କେବେ ତୁମର ବିଗତକୁ ଭୁଲିଯିବାକୁ ଚେଷ୍ଟା କରିନାହଁ ।

 

ଅବଶ୍ୟ ମୁଁ ମୋର ନାରୀତ୍ୱକୁ ବଳିଦେଇ ତୁମ ପାଇଁ କିଛି ନୂଆ ଜିନିଷ ରଖି ନ ଥିଲି । ହେଲେ ତୁମେ... ? ତୁମେ କ’ଣ ମୋତେ ଦେବାପାଇଁ ଯୌବନର ସବୁ କିଛି ସାଇତି ରଖି ପାରିଥିଲ ?

 

ମୁଁ ପୁରୁଷ ନୁହେଁ ଜୀବନ ! ହେଲେ ପୁରୁଷକୁ ପଢ଼ି ପଢ଼ି ଶେଷ କରି ଦେଇଛି । ନାରୀ ତା’ର ସହଯାତ୍ରୀଣୀ ନୁହେଁ, ସହଗାମିନୀ । ନାରୀତ୍ୱର ବନ୍ଦୀଖାନାରେ ବନ୍ଦୀ ହୋଇ ପୁରୁଷ କବଳ ଘରମାନେ । ପଶୁତ୍ୱ ଛାଡ଼େ । ତଥାପି ଥରେ ପାଚେରୀ ଡେଇଁଲେ ସମ୍ଭାଳି ରଖିବା କଷ୍ଟ । ସେ କେତେ ନାହିଁ କେତେ ପ୍ରାଣୀଙ୍କୁ ଘାଉଲା କରିବ ।

 

ରୀତାଦେବୀଙ୍କ ଯୁକ୍ତି ଶୁଣି ଶୁଣି ରଣଜିତ୍‌ବାବୁ ଦୀର୍ଘନିଶ୍ୱାସ ଟାଣିଲେ । ତାଙ୍କ ମନେହେଉଥିଲା ସତେ ଯେମିତି ଜୀବନର ଅନେକ ଗୁଡ଼ାଏ ଖିଅ ଓଲମ୍‌ ବିଲମ୍‌ ହୋଇଯାଇଛି ।

 

ସେତେବେଳକୁ ଚେସ୍‌ଖେଳ କଥା ଏକଦମ୍‌ ଭୁଲିଯାଇଥିଲେ ରଣଜିତ୍‌ବାବୁ ।

 

ହାଲୁକା ପବନରେ ବାହାର ଘରର ଦରଜାଟା ଆଉଜେଇ ହୋଇଯାଇଥିଲା । ବୃଦ୍ଧପ୍ରାଣରେ ମଧ୍ୟ ପ୍ରବଳ ଉନ୍ମାଦନା । ଆଖିରୁ ବହୁଛି ଝର ଝର ଲୋତକ ବିନ୍ଦୁ ।

 

ଆଶ୍ଚର୍ଯ୍ୟହେଲେ ରୀତାଦେବୀ ! ଜୀବନର ବହୁବାର ସେ ରଣଜିତ୍‌ଙ୍କୁ ଆପଣାର କରିବାର ଚେଷ୍ଟାକରିଛନ୍ତି, ହେଲେ ନରାଜର ଖାଣ୍ଟି ମୁଗୁନିପଥର ଜଳସ୍ରୋତରେ ଭାଙ୍ଗି ପଡ଼ିନି । ତେବେ ଆଜି, ଏ କି ପରିବର୍ତ୍ତନ !

 

କୁରାଳଚକ୍ରପରି ଘୂରୁଛି ରଣଜିତ୍‌ଙ୍କ ଆଖି ।

 

ରୀତାଦେବୀଙ୍କର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ କେବଳ ସେ ବାରମ୍ୱାର ଚାହିଁବାରେ ଲାଗିଛନ୍ତି । ମନେହେଉଛି ସତେ ଯେମିତି ସେ ନୂଆଦେଖୁଛନ୍ତି ରୀତାଦେବୀଙ୍କୁ । ବିସ୍ମୃତ ଦିନଗୁଡ଼ିକରେ ସେ କେବେ ଚାହିଁବାର ସମୟ ପାଇ ନଥିଲେ ।

 

ଘରର ଆଉ ପରିସ୍ଥିତି ସହିତ ବାର୍ଦ୍ଧକ୍ୟର ସୀମା ଟପିଲେ ରଣଜିତ୍‌ ।

 

ଆବେଗରେ ରୀତାଦେବୀଙ୍କୁ ନିଜର ଛାତିଉପରେ ଜଡ଼ାଇଧରି କହିଲେ–ତୁମେ କଣ ମୋତେ କ୍ଷମାକରିବନି ରୀତା ?

 

ରୀତାଦେବୀ ମୂକ ହୋଇ ଆସୁଥିଲେ ।

 

ଶିଥିଳ ଚମ ଉପରେ ଯୁବତୀପ୍ରାଣର ଉନ୍ମାଦନା । ହାଲୁକା ପବନରେ ଲିଭିଯାଇଥିବା ସଂଧ୍ୟା ଦୀପର ଶିଖା ଆଜି ପୁଣି ତେଜିୟାନ୍‌ ହୋଇ ଜଳିଉଠିଛି । କଟକ ସହରର ନିବିଡ଼ ଅନ୍ଧକାରକୁ ସେ ଯେମିତି ସଫାକରିଦେବ ।

 

ବହୁ ସମୟପରେ ରୀତାଦେବୀ ମୁହଁ ଖୋଲି କହିଲେ–ଏ କ’ଣ କରୁଛ ଜୀବନ ? ତୁମକୁ କ’ଣ କେବେ ମୁଁ କ୍ଷମାଦେଇପାରେ ?

 

ବାଳକସୁଲଭ ଚପଳତା ନେଇ ରଣଜିତ୍‌ବାବୁ କହିଲେ–ନା ନା, ତୁମେ ମନାକରନା ରୀତା ! ବୟସ ଚଟିଥିଲେ ମଧ୍ୟ ନିର୍ମଳ ବଦନରେ କ୍ଷମାଦିଅ । ମୁଁ ଅଧିକ କିଛି ଚାହେନା...

 

ରୀତାଦେବୀଙ୍କ ଗଣ୍ଡଦେଶଦେଇ ବହିଆସୁଥିବା ଲୋତକଧାର ରଣଜିତ୍‌ଙ୍କ ବୁକୁଉପରେ ସୃଷ୍ଟିକରୁଥିଲା ପବିତ୍ର ପ୍ରୟାଗ ।

 

ଜୀବନରେ ପ୍ରଥମଥର ପାଇଁ ହୃଦୟ ଦେଇ ଲୋଟିପଡ଼ିଲେ ରୀତାଦେବୀ ।

 

ଶିଥିଳ ଚର୍ମରେ ମଧ୍ୟ ଚରମ ଶାନ୍ତି ।

 

ରୀତାଦେବୀଙ୍କର ସ୍ଥିର ଗଣ୍ଡଉପରେ ରଣଜିତ୍‌ଙ୍କ ଶୁଖିଲା ଅଧର ଶିହରଣ ତୋଳିଲା ।

 

ପଥର ମୂର୍ତ୍ତିପରି ଠିଆହୋଇ ରହିଥିଲେ ରୀତାଦେବୀ ଓ ରଣଜିତ୍‌ବାବୁ ।

 

କିଛି ସମୟ କଟିଲା...

 

ହଠାତ୍‌ ରଣଜିତ୍‌ବାବୁ ରୀତାଦେବୀଙ୍କୁ ଛାଡ଼ିଦେଇ କହିଲେ–କିଛି ସମୟ ଅପେକ୍ଷାକର ରୀତା, ମୋ ଜୀବନର ପ୍ରଥମ ଉପହାର ମୁଁ ଆଜି ତୁମକୁ ଦେବି । ରୀତାଦେବୀ ପ୍ରତିବାଦ କରି ନଥିଲେ ।

 

ଭିତର ଘରକୁ ପଶିଯାଇ ରଣଜିତ୍‌ବାବୁ କ’ଣ ଖୋଜିବସିଲେ । ତା’ପରେ ହାତରେ ଧରି ଆସିଲେ ମଳିଛିଆ ପଡ଼ିଯାଇଥିବା ଗୋଟିଏ ପଥର ବସା ମୁଦି ।

 

ଅବାକ୍‌ ହୋଇ ଚାହିଁରହିଥିଲେ ରୀତାଦେବୀ ।

 

ରଣଜିତ୍‌ବାବୁ କହିଲେ–ମନରେ କିଛି ଭାବିବନି ରୀତା ! ଆଦରରେ ମୋର ଉପହାରଟିକୁ ଗ୍ରହଣ କରିବ । ଯେଉଁଦିନ ପ୍ରଥମ କରି ପ୍ରୀତିପଦ୍ମା ସହିତ ମୋର ଭଲପାଇବା ଜନ୍ମିଥିଲା, ସେଦିନ ମୁଁ ମୋର ମୁଦିଟି ପ୍ରୀତିକୁ ଉପହାର ଦେଇଥିଲି ।

 

ପୃଷ୍ଠା ଲେଉଟିଲା...

 

ମୋର ଯେତେବେଳେ ଅନ୍ୟ ଆଡ଼େ ବିବାହ କରିବା ଠିକ୍‌ ହୋଇଗଲା, ସେତେବେଳେ ସେ ଉକ୍ତ ମୁଦିଟିକୁ ଅକ୍ଷତଭାବରେ ଫେରାଇ ଦେଇଥିଲା । ଏ ସେହି ମୋ ଯୌବନର ପ୍ରଥମ ବାର୍ତ୍ତାବହ । ଦୀର୍ଘଦିନ ହେଲା ଲୁହାଟ୍ରଙ୍କ୍‌ ଭିତରେ ରହି ତା’ର ଉପଯୁକ୍ତ ଗ୍ରାହକ ଖୋଜୁଥିଲା ।

 

ତୁମକୁ ମୁଁ ପାଇ ମଧ୍ୟ ପାଇ ନଥିଲି । ଆଜି ତୁମକୁ ନୂଆକରି ପାଇଛି । ମନାକରନି ରୀତା ! ଆଦରରେ ଗ୍ରହଣକର ।

 

ହର୍ଷୋତ୍‍ଫୁଲ୍ଲ ବଦନରେ ମୁଦିଟିକୁ ପିନ୍ଧିବସିଲେ ରୀତାଦେବୀ । କାରଣ, ନାରୀ ଜୀବନର ଈର୍ଷାକରିବା ଭଳି ସମ୍ୱିତ୍‌ ତାଙ୍କ ପାଖରେ ଆଉ ନଥିଲା ।

 

ଠିକ୍‌ ଏହି ସମୟରେ ଘରକୁ ପଶିଆସିଲେ ଅହଲ୍ୟା । ବାପା ଆଉ ମାମିଙ୍କର ହସଖେଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସେ ।

 

ନିଜକୁ ମଧ୍ୟ ଆନନ୍ଦ ଲାଗିଲା । ଆବେଗରେ ହସିପକାଇଲେ ଅହଲ୍ୟା ।

 

କିନ୍ତୁ ଏହି ହସଟିକକ ସହିପାରିଲେନି ରଣଜିତ୍‌ । ଜୀବନରେ ସବୁ ଦୁଃଖ, କଷ୍ଟ, ନିର୍ଯ୍ୟାତନା ଆଉ ବିଦ୍ରୂପ ସେ ସହିଛନ୍ତି । ହେଲେ ଏକା ଅହଲ୍ୟାର ହସ ସହିପାରନ୍ତିନି ।

 

କ୍ଷଣକରେ ଶୁଣି ରଣଜିତ୍‌ଙ୍କ ମୁହଁ ବିକୃତ ହୋଇ ଉଠିଲା । କାନ୍ଦି ଉଠିଲେ ସେ ।

 

ରୀତାଦେବୀ କିଛି କହିବା ଆଗରୁ କହିଲେ–ଆଜି କ’ଣ ସନତ୍‌ ଆସିବନି ରୀତା ? ମୋ ଝିଅ କ’ଣ ଭଲ ହେବନି ?

 

ରୀତାଦେବୀଙ୍କ ମୁହଁରୁ ମଧ୍ୟ ଭାଷା ବାହାରୁ ନଥିଲା ।

 

ପରିସ୍ଥିତିର ଗୁରୁତ୍ୱ ବୁଝି ନୀରବରେ ସ୍ଥାନଛାଡ଼ି ଚାଲି ଆସିଲେ ଅହଲ୍ୟା ।

 

ସେତେବେଳକୁ ହୁଏତ କଟକ ସହରରେ ଦ୍ୱିପ୍ରହରର ଖରା ନାଚକରୁଥିଲା ।

 

ଆଜି ଶ୍ୟାମାକାନ୍ତ ବାବୁଙ୍କ ଆନନ୍ଦ କହିଲେ ନସରେ । ପ୍ରତି ଲୋମକୂପରେ ସତେ ଯେମିତି ପରିତୃପ୍ତି ଲହଡ଼ି ଭାଙ୍ଗୁଛି ।

 

କାରଣଟା ଅବଶ୍ୟ ଅନ୍ୟସମସ୍ତଙ୍କୁ ଅଜଣା, ହେଲେ ଏକା ଜାଣନ୍ତି ଛଗନ୍‌ଲାଲ ଓ ତନୁଲତା ।

 

ଖାଦ୍ୟଶସ୍ୟ ବୋଝାଇ ଜାପାନୀ ଜାହାଜ ପାରାଦ୍ୱୀପ ବନ୍ଦରରେ ଲାଗିଛି । ଏଇ ମାଲ୍‌ ସହିତ...ଗହମ ଓ ଅଟା ଭାବରେ ଆସିଛି କେତୋଟି ପ୍ୟାକେଟ୍‌ ଚୋରା ଟ୍ରାଞ୍ଜିଷ୍ଟାର ରେଡ଼ିଓ ।

 

ଏ ସବୁ ମାଲର ଖୋଲାବଜାରରେ ବିକ୍ରି ନିଷିଦ୍ଧ । ହେଲେ ଲଫା କମ୍‌ ନୁହେଁ ।

 

ବିଭିନ୍ନ ଜାଗାରେ ଏହାର ଏଜେନ୍‌ସି ସେଣ୍ଟର ଖୋଲିବାରେ ଶ୍ୟାମାକାନ୍ତ କୃତକାର୍ଯ୍ୟ ହୋଇ ପାରିଛନ୍ତି ।

 

ତେଣୁ ମନଭିତରେ ଅପରିସୀମ ଆନନ୍ଦ ।

 

ଶ୍ୟାମାକାନ୍ତ ଚିନ୍ତାକରୁଛନ୍ତି ।

 

ଏ ସବୁ ମାଧ୍ୟମରେ ତେବେ ପ୍ରଚୁର ବିଦେଶୀ ମୁଦ୍ରା ସଂଗୃହୀତ ହୋଇପାରେ, ତେବେ କେତେ ନାହିଁ କେତେ କାମ କରିହେବ । ଆନ୍ତର୍ଜାତୀୟ ସ୍ମଗଲିଂ ମାର୍କେଟ୍‌ରେ ଖୁବ୍‌ ସୁଖ୍ୟାତି ଅର୍ଜନ କରିହେବ ।

 

ଏହି ଚିନ୍ତାରେ ବାଧାଦେଇ ଭିତରକୁ ଆସିଲେ ତନୁଲତା । ଟେବୁଲ୍‌ ଉପରେ ଭ୍ୟାନିଟ୍‌ ବ୍ୟାଗ୍‌ଟି ରଖି କହିଲେ–ପାରାଦ୍ୱୀପରୁ ଗହମଗୁଡ଼ିକ ଆଜି କଟକ ଚାଲିଆସୁଛି । ଆପଣ ତାର ଡିଷ୍ଟ୍ରିବୁସନ୍‌ କଥା ଚିନ୍ତାକରନ୍ତୁ ଶ୍ୟାମାକାନ୍ତବାବୁ ।

 

ଶ୍ୟାମାକାକ୍ତ ବାବୁଙ୍କ ଆଖି ଉଜ୍ଜ୍ୱଳହୋଇ ଉଠିଲା । ଟେବୁଲ ଉପରେ ମୃଦୁ ଆଘାତ କରି କହିଲେ–ବେଶ୍‌ ତୁମର ସେ ବିଷୟରେ ମୁଣ୍ଡ ଖେଳାଇବା ଦରକାର ନାହିଁ । ମୁଁ ତାହାର ବନ୍ଦୋବସ୍ତ କରିବି ।

 

ତା’ପରେ ସାମାନ୍ୟ କେତେକ ମାମୁଲି କଥାବାର୍ତ୍ତା ହେବାପରେ ଉଠିଲେ ତନୁଲତା ।

 

ଶ୍ୟାମାକାନ୍ତବାବୁ ତନୁଲତାଙ୍କୁ ଅଟକାଇ ନେଇ କହିଲେ–ଗୋଟାଏ କଥା ଭୁଲିଯାଇଥିଲି ତନୁଲତା, ବର୍ତ୍ତମାନ ସବୁ ବିଗିଡ଼ି ଯାଇଥାନ୍ତା ।

 

ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁରହିଲେ ତନୁଲତା ।

 

ଶ୍ୟାମାକାନ୍ତବାବୁ କହିଲେ–ଆଜି ଯୋଗାଣବିଭାଗର ମୁଖ୍ୟ କର୍ମକର୍ତ୍ତା ସାମୁଏଲ୍‌ ବିଲ୍‌ଡ଼ିଂକୁ ଯିବେ । ତେଣୁ ତାଙ୍କ ଦାୟିତ୍ୱ ତୁମ ଉପରେ ।

 

ବେପରୁଆ ହସହସି ତନୁଲତା କହିଲେ–ଏତେଦିନ ପରେ ମଧ୍ୟ କ’ଣ ଆପଣ ମୋତେ ବୁଝିପାରିଲେନି ଶ୍ୟାମାକାନ୍ତ ବାବୁ ? ମୁଁ ଗୋଟିଏ ଉଡ଼ନ୍ତା ଚଢ଼େଇ । ସମସ୍ତଙ୍କ ମନରେ ଆଶା ତୋଳି ଫୁର୍‌ କରି ଉଡ଼ିଯାଇପାରେ ।

 

ଯଦି ଅବିଶ୍ୱାସ ହେଉଛି, ତେବେ ଗୁପ୍ତରେ ରହି ଦେଖନ୍ତୁ, ମୁଁ ପାରୁଛି କି ନାହିଁ ?

 

ଶ୍ୟାମାକାନ୍ତବାବୁ କଥାଟାର ଦୃଢ଼ ସମର୍ଥନ ଜଣାଇ କହିଲେ–ତୁମ ଉପରେ ମୋର ଗଭୀର ବିଶ୍ୱାସ ଅଛି ତନୁଲତା, ତୁମେ ନିଶ୍ଚୟ ସବୁକାମ ନେଇ ଆଣି ଥୋଇ ପାରିବ । ଯାଅ...ତୁମ କାମରେ ତୁମେ ଲାଗିଯାଅ ।

 

ପୁଣି ଭ୍ୟାନିଟ୍‌ବ୍ୟାଗ୍‌ ହଲାଇ ହଲାଇ ତନୁଲତା ବାହାରିଗଲେ ବାହାରକୁ ।

 

ସେଦିନ ପ୍ରାୟ ଡାକ୍ତରଖାନାରେ ସନତ୍‍ର ଜରୁରୀ ଡିଉଟି ଥିଲା । ତେଣୁ ତରବରରେ ସେ ଘରୁ ବାହାରି ଯାଉଥିଲା । ପ୍ରୀତି ବଳେଇ ବଳେଇ କହିଲେ–ଭାତ ହୋଇ ଗଲାଣି, ଗଣ୍ଡାଏ ଖାଇଦେଇ ଯାଆ ସନୁ । ନଚେତ୍‌ କେତେ ଡେରିରେ ଆସିବୁ ଠିକ୍‌ ନାହିଁ । ଭାତଗୁଡ଼ାକ ଅକାରଣ ଶୁଖି ଶୁଖି ନଷ୍ଟହେବ ।

 

ସନତ୍‌ କହିଲା–ନାଇଁ ବୋଉ, ତେଣେ ଜରୁରୀକାମ ଅଛି । ଭାତ ଖାଇ ଯାଉ ଯାଉ ଡେରିହେବ । ଆସିଲେ ଖାଇବି, ନହେଲେ ହୋଟେଲରେ ଖାଇନେବି ।

 

ହୋଟେଲ କଥାଟା ଶୁଣି ଚମକି ପଡ଼ିଲେ ପ୍ରୀତି । କହିଲେ–ତୁ ହୋଟେଲରେ ଖାଇନେବୁ ? ତୋ ମନରେ କ’ଣ ବୋଉ ମଲାଣି ?

 

ଚମକି ପଡ଼ିଲା ସନତ୍‌ । ଛଳ ଛଳ ଆଖିରେ କହିଲା–ଛି–ଛି–ତୁମେ ଏ ସବୁ କ’ଣ କହୁଛ ବୋଉ ? ମୁଁ ପରା ସରକାରୀ ଚାକିରୀ କରିଛି । ବରାଦ ଅନୁସାରେ ନଗଲେ ଚଳିବ କେମିତି ?

 

ପୁଅ ମନରେ ଦୁଃଖ ଦେଖି ନୀରବ ହୋଇଗଲେ ପ୍ରୀତି ।

 

ସନତ୍‌ ବାହାରକୁ ଆସିଲା ।

 

ଶ୍ୟାମାକାନ୍ତବାବୁ ସେତେବେଳକୁ ଦାଣ୍ଡଘରୁ ଉଠିନଥିଲେ । ସନତ୍‍କୁ ଦେଖିପକାଇ କହିଲେ–ମନେ ମନେ ତୋତେ ଖୋଜୁଥିଲି ସନୁ । କେତେଗୁଡ଼ାଏ ଜରୁରୀକାମ ଥିଲା । ତୁ ଡାକ୍ତରଖାନାରୁ ଫେରିଲେ ମୋ ପାଖକୁ ଆସିବୁ । ମୁଁ କହିବି ।

 

ସନତ୍‌ କରିଲା–ବର୍ତ୍ତମାନ କହୁନାହାନ୍ତି ବାପା ।

 

ଶ୍ୟାମାକାନ୍ତବାବୁ କଥାଟାକୁ ଗୋଳେଇ ନେଇ ବନ୍ଦକରି ଦେବାକୁ ବସିଥିଲେ । ହେଲେ ସନତ୍‌ ଚେୟାରଟାରେ ବସିପଡ଼ି କହିଲା–କହନ୍ତୁ । ଟିକେ ଡେରିରେ ପଛେ ଯିବି ।

 

ଶ୍ୟାମାକାନ୍ତବାବୁ ଅନିଚ୍ଛାସତ୍ୱେ କହିବାକୁ ବାଧ୍ୟହେଲେ । କହିଲେ–ଏହା ଭିତରେ ମୁଁ ତୋର ବିବାହ କରି ନେବାକୁ ବସିଛି । ତୋର ମତ କ’ଣ ?

 

ହଠାତ୍‌ ଏପରି ଗୋଟାଏ ପ୍ରଶ୍ନ ସନତ୍‌ ଆଶାକରିନଥିଲା । କଥାଟା ଶୁଣିପକାଇ ଚେୟାରରୁ ଧଡ଼୍‍କରି ଉଠିପଡ଼ି କହିଲା–ମୁଁ ଆଜି ଆସେ ବାପା ! ପରେ କହିବି ।

 

ପୁଅର ଅବସ୍ଥା ଦେଖି ନିର୍ବୋଧଭଳି ହସିଉଠିଲେ ଶ୍ୟାମକାନ୍ତବାବୁ ।

 

ଏକମୁହାଁହୋଇ ସନତ୍‌ ବାହାରିଯାଇଥିଲା ଘରୁ ।

 

ଆଜି ଡାକ୍ତରଖାନାରୁ ଫେରୁ ଫେରୁ ସନତ୍‍ର ଖୁବ୍‌ ଡ଼େରି ହୋଇଯାଇଥିଲା । ତେଣୁ ରଣଜିତ୍‌ବାବୁଙ୍କ ଘରଦେଇ ଫେରିବାକୁ ଇଚ୍ଛାକଲା ।

 

ସେତେବେଳକୁ ଅହଲ୍ୟା ଗୋଟିଏ ସ୍ୱିଟରର କିଛି ଅଂଶ ବୁଣିବାକୁ ଉପକ୍ରମ କରୁଥିଲେ-। ସନତ୍‍ର ଆକସ୍ମିକ ପ୍ରବେଶ ତାଙ୍କୁ ଚଞ୍ଚଳ କରିଦେଲା ।

 

ଆଜି ନୂଆକରି ରଣଜିତ୍‌ବାବୁ ଓ ରୀତାଦେବୀ ବାହାରକୁ ବୁଲିବାକୁ ଯାଇଛନ୍ତି । ଅହଲ୍ୟାଙ୍କୁ ସବୁଗୁଡ଼ାକ ଖୁବ୍‌ ନୂଆ ନୂଆ ଲାଗୁଛି । ମନରେ ଆନନ୍ଦ ମଧ୍ୟ ଉଙ୍କି ମାରୁଛି ।

 

ସନତ୍‌ ଘରଭିତରକୁ ଆସି ସ୍ଥିରରହି ନଥିଲା । ଏକରକମ୍‌ ଅହଲ୍ୟାଙ୍କୁ ସୋଫାଉପରୁ ଉଠାଇନେଇ କହିଲା–ଏଇଟି ମୋ ବସିବା ଜାଗା, ତୁମେ ବସିପାରିବ ନାହିଁ ।

 

ଉଛୁଳା ନଈ ବନ୍ଧ ଭାଙ୍ଗିଛି ।

 

ଅହଲ୍ୟାଙ୍କର ଛାତିରେ ପବନ ଅଟକିଗଲା ।

 

ପ୍ରେମର ପଥ ଏମିତି । ଅନେକ ସମୟରେ ମଣିଷର ଛାତିକୁ ତୁଳାଠାରୁ ଆହୁରି ହାଲୁକା କରିଦିଏ । ମଣିଷ ନିଜର ଗୁରୁତ୍ୱ ହଜାଇ ବସେ ।

 

ଅହଲ୍ୟା କିଛି କହିପାରୁ ନଥିଲେ । ପ୍ରତିବାଦ କରିବାକୁ ମଧ୍ୟ କ୍ଷମତା ନଥିଲା ।

 

ସାମାନ୍ୟ କିଛିସମୟ ପରେ ସନତ୍‌ କହିଲା–ଆସନ୍ତା କାଲିଠାରୁ ତୁମକୁ ପୁଣି ଡାକ୍ତରଖାନାକୁ ଯିବାକୁ ପଡ଼ିବ ଅହଲ୍ୟାଦେବୀ । ଏହି ସପ୍ତାହରେ ତୁମ ପାଟିଭିତରର ଟନ୍‌ସିଲ୍‌ ଓ ଜିଭର ତଳଅଂଶରେ ଅସ୍ତ୍ରୋପଚାର ହେବ ।

 

ଅସ୍ତ୍ରୋପଚାର କଥାଟା ଶୁଣି ବିଚଳିତ ହୋଇଉଠିଥିଲେ ଅହଲ୍ୟା ।

 

କିନ୍ତୁ ସନତ୍‌ ଅଭୟବାଣୀ ଶୁଣାଇ କହିଲା–ଭୟ କରନି ଅହଲ୍ୟାଦେବୀ ! ମୁଁ ନିଜେ ପରା ଅସ୍ତ୍ରୋପଚାର ଭାର ନେଇଛି । ବହୁଦିନ ଗବେଷଣା କରି ଦେଖିଲି, ତୁମର କଥା କହିବାର ଶକ୍ତି ଅଛି । ସ୍ୱରତନ୍ତ୍ରୀର ଉଚ୍ଚାରଣ କରିବାର ଶକ୍ତି ଅଛି । ହେଲେ ଆଘାତଜନିତ ଘଟଣା ହେତୁ ଜିଭଟି ଜଡ଼ହୋଇ ଯାଇଛି । ଜିଭତଳରେ ମାଂସ ଅଂଶ ବଢ଼ିଯାଇଥିବା ହେତୁ ସ୍ୱରଜାତ ହୋଇପାରୁନାହିଁ । ଅପରେସନ୍‌ ହେଲେ ଜିଭ ଚାଳିତ ହୋଇପାରିବ । ତା’ଛଡ଼ା କିଛି ଇଞ୍ଜେକ୍‌ସନ୍‌ ଦେଇଦେଲେ ଜଡ଼ତା ନଷ୍ଟହୋଇଯିବ ।

 

ସନତ୍‍ର କଥାଗୁଡ଼ାକୁ ଆରବ୍ୟକାହାଣୀ ପରି ଶୁଣିଯାଉଥିଲେ ଅହଲ୍ୟା । ଅଜଣା ଆନନ୍ଦରେ ଅନ୍ତର ଦୋହଲି ଉଠୁଥିଲା ।

 

ବହୁଦିନର ଗାଦିମଡ଼ା କଳ୍ପନା ଆଜି ରୂପପାଉଛି । ଏଥିରେ କେଉଁ ଲୋକ ଅବା ଆନନ୍ଦିତ ନହେବ ?

 

ସନତ୍‌ ଅହଲ୍ୟାଙ୍କୁ ପୁଣି ସୋଫାଉପରେ ବସାଇ ଦେଇଥିଲା । କହିଲା–କଣ ମୋ କଥା ପ୍ରତି ବିଶ୍ୱାସ ହେଉନାହିଁ ?

 

ସନତ୍‌ କଥାକୁ ଅବିଶ୍ୱାସ କରିବାର କାରଣ ନଥିଲା । କାରଣ ଡାକ୍ତରୀଶାସ୍ତ୍ରର ଚୂଡ଼ାନ୍ତ ସ୍ତରରେ ସେ ପହଞ୍ଚି ପାରିଥିଲା ।

 

ଆବେଗରେ କେବଳ ସନତ୍‌ ଉପରେ ଲୋଟିପଡ଼ିଥିଲେ ଅହଲ୍ୟା । ସତେ ଯେମିତି ସେ କହିବାକୁ ଚେଷ୍ଟାକରୁଥିଲେ ମୁଁ ବାକ୍‌ଶକ୍ତି ଫେରିପାଇଲେ ପୁନର୍ଜନ୍ମ ପାଇବି ସନତ୍‌ । ତୁମେ ହିଁ ହେବ ମୋର ନବ ଜୀବନର ଜନ୍ମଦାତା ।

 

ସନତ୍‌ ଅହଲ୍ୟାଙ୍କ ମନକଥା ବୁଝୁଥିଲା । ହେଲେ ଏତେଗୁଡ଼ାଏ ପ୍ରଶଂସା ଏକାବେଳକେ ଗ୍ରହଣ କରିବାକୁ ସକ୍ଷମ ହୋଇ ପାରୁ ନଥିଲା ।

 

ତେଣୁ ସନତ୍‌ କହିଲା–ତୁମେ କଥା କହିବା ଶକ୍ତି ଫେରିପାଇଲେ ମୋତେ ପ୍ରଶଂସା କରିବନି ଅହଲ୍ୟାଦେବୀ, ପ୍ରଶଂସା କରିବ ଏ ଡାକ୍ତରୀ ବିଦ୍ୟାକୁ । ବହୁ ଅସମ୍ଭବ ଦୁରାରୋଗ୍ୟ ରୋଗକୁ ଏ ଆୟତ କରି ପାରିଛି ।

 

ଅହଲ୍ୟା କିନ୍ତୁ ଏ ସବୁ ଯୁକ୍ତିକୁ ଗ୍ରହଣ କରିବାକୁ ଅରାଜି ଥିଲେ । ସନତ୍‌ ହିଁ ଥିଲା ତାଙ୍କ ପାଖରେ ବିରାଟ, ମହାନ...

 

ସେଦିନର ସଂଧ୍ୟା...

 

ଅନ୍ୟଦିନର ବହୁସଂଧ୍ୟାଠାରୁ ଭିନ୍ନ ଧରଣର ଥିଲା ।

 

ଅହଲ୍ୟାଙ୍କ ଜୀବନକୁ ଭବିଷ୍ୟତର ସ୍ୱପ୍ନ ଘାଉଲା କରୁଥିଲା ।

 

ମେଡିକାଲ ଶଯ୍ୟା । ପାଞ୍ଚଦିନ ହେଲା ଏହି ଶଯ୍ୟାଉପରେ ରହିଲେଣି ଅହଲ୍ୟା । ଭୟ ଆଉ ଆନନ୍ଦରେ ହୃଦୟ କମ୍ଫିଉଠୁଛି । ବେଳେ ବେଳେ ସ୍ୱପ୍ନର ପରୀରାଇଜରେ ସେ ଘୂରିବୁଲୁଛନ୍ତି । ପୁଣି ପର ମୁହୂର୍ତ୍ତରେ ଅଜଣା ଆତଙ୍କ ତାଙ୍କ ମନକୁ ଗ୍ରାସକରି ଯାଉଛି ।

 

ଆଜି ଅପରେସନ୍‌ ହେବାର ଦିନ ।

 

କିଛିଘଣ୍ଟା ଆଗରୁ ସନତ୍‌ ଆସିଥିଲା । ସତର୍କକରି ବହୁକଥା କହିଗଲା । ତା ସହିତ ଅଭୟବାଣୀ ମଧ୍ୟ ଶୁଣାଇଦେଇ ଗଲା । ଶଯ୍ୟାଉପରେ ପଡ଼ିରହି ଅହଲ୍ୟା ଭାବୁଥିଲେ ସନତ୍‍ର କଥା । କେଡ଼େ ହୃଦୀ କେଡ଼େ ସରଳ ସେ ?

 

ଏଣେ ରୀତାଦେବୀ ଓ ରଣଜିତ୍‌ବାବୁ ଘଣ୍ଟାକଣ୍ଟାର ପେଣ୍ଡୁଲମ୍‌ ପରି ମେଡ଼ିକାଲ୍‌ ସର୍ଜିକାଲ ୱାଡ଼୍‍ର ବାରଣ୍ଡାରେ ଏପାଖ ସେପାଖ ହେଉଛନ୍ତି । ଉଭୟେ ଅସମ୍ଭବ ରକମ୍‌ ନୀରବ । ସତେ ଯେମିତି ଗୋଟାଏ ଆଗାମୀ ବିପଦକୁ ଅପେକ୍ଷାକରି ସେମାନେ ଅନାଇ ବସିଛନ୍ତି ।

 

ଘଣ୍ଟା କଣ୍ଟାରେ ନଅଟା ବାଜିଲା ।

 

ଆଉ ଅଧଘଣ୍ଟାଏ ମାତ୍ର ବାକି...

 

ସର୍ଜିକାଲ ୱାଡ଼୍‍ର କାନ୍ଥଦେହରେ ଝୁଲୁଛି ଘଣ୍ଟାଟିଏ । ଅନବରତ ଟକ୍‌ଟକ୍‌ ହୋଇ ଅନେକ ରୋଗୀଙ୍କର ଭାଗ୍ୟ ନିର୍ଣ୍ଣୟକରି ଯାଉଛି । କାହାକୁ କହୁଛି...ବେଳ ହୋଇଗଲା । ସେର ପୂରିଗଲା, ଏବେ ତୁମେ ଫେରିଯାଅ । ଆଉ କାହାକୁ କହୁଛି...ଏହିଦିନୁ ଏତେ ନିରାଶ ? ଜୀବନ ଆହୁରି ବହୁତ ବାକି ଅଛି । ଧୈର୍ଯ୍ୟଧର ସାହସ ବାନ୍ଧ । ସବୁ ଦୁଃଖ କେଉଁଆଡ଼େ ଉଭେଇ ଯିବ ।

 

ନଅଟା ପନ୍ଦର...

 

ଆଉ ପନ୍ଦର ମିନିଟ୍‌ ବାକି ।

 

ଅହଲ୍ୟା ଏଥର କେବଳ ଥରୁଛନ୍ତି ।

 

ମେଡ଼ିକାଲର ବେହେରାମାନେ ଚକଦିଆ କୃତ୍ରିମଗାଡ଼ିରେ ଅହଲ୍ୟାଙ୍କୁ ଠେଲି ଠେଲି ଅପରେସନ୍‌ ଥେଟରଆଡ଼େ ଆଗେଇ ନେଉଛନ୍ତି ।

 

ଅହଲ୍ୟା ଆଖି ବୁଜିଲେ–

 

ଅପରେସନ୍‌ ଟେବୁଲଉପରେ ସୂକ୍ଷ୍ମାତିସୂକ୍ଷ୍ମ ଯନ୍ତ୍ରଗୁଡ଼ାକର ଝଣ ଝଣ ଶବ୍ଦ ଶୁଭୁଛି । ହୁଏତ ଗୋଟାଏ ନୂଆ ଜୀବନକୁ ସ୍ୱାଗତ କରିବା ପାଇଁ ସେମାନେ ଅଣ୍ଟାଭିଡ଼ି ଯୁଦ୍ଧକରିବାକୁ ପ୍ରସ୍ତୁତ ହେଉଛନ୍ତି ।

 

ଆଉ ଦଶମିନିଟ୍‌ ବାକି...

 

ଆଖି ଖୋଲିଲେ ଅହଲ୍ୟା...

 

ଏ କ’ଣ ? ସନତ୍‍କୁ ଯେ ଆଉ ଚିହ୍ନି ହେଉ ନାହିଁ । ଧୋବଲା ଡାକ୍ତରୀ ଅପରେସନ୍‌ ଗାଉନ୍‌ । ମୁହଁରେ ଧୋବଲା ବଟି । ଦସ୍ୟୁଦଳର ସରଦାର ବେଶ ବଦଳାଇ ଆକ୍ରମଣ କରିବାଭଳି ଦିଶୁଛି ସନତ୍‌ । ହାତରେ ଚକ୍‌ଚକ୍‌କରି ଉଠୁଛି ଛୁରୀ ।

 

ଅନ୍ତର ଭିତରେ ଚିତ୍କାରକରି ଉଠିଲା । ଅହଲ୍ୟା ଆଉ ଏ ଦୃଶ୍ୟ ଦେଖି ପାରିଲେନି । ଆଖି ବୁଜିଲେ ।

 

ଅହଲ୍ୟାଙ୍କ ଠେଲାଗାଡ଼ି ଅପରେସନ୍‌ ଟେବୁଲ ପାଖରେ ରେଷ୍ଟ ନେଇଛି ।

 

କାନ୍ଥ ଘଣ୍ଟାକୁ ଅନାଇ ଅନ୍ୟାନ୍ୟ ଡାକ୍ତର ଓ ନର୍ସମାନେ ସତର୍କହୋଇ ଉଠୁଛନ୍ତି । ଆଉ ପାଞ୍ଚ ମିନିଟ୍‌ବାକି...

 

ଅହଲ୍ୟାଙ୍କ ଛାତିଉପରେ ପାଟିସନ୍‌ ୱାଲପରି ଗୋଟାଏ ପଦାର୍ଥ ନଦିହୋଇ ପଡ଼ିଲା । ଅହଲ୍ୟା ଶୀତେଇ ଉଠିଲେ । ପରକ୍ଷଣକୁ ଅପେକ୍ଷାକରି ହୁଏତ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ।

 

ଜଡ଼କରିବାର ଇଞ୍ଜେକ୍‌ସନ୍‌ ଦିଆସରିଛି ।

 

ଏବେ କେବଳ ଅପରେସନ୍‌ ବାକି...

 

ଆଉମାତ୍ର ଦୁଇମିନିଟ୍‌ । ସନତ୍‌ ସହିତ ଅନ୍ୟ ଦୁଇଜଣ ଡାକ୍ତର ଓ ଜଣେ ନର୍ସ ଆଗେଇ ଆସିଲେ ।

 

ସମସ୍ତେ ନୀରବ ନିସ୍ତବ୍‌ଧ...।

 

ଆଉ ଗୋଟାଏ ମିନିଟ୍‌ ବାକି...

 

ଯନ୍ତ୍ର ସାହାଯ୍ୟରେ ଅହଲ୍ୟାଙ୍କର ମୁହଁ ମେଲାକରି ଦିଆଗଲା ।

 

ଅଭିନବ କୌଶଳରେ ଅପରେସନ୍‌ କରିବାକୁ ନୂଆକରି ଭାଗନେଇଛନ୍ତି–ବିଲାତ ଫେରନ୍ତା ଡାକ୍ତର ସନତ୍‌ ।

 

ସମୟ ଶେଷ...

 

ଅପରେସନ୍‌ ଆରମ୍ଭ କରିଛି ସନତ୍‌ ।

 

ଜିଭ ତଳର ପୁଳା ପୁଳା ଅଦରକାରୀ ମାଂସକୁ କାଟି ଫିଙ୍ଗିଦେଇଛି ସେ ।

 

ଝରକା ଫାଙ୍କରେ ଚାହୁଁଥିବା ଦର୍ଶକଙ୍କର ଆଖି ମୁଦିହୋଇ ଯାଉଛି । କେଡ଼େ ନୃଶଂସ ସତେ ଏ ଡାକ୍ତରମାନେ ।

 

ଅପରେସନ୍‌ କୋଠରି ଭିତରୁ ରଣଜିତ୍‌ ଓ ରୀତାଦେବୀଙ୍କୁ ବାହାର କରି ଦିଆଯାଇଛି । ଡାକ୍ତର ସନତ୍‍ଙ୍କର କଡ଼ା ଆଦେଶ, ତିନିଦିନ ପୂର୍ବରୁ ଅହଲ୍ୟାଙ୍କର କୌଣସି ଆତ୍ମୀୟ ତାଙ୍କୁ ଦେଖାକରି ପାରିବେ ନାହିଁ ।

 

ବାଧ୍ୟହୋଇ କେବଳ ଶୁଭଖବର ଶୁଣିବା ଆଶାରେ ବାହାରେ ଅପେକ୍ଷା କରିଛନ୍ତି ରଣଜିତ୍‌ବାବୁ ଓ ରୀତାଦେବୀ ।

 

କାନ୍ଥ ଘଣ୍ଟାଟା ସେମିତି ଝୁଲୁଛି । ତା ସହିତ ଝୁଲୁଛି ରଣଜିତ୍‌ବାବୁଙ୍କ ମନ ।

 

ଏଇ ଅହଲ୍ୟା ତାଙ୍କ ବାର୍ଦ୍ଧକ୍ୟର ସ୍ୱପ୍ନ । ବହୁ ନିଶ୍ଚିତ ଗୋଧୂଳିର ମୋହକୁ ସେ ଏଡ଼ାଇଦେଇ ପାରିଛନ୍ତି, ଦେହର ଡାକକୁ ମନର ଭୋକକୁ ରୋକିଦେଇ ପାରିଛନ୍ତି, ହେଲେ ଅହଲ୍ୟାର ସ୍ନେହକୁ ଦୂରେଇ ଦେଇପାରି ପାହାନ୍ତି । ବୟସର ତାଳେ ତାଳେ ରଣଜିତ୍‌ଙ୍କ ହୃଦୟର ଅହଲ୍ୟା ଅଧିକାର କରି ବସିଛନ୍ତି ସ୍ୱତନ୍ତ୍ର ଆସନ ।

 

କଟକ ସହରର ଛାପି ଛାପିକା ଜହ୍ନ...ବର୍ଣ୍ଣାଢ଼୍ୟ ସୂର୍ଯ୍ୟାସ୍ତ ତାଙ୍କ ମନଭିତରେ ପ୍ରହେଳିକା ସୃଷ୍ଟି କରି ପାରିନାହିଁ । ସେ କେବଳ ଅନୁତାପରେ ସାରା ଜୀବନଟା କଟାଇ ଦେଇଛନ୍ତି ।

 

ଆଉ ରୀତା ଦେବୀ...

 

ଅନେକଗୁଡ଼ାଏ ନା ଭିତରୁ ସେ ଗୋଟାଏ ହଁ । ତାଙ୍କର ବଞ୍ଚିବାରେ ମୋହନାହିଁ, ମରିବାରେ ମଧ୍ୟ ଦୁଃଖ ନାହିଁ । ସେ କେବଳ ରଣଜିତ୍‌ଙ୍କ ସ୍ନେହପ୍ରୟାସୀ ଥିଲେ । ସେତେକ ପୂରଣ ହୋଇଛି । ଏବେ ସେ ରଣଜିତ୍‌ଙ୍କୁ ଛାଡ଼ି ଅହଲ୍ୟାକୁ ମଣିଷ କରିବାକୁ ଚାହାନ୍ତି । ବଡ଼ କରିବାକୁ ଚାହାନ୍ତି । ଅହଲ୍ୟା ସହିତ ନାଚି କୁଦି କୁନିଝିଅ ପରି ଖେଳିବାକୁ ଚାହାନ୍ତି ।

 

ଦୀର୍ଘ ନିଶ୍ୱାସ ଛାଡ଼ିଲେ ରୀତାଦେବୀ...

 

ପାଞ୍ଚ ମିନିଟ୍‌ ବିତିଯାଇଛି ।

 

ଗୋଟାଏ ଗୋଟାଏ ମିନିଟ୍‌ ଗୋଟାଏ ଗୋଟାଏ ଯୁଗ ପରି ଲାଗୁଛି । ଘଡ଼ିର କଣ୍ଟାକୁ ମାଡ଼ିବସି ଆଗେଇ ନେବାକୁ ଇଚ୍ଛା ହେଉଛି ।

 

ସତେ ଯେମିତି ଘଣ୍ଟାଟା ଆଗେଇଗଲେ ତାଙ୍କର ବହୁତଗୁଡ଼ାଏ ଦୁର୍ଭାବନା ଦୂରହୋଇଯିବ ।

 

ଦଶମିନିଟ୍‌ ଅତିକ୍ରାନ୍ତ ହେଲା...

 

ରଣଜିତ୍‌ବାବୁ ଅଧୈର୍ଯ୍ୟ ହୋଇ ପଦଚାରଣ କରୁଥିଲେ ।

 

ପ୍ରତି ମୁହୂର୍ତ୍ତରେ ଅପରେସନ୍‌ ରୁମ୍‌କୁ ଅନାଇ ରହୁଥିଲେ ।

 

ଅପରେସନ୍‌ ରୁମ୍‌ ଖୋଲିଲା ।

 

ଦ୍ୱାରନିକଟକୁ ଧାଇଁ ଆସିଲେ ରଣଜିତ୍‌ବାବୁ ଓ ରୀତାଦେବୀ ।

 

ନର୍ସ ଜଣେ ବାହାରକୁ ଆସୁ ଆସୁ କହିଲା–‘successful’

 

ହଠାତ୍‌ ହସର ଲହରୀଟାଏ ହାବୁକା ଦେଇ ରଣଜିତ୍‌ଙ୍କ ଅନ୍ତର ଭିତରେ ଅତିକ୍ରମ କରିଗଲା, ଲୁହବିନ୍ଦୁଗୁଡ଼ିକ ଠସ୍‌ଠସ୍‌ହୋଇ ଖସିପଡ଼ିଲା ଆଖିରୁ ।

 

ଦ୍ୱାର ଦେଶରୁ ରଣଜିତ୍‌ବାବୁ ପରେ ପରେ ଆସିଲା, ସନତ୍‌ ...

 

ଆବେଗରେ କୁଣ୍ଢାଇ ପକାଇ କହିଲେ–କ’ଣ ହେଲା ପୁଅ ? ସେତେବେଳକୁ ରୀତାଦେବୀ ଉଦ୍‌ବିଗ୍ନ ହୋଇ କାନଡ଼େରି ଥାଆନ୍ତି ।

 

ସନତ୍‌ କହିଲା–ବ୍ୟସ୍ତ କାହିଁକି ହେଉଛନ୍ତି ସାର ? ଅପରେସନ୍‌ ସୁରୁଖୁରୁରେ ହୋଇଯାଇଛି । ମୋର ବିଶ୍ୱାସ, ଅହଲ୍ୟାଦେବୀ ନିଶ୍ଚୟ କଥାକହି ପାରିବେ ।

 

ସନତ୍‍ର ଦୁଇ ଖୁଆକୁ ଦୃଢ଼ଭାବରେ ହଲାଇଦେଇ ରଣଜିତ୍‌ବାବୁ କହିଲେ–ମୋତେ ଯୁଗଯୁଗ ପାଇଁ ଋଣୀ କରିଦେଲୁ ସନତ୍‌ । ତାର ପ୍ରତିଦାନରେ ମୁଁ ତୋତେ କିଛିଦେଇ ପାରିବି ନାହିଁ-

 

ହସି ହସି ସନତ୍‌ କହିଲା–ପ୍ରତ୍ୟେକ କାମର ପ୍ରତିଦାନ ଦରକାର ପଡ଼େନି ସାର । ବହୁତ କାମ ଅଛି, ଯାହା ବିନାପ୍ରତିଦାନରେ ମଧ୍ୟ ହେବା ଉଚିତ୍‌ । ଅପରେସନ୍‌ କାର୍ଯ୍ୟକାରୀ ହେଲେ ଆପଣ ଯେପରି ଲାଭବାନ୍‌ ହେବେ, ମୁଁ ମଧ୍ୟ ଠିକ୍‌ ସମ ପରିମାଣରେ ଲାଭବାନ୍‌ ହେବି ।

 

ଆପଣ ପାଇବେ ଅହଲ୍ୟାଙ୍କୁ । ଅହଲ୍ୟା ପାଇବେ ଅଭାବଥିବା ବାଗ୍‍ଶକ୍ତି । ମୁଁ ପାଇବି ସୁନାମ । ତା’ଛଡ଼ା ମୋ ଡାକ୍ତରୀ ବ୍ୟବସାୟରେ ମଧ୍ୟ କମ୍‌ ଲାଭ ହେବନାହିଁ ।

 

ସନତ୍‍ର ଯୁକ୍ତିଶୁଣି ନୀରବ ରହିଲେ ରଣଜିତ୍‌ । ମନେ ହେଉଥିଲା, ସେ କହନ୍ତେ–ସନତ୍‌ ତୁ ମୋର ପୁଅ । କେଉଁ ଜନ୍ମର କେଉଁ ପାପଯୋଗୁ ମୋଠାରୁ ଦୁରେଇ ରହିଛୁ । ହେଲେ ମୁହଁ ଖୋଲି ନଥିଲା । କେବଳ ଆଖିପୂରେଇ ସେ ସନତ୍‍କୁ ଦେଖିନେଉଥିଲେ ।

 

ରୀତାଦେବୀଙ୍କ ମୁହଁରୁ ମଧ୍ୟ ପ୍ରଶଂସା ଫିଟିପଡ଼ୁଥିଲା । ବହୁତଗୁଡ଼ାଏ କଥା ସେ ଏକସମୟରେ କହିଯିବାକୁ ବସିଥିଲେ ।

 

ରୀତା ଦେବୀ...

 

ମାତୃହୃଦୟର ଗୋଟିଏ ଅନାବିଳ ପ୍ରତିମୂର୍ତ୍ତି...

 

ଜୀବନରେ କେବେ ସେ ମାଆ ହେବାର ସୁଯୋଗ ପାଇନାହାନ୍ତି । ହେଲେ କୃତ୍ରିମ ମାତୃତ୍ୱ ତାଙ୍କୁ ମାଆହେବାଠାରୁ ଅଧିକ ଆନନ୍ଦ ଦେଇଛି । ମନରେ କ୍ଷୋଭ ନାହିଁ । ମାତୃତ୍ୱର ବାସନା ନାହିଁ । କେବଳ ଅହଲ୍ୟାକୁ ମଣିଷ କରିବାର ମୋହ ଅଛି ।

 

ମଣିଷ ଯେତେ ନିଜର ସମସ୍ତଙ୍କୁ ହରାଏ, ବା ନିଜର କିଛି ଅଛି ବୋଲି ଅନୁଭବ ନକରେ, ସେତେବେଳେ ପରକୁ ଆପଣାର କରିବାର ପ୍ରଗାଢ଼ ଯତ୍ନକରେ ।

 

ଠିକ୍‌ ସେମିତି...

 

ଅହଲ୍ୟାଙ୍କ ପରି ଗୋଟିଏ ପାଳିତା କନ୍ୟାପାଇଁ ସେ ଅନେକ ସମୟରେ କାନ୍ଦୁଥିଲେ । ହେଲେ ଏ କାନ୍ଦକୁ ଅନ୍ୟ କେହି ଲକ୍ଷ୍ୟକରିବା କଷ୍ଟକର ବ୍ୟାପାର ହୋଇପଡ଼ୁଥିଲା ।

 

ପ୍ରତ୍ୟାଶାର ଅଭିଳାଷ ନଥାଇ ଯେଉଁ ସ୍ନେହ ଅନ୍ତର ଭିତରେ ଜାଗରିତ ହୁଏ, ସେ ସ୍ନେହ ଅନନ୍ତ, ଚିରନ୍ତନ ।

 

ରୀତାଦେବୀଙ୍କର ସୁପ୍ତମାତୃତ୍ୱ ଯେ ଆର୍ତ୍ତନାଦକରି ଉଠୁନଥିଲା, ତାହା ନୁହେଁ । ସେ ମାତୃତ୍ୱ କିନ୍ତୁ ଅହଲ୍ୟାଙ୍କର ସ୍ଥିର ନିଶ୍ଚଳ ବନ୍ଧନୀ ଭେଦକରି ଆଗକୁ ଯାଇପାରୁନଥିଲା । ରୀତାଦେବୀ ବାରବାର କେବଳ ଅହଲ୍ୟାଙ୍କ ପାଖରେ ପରାସ୍ତ ହେଉଥିଲେ ।

 

ଅହଲ୍ୟାଙ୍କ ଦୁଃଖରେ କାନ୍ଦୁଥିଲେ–

 

ସୁଖରେ ହସୁଥିଲେ ।

 

କଟକ ସହରରେ ଚଲାପଥରେ ମଣିଷର ସ୍ରୋତ ଅବିରାମ ଗତିରେ ଚାଲିଛି । ତା’ ଦେହରେ ଚାଲିଛନ୍ତି ବ୍ୟବସାୟୀ ଶ୍ୟାମାକାନ୍ତ, ଛଗନ୍‌ଲାଲ, ତନୁଲତା, ଗୃହୀ ରଣଜିତ୍‌, ରୀତା ଓ ଶିଳ୍ପୀ ଇନ୍ଦ୍ରଦେବଙ୍କ ସହିତ ଅହଲ୍ୟା, ସନତ୍‌ ।

 

ଏମାନେ ସମସ୍ତେ କଟକର ମଣିଷ ।

 

କେବଳ ଏମାନେ ନୁହନ୍ତି, ଏମିତି ବହୁଲୋକ କଟକ ମାଟିରେ ବଞ୍ଚିଛନ୍ତି । ହେଲେ ସତକହିବାକୁ ଗଲେ କଟକ ସହରକୁ କେହି ଖିନ୍‌ଭିନ୍‌ କରି ଦେଖିଛି ବୋଲି କହିହେବନାହିଁ ।

 

ଏ ସହରର ଖିଲିପାନ ଦୋକାନରେ ଯେଉଁ ରାଜନୀତି ଚର୍ଚ୍ଚାହୁଏ, ମଦ ଦୋକାନରେ ଯେଉଁ ରାଜନୀତି ଆରମ୍ଭହୁଏ ତାକୁ ଲକ୍ଷ୍ୟକରିବା କଷ୍ଟକର କଥା ।

 

ଭୂବନେଶ୍ୱରରୁ ଆସି, ସେହି ସହରରେ ଆଶ୍ରୟ ନେଇଛନ୍ତି ରଣଜିତ୍‌ ଓ ରୀତାଦେବୀ ।

 

ଅହଲ୍ୟା ଜଣେ ସ୍ୱତନ୍ତ୍ର ମଣିଷ ବୋଲି କହିହେବନାହିଁ । ସେ କେବଳ ରଣଜିତ୍‌ଙ୍କର ଫାଙ୍କାଜୀବନର ପରିଚାରକ, ଗୋଟିଏ ଗୃହପାଳିତା ଜୀବ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ତାଙ୍କର ସ୍ୱତନ୍ତ୍ର ସ୍ଥିତିନାହିଁ ।

 

ସ୍ୱତନ୍ତ୍ର ଯୁକ୍ତି ନାହିଁ...

 

ହେଲେ ସ୍ୱତନ୍ତ୍ର ସ୍ନେହ ଅଛି, ମମତା ଅଛି ।

 

ଯେଉଁ ମମତା ତାଙ୍କୁ ବଞ୍ଚିରହିବାକୁ ବାରମ୍ୱାର ଆହ୍ୱାନ କରିଛି । ନିଜକୁ ଚିହ୍ନିବାକୁ ବାରମ୍ୱାର ଅନୁରୋଧ କରିଛି ।

 

ଯୁବତୀ ପ୍ରାଣର ମହୁଆ ନିଶା ତାଙ୍କ ପ୍ରାଣକୁ ଅଧୀର କରି ନଥିଲା । ଉପଭୋଗର କାମନା ତାଙ୍କ ପ୍ରାଣକୁ ବାସନାମୟ କରିନଥିଲା ।

 

ଏଇ ମାତ୍ର ଭଲପାଇବାର ଆଦିପର୍ବ ଆରମ୍ଭହୋଇଛି ।

 

ଜୀବନର ପ୍ରଥମ ରଣାଙ୍ଗନରେ ସେ ଦେଖୁଛନ୍ତି ଶିକାରୀ ସନତ୍‍କୁ ।

 

ଶ୍ୟାମାକାନ୍ତ ଉତ୍ତ୍ୟକ୍ତ ହୋଇ ପଦଚାରଣ କରୁଛନ୍ତି । ପ୍ରୀତିଙ୍କୁ ଶାସନ କରିବାକୁ ବଦ୍ଧପରିକର ହୋଇ ଉଠୁଛନ୍ତି ।

 

ପ୍ରୀତି କିନ୍ତୁ ଅଟଳା ନାରୀ । ପୁରୁଷର ଯୁକ୍ତି ତାଙ୍କ ପାଖରେ କେବଳ ଗୋଟାଏ ଫାଙ୍କା ନିବେଦନ ଛଡ଼ା ଆଉ କିଛି ନୁହେଁ । ଜୀବନର ବହୁ ପରୀକ୍ଷା ନିରୀକ୍ଷାପରେ ମଧ୍ୟ ସେ ଭାଙ୍ଗି ପଡ଼ିନାହାନ୍ତି । ନିଜତ୍ୱକୁ ବଜାୟରଖିବାକୁ ବହୁଚେଷ୍ଟା କରିଛନ୍ତି ।

 

ଶ୍ୟାମାକାନ୍ତଙ୍କର ଅଦରକାରୀ ଆବେଦନ ତାଙ୍କ ନିକଟରେ ବହୁବାର ପରାସ୍ତ ହୋଇଛି-

 

ପ୍ରୀତି ସରଳା, ସ୍ନେହଶୀଳା, ହେଲେ ମୌଳିକ ଦୃଷ୍ଟିକୋଣରୁ ସେ ନିଷ୍ଠୁରା ।

 

ଶ୍ୟାମାକାନ୍ତ କହିଲେ–ମୋ କଥାରେ ରାଜି ହୋଇଯାଅ ପ୍ରୀତି । ଏଥିରେ ଆମେ ଖୁବ୍‌ ଲାଭବାନ୍‌ ହେବା । ଆଜିକାଲି ଜାତିର ପ୍ରଭେଦକୁ ମାନୁଛି କିଏ ?

 

ଅଣ୍ଟାଭିଡ଼ିଲେ ପ୍ରୀତିପଦ୍ମା । କହିଲେ–ମୁଁ ମଧ୍ୟ ଜାତିଟାକୁ ବଡ଼ ବୋଲି ମନେକରୁନାହିଁ । ହେଲେ ଅନ୍ୟଦୃଷ୍ଟିରୁ ମୁଁ ଏ ପ୍ରସ୍ତାବରେ ରାଜି ନୁହେଁ ।

 

ପୁଣି ବୁଝାଇବାକୁ ଚେଷ୍ଟାକଲେ ଶ୍ୟାମାକାନ୍ତ । କହିଲେ–ଛଗନଲାଲଙ୍କ ଝିଅ ତନୁଲତା ରୂପସୀ । ବୁଦ୍ଧିମତୀ, ସ୍ନେହଶୀଳା, ଏପରି ଗୋଟିଏ ଝିଅକୁ ବୋହୂକରି ଆଣିବାରେ ତୁମର ଆପତ୍ତି କ’ଣ ? ଏକେତ ଲକ୍ଷ ଲକ୍ଷ ଟଙ୍କାର ମାଲିକ୍‌ ସନତ୍‌ ହେବ, ତା’ଛଡ଼ା ବୁଦ୍ଧିମତୀ ସ୍ତ୍ରୀଟିଏ ମଧ୍ୟ ପାଇବ ।

 

ପ୍ରୀତି କହିଲେ–ଅର୍ଥକୁ ତୁମେ ବଡ଼ ଆସନ ଦେଇପାରୁଥାଅ, ହେଲେ ମୋ ନିକଟରେ ଅର୍ଥର ନିଶା ବଡ଼ ନୁହେଁ । ଯାହା ଦେହରେ ମନୁଷ୍ୟତ୍ୱ ନାହିଁ ସେ ମୋର ବୋହୂହୋଇ ପାରିବନି ।

 

ରାଗିଉଠିଥିଲେ ଶ୍ୟାମାକାନ୍ତ–ସୁନା ଫ୍ରେମ୍‌ର ଚଷମାଟିକୁ ଟେବୁଲରେ କଚାଡ଼ିଦେଇ କହିଲେ–ତୁମେ କ’ଣ ମୋ ଅପେକ୍ଷା ତନୁଲତାକୁ ଅଧିକ ଜାଣିଛ ?

 

ସ୍ଥିର ଦୃଷ୍ଟିରେ ଚାହିଁରହି ପ୍ରୀତି କହିଲେ–ମୁଁ ନାରୀ । ନାରୀତ୍ୱର ଅଯୋଗ୍ୟତା କେଉଁଠି, ତାହା ମୋତେ ବେଶ୍‌ରକମ୍‌ ଜଣା । ତୁମେ ତନୁଲତାର ମୁହଁ ଦେଖିଛ, କଥା ଶୁଣିଛ, ହେଲେ ମୁଁ ତା’ର ଦେହ ମନ ସବୁ କିଛି ଦେଖିଛି ।

 

କଥାଟାକୁ ଛଡ଼ାଇନେଇ ଶ୍ୟାମାକାନ୍ତ କହିଲେ–ମୁଁ କହିବି ତୁମେ କିଛି ଦେଖିନାହଁ । ଦେଖିଥିଲେ ଏପରି କହନ୍ତ ନାହିଁ ।

 

ଅସମ୍ଭବ ଦୁଃଖରେ ମଧ୍ୟ ପ୍ରୀତି ହସିଉଠି କହିଲେ–ନାରୀକୁ ଚିହ୍ନିବାକୁ ତୁମକୁ ଆହୁରି ବହୁଦିନ ଲାଗିବ । ଯେଉଁ ନାରୀ ସ୍ୱାମୀ ନିକଟରେ ମଧ୍ୟ ଅନ୍ତର ନ ଖୋଲେ ସେ ନାରୀକୁ ଚିହ୍ନିବା କଷ୍ଟସାଧ୍ୟ, ତୁମେ ବୁଝିପାରିବ ନାହିଁ ।

 

ମୁଁ ତୁମର ସ୍ତ୍ରୀ । ହେଲେ କହିପାରିବ, ଜୀବନର କେତୋଟି ମୁହୂର୍ତ୍ତ କାହା ଶଯ୍ୟାରେ କଟାଇଦେଇଛି ?

 

ଆବାକହୋଇ ଚାହିଁରହିଲେ ଶ୍ୟାମାକାନ୍ତ ।

 

ପ୍ରୀତି କହିଲେ–ତନୁଲତାର ଭ୍ୟାନିଟ୍‌ ବ୍ୟାଗ୍‌ରୁ ମୁଁ ବୁଦ୍ଧିମତୀର ପରିଚୟ ଖୋଜେନାହିଁ । ପାଉଡ଼ର ମିଶା ମୁହଁରୁ ଯୌବନ ଖୋଜେନାହିଁ । ଅବନତ ମାଂସପେଶୀକୁ ଆଖିର ଫିତାରେ ମାପିବସେ ।

 

ଯେଉଁ ମାଂସପେଶୀ ଉଦ୍ଦାମ ଯୌବନରେ ନବେଡ଼ିଗ୍ରୀ କୋଣ ଅଙ୍କନକରି ସମୟକୁ ଆଉ ପୁରୁଷତ୍ୱକୁ ଆହ୍ୱାନକରେ, ପାଗଳକରେ, ସେହି ମାଂସପେଶୀ ସାମାନ୍ୟ ପୁରୁଷାକାର ମଧ୍ୟରେ କୋଣର ଅସ୍ତିତ୍ୱ ହରାଇ ବସେ । ଅବନତ ଶିଥିଳ ହୋଇପଡ଼େ ।

 

ଶିଥିଳ ମାଂସପେଶୀରେ ଯେ ଉତ୍ତେଜନା ଆସେନାହିଁ, ତାହା ନୁହେଁ, ହେଲେ ନାରୀତ୍ୱର ସମାଧି ହୋଇଥାଏ ।

 

ପ୍ରୀତିଙ୍କ ଯୁକ୍ତି ଶୁଣି ଶ୍ୟାମାକାନ୍ତ ରାଗି ଉଠୁଥିଲେ । ପ୍ରୀତିକୁ ଯା’ ଇଚ୍ଛା ତାହା ଗାଳି ଦେବାକୁ ଉଦ୍ୟତ ହେଉଥିଲେ ।

 

ହେଲେ...

 

ନିଜକୁ ସଂଯତ କରାଇନେଇ ପ୍ରୀତି କହିଲେ–ତୁମେ ତୁମ ବ୍ୟବସାୟ ପାଇଁ ଯାହା ଇଚ୍ଛା ତାହା କରିପାର । ସାମୁଏଲ ବିଲ୍‌ଡ଼ିଂକୁ ବେଶ୍ୟାଳୟ ତିଆରିକରିପାର । କିନ୍ତୁ ସନତ୍‍କୁ ମୁଁ ତନୁଲତା ସହିତ ବିବାହ କରାଇ ଦେବି ନାହିଁ ।

 

ପ୍ରୀତିଙ୍କ ନିଷ୍ଠୁର ଶପଥ ଶୁଣି ଶ୍ୟାମାକାନ୍ତ ଏକରକମ୍‌ ଭାଙ୍ଗିପଡ଼ିଲେ । ଗୋଟାଏ ବିରାଟ ଆଶାର ସୌଧ ଧୂଳିସାତ୍‌ ହୋଇଗଲା । ଅନୁନୟ କରିବା ଭଙ୍ଗୀରେ ଶ୍ୟାମାକାନ୍ତ କହିଲେ–ଥରେ ବିଚାର କରି ଦେଖ ପ୍ରୀତି, ମୁଁ ଯାହା କରିବାକୁ ଯାଉଛି ତାହା ଅମଙ୍ଗଳକର ନୁହେଁ ।

 

ପ୍ରୀତି କହିଲେ–ମଙ୍ଗଳ ଅମଙ୍ଗଳର ବଳୟ ମୋ ନିକଟରେ ଖୁବ ସ୍ପଷ୍ଟ । ଏ ମଙ୍ଗଳ ଅମଙ୍ଗଳକୁ ତୁମେ ଯୁକ୍ତିଦ୍ୱାରା ଆଣିପାରିବ ନାହିଁ । ତୁମର ଯଦି ପ୍ରବଳ ଇଚ୍ଛା, ତେବେ ଆଉ ଗୋଟିଏ କେଉଁଠୁ ଉପଯୁକ୍ତ ପାତ୍ର ଆଣି ତନୁଲତା ସହିତ ଛନ୍ଦି ଦିଅ ।

 

ପରାସ୍ତ ହେଲେ ଶ୍ୟାମାକାନ୍ତ...

 

ରାଗିଉଠି ବାହାରିଗଲେ ଘରୁ ।

 

ପ୍ରୀତି ସ୍ଥିରଦୃଷ୍ଟିରେ ଚାହିଁରହିଥିଲେ ଶ୍ୟାମାକାନ୍ତଙ୍କୁ ।

 

ଖୁବ୍‌ କମ୍‍ସମୟ ପରେ ଆସିଲା ସନତ୍‌ । ଅଝଟିଆ କୁନିପୁଅ ପରି ଅଳିକରି କହିଲା, ବୋଉ ! ଭୋକ ହେଲାଣି । କ’ଣ ଖାଇବାକୁ ଦିଅ ।

 

ଅଲକ୍ଷ୍ୟରେ ବହିଆସିଥିବା ଲୁହବିନ୍ଦୁଟିକୁ ଗୋପନରେ ପୋଛିନେଇ ପ୍ରୀତି କହିଲେ–ଏତେବେଳଯାଏ କୁଆଡ଼େ ଥିଲୁ ସନୁ । ମୁଁ ଆଉ ତୋତେ ପାରିବି ନାହିଁ । ବୋଉକୁ ଉପବାସ ରଖେଇ ରଖେଇ ତୁ ହୁଏତ ବେମାର କରେଇ ଦେବୁ ।

 

ଚମକି ଉଠିଲା ସନତ୍‌ ।

ବୋଉଙ୍କୁ କୁଣ୍ଢେଇ ପକାଇ କହିଲା–ଏ କ’ଣ କହୁଛନ୍ତି ବୋଉ ! ତୁମେ କ’ଣ ଏଯାଏ ଖାଇନାହଁ ?

ପୁଅର ଦୁଃଖ ଦେଖି ହଠାତ୍‌ ହସିଉଠି ପ୍ରୀତି କହିଲେ–ତୁ ଖାଇନୁ, ମୁଁ ଖାଇଥାନ୍ତି କେମିତି ?

ସନତ୍‌ କହିଲା–ମୁଁ ପରା ବାରମ୍ୱାର ଅନୁରୋଧ କରି କହିଛି ବୋଉ ! ମୋତେ ଅପେକ୍ଷାକରିବନି, ତୁମେ ଆଗରୁ ଖାଇନେଇଥିବ । କାରଣ ମୋର କେଉଁଦିନ କେତେ ଡେରିହେବ କହିହେବ ନାହିଁ ।

ସନତ୍‍ର ମୁଣ୍ଡରେ ହାତ ଚାଲୁ ଚାଲୁ ପ୍ରୀତି କହିଲେ–ଏ କ’ଣ ସମ୍ଭବ ହୋଇପାରେ ସନୁ-? ପୁଅ ଉପବାସରେ ଦିନ କାଟୁଥିବ । ମାଆ ସୁଖରେ ଖାଇପିଇ ଆରାମକରିବ କେମିତି ? ତୁ ବାପା ହୋ...ପୁଅର ସ୍ନେହ ବୁଝିବୁ ।

ଲଜ୍ଜାରେ ଅବନତ ହୋଇ ଆସିଲା ସନ୍‍ତର ମୁଣ୍ଡ ।

କଥାଟାକୁ ବାଆଁରେଇ ନେବାକୁ କହିଲା–ଆସ ବୋଉ । ମୋତେ ଖାଇବାକୁ ଦେବ ।

ପ୍ରୀତି ନାରୀ ହେଲେ ମଧ୍ୟ ବଡ଼ ସ୍ପଷ୍ଟବାଦିନୀ । ଅବସର ନଦେଇ ହଠାତ୍‌ କହିଲେ–ସନୁ-! ମୁଁ ତୋତେ ଗୋଟାଏ କଥା ପଚାରିବି, ସତ କହିବୁ ?

ଥରିଉଠିଲା ସନତ୍‍ର ପ୍ରାଣ...

କାରଣ ଏମିତି ଗୋଟାଏ ଗୌରଚନ୍ଦ୍ରିକା ଦେଇ ବାପା ଆରମ୍ଭ କରିଥିଲେ ବିବାହ କଥା-। ତେଣୁ ନିଜକୁ ରକ୍ଷାକରିବାକୁ ସନତ୍‌ କହିଲା–ଯାହା କହିବ ପରେ କହିବ, ବର୍ତ୍ତମାନ ମୋତେ ଖାଇବାକୁ ଦିଅ ।

ପ୍ରୀତି ପ୍ରତିବାଦ କଲେନି । ସନତ୍‍ର ହାତଧରି ରୋଷେଇଶାଳକୁ ନେଇ ଯାଉଁ ଯାଉଁ କହିଲେ–ସନୁ, ମୁଁ ତୋର ବିବାହ ତନୁଲତା ସହିତ ଠିକ୍‌ କରିଛି । ସବୁ ଠିକ୍‌ ଠାକ୍‍ ହୋଇଯାଇଛି । ତୋର ମତ କ’ଣ ?

ଆତଙ୍କିତ ହୋଇଉଠିଲା ସନତ୍‌ । ହଠାତ୍‌ ବୋଉଙ୍କର ହାତମୁଠାରୁ ନିଜକୁ ମୁକ୍ତ କରିନେଇ କହିଲା–ଏ ତୁମେ କ’ଣ କହୁଛ ବୋଉ ?

ପ୍ରୀତି କହିଲେ–ପ୍ରସ୍ତାବଟାତ ମନ୍ଦ ନୁହେଁ । ଛଗନଲାଲଙ୍କର ଲକ୍ଷ ଲକ୍ଷ ଟଙ୍କାର ତୁ ହେବୁ ମାଲିକ୍‌ । ପୁଣି ତନୁଲତା ଅସୁନ୍ଦରୀ ନୁହେଁ ।

ଜୁ ଛାଡ଼ିଯିବା ମଣିଷପରି ସନତ୍‌ କହିଲା–ତୁମେ କ’ଣ ଏ କଥା କହିପାରୁଛ ବୋଉ ? ଟଙ୍କା କ’ଣ ଜୀବନର ସବୁ କିଛି ? ସୌନ୍ଦର୍ଯ୍ୟ କ’ଣ ଜଗତରେ ଏକମାତ୍ର ମୋହ ? ମଣିଷ ଜୀବନରେ ଆଉକିଛି ନାହିଁ ।

ପ୍ରୀତି କହିଲେ–ମୁଁ ଯେ କଥାଦେଇସାରିଛି ସନୁ ।

ସନତ୍‌ କହିଲା–ତୁମେ ମନାକରିଦିଅ ବୋଉ । ହୁଏତ ତୁମର ଅନୁରୋଧରେ ମୁଁ ମୋର ଚଲାପଥ ଭୁଲିଯିବି । ହେଲେ ଫଳ କ’ଣ ହେବ ? ମୋ ସାରା ଜୀବନର ଲୁହ ତୁମେ ସମ୍ଭାଳି ପାରିବ ତ ?

 

ପ୍ରୀତି କହିଲେ–ତେବେ କ’ଣ ତୁ କହୁଛୁ ମୁଁ ଭଦ୍ରଲୋକଙ୍କ ପାଖରେ ଅପମାନିତା ହେବି-?

 

ସନତ୍‌ କହିଲା–ନା...ନା...ଏ ଜୀବନ ଥିବାଯାଏ ମୁଁ ତୁମକୁ ଅପମାନିତା ହେବାକୁ ଦେବିନି ବୋଉ । ଲୁହର ସାଗରରେ ବୁଡ଼ି ତୁମ ମୁହଁର ଟିକିଏ ହସଦେଖିବାକୁ ଚେଷ୍ଟାକରିବି । ହେଲେ କ’ଣ ତୁମେ ଏଥିରେ ଆନନ୍ଦିତା ହୋଇପାରିବ ? ପୁଅର ଅଭିଳାଷକୁ ମାଟିରେ ମିଶାଇ ତୁମେ ଯଦି ତୁମର ଜିଦ୍‌ ବଜାୟ ରଖିବାକୁ ଚାହଁ...ତେବେ କର, ମୋର ଆପତ୍ତି ନାହିଁ ।

 

ପ୍ରୀତିଙ୍କର ଆଖି ପୂରି ବହିଆସୁଥିଲା ଲୁହ ।

 

ସନତ୍‍କୁ କୋଳଭିତରୁ ଟାଣିନେଇ ପ୍ରୀତି କହିଲେ–ତୋ ଉପରେ ମୋର ଅଗାଧ ବିଶ୍ୱାସ ଅଛି ସନୁ । ତୁ ନିଶ୍ଚୟ ମୋର ଅନୁରୋଧ ରକ୍ଷାକରିପାରିବୁ । ହେଲେ ତନୁଲତା ସହିତ ବିବାହ କରାଇବା ମୋର ଇଚ୍ଛାବିରୁଦ୍ଧ । ମୁଁ ଏପରି ଗୋଟାଏ ପ୍ରସ୍ତାବକୁ ନାକଚ୍‌ କରିଦେଇଛି । କିନ୍ତୁ ବାପା ଚାହାନ୍ତି, ତନୁଲତା ସହିତ ତୋର ବିବାହ ହେଉ ।

 

ସନତ୍‌ କହିଲା–ତୁମେ କ’ଣ ଏମିତି ଗୋଟାଏ ପ୍ରସ୍ତାବକୁ ପସନ୍ଦ କରୁଛ ?

 

ପ୍ରୀତି କହିଲା–ନା...ନା...କଦାପି ନୁହେଁ । ଏପରି ଗୋଟାଏ ପ୍ରସ୍ତାବକୁ ମୁଁ ଗ୍ରହଣ କରିପାରିବିନି । ସେଇଥିପାଇଁ କେବଳ ତୋର ମନ ବିଡ଼ୁଥିଲି ।

 

କଟକ ମେଡ଼ିକାଲ...

 

ନିସ୍ତରଙ୍ଗ ପବନର କୋମଳ ପରଶ ଭିତରେ ମେଡ଼ିକାଲ ଶୋଇଛି, ବହୁ ରୋଗୀ ବହୁ ମରଣଶୀଳ ମଣିଷକୁ କୋଳରେ ଧରି ।

 

ବାହାରେ ଶୁଭୁଛି ଝାଉଁଗଛର ମର୍ମର ଶବ୍ଦ ।

 

ମେଡ଼ିକାଲ ହାତରେ ଧୀରେ ଧୀରେ ଆଜିର ରୋଗୀ ଜମା ହେଉଛନ୍ତି । ଅପରେସନ୍‌ ପାଇଁ ଆସିଥିବା ନୂଆ ରୋଗୀ ହୁଏତ ଆତଙ୍କିତ ହୋଇ ଉଠୁଛନ୍ତି ଅଜଣା ଭୟରେ ।

 

ଆଜି...

 

ସାଇନ୍‌ସ୍‌ ହାଉସର କ୍ୟାଲେଣ୍ଡର କହୁଛି...ଊଣେଇଶିଶହ ଚଊଷଠୀ ମସିହାର ଶେଷଦିନ, ଆଜିଠାରୁ ଏହି ବୟସ୍କ ବର୍ଷଟି ମରିବ । ଆସନ୍ତାକାଲିଠାରୁ ଜନ୍ମନେବ ପଞ୍ଚଷଠୀ ମସିହାର ନୂତନ ସୂର୍ଯ୍ୟୋଦୟ ।

 

ମେଡ଼ିକାଲ ହତା ଆହୁରି ଜନାକୀର୍ଣ୍ଣ ହୋଇଉଠୁଛି ।

 

ପ୍ରାଣବନ୍ତ ହୋଇ ଉଠୁଛି ।

 

ଆଜିଦିନଟି ସ୍ମରଣୀୟ ଦିନ । ଅନ୍ୟ କାହାର ନିକଟରେ ନହେଲେ ମଧ୍ୟ ସନତ୍‌ ନିକଟରେ ।

 

ତା’ର ଡାକ୍ତରୀ ବିଦ୍ୟାର ପ୍ରଥମ ପରୀକ୍ଷାଫଳ ଆଜି ପ୍ରକାଶିତ ହେବ ।

 

ଅହଲ୍ୟାଙ୍କ ପାଟିରୁ ପଟି ଖୋଲାଯିବ । ଅହଲ୍ୟା କଥା କହିବେ । ଡାକିବେ–ବାପା ମାଆ ଆଉ ସନତ୍‍କୁ ।

 

ତରବରରେ ଆବଶ୍ୟକୀୟ ପୋଷାକ୍‌ ପିନ୍ଧିନେଇ ବାହାରକୁ ଆସିଲା ସନତ୍‌ । ପ୍ରୀତି ପଛରୁ ଡାକି କହିଲେ–ଆଜି ବି କ’ଣ ଅଖିଆ ଯିବୁ ସନୁ ?

 

ସନତ୍‌ କହିଲା–ହଁ ବୋଉ ! ଆଜି ମୋତେ ସହଳ ଯିବାକୁ ପଡ଼ିବ । କାରଣ ଯେଉଁ ଝିଅଟି ଉପରେ ମୁଁ ପ୍ରଥମ ଅସ୍ତ୍ରୋପଚାର ଆରମ୍ଭ କରିଛି, ତା’ର ଆଜି ବ୍ୟାଣ୍ଡେଜ ଖୋଲିବା ଦିନ ।

 

କଥାଟା ଶୁଣିପକାଇ ଆଉ ଅଟକାଇବାକୁ ଇଚ୍ଛାକଲେନି ପ୍ରୀତିପଦ୍ମା । କାରଣ ସନତ୍‌ ହାତର କୃତୀତ୍ୱ ଶୁଣିବାକୁ ସେ ବି କମ୍‌ ଆଗ୍ରହୀ ନଥିଲେ ।

 

ପଦାକୁ ଆସିଲା ସନତ୍‌ ।

 

ବିସ୍ତୃତ ରାଜପଥ...

 

ରିକ୍‌ସାଟିଏ ଡାକି ସନତ୍‌ କହିଲା–ଚାଲ ମେଡିକାଲ ।

 

ରିକ୍‌ସା ଗଡ଼ୁଛି, ଗଡ଼ୁଛି ସନତ୍‍ର ମନ, କେତେ ରଙ୍ଗମହଲର ଜଳପରୀ ଫୁର୍‌ ଫାର୍‌ ହୋଇ ଉଡ଼ିଯାଉଛନ୍ତି ଚାରିକଡ଼ରେ । ଅହଲ୍ୟା ଆଜି ନୂଆକରି ଜଗତକୁ କଥା କହି ମୁଗ୍‌ଧ କରିବେ-

 

ଡାକ୍ତରୀ ବିଦ୍ୟାର ଚରମ ପରୀକ୍ଷା ।

 

ସନତ୍‌ ମେଡ଼ିକାଲ ହତା ଛୁଇଁବା ବେଳକୁ ଦେଖିଲା–ରଣଜିତ୍‌ବାବୁ ଓ ରୀତାଦେବୀ ଆଗରୁ ବାରଣ୍ଡାରେ ଅପେକ୍ଷାକରିଛନ୍ତି । ସନତ୍‌ କିନ୍ତୁ ଅପେକ୍ଷା କରିପାରିଲାନି । ନମସ୍କାରଟାଏ କରି ପଶିଗଲା ଭିତରକୁ । ସୁଖ ଦୁଃଖ, ଅଭାବ ଅସୁବିଧା କଥା ହେବାକୁ ବେଳ ନଥିଲା ।

 

ରଣଜିତ୍‌ବାବୁ ଓ ରୀତାଦେବୀ ମଧ୍ୟ ନିରୁତ୍ତର ଥିଲେ । ଭୟ ଆନନ୍ଦ ତାଙ୍କ ମନକୁ ଗ୍ରାସକରି ପକାଇଥିଲା । ମୂକ, ବଧିର, ଅଥର୍ବ, ସ୍ଥାଣୁଭଳି ସେ କେବଳ ବାରଣ୍ଡାରେ ଠିଆହୋଇ ପରକ୍ଷଣକୁ ଅପେକ୍ଷାକରି ରହିଥିଲେ ।

 

ଅପେକ୍ଷା କିନ୍ତୁ ବଡ଼ ବିରକ୍ତିକର । ଟ୍ରେନ୍‌, ମଟର ପାଖରେ ହେଉ, ବା କୌଣସି ଅଭିସାରିକାର ଉଦ୍ଦେଶ୍ୟରେ ହେଉ, ଅପେକ୍ଷାକରିବା ପରି କ୍ଳାନ୍ତିକର ସମୟ ହୁଏତ ଆଉ କେତେବେଳେ ଆସେ ନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରାଣ ଚଞ୍ଚଳ ହୋଇଉଠେ, ଆବେଗ ବୃଦ୍ଧିପାଏ-

 

ଠିକ୍‌ ସେମିତି ଉଦ୍‌ବିଗ୍ନହୋଇ ପଡ଼ୁଥିଲେ ରୀତାଦେବୀ ଓ ରଣଜିତ୍‌ବାବୁ ।

 

ଏଣେ ଅହଲ୍ୟା ଘଣ୍ଟା କଣ୍ଟାକୁ ଅନାଇଁ ଅପେକ୍ଷା କରିଛନ୍ତି । ନୂଆଜୀବନର ମୋହରେ ହୃଦୟ ଉଦ୍‌ବେଳିତ ହୋଇ ଉଠୁଛି, ପୁଣି ପରମୁହୂର୍ତ୍ତରେ ଗୋପନ ଆଶଙ୍କା ମଧ୍ୟ ପ୍ରାଣକୁ ଅସ୍ଥିରକରି ପକାଉଛି ।

 

ଆଜିର ଦିନଟିକୁ ଅପେକ୍ଷାକରି ତାଙ୍କର ବହୁଦିନ କଟିଛି । ବହୁ ଅବାଞ୍ଛିତ ସମୟ ନାଚିକୁଦି ଗତିକରି ଯାଇଛି ।

 

ହେଲେ ଆଜି...

 

ବିଗତ ଗୁଡ଼ାକ ମଲା ମଲା ପରି ଲାଗୁଛି । ବର୍ତ୍ତମାନର ମଣିଷପରି ସେ କେବଳ ଭବିଷ୍ୟତର ସ୍ୱପ୍ନରେ ବିଭୋରା ।

 

ସମୟର ଜ୍ୟାମିତିକ ରେଖାଭିତରେ ସେ ଚାହାନ୍ତି ବୃତ୍ତମୟ ଜୀବନ । ସୁଖମୟ କେନ୍ଦ୍ର ।

 

କେତେଜଣ ନର୍ସଙ୍କ ସଙ୍ଗରେ କୋଠରି ଭିତରକୁ ଆସିଛି ସନତ୍‌ । ମୁହଁରେ ହସନାହିଁ । ଯୌବନର ଲାଳିତ୍ୟନାହିଁ । ସତେଯେମିତି ଗୋଟିଏ ଅହେତୁକୀ ଚିନ୍ତା ତା’ମନକୁ ବୟସ୍କ କରିଦେଇଛି ।

 

ସାମାନ୍ୟ କେତେକ ଯନ୍ତ୍ରପାତି ସହିତ ଆଗକୁ ଆଗେଇ ଆସିଲା ସନତ୍‌ । ଅସ୍ତ୍ରୋପଚାର ଦିନ ସେ ଭୟକରୁ ନଥିଲା । ତା ଦେହ ଥରୁ ନଥିଲା । କିନ୍ତୁ ଆଜି...

 

ଅପରେଟିଂ ହାଉସ ରିଲ୍‌ ପରି ଗତିବାନ୍‌ ନିଶ୍ୱାସ ଘନ ଘନ ହୋଇ ବହିବାରେ ଲାଗିଛି ।

 

ଅହଲ୍ୟାଙ୍କ ବେଡ଼୍‍ପାଖରେ ସ୍ଥିର ହୋଇ ଠିଆହେଲା ସନତ୍‌ ।

 

ସେତେବେଳକୁ ଅହଲ୍ୟାଙ୍କ ଆଖିରୁ ଅଜାଣତରେ ଲୋତକ ବିନ୍ଦୁଟିଏ ଖସିପଡ଼ିଥିଲା । ଏ ଲୋତକ ଦୁଃଖର ନଥିଲା । ଥିଲା କୃତଜ୍ଞତାର ।

 

ମୁହଁର ପଟି ଆଡ଼କୁ ହାତ ବଢ଼ାଇଲା ସନତ୍‍ ।

 

ଅସ୍ଥିର ହୋଇ ଅହଲ୍ୟାଙ୍କର ଦୁଇଟି ଆଖି ନିବଦ୍ଧ ଅଛି ସନ୍‍ତର କପୋଳ ଦେଶରେ ।

 

ପରସ୍ତ ପରେ ପରସ୍ତ ପଟି ଖୋଲିବାକୁ ଆରମ୍ଭ କରିଛି ସନତ୍‍ । ରୀତାଦେବୀ ଓ ରଣଜିତ୍‍ବାବୁ ପଛପଟରେ ଠିଆହୋଇ ଥରିବାରେ ଲାଗିଛନ୍ତି ।

 

ଶେଷ ପଟିସ୍ତରଟି ଖୋଲା ସରିଛି ।

 

ଅହଲ୍ୟା ଉଠି ଶେଯଉପରେ ବସିଛନ୍ତି ।

 

ହଠାତ୍‍ ଅହଲ୍ୟାଙ୍କୁ ହଲାଇଦେଇ ସନତ୍‍ କହିଲା–ଭୋକ ଲାଗୁଛି ଅହଲ୍ୟାଦେବୀ ? କିଛି ଖାଇବ ?

 

ସନତ୍‍କୁ ଉତ୍ତର ଦେବାକୁ ପ୍ରଥମବାର ଚେଷ୍ଟା କରିଛନ୍ତି ଅହଲ୍ୟା । କହିଛନ୍ତି–

 

‘‘ନା ବୋକ ଲାଗୁନାଇଁ, କାଇବି ନାହିଁ । ଗରକୁ ଗଲେ କାଇବି ।’’

 

ଆନନ୍ଦରେ କମ୍ପିଉଠିଲା ସନତ୍‍...

 

ପଛରୁ ଥାଇଁ ମଧ୍ୟ କୁଣ୍ଢାଇ ପକାଇଲେ ରଣଜିତ୍‍ବାବୁ ।

 

ଡାକ୍ତରୀ ବିଦ୍ୟାର ଅପୂର୍ବ କୃତୀତ୍ୱ ।

 

ରୀତାଦେବୀଙ୍କ ଆଖିରୁ ଠସ୍‍ ଠସ୍‍ ହୋଇ ବହିବାରେ ଲାଗିଥିଲା ଲୋତକ ଧାରା । ଏ ଧାରା ଦୁଃଖର ନୁହେଁ...ଆନନ୍ଦର ।

 

ସନତ୍‌ କହିଲା–ମୋ ହାତ ଉପରେ ବିଶ୍ୱାସ ହେଲାତ ସାର୍‌ ? ଅହଲ୍ୟା କହିଲେ–ନା ବୋକ ଲାଗୁନାଇଁ, କାଇବିନାହିଁ, ଗରେ ଗଲେ କାଇବି । ‘ଭ’ ‘ହ’ ‘ଖ’ ‘ଘ’ ଆଦି କେତୋଟି ମହାପ୍ରାଣ ବର୍ଣ୍ଣ ସେ ଉଚ୍ଚାରଣ କରିପାରି ନାହାନ୍ତି । ଏହାର ଅର୍ଥନୁହେଁ ଯେ ସେ ଏ ସବୁ ବର୍ଣ୍ଣ ଉଚ୍ଚାରଣ କରିପାରିବେ ନାହିଁ, ସବୁ ଉଚ୍ଚାରଣ କରିପାରିବେ, ହେଲେ ନୂଆ ଅପରେସନ୍‌ ହୋଇଥିବା ହେତୁ ଗ୍ଳାଣ୍ଡଗୁଡ଼ିକ ଉପରେ ଚାପ ପଡ଼ୁଛି । ଏ ସବୁ ସରବର ହେବାକୁ ସାମାନ୍ୟ ସମୟ ଲାଗିବ । ତେବେ ଏହି ସମୟରେ ଅହଲ୍ୟାଙ୍କୁ ମୁଖରା କରିବାକୁ ପଡ଼ିବ । ବାରମ୍ୱାର କଥା କୁହାଇବାକୁ ପଡ଼ିବ । ତା ହେଲେ ଗ୍ଳାଣ୍ଡଗୁଡ଼ିକ ଆପେ ଆପେ ସରବର ହୋଇଯିବ ।

 

ରୀତାଦେବୀ ଆଉକିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ । ତରବରରେ ଝିଅକୁ କୁଣ୍ଢାଇ ପକାଇ କୋଳକୁ ନେଇ ଯାଉ ଯାଉ କହିଲେ–ମୋ ହଜିଲା ଧନ ମୁଁ ଫେରିପାଇଛି ଅରୁ । ମୋ ହଜିଲା ଧନ ମୁଁ ଫେରିପାଇଛି । ସଂଧ୍ୟା ଦୀପର ଶିଖାରେ ମୋ ଜୀବନର ଘନୀଭୂତ ଅନ୍ଧକାର ନିଶ୍ଚୟ ଦୂର ହୋଇଯିବ ।

 

ବରବର ହୋଇ କେତେ କ’ଣ କହିଯାଉଥିଲେ ଅହଲ୍ୟା । ଇଚ୍ଛାହେଉଥିଲା...ତାଙ୍କ ପାଟିରୁ ନଈସୁଅ ପରି ସବୁବେଳେ କେବଳ କଥା ବାହାରୁ ଥାଆନ୍ତା କି ?

 

ପିଲା ଯେତେବେଳେ ନୂଆକରି କଥା କହେ...ସେତେବେଳେ ସେ କେତେନାହିଁ କେତେକଥା କହିଯିବାକୁ ଇଚ୍ଛାକରେ । ଶ୍ରୋତାକୁ ଶୁଣିବାକୁ ବାଧ୍ୟକରେ । ଆଜି ସେମିତି ଅହଲ୍ୟା ନୂଆକରି କଥା କହିବାକୁ ଆରମ୍ଭ କରିଛନ୍ତି । ତେଣୁ କଥାପରେ କଥା ଅଜାଡ଼ିହୋଇ ପଡ଼ୁଛି ।

 

ଗଙ୍ଗା, ଯମୁନା, ସରସ୍ୱତୀ ପବିତ୍ର ତ୍ରିବେଣୀ ସୃଷ୍ଟି କରିଛନ୍ତି । କିନ୍ତୁ ପବିତ୍ର ତିନୋଟି ଧାର ବହିଯାଉଛି ଗଙ୍ଗାନାମରେ । ଠିକ୍‌ ସେମିତି ରୀତାଦେବୀ, ରଣଜିତ୍‌ ଓ ଅହଲ୍ୟାଙ୍କର ମିଳନ ସନତ୍‍କୁହିଁ ପୁଲକିତ କରିଛି ।

ରଣଜିତ୍‌ ଅନୁଭବ କରୁଛନ୍ତି–ସତେ ଯେମିତି କଟକ ମେଡ଼ିକାଲ୍‌ରେ ଥିବା ସମସ୍ତ ରୋଗୀ ଏକ ଦିନକରେ ଭଲହୋଇ ଯାଇଛନ୍ତି ।

ହଠାତ୍‌ ସନତ୍‌ କହିଲା–ସାର ! ଆଉ ଅପେକ୍ଷା ନ କରି ଅହଲ୍ୟାଙ୍କୁ ଧରି ଘରକୁ ଫେରିଯାଆନ୍ତୁ । ଘରେ ସାମାନ୍ୟ କିଛି ହାଲୁକା ଜିନିଷ ଖାଇବାକୁ ଦେବେ, କାରଣ ଅହଲ୍ୟାଙ୍କର ପାଟିରେ ଏପର୍ଯ୍ୟନ୍ତ ଶକ୍ତି ଆସି ନଥିବ ।

ସନତ୍‍ର କଥାରେ ସମର୍ଥନ ଜଣାଇ ବାହାରିପଡ଼ିଲେ ରଣଜିତ୍‌...

ଯୁବକ ସନତ୍‌ କେବଳ ଅନାଇ ରହିଥିଲା ତିନୋଟି ହୃଦୟର ପରିପୂର୍ଣ୍ଣ ଆନନ୍ଦ ଆଡ଼େ ।

ସାମୁଏଲ୍‌ ବିଲ୍‌ଡ଼ିଂର ନୀଳ ବିଜୁଳି ଆଲୋକ ଆଜି ବି କଟକ ସହରର ଅନ୍ଧକାର ଛାତିକୁ ଆଲୋକିତ କରୁଛି । ବହୁ ଅତିଥି ଅଭ୍ୟାଗତଙ୍କର ଯିବା ଆସିବାରେ ମୁଖର ହୋଇ ଉଠିଛି ସାମୁଏଲ୍‌ ବିଲଡ଼ିଂ । ଛଗନଲାଲ ଓ ଶ୍ୟାମାକାନ୍ତ କ’ଣ ଗୋଟାଏ ବିଷୟରେ ଗୁପ୍ତ ଆଲୋଚନା କରୁଛନ୍ତି ।

ତନୁଲତା ସାମାନ୍ୟ ଅସୁସ୍ଥା ।

ତେଣୁ ସେ ଆସିପାରି ନାହାନ୍ତି ।

ବେଳେ ବେଳେ ଶ୍ୟାମାକାନ୍ତଙ୍କର ଭ୍ରୂ କୁଞ୍ଚିତ ହୋଇ ଉଠୁଛି । ଛଗନ୍‌ଲାଲଙ୍କୁ ଦୋଷୀକରିବା ଭଙ୍ଗୀରେ ସେ ଚିଡ଼ି ଉଠୁଛନ୍ତି ।

ଛଗନ୍‌ଲାଲ ମଧ୍ୟ ମୁଣ୍ଡପାତି ନିଜର ଭୁଲ୍‌ ସ୍ୱୀକାର କରି ନେଉଛନ୍ତି । ହେଲେ ଏହି ଆଲୋଚନା ଭିତରୁ କୌଣସି ଗୋଟାଏ ସମାଧାନର ଖିଅ ବାହାରିବା ପରି ମନେହେଉନି ।

ଠିକ୍‌ ଏହି ସମୟରେ ଗୋଟାଏ କିଛି ଖିଅ ପାଇଲା ପରି ଶ୍ୟାମାକାନ୍ତ ହସି ଉଠୁଥିଲେ, ହେଲେ ସେତିକି ବେଳେ ପୋଲିସ୍‌ ହୁଇସିଲ୍‌ ଶବ୍ଦ ଶୁଣି ଚକିତ ହୋଇ ଚାହିଁରହିଲେ ଶ୍ୟାମାକାନ୍ତ ଓ ଛଗନ୍‌ଲାଲ ।

 

ଚାହୁଁ ଚାହୁଁ ଲହରୀ ସ୍ରୋତପରି ପୋଲିସ୍‌ ସ୍ରୋତ ମାଡ଼ିଆସିଲେ । ପଳାଇବାକୁ ବାଟ ନାହିଁ । ମାଲ୍‌କୁ ସ୍ଥାନାନ୍ତରିତ କରିବାର ସମୟ ନାହିଁ । କିଂକର୍ତ୍ତବ୍ୟବିମୂଢ଼ହୋଇ ସ୍ଥାଣୁଭଳି ଠିଆହୋଇଗଲେ ଶ୍ୟାମାକାନ୍ତ ।

 

ଭିଜିଲାନ୍‌ସ୍‌ର ଏସ୍‌.ପି. କୋଠରି ଭିତରକୁ ପଶି ଆସୁ ଆସୁ କହିଲେ–କ୍ଷମାକରିବେ ମିଷ୍ଟର ଶ୍ୟାମାକାନ୍ତବାବୁ ! ସାମୁଏଲ୍‌ ବିଲ୍‌ଡ଼ିଂ ଖାନ୍‌ତଲାସ କରିବାକୁ ଉପରୁ ଭୀଷଣ ଚାପା, ମୋତେ କର୍ତ୍ତବ୍ୟ ସମାପନ କରିବାକୁ ପଡ଼ିବ । ଆଦେଶ ପାଳନ ନକରିବାକୁ ମୁଁ ବହୁ ଚେଷ୍ଟାକଲି । ହେଲେ ଫଳ କିଛି ହେଲାନି ।

 

ଏସବୁ କଥାଗୁଡ଼ାକ କିନ୍ତୁ ଶ୍ୟାମାକାନ୍ତ ବାବୁଙ୍କୁ ଶୁଭୁନଥିଲା । ଶ୍ୟାମାକାନ୍ତ ଏକରକମ ଜଡ଼ ହୋଇ ଯାଇଥିଲେ । ସେତେବେଳକୁ ଛଗନ୍‌ଲାଲ ତଳେ ପଡ଼ିଯିବା ଉପରେ ।

 

ସମସ୍ତ ଚୋରା କାରବାର ଧରାପଡ଼ିଯାଇଛି । କୃତ୍ରିମ ଦର ବୃଦ୍ଧି ମଧ୍ୟ ଧରାପଡ଼ିଯାଇଛି । ମାଲ୍‌ ସମୁଦ୍ରରେ ବୁଡ଼ିଯାଇଥିବା କଥା ମିଛବୋଲି ଜଣାପଡ଼ିଯାଇଛି । ଜାପାନୀ ଟ୍ରାଞ୍ଜିଷ୍ଟ୍ରାର ଆଦି କାରବାର କଥା ଜଣାପଡ଼ିଯାଇଛି । ତେଣୁ ସାମୁଏଲ୍‌ ବିଲ୍‌ଡ଼ିଂ ଖାନତଲାସ ପାଇଁ ଉପରୁ ଅର୍ଡ଼ର ।

 

ଅଭିଯୋଗଗୁଡ଼ିକ ମୁଖସ୍ଥ କଲାପରି କହି ଯାଉଥିଲେ ଭିଜିଲାନ୍‌ସ୍‌ର ଏସ୍‍:ପି: ସାହେବ ।

 

ଖାଲି ଏତିକି ନୁହେଁ...ସାମୁଏଲ ବିଲଡ଼ିଂର ମଦ କାରବାର କଥା ମଧ୍ୟ ଉପରମହଲ ଜାଣିପାରିଛନ୍ତି । ଯୋଗାଣ ବିଭାଗ ଲାଞ୍ଚନେଉଥିବା କଥା ମଧ୍ୟ ଉପର ମହଲ ଜାଣିପାରିଛନ୍ତି ।

 

ତେଣୁ ସାମୁଏଲ ବିଲ୍‌ଡ଼ିଂ ଖାନ୍‌ତଲାସ ହେଉଛି ।

 

ଅପଲକ ନୟନରେ ଚାହିଁଥିଲେ ଶ୍ୟାମାକାନ୍ତ । ପୋଲିସମାନେ କୋଠରି ପରେ କୋଠରି ଖୋଲି ବିଭିନ୍ନ ଆପତ୍ତିଜନକ ଜିନିଷ ଆୟତ୍ତ କରୁଥିଲେ । ଚାହୁଁ ଚାହୁଁ ଦୁଇଘଣ୍ଟା ଅତିବାହିତ ହୋଇଯାଇଛି । ଆଉ ଗୋଟିଏ ପୋଲିସ୍‌ ଗାଡ଼ି ଆସି ପହଞ୍ଚିଛି । ଜିନିଷ ସିଜ୍‌ହେବ । ଚାଲିଛି, ତଥାପି କାମ ଶେଷ ହୋଇନାହିଁ ।

 

ମାଟିତଳ ଗୁପ୍ତ କୋଠରି ଭିତରେ ଆହୁରି କିଛି ମାଲ ଲୁଚାଯାଇଥିବାର ସନ୍ଦେହ କରାଯାଉଛି ।

 

ବାଥ୍‌ରୁମ ଭିତରେ ହଠାତ୍‌ ଜଣେ ପୋଲିସ ଗୁପ୍ତଦ୍ୱାର ଆବିଷ୍କାର କଲା । ଜଣକପରେ ଜଣେ ପୋଲିସ୍‍ ଭିତରକୁ ଛୁଟିଲେ । ଅନ୍ୟମାନେ ସତର୍କତାର ସହିତ ସମସ୍ତ ଲକ୍ଷ୍ୟକରୁଥିଲେ ।

 

ଖାନତଲାସ କାମ ସରିଗଲା ।

 

ହଜାର ହଜାର ମହଣ ମାଲ୍‌କୁ ପୋଲିସ ଗାଡ଼ି ବୋହିନେବା ଅସମ୍ଭବ । ତେଣୁ ସାମୁଏଲ ବିଲ୍‌ଡ଼ିଂରେ ତାଲା ପକାଇ ପୋଲିସ ଜଗି ରହିବାକୁ ବାଧ୍ୟହେଲେ ।

 

ଲୁହ ଢଳ ଢଳ ଆଖିରେ ବାହାରକୁ ଆସିଲେ ଛଗନଲାଲ ଓ ଶ୍ୟାମାକାନ୍ତ । ସେତେବେଳେ ହୁଏତ ଦୁଇଜଣଙ୍କ ଦେହରେ ରକ୍ତ ନଥିଲା । ଭବିଷ୍ୟତର ଭୟାବହ ଶାସ୍ତିପାଇଁ ସେ ଥରି ଉଠୁଥିଲେ ।

 

ସକାଳ ନ ହେଉଣୁ ଚାରିଆଡ଼ ପ୍ରଘଟ ହୋଇଗଲା...ସାମୁଏଲ୍‌ ବିଲ୍‌ଡ଼ିଂ ସିଜ୍‌ ହୋଇଛି ।

 

କେତେ ଲୋକ ନାକ ଟେକିଲେ । କେତେଲୋକ ବେପରୁଆ ଭାବରେ କହିଲେ–ହଁ...ଏମିତି ଅବା କେଉଁଠି ନହେଉଛି ଯେ...!

 

ସେ ଯାହାହେଉ...

 

ଉଦ୍ଧତ ସାମୁଏଲ୍‌ ବିଲଡ଼ିଂର ଏ କରୁଣ ପରିଣତି ଦେଖିଲେ, ଯେ ନାହିଁ ସେ ଦୁଃଖ କରିବା କଥା । ପରିତାପ କରିବା କଥା !

 

ସାମୁଏଲ ବିଲ୍‌ଡ଼ିଂର ପରିଣତି ପାଇଁ ଯୋଗାଣବିଭାଗ ପ୍ରମାଦ ଗଣୁଥିଲେ । ଆଗାମୀ ଭୟରେ ସଂକୁଚିତ ହୋଇ ଉଠୁଥିଲେ ।

 

ସମୟର ଗତି ଏମିତି...

 

କଥାଟିଏ ଅଛି, ଚୋରଘର ସବୁଦିନ ଅନ୍ଧାର ନୁହେଁ । ଠିକ୍‌ ସେହି ଭାଗ୍ୟ ସାମୁଏଲ ବିଲ୍‌ଡ଼ିଂର ମଧ୍ୟ ହୋଇଛି ।

 

ପାପ ବଳବତ୍ତର ହେଲେ ପରିଣତି ଆପେଆପେ ଆସେ । ତାକୁ ଖୋଜିବା ଦରକାର ପଡ଼େନାହିଁ ।

 

ସାମୁଏଲ ବିଲ୍‌ଡ଼ିଂ ଯେବେ ସତ୍‌ବ୍ୟବସାୟ କରିଥାନ୍ତା, ତେବେ ଲାଭ ଯେ କରିନଥାନ୍ତା ଏମିତି ନୁହେଁ, ହେଲେ ଅପେକ୍ଷାକୃତ ନ୍ୟୁନ ହୋଇଥାନ୍ତା ।

 

ମଣିଷ କିନ୍ତୁ ବଡ଼ ଲୋଭୀ । ସେ ଲାଭପାଇଲେ ଚଷୁରୁ ରସ ନିଗାଡ଼ିବାକୁ ଚେଷ୍ଟାକରେ-। ସତ୍‌ପଥ ଛାଡ଼ି ଅସତପଥକୁ ପାଦ ଖସାଏ । କିନ୍ତୁ ଖସଡ଼ା ପଥରେ ଯେତେବେଳେ ପାଦଖସେ, ସେତେବେଳେ ସେ ନିଜକୁ ଆଉ ରକ୍ଷାକରି ପାରେ ନାହିଁ ।

 

ସାମୁଏଲ ବିଲ୍‌ଡ଼ିଂର ଏ କରୁଣ ପରିଣତି କିନ୍ତୁ ତନୁଲତା ଦେଖି ନଥିଲେ ।

 

ଦୂରରେ ଥାଇ ସେ ଶୁଣୁଥିଲେ ଯାହା ।

 

ସକାଳ ପ୍ରହରଟାରୁ ରଣଜିତ୍‌ବାବୁ ପୁଣି ଚେସ୍‌ ଖେଳିବାକୁ ବସିଯାଇଛନ୍ତି । ଆନନ୍ଦରେ ବୁକୁ ଫାଟିଯାଉଛି । ପାଖ ବାସିନ୍ଦା ଜଣେ ରଣଜିତ୍‌ବାବୁଙ୍କ ସହିତ ଖେଳରେ ଯୋଗଦେଇଛନ୍ତି ।

 

କିନ୍ତୁ ଆଜିର ଖେଳରେ ତାଙ୍କର ନୂଆ ଇତିହାସ...

 

ଖେଳ ଆରମ୍ଭରୁ ଶେଷଯାଏ ସେ ଥରେ ହେଲେ ଜୟକରି ନାହାନ୍ତି । ଏ ପରାଜୟ କିନ୍ତୁ ଆନନ୍ଦର ।

 

ଖେଳିବା ପାଇଁ ସେ ଖାଲି ଖେଳୁଛନ୍ତି । ହେଲେ ଖେଳପ୍ରତି ମୋଟେ ଆଗ୍ରହ ନାହିଁ, ମନ ମଧ୍ୟ ନାହିଁ ।

 

ଠିକ୍‌ ସେହି ସମୟରେ ଆସିଲେ ରୀତାଦେବୀ । ମଝିଖେଳରୁ ଉଠିପଡ଼ି ରଣଜିତ୍‌ବାବୁ କହିଲେ–ରୀତା ! ଅରୁ ଉଠିଲାଣି ?

 

ରୀତାଦେବୀ କହିଲେ–ହଁ...ଉଠି ମୁହଁ ହାତ ଧୋଇ ସାରିଲାଣି, ଆସ ମଣିଂ ଟିଫିନ୍‌ଟା କରିନେବ ।

 

ଆଜି କିନ୍ତୁ ରଣଜିତ୍‌ ମନାକଲେ ନାହିଁ ।

 

କଥା କହୁଁ କହୁଁ ଉଠିପଡ଼ି ପ୍ରସ୍ତୁତ ହୋଇଗଲେ ।

 

ଟେବୁଲର ଗୋଟାଏ ପାଖରେ ବସିଛନ୍ତି ରଣଜିତ୍‌ ଓ ଆଗନ୍ତୁକ ଭଦ୍ରବ୍ୟକ୍ତି, ଅପରପାଖରେ ଅହଲ୍ୟା ।

 

ମୁରୁକି ମୁରୁକି ହସୁଛନ୍ତି ଅହଲ୍ୟା...

 

ଆଜିର ହସଟା କିନ୍ତୁ ରଣଜିତ୍‌ଙ୍କୁ ଆଘାତ ଦେଉନି । ସେ ହସି ହସି ବେଦମ୍‌ ହୋଇ ପଡ଼ୁଛନ୍ତି ।

 

ଅହଲ୍ୟାଙ୍କର ଲାଲଲାଲ ଓଠ, କଇଁଫୁଲ ପରି ମୁହଁ, ତୁଳା ପରି ଧୋବଲା ଦାନ୍ତ ରଣଜିତ୍‌ଙ୍କୁ ପାଗଳ କରୁଛି । ସେ ଅହଲ୍ୟାଙ୍କୁ ବାଧ୍ୟକରି ଆଉ ଦୁଇଖଣ୍ଡ ବିସ୍କୁଟ ଖୋଇବାକୁ ଚେଷ୍ଟା କରୁଛନ୍ତି ।

 

ବାପ ଝିଅଙ୍କର ଆନନ୍ଦ ଦେଖି ପରିତୃପ୍ତ ହେଉଛନ୍ତି ରୀତାଦେବୀ ।

 

ଏହି ସମୟରେ ଆସିଛି ସନତ୍‌...

 

ସାଦର କୃତଜ୍ଞତା ଜଣାଇବାକୁ ରଣଜିତ୍‌ବାବୁ ମଧ୍ୟ ବୟସର ସୀମା ଭୁଲି ଠିଆହୋଇ ପଡ଼ିଛନ୍ତି ।

 

ସନତ୍‌ କହିଲା–ମୋତେ ପ୍ରଶଂସା କରନ୍ତୁନି ସାର୍‌ ! ମୋର କର୍ତ୍ତବ୍ୟହିଁ ମୁଁ କରିଛି ।

 

ରଣଜିତ୍‌ବାବୁ କିନ୍ତୁ ଏସବୁ ଶୁଣୁ ନଥିଲେ । ହାତୀଦାନ୍ତ ମରା ବଙ୍କୁଲି ବାଡ଼ିଟାକୁ ଧରିପକାଇ କହିଲେ–ଆଜି ମୁଁ ଭାରି ଆନନ୍ଦିତ ସନତ୍‌ ! ସକାଳୁ ସକାଳୁ ଯାଇ ଟିକେ ଚଣ୍ଡିମାଆଙ୍କୁ ଦର୍ଶନ କରି ଆସେ । ଅହଲ୍ୟାର ଆଉ ଯାହା ଅସୁବିଧା ଅଛି, ତାହା ତୋ’ରି ଉପରେ ରହିଲା ।

 

କଥା କହୁଁ କହୁଁ ପଦାକୁ ଚାଲିଯାଇଥିଲେ ରଣଜିତ୍‌ବାବୁ ।

 

ରୀତାଦେବୀ ମଧ୍ୟ ସନତ୍‍ପାଇଁ ଟିକେ ଜଳଖିଆ ପ୍ରସ୍ତୁତ କରିବାକୁ ରୋଷେଇଶାଳକୁ ଚାଲିଯାଇଥିଲେ ।

 

ଅହଲ୍ୟା ଚାହିଁଥିଲେ ସନତ୍‍କୁ ।

 

ସନତ୍‌ ମଧ୍ୟ ଅହଲ୍ୟାଙ୍କୁ ।

 

ତଟସ୍ଥ ତଟିନୀ ନିଜର ଧର୍ମଛାଡ଼ି ସ୍ଥିର ହୋଇଯାଇଥିଲା ।

 

ମୁହଁ ଖୋଲିଲା ସନତ୍‌

 

କ’ଣ ଭଲଲାଗୁଛି ଅହଲ୍ୟାଦେବୀ ?

 

ଅହଲ୍ୟାଙ୍କର ସ୍ୱଳ୍ପ ଉତ୍ତର–ତୁମର ଦୟାରୁ ।

 

ଉପର ମହଲାକୁ ପୁଣି ଆସିଲେ ସନତ୍‌ ଓ ଅହଲ୍ୟା ।

 

ଉପର କୋଠରିର ଝରକା ସେମିତି ମେଲାଥିଲା ।

 

ଆଜି କଟକ ସହରର ନୂଆରୂପ...

 

ଦିନ ବଢ଼ିଛି, ଆଲୋକର ରୋଷଣି ବଢ଼ିଛି । ଜନସ୍ରୋତ ବଢ଼ିଛି । ସତେ ଯେମିତି କଟକ ସହର ଆଜି ଜୀବନ୍ତ ହୋଇ ଉଠିଛି ।

 

ଅହଲ୍ୟା କହିଲେ–ଶୁଣିଲି, ଗତକାଲି ରାତିରେ ସାମୁଏଲ ବିଲ୍‌ଡ଼ିଂ ଖାନ୍‌ତଲାସ ହୋଇଛି । ତୁମ ମନରେ ପ୍ରାୟ ଖୁବ୍‌କଷ୍ଟ ହୋଇଥିବ ।

 

ସନତ୍‌ କହିଲା–ସାମୁଏଲ ବିଲ୍‌ଡ଼ିଂ ପାଇଁ ମୁଁ ବ୍ୟସ୍ତ ନୁହେଁ, ହେଲେ ବାପାଙ୍କପାଇଁ ସାମାନ୍ୟ ବ୍ୟସ୍ତ । ବାପା ଯେ ଏମିତି ଗୋଟାଏ ଗୁପ୍ତ ବ୍ୟବସାୟରେ ସହଯୋଗ କରୁଥିଲେ ତାହା ମୁଁ ଆଜିଯାଏ ଜାଣିପାରିନଥିଲି ।

 

ଅହଲ୍ୟା କହିଲେ–ଏଥିପାଇଁ କ’ଣ ତୁମ ମନରେ ଦୁଃଖ ହୁଏ ନାହିଁ ?

 

ଦୃଢ଼ ଗଳାରେ ସନତ୍‌ କହିଲା–ଦୁଃଖ କାହିଁକି ହେବ ? ଆମେ କଳାବଜାରକୁ ସମର୍ଥନ କରିବୁ କାହିଁକି ? ଆନନ୍ଦରେ ଫାଟିପଡ଼ିଲେ ଅହଲ୍ୟା...

 

ବିଚିତ୍ର ମଣିଷ ଏ ସନତ୍‌ । ଅର୍ଥର ମୋହ ନାହିଁ । ପରିବାର ପାଇଁ ଦୁଃଖ ନାହିଁ । ଆଇନପ୍ରତି ସମର୍ଥନ ଅଛି । କଥା ନଅସରେ ଅହଲ୍ୟା ଯାଇ ସନତ୍‌ ପାଖରେ ବସିଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟକଥା, ଆଜି ସନତ୍‌ ହଠାତ୍‌ ଘୁଞ୍ଚିଗଲା । ଥକ୍‌କାହୋଇ ବସିଗଲେ ଅହଲ୍ୟା । ପ୍ରାଣ ଦବକି ଗଲା । ବେଦନାକ୍ଳାନ୍ତ ରୋଗିଣୀଟିଏ ପରି କହିଲେ–କ’ଣ ହେଲା ସନତ୍‍ବାବୁ, ଦୂରେଇ ଗଲ ଯେ... ?

 

ନୀରବ ଥିଲା ସନତ୍‌ ।

 

ଅହଲ୍ୟା ପୁଣି ପାଖକୁ ଲାଗି ଆସିଲେ । କପାଳରେ ଅସଂଖ୍ୟ ପ୍ରଶ୍ନବାଚୀ । କହିଲେ–କ’ଣ ହେଲା ସନତ୍‍ବାବୁ ? ମୋ ଉପରେ ରାଗିଛ ? ମୁଁ କି ଅପରାଧ କଲି ?

 

ମୁହଁ ଖୋଲିଲା ସନତ୍‌...

 

କହିଲା–ମୁଁ ତୁମର ସେବାକରୁଥିଲି ଅହଲ୍ୟାଦେବୀ । ତୁମ ରୋଗ ଭଲକରିବାକୁ ଚେଷ୍ଟାକରୁଥିଲି । ଆଜି ତୁମେ ରୋଗମୁକ୍ତା । ହେଲେ କେଉଁ ଯୁକ୍ତି ନେଇ ପୁଣି ତୁମ ସହିତ ଥଟ୍ଟାପରିହାସ କରିବି ? କେଉଁ ଯୁକ୍ତି ନେଇ ପୁଣି ତୁମ ନିକଟରେ ବସିବି ?

 

ଏତେକ କଥା କହିବାବେଳେ ସନତ୍‍ର ପ୍ରାଣ କାନ୍ଦି ଉଠୁଥିଲା ।

 

ବେଦନାରେ ଥରିଉଠୁଥିଲେ ଅହଲ୍ୟା...

 

ସତେ ଯେମିତି ସେ କହୁଥିଲେ–ମୁଁ ଯୁଗ ଯୁଗଧରି କେବଳ ରୋଗିଣୀ ହୋଇ ରହିବାକୁ ଚାହେଁ ସନତ୍‌ , ଆରୋଗ୍ୟ ଲାଭ କରିବା ମୋର ଦରକାର ନାହିଁ । ତୁମେ ମୋତେ ପୁଣି ରୋଗିଣୀ କରିଦିଅ ।

 

ଅହଲ୍ୟାଙ୍କ ମନୋଭାବ ବୁଝୁଥିଲା ସନତ୍‌ ।

 

ଅହଲ୍ୟାଙ୍କ ଆଖିରୁ ଖସିପଡ଼ୁଥିଲା ଲୁହ ।

 

ଅହଲ୍ୟାଙ୍କର ଫୁଟିଲା ପଦ୍ମପରି ମୁହଁ ଉପରୁ ଲୁହବିନ୍ଦୁ କେତୋଟିକୁ ପୋଛି ଦେଉଁ ଦେଉଁ ସନତ୍‌ କହିଲା–ମୋତେ କ’ଣ ତୁମେ ଚିରଦିନ ସେବକ ରୂପେ ପାଇବାକୁ ଆଶାକର ଅହଲ୍ୟାଦେବୀ ?

ଫିଟିପଡ଼ିଲା ଅହଲ୍ୟାଙ୍କ କାହାଣୀ...

ସନତ୍‍ର କୋଳରେ ଲୋଟିପଡ଼ୁ ପଡ଼ୁ କହିଲେ–ନା...ନା, ଏବେ ପୃଷ୍ଠା ଲେଉଟିଛି ସନତ୍‍ବାବୁ । ତୁମେ ମୋର ସେବକ ହେବନି । ମୁଁ ତୁମର ସେବିକା ହେବି । ତୁମେ ରୋଗୀ... ।

ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା ସନତ୍‌ ।

ଅହଲ୍ୟା କହିଲେ–ମୁଁ କିଛି ମିଛ କହୁନି ସନତ୍‌ ବାବୁ । ଜୀବନର ଯେଉଁ ଆଘାତପ୍ରାପ୍ତ ଯୌବନ ବାରମ୍ୱାର ତୁମ ତନୁତଟରେ ରୋଗୀହୋଇ ଆଶ୍ରୟ ନେଇଛି, ମୁଁ ତା’ରି ହେବି ସେବିକା ।

ସ୍ଥାଣୁଭଳି ବସିରହିଥିଲା ସନତ୍‌...

ଯୌବନର ସେବାପାଇଁ ଏଇମାତ୍ର ପ୍ରଥମ ଆବେଦନ ।

ସନତ୍‌ ଭାବୁଥିଲା, ଜଗତରେ ମଣିଷସମାଜ ସମସ୍ତେ ରୋଗୀ । କିଛିନା କିଛି ରୋଗରେ ସମସ୍ତେ ପୀଡ଼ିତ, ଏ ରୋଗର ସେବା ମଧ୍ୟ ନିହାତି ଦରକାର ।

ମଣିଷ ବଞ୍ଚିବାପାଇଁ ରୋଗଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ ।

କେହି ମଣିଷ ବଞ୍ଚିବାକୁ ତିଳ ତିଳ ହୋଇ ମରେ, ଅବା କେହି ମରିବାକୁ ବଞ୍ଚିରହେ । ଦୁଇଟିର ବାହ୍ୟ ଦିଗ ଦୁଇଟି । ହେଲେ ଅନ୍ତଃଦିଗ ଗୋଟିଏ ।

ହସିଲା ସନତ୍‌ । ଅହଲ୍ୟାଙ୍କର ନିବେଦନ ପାଗଳର ପ୍ରଳାପ ନୁହେଁ । ଯୌବନର ପରିଣତି ।

ନାରୀ ପାଇଁ ପୁରୁଷ ଲୋଡ଼ା...

ଆଉ ପୁରୁଷ ପାଇଁ ନାରୀ...

କେବଳ ସହୃଦୟତାହିଁ ମିଳନର ଯୋଗସୂତ୍ର ।

ଯେତେବେଳେ ପହିଲି ସଂଧ୍ୟାଦୀପର ଶିଖା କାଠଯୋଡ଼ିର ଆର ତୀର ଗାଁରେ ଜଳିଉଠୁଥିଲା–ସେତେବେଳେ ଅହଲ୍ୟା ଓ ସନତ୍‌ ପଥରବନ୍ଧ ଉପରେ ବୁଲୁଥିଲେ ।

ରାତି ଆଗେଇଛି...

ସନତ୍‌ ଅହଲ୍ୟା ଫେରିଆସିଛନ୍ତି ।

ଅହଲ୍ୟା ହୁଏତ ଦ୍ୱିମହଲା କୋଠରିର ଝରକାଦେଇ ବାହାରକୁ ଅନାଉଥିବେ । ସନତ୍‌ ମଧ୍ୟ ନିଜ କୋଠରି ଦେହରେ ବସି ବହୁତ କିଛି ଅଛିଡ଼ା ଅଙ୍କ କଷୁଛି । ହଠାତ୍‌ ଝଡ଼ବେଗରେ ଘରଭିତରକୁ ଆସିଛନ୍ତି ତନୁଲତା ।

ଆଶ୍ଚର୍ଯ୍ୟହୋଇ ଚାହିଁଛି ସନତ୍‌ ।

ତନୁଲତା କହିଲେ–ମୋତେ ଗୋଟାଏ ବିରାଟ ବିପଦରୁ ରକ୍ଷାକର ସନତ୍‍ବାବୁ । ନଚେତ୍‌ ମୋର ସମସ୍ତ ମାନ ସମ୍ମାନ ମାଟିରେ ମିଶିଯିବ ।

 

ସନତ୍‌ କହିଲା–କ’ଣ ହେଇଛି କୁହ । ପାରିଲେ ନିଶ୍ଚୟ ସାହାଯ୍ୟ କରିବି ।

 

କିଛି ଗୌରଚନ୍ଦ୍ରିକା ନଦେଇ ସିଧାସଳଖ ତନୁଲତା କହିଲେ–ଯୌବନର ମଦୁଆନିଶାରେ ମୁଁ ଯେଉଁ ପାପ କରିଛି, ତା’ରି ପ୍ରାୟଶ୍ଚିତ ଚାହେଁ ସନତ୍‍ବାବୁ । ମୋତେ ନିରାଶ କରନି । ଭରସାଦିଅ । ନଚେତ୍‌ ମୋର ସମଗ୍ର ଜୀବନ ଜଳିପୋଡ଼ି ପାଉଁଶ ହୋଇଯିବ ।

 

ସନତ୍‌ ପୁଣି କହିଲା–କ’ଣ ହୋଇଛି ଆଗ କୁହ । କଥାଟା ନଶୁଣି ମୁଁ କି ସାହାଯ୍ୟ କରିପାରିବି ?

 

ତନୁଲତା କହିଲେ–ମୁଁ ଭୟଙ୍କର ପାପ କରିଛି । ଏ ପାପରୁ ମୋତେ ତ୍ରାହିକରନ୍ତୁ ସନତ୍‌ ବାବୁ । କେବଳ ତୁମଛଡ଼ା ଏ ଦିଗରେ ମୋତେ ଆଉକେହି ସାହାଯ୍ୟ କରିବାର ଲୋକ ନାହାନ୍ତି ।

 

ବିରକ୍ତ ହେବାଭଳି ସନତ୍‌ କହିଲା–କହିଲି ପରା କ’ଣ ହୋଇଛି କୁହ । କଥାଟା ନଶୁଣି ମୁଁ କ’ଣ କରିପାରିବି ?

 

ତନୁଲତା କହିଲେ–ସାମୁଏଲ୍‌ ବିଲ୍‌ଡ଼ିଂର ବ୍ୟବସାୟ ପାଇଁ ମୁଁ ନିଜକୁ ତିଳ ତିଳ କରି ବଳି ଦେଇଛି । ନାରୀତ୍ୱକୁ ନଷ୍ଟ କରିଛି । ତା’ରି ପ୍ରତିଫଳ ମୋ ଦେହରେ ସଂକ୍ରାମକ ରୋଗ ପରି ପ୍ରବେଶ କରିଛି । ମୋତେ ତୁମେ ରକ୍ଷାକର ।

 

ଏଥର ନିଜକୁ ଆଉ ଟିକେ ସତର୍କ କରି ନେଇ ସନତ୍‌ କହିଲା–ଫିଟେଇ କୁହ ତନୁଲତା ଦେବୀ । ତୁମ କଥାକୁ ମୁଁ କିଛି ବୁଝିପାରୁନାହିଁ ।

 

ତନୁଲତା ଏଥର ଭୋ ଭୋ ହୋଇ କାନ୍ଦି ଉଠି କହିଲେ–ମୁଁ ଦୁଇମାସର ଅନ୍ତସତ୍ତ୍ୱା, ଗର୍ଭବତୀ ସନତ୍‍ବାବୁ ! ଏ ଜଘନ୍ୟ ଅପବାଦରୁ ମୋତେ ତୁମେ ରକ୍ଷାକର । ଭ୍ରୂଣଟିକୁ ନଷ୍ଟ କରିଦିଅ ।

 

ଆକାଶ ଛିଡ଼ି ପଡ଼ିଲା ପରି ଅନୁଭବ କଲା ସନତ୍‌ ।

 

ହଲେଇ ଦେଇ ଅଳିକରିବା ଭଙ୍ଗୀରେ ତନୁଲତା କହିଲେ–କୁହ ! କୁହ ଡାକ୍ତର, ମୋତେ ତୁମେ ସାହାଯ୍ୟ କରିବ କି ନାହିଁ ?

 

ସନତ୍‌ ସେତେବେଳକୁ ଯୌବନର ଖିଅ ଯୋଡ଼ୁଥିଲା । ତନୁଲତାଙ୍କର ଆକ୍ରମଣରେ ଧ୍ୟାନଭଗ୍ନ ହେବାପରି କହିଲା–ମୁଁ ଏ ଦିଗରେ ତୁମକୁ କି ସାହାଯ୍ୟ କରିପାରିବି ତନୁଲତା ଦେବୀ ?

 

ଥରି ଉଠିଲେ ତନୁଲତା...

 

ଏକରକମ୍‌ ଲୋଟିପଡ଼ି କହିଲେ–ଡାକ୍ତର ସବୁ କିଛି କରିପାରନ୍ତି ସନତ୍‍ବାବୁ । ଦୟାକରି ମୋତେ ଟିକେ ସାହାଯ୍ୟ କରନ୍ତୁ । ମୋର ମର୍ଯ୍ୟାଦା ରକ୍ଷା କରନ୍ତୁ । ବହୁ ଅତିଥିଙ୍କୁ ମୁଁ ସମ୍ମାନ ଦେଇଛି । ହେଲେ କୌଣସି ଜଣେ ମଧ୍ୟ ଏ ସନ୍ତାନର ପିତୃତ୍ୱ ଦାବୀ କରିବାକୁ ନାରାଜ । ମୋ ଜୀବନ ନଷ୍ଟ ହୋଇଯିବ ସନତ୍‍ବାବୁ । ମୋତେ ସାହାଯ୍ୟ କରନ୍ତୁ ।

 

ଯେଉଁ ଡାକ୍ତରୀ ଶାସ୍ତ୍ରରେ ସୃଷ୍ଟିର ସ୍ୱପ୍ନ ଅଛି...

 

ସେହି ଡାକ୍ତରୀ ଶାସ୍ତ୍ରରେ ନଷ୍ଟର ପ୍ରତିକ୍ରିୟା ଅଛି ।

 

ଆଉ ଅଧିକ କିଛି ଚିନ୍ତାକରି ପାରିଲାନି ସନତ୍‌ । ହଠାତ୍‌ କଠୋର ହୋଇ କହିଲା–ନା...ନା...ମୋ ଦ୍ୱାରା ଏ ସବୁ କିଛି ହୋଇ ପାରିବନି... ।

 

ତନୁଲତା କିନ୍ତୁ ଶେଷ ଭରସା ନେଇ ଆସିଥିଲେ ।

 

ସହଜରେ ଚାଲିଯିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା ।

 

ସେ ବାରବାର ଅନୁରୋଧ କରୁଥିଲେ, ଅନୁନୟ କରୁଥିଲେ, ଭିକ୍ଷା ମାଗୁଥିଲେ ।

 

ସମ୍ମାନପାଇଁ ମଣିଷ ମଧ୍ୟ ମଣିଷ ମାରିବାକୁ କୁଣ୍ଠା ବୋଧକରେ ନାହିଁ । ସତୀତ୍ୱର ଦ୍ୱାହୀଦେଇ ସେ ସମଗ୍ର ବିଶ୍ୱର ମାନବସୃଷ୍ଟିକୁ କ୍ଳୀବ କରିଦେବାକୁ ଚେଷ୍ଟାକରେ ।

 

ସତୀତ୍ୱ...

 

 

ନାରୀତ୍ୱ...

 

ଦୁଇଟି ବିପରୀତମୁଖୀ ଧର୍ମ ନୁହଁନ୍ତି । ହେଲେ ସମୟ ବିଶେଷରେ ଏ ଦୁଇଟା ଶତ୍ରୁହୋଇ ଉଠନ୍ତି । ନାରୀତ୍ୱ ପାଖରେ ସତୀତ୍ୱ ହାର ମାନେ । ହେଲେ ଯେଉଁଠି ସତୀତ୍ୱ ପାଖରେ ନାରୀତ୍ୱ ହାର୍‌ମାନେ, ସେଠି ନାରୀ ହୁଏ ଦେବୀ ।

 

ତନୁଲତାଙ୍କର ଯେ ଦେବୀ ହେବାର କ୍ଷମତା ନଥିଲା, ତାହା ନୁହେଁ, କିନ୍ତୁ ନଗ୍ନନାରୀତ୍ୱ ତାଙ୍କୁ ଅନେକାଂଶରେ ଜୟକରିଯାଇଥିଲା ।

 

ଯୁବତୀ ସମୟରେ ଯଦି ଜଣେ ନାରୀ କାହାକୁ ଭଲପାଇ ବସେ, ତେବେ ତାକୁ ଦେହର ଡାକରା ବୋଲି ଧରି ନିଆଯାଇପାରେ । ହେଲେ ବିବାହପରେ ଯଦି ନାରୀ ଅସନ୍ତୁଷ୍ଟା ହୁଏ, ବିଗତ ସହିତ ସମ୍ଫର୍କ ରଖିବାକୁ ଇଚ୍ଛାକରେ ତେବେ ତାକୁ ରାକ୍ଷସୀ କହିବାରେ ଆପତ୍ତି ନାହିଁ ।

 

ତନୁଲତା ବିବାହ ନ କରିଥିଲେ ମଧ୍ୟ ଯୌବନକୁ ତିଳତିଳ କରି ଉପଭୋଗ କରିଛନ୍ତି ।

 

ପୁଣି ସତୀତ୍ୱକୁ ସ୍ୱାଗତ କରିବା କେବଳ ଅବାସ୍ତବ କଳ୍ପନା ଛଡ଼ା ଆଉ କିଛି ନୁହେଁ ।

 

ଏଥର ତନୁଲତା ସନତ୍‍ର ଗୋଡ଼ ଧରିଲେ । ନିଜକୁ ପାପମୁକ୍ତ କରିବାକୁ ଭିକ୍ଷା ମାଗିଲେ ।

 

ନିଷ୍ଠୁରଭାବରେ ତନୁଲତାଙ୍କୁ ଠେଲି ଦେଇ ସନତ୍‌ କହିଲା–ତୁମକୁ ପାପମୁକ୍ତ କରି ଶେଷରେ ସମାଜ ସମ୍ମୁଖରେ ମୁଁ ପାପୀ ହୋଇଯିବି ତନୁଲତା ଦେବୀ । ଦୟାକରି ମୋତେ କ୍ଷମା କରନ୍ତୁ । ମୁଁ ପାରିବିନି ।

 

ଉପାୟଶୂନ୍ୟା ହୋଇ ଉଠିଲେ ତନୁଲତା...

 

ଆଜି ଦୁନିଆଟା ତାଙ୍କ ନିକଟରେ ବିରାଟ ଶୂନ୍ୟତାରେ ପରିଣତ ହୋଇଛି ।

 

ବହୁତ ରାତି ପର୍ଯ୍ୟନ୍ତ ଶୋଇନାହାନ୍ତି ଅହଲ୍ୟା । ମନ ଭିତରେ ଚକ ଘୂରିଲାପରି କଳ୍ପନା ଘୂରୁଛି, ଉପର ତଳ ଆଉ ତଳ ଉପର ହୋଇ ।

 

କଥା କହିବାର ଶକ୍ତି ନ ଥିବାବେଳେ ସେ ଏତେ ଚିନ୍ତା କରୁ ନ ଥିଲେ । ଏତେ ମ୍ରିୟମାଣ ହୋଇ ପଡ଼ୁ ନଥିଲେ, ହେଲେ ଆଜି...

 

ବିରାଟ ଭବିଷ୍ୟତର ସୁନେଲିସ୍ୱପ୍ନ ତାଙ୍କ ପିଞ୍ଜରାକୁ ମଧ୍ୟ ହଲାଇ ଦେଉଛି । ସେ ଚିନ୍ତା କରୁଛନ୍ତି ବହୁତ କିଛି...ସବୁ କିଛି...।

 

ସେ ସନତ୍‍କୁ ଭଲ ପାଇବେ ?

 

ତେଣୁ...

 

କିନ୍ତୁ

 

ଅତଏବ...

 

ଏମିତି ବହୁତ କିଛି ଯୁକ୍ତି ତାଙ୍କ ମୁଣ୍ଡକୁ ଗୋଳମାଳ କରିଦେଉଛି ।

 

ଢେଉ ଢେଉକା ଦେହରେ ନିସ୍ତରଙ୍ଗ ଯୌବନ ଆସିଛି । ଏ ଯୌବନ କ୍ଷଣିକ । ଭେଜାଲ ହେଲେ ନଷ୍ଟ ହୋଇଯିବ । ନିର୍ମଳ ହେଲେ ଜୀବନ ସୁଖମୟ ହେବ । ଜୀବନରେ ସେ ବହୁ ଉପକଥା ଶୁଣିଛନ୍ତି, କେବଳ ଏହି ଯୌବନ ବିଷୟରେ ।

 

ଗୋଟିଏ ଯୁବକକୁ ଗୋଟିଏ ଯୁବତୀ ବିବାହ କରିଥିଲା । ହେଲେ ମଧୁଶଯ୍ୟାର ତରଙ୍ଗଖେଳା ଆଲୋକ ଭିତରେ ଜଣାଗଲା, ଏ ମଧୁଶଯ୍ୟା ଯୁବତୀ ପାଖରେ ନୂତନ ନୁହେଁ । ସେ ଅଭ୍ୟସ୍ତା ।

 

ଯୁବକଟି ଏକ ରକମ ଭାଙ୍ଗି ପଡ଼ିଥିଲା । ଯୁବତୀକୁ ଜୀବନର ଅନେକ କ୍ଷେତ୍ରରେ ସନ୍ଦେହ କରିଥିଲା । ତେଣୁ ଜୀବନ ହେଲା ନିହାତି ଦୁଃଖମୟ । ଯୁବକ ଅନେକ ସମୟରେ ନିଜର ମୃତ୍ୟୁକୁ ଅନାଇ ବସୁଥିଲା, ନତୁବା ଯୁବତୀର ମୃତ୍ୟୁ ଖବର ପାଇଁ ଆଗ୍ରହୀ ହୋଇ ଉଠୁଥିଲା ।

 

ସନ୍ଦେହର ଜୀବାଣୁ ବଡ଼ ଭୟଙ୍କର ।

 

ସେ ଥରେ ମନ ଭିତରେ ପ୍ରବେଶ କଲେ, ଆଉ ବାହାରିବା କଷ୍ଟକର କଥା ।

 

ସେଇଥିପାଇଁ, ଯୁବକ ଓ ଯୁବତୀ ଦୁହେଁ ମରଣାନ୍ତକ ଦୁଃଖ ଅନୁଭବ କରୁଥିଲେ । ଯୁବତୀ ଚାହୁଥିଲା–ଯୁବକ, ମୋତେ ତିଳ ତିଳ କରି ଉପଭୋଗ କରନ୍ତୁ । ହେଲେ ଯୁବକ ଚାହୁଥିଲା–ଯୁବତୀ ମୋ’ ଠାରୁ ଦୂରେଇ ରହୁ ।

 

ପୁଣି ଉପରକୁ ଚାହିଁଲେ ଅହଲ୍ୟାଦେବୀ ।

 

ସେ ସନତ୍‍କୁ ହୃଦୟ ଦେଇଛନ୍ତି...

 

ଯଦି...

 

ହଁ...ହଁ...ଯଦି ସନତ୍‌ ତାଙ୍କୁ ବିବାହ ନ କରେ, ତେବେ ସେ ଯନ୍ତ୍ରଣା ସହିପାରିବେ ତ ?

 

ଭାବନାଟା ଗୋଳମାଳ ହୋଇଗଲା । ପଲଙ୍କ ବାଡ଼ାରେ ମୁଣ୍ଡଦେଇ ଢଳି ପଡ଼ିଲେ ଅହଲ୍ୟା ।

 

ସାମୁଏଲ ବିଲ୍‌ଡ଼ିଂର କରୁଣ ପରିଣତି ପରେ ଏବେ ଶ୍ୟାମାକାନ୍ତ ବାବୁ ଘରେ ରହୁଛନ୍ତି । ଘାଉଲା ବାଘପରି ଘରର ସମସ୍ତଙ୍କୁ ଆକ୍ରମଣ କରୁଛନ୍ତି । ବିନା କାରଣରେ ମଧ୍ୟ ରାଗୁଛନ୍ତି ।

 

ସାମୁଏଲ ବିଲ୍‌ଡ଼ିଂର କୌଣସି କାଗଜ ପତ୍ର ତାଙ୍କ ନାଁରେ ନାହିଁ । ସେଥିପାଇଁ ସେ ଆଇନ୍‌ କବଳରୁ ରକ୍ଷା ପାଇ ଯାଇପାରନ୍ତି । ହେଲେ ବିବେକ ତାଙ୍କୁ ଆଘାତ ପରେ ଆଘାତ ଦେବାରେ ଲାଗିଛି ।

 

ସେଦିନ ସକାଳ ଜଳଖିଆଟା ସଜାଡ଼ି ଦେଉ ଦେଉ ପ୍ରୀତି କହିଲେ–ଘର ମୋହ ଛାଡ଼ି ଅର୍ଥ ପଛରେ ଗୋଡ଼େଇ ଗୋଡ଼େଇ ତ ବେଶ୍‌ଫଳ ପାଇଲ । ଏବେ ଟିକେ ଘରକଥା ଚିନ୍ତାକର ।

 

କରୁଣଦୃଷ୍ଟିରେ ଚାହିଁ ରହିଲେ ଶ୍ୟାମାକାନ୍ତ । ସତେ ଯେମିତି କଥା ପଦଟା ତାଙ୍କୁ ଖୁବ୍‌ ବାଧିଥିଲା । ଆଜି ସେ ଚିନ୍ତା କରୁଛନ୍ତି–ବାସ୍ତବିକ ମୁଁ ଟଙ୍କା ପଛରେ ଗୋଡ଼ାଇ ମସ୍ତବଡ଼ ଭୁଲ କରିଛି-

 

ଏଥର ଅନୁନୟ କରିବା ସ୍ୱରରେ ପ୍ରୀତି କହିଲେ–ଯାହା ହେବାର ହେଲା । ତୁମେ ବୁଢ଼ା ହେଲ, ଘରେ ବସ । ମୁଁ ମଧ୍ୟ ଘର କାମକୁ ପାରୁନାହିଁ, ମୋ ପାଇଁ ଟିକେ ଚେଷ୍ଟା କର ।

 

ପ୍ରୀତିଙ୍କର କଥା କିଛି ବୁଝି ପାରିଲେନି ଶ୍ୟାମାକାନ୍ତ । ଯେଉଁ ଘରେ ଅର୍ଥର ଅଭାବ ନାହିଁ, ଚାକର, ପୂଝାରୀର ଅଭାବ ନାହିଁ, ସେ ଘରେ ପରିଶ୍ରମ କରିବା ଅବା ପ୍ରୀତିଙ୍କର କି ଦରକାର-?

 

ମୁହଁ ଖୋଲିଲେ ଶ୍ୟାମାକାନ୍ତ ।

 

କହିଲେ–ତୁମକୁ ଅଧିକ ପରିଶ୍ରମ କରିବାକୁ ତ ମୁଁ କହୁନାହିଁ । ତୁମେ ପୂର୍ଣ୍ଣ ବିଶ୍ରାମ ନେଇପାର ।

 

ଦୁଃଖରେ ମଧ୍ୟ ହସି ଉଠିଲେ ପ୍ରୀତି । କହିଲେ–ମୁଁ ପରିଶ୍ରମ ନ କଲେ ପରିଶ୍ରମ ଲାଘବ ହେବ ନାହିଁ । ଏଥିପାଇଁ ଆହୁରି କିଛି ଦରକାର ।

 

ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ ଶ୍ୟାମାକାନ୍ତ ।

 

ପ୍ରୀତି କହିଲେ–ସନତ୍‍ର ବିବାହଯୋଗ୍ୟ ବୟସ ହୋଇଛି । ତା’ ପାଇଁ ଉପଯୁକ୍ତ ପାତ୍ରୀଟିଏ ଠିକ୍‌ କର । ତା’ ହେଲେ ଅନ୍ତତଃ ଘରର ଦାୟିତ୍ୱ ମୋ ମୁଣ୍ଡରୁ ଯିବ ।

 

ସ୍ଥିର ହୋଇ ବସିଲେ ଶ୍ୟାମାକାନ୍ତ । କିଛି ସମୟ ପୂର୍ବରୁ ତନୁଲତାଙ୍କର ଅସଲ ସ୍ୱରୂପ କଥା ଶୁଣିଛନ୍ତି । ତେଣୁ ତାଙ୍କ ପ୍ରଶ୍ନ ଉଠାଇବାର ଯୁକ୍ତି ନାହିଁ ।

 

ପୁଣି ମୁଣ୍ଡ ତଳକୁ କଲେ ଶ୍ୟାମାକାନ୍ତ । କହିଲେ–ଏ ଗୁରୁଦାୟିତ୍ୱ ମୋତେ ଦିଅନାହିଁ । ତୁମେ ନିଜେ ଠିକ୍‌କର । ତୁମ ପ୍ରସ୍ତାବକୁ ମୁଁ ନିଶ୍ଚୟ ସମର୍ଥନ କରିବି ।

 

ଦୀର୍ଘ ନିଶ୍ୱାସ ଛାଡ଼ିଲେ ପ୍ରୀତି । ସାମାନ୍ୟ ଦବିଯାଇ କହିଲେ–ମୁଁ ଗୋଟିଏ ଝିଅ ମନେ ମନେ ଠିକ୍‌ କରିଛି । ତୁମେ ହଁ ଭରିଲେ ପ୍ରସ୍ତାବ ପକାଇବି ।

 

ଏଥର ପୁଣି ମୁଣ୍ଡ ଉଠାଇଲେ ଶ୍ୟାମାକାନ୍ତ । ଆଶ୍ୱସ୍ତ ହେବା ଭଙ୍ଗୀରେ କହିଲେ–କୁହ, ଆଜି ଯାଇ ମୁଁ ଠିକ୍‌ଠାକ୍‌ କରିଆସିବି ।

 

ଛେପ ଢୋକି ପ୍ରୀତି କହିଲେ–ରଣଜିତ୍‌ବାବୁ ତୁମର ସାଥୀ । ତାଙ୍କର ଆଭିଜାତ୍ୟ, ବଂଶ ମର୍ଯ୍ୟାଦା ବିଷୟରେ ତୁମେ ବେଶ୍‌ ଜାଣିଛ । ତାଙ୍କରି ଝିଅର ପାଟି ଏବେ ସନତ୍‌ ଅପରେସନ୍‌ କରିଥିଲା । ସନତ୍‍ଠାରୁ ତା’ର ଜୀବନୀ ମୁଁ ଶୁଣିଛି । ତାକୁ ହିଁ ବୋହୂକରି ଆଣିବାକୁ ମୁଁ ଇଚ୍ଛୁକ । ତୁମେ କ’ଣ ରାଜି ?

 

ଶ୍ୟାମାକାନ୍ତଙ୍କର ଆପତ୍ତି କରିବା କାରଣ ନଥିଲା । କାରଣ–ସେ ରଣଜିତ୍‌ବାବୁଙ୍କୁ ବେଶ୍‌ରକମ୍‌ ଜାଣିଥିଲେ ।

 

ତଥାପି ଲୌକିକ ଦୃଷ୍ଟିକୋଣରୁ କହିଲେ–ଏ ପ୍ରସ୍ତାବରେ କ’ଣ ସନତ୍‌ ରାଜି ?

 

ପ୍ରୀତି କହିଲେ–ହଁ, ମୁଁ ଯେତେଦୂର ଜାଣେ, ସେ ପୂର୍ଣ୍ଣମାତ୍ରାରେ ରାଜି । ଦ୍ୱିତୀୟରେ ଅହଲ୍ୟା ଦେଖିବାକୁ ମଧ୍ୟ ଚମ୍ଫାଫୁଲଟି ପରି ।

 

ଆଉ କିଛି କହିଲେନି ଶ୍ୟାମାକାନ୍ତବାବୁ ।

 

ବିବାହ ପ୍ରସ୍ତାବ ନେଇ ଆସିଥିଲେ ଶ୍ୟାମାକାନ୍ତବାବୁ ।

 

ପ୍ରସ୍ତାବରେ ରଣଜିତ୍‌ବାବୁ ରାଜି ହୋଇଛନ୍ତି । ରୀତାଦେବୀ ମଧ୍ୟ ସମର୍ଥନ ଜଣାଇଛନ୍ତି ।

 

ଅହଲ୍ୟାଙ୍କ ଆନନ୍ଦ ଆଜି କହିଲେ ନସରେ । ସେ କେବଳ ଆଜି ହସୁଛନ୍ତି ଆଉ ହସୁଛନ୍ତି । ବିବାହ ପ୍ରସ୍ତାବ ପଡ଼ିଲେ ଯୁବତୀ ପ୍ରାଣ ଯାହା ହୁଏ, ତାହା କେବଳ ଯୁବତୀଛଡ଼ା ଅନ୍ୟ କେହି ଅନୁଭବ କରିବା କଷ୍ଟ ।

 

ନୂଆଘର, ନୂଆ ଜୀବନ, ନୂଆ ଅନୁଭୂତି ।

 

ସବୁ ନୂଆ ଭିତରେ ପୁରୁଣା ଦେହକୁ ଆହୁତି ଦେଇ ଯୁବତୀ ସ୍ୱର୍ଗୀୟ ମୁହୂର୍ତ୍ତକୁ ଅପେକ୍ଷାକରି ବସେ ।

 

ମୁହୂର୍ତ୍ତ ଆସେ ପୁଣି ଯାଏ...

 

ବାନ୍ଧିରଖି ହୁଏନି...

 

ମନେପକାଇ ହୁଏନି...

 

କେବଳ ବିଶ୍ଳେଷଣ କରିହୁଏ ।

 

ଏ ମୁହୂର୍ତ୍ତଟି ନାରୀଜୀବନରେ ସବୁଠାରୁ ରୋମାଞ୍ଚକର, ଅବିସ୍ମୃତ ।

 

ବିବାହ ଆଉ ବେଶିଦିନ ନାହିଁ ।

 

ସେଥିପାଇଁ ଦୁଇ ପରିବାର ଭିତରେ ଧୁମ୍‌ଧାମ୍‌ ଆୟୋଜନ ଚାଲିଛି । ସାଜସଜ୍ଜା ଚାଲିଛି-

 

ସନତ୍‌ ତରଫରୁ ଯୌତୁକ ପାଇଁ ଦାବି ନାହିଁ । ଅହଲ୍ୟାଙ୍କ ତରଫରୁ ମଧ୍ୟ ଦେବାରେ ଆପତ୍ତି ନାହିଁ ।

 

କାରଣ...

 

ରଣଜିତ୍‌ଙ୍କର ଏକମାତ୍ର କନ୍ୟା ଅହଲ୍ୟା । ପରଘରକୁ ଗଲେ ମଧ୍ୟ ବାପମାଆଙ୍କର ପୂର୍ଣ୍ଣ ଦାୟିତ୍ୱ ରହିବ ତାଙ୍କରି ଉପରେ ।

 

ଅହଲ୍ୟାଙ୍କ କଥା ଚିନ୍ତା କରୁ କରୁ ଅନେକ ସମୟରେ ହସି ଉଠେ ସନତ୍‌ । ଅଦ୍ଭୁତ ଏ ମିଳନ । ଅଦ୍ଭୁତ ଏ ଯୋଗସୂତ୍ର ।

 

ସେଦିନର ସେହି ଚେସ୍‌ଖେଳ କଥା ମନେ ପକାଏ ସନତ୍‌ । ଅବିସ୍ମୃତ ମୁହୂର୍ତ୍ତ । ବିଖ୍ୟାତ ଖେଳାଳୀ ରଣଜିତ୍‌ଙ୍କୁ ବାରବାର କରି ତିନିବାର ହରାଇ ଦେଇଥିଲା ସେ ।

 

ସେଥିପାଇଁ...

 

ରଣଜିତ୍‌ଙ୍କ ଘରେ ଏକରକମ କୌତୂହଳ ସୃଷ୍ଟି ହୋଇଥିଲା ।

 

ତା’ପରେ...

 

ଅନେକ କିଛି ଦିନ ଗଡ଼ି ଯାଇଛି ।

 

ଗୋଟି ଗୋଟି ସବୁ ମନେ ପଡ଼ି ଯାଉଛି ।

 

ଅହଲ୍ୟାଙ୍କୁ ଦେଖାଇବାକୁ ନେଇଥିଲେ ରଣଜିତ୍‌ ।

 

ନିର୍ବୋଧ ଭଳି କେବଳ ଟିକେ କ୍ଷୀଣ ହସି ହସିଥିଲେ ଅହଲ୍ୟା... ।

 

ମନେ ମନେ ଖୁବ୍‌ଜୋର୍‌ରେ ହସି ଉଠିଥିଲା ସନତ୍‌ ।

 

ବିଗତ କଥା ମନେ ପଡ଼ିଲେ ଅନେକ ସମୟରେ ଆପେ ଆପେ ଏମିତି ହସଲାଗେ ।

 

ଠିକ୍‌ ସେତେବେଳକୁ ଘରକୁ ପଶି ଆସୁଥିଲେ ଶ୍ୟାମାକାନ୍ତ ।

 

ପୁଅର ହସରେ ଦମକି ଠିଆ ହୋଇ କହିଲେ–ଏମିତି ଆପେ ଆପେ ହସୁଛୁ କାହିଁକିରେ ସନତ୍‌ ?

 

ସନତ୍‍ର ମୁହଁ ଲଜ୍ଜାରେ ରଙ୍ଗା ପଡ଼ିଗଲା ।

 

ହଠାତ୍‌ ଉତ୍ତାପ ଜିରୋ ଡିଗ୍ରୀକୁ ଖସିଗଲେ ଯେମିତି ପାଣିଗୁଡ଼ାକ ବରଫ ପାଲଟି ଯାଏ–ସେମିତି ।

 

ବରଫକୁ ପୁଣି ପାଣି ହେବାଲାଗି ଉତ୍ତାପ ଦରକାର ପଡ଼େ । ଠିକ୍‌ ସେହିପରି ସନତ୍‍କୁ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବାଲାଗି ସମୟ ଲାଗିଥିଲା ।

 

ଶ୍ୟାମାକାନ୍ତବାବୁ କିନ୍ତୁ ବଡ଼ ସନ୍ଦେହୀ । ସନତ୍‍ଠାରୁ କଥାଟା ଆଦାୟ ନ କଲାଯାଏ ଛାଡ଼ିଲେନି । କହିଲେ–କହ ସନତ୍‌ ! କାହିଁକି ହସୁଥିଲୁ ?

 

ମୁହଁ ଖୋଲିଲା ସନତ୍‌...

 

କିନ୍ତୁ କହିବା କଥାଗୁଡ଼ାକ ଅକୁହା ହୋଇ ରହିଗଲା ।

 

ବେଳୁବେଳ ଶ୍ୟାମାକାନ୍ତଙ୍କ ମନଦେହରେ ସନ୍ଦେହ ଜମାଟ ବାନ୍ଧି ଆସିଲା । ବାଧ୍ୟକରି କହିଲେ–ଫିଟେଇ କହ ସନତ୍‌ । ସଙ୍କୋଚ କରୁଛୁ କାହିଁକି ?

 

କହିବାକୁ ବାଧ୍ୟ ହୋଇଛି ସନତ୍‌ ।

 

ଚାହି ରହିଛନ୍ତି ଶ୍ୟାମାକାନ୍ତ ବାବୁ ।

 

ଦୁଃଖ...ଆନନ୍ଦ...

 

ଦୁଇଟି ଘୂର୍ଣ୍ଣାୟମାନ ବସ୍ତୁ ।

 

କେତେବେଳେ ଦୁଃଖ ବା କେତେବେଳେ ସୁଖ ମଣିଷ ଜୀବନରେ ଆସି ପୁଣି ଅସ୍ତଯାଏ-। ତାହା ଅନୁମାନ କରିବା କଷ୍ଟ । ମଣିଷ କିନ୍ତୁ ଅନେକ ସମୟରେ ଭାବନାକୁ ଗୋପନ ରଖେ । ଅଭିନୟ କରିବାକୁ ଚେଷ୍ଟା କରେ । ଅଭିନୟ ମଣିଷର ଚିରନ୍ତନ ପ୍ରକୃତି ।

 

ଅନେକ ସମୟରେ ସ୍ତ୍ରୀ ପୁରୁଷ ଉପରେ ସନ୍ତୁଷ୍ଟ ନ ଥାଏ । ହେଲେ ଅଭିନୟ କରି କହେ, ମୋ ଅନ୍ତର ଫେଡ଼ି ଦେଖ, କେବଳ ତୁମେହିଁ ସର୍ବତ୍ର ବିରାଜମାନ କରିଛ । ଠିକ୍‌ ସେହିପରି କ୍ୱଚିତ୍‌ ପୁରୁଷ ମଧ୍ୟ ସତ କହିଥାନ୍ତି । କିନ୍ତୁ ବିଚକ୍ଷଣ ମଣିଷ ପାଖରେ ଏ ସବୁ ଅଭିନୟ ଧରାପଡ଼ିଯାଏ ।

 

ଠିକ୍‌ ସେମିତି...

 

ନାନା ଅଭିନୟ କରି ସନତ୍‌ କଥାଟାକୁ ଗୋପନ ରଖିବାକୁ ଚାହିଲେ ମଧ୍ୟ ପାରିଲା ନାହିଁ । ଶ୍ୟାମାକାନ୍ତ ବୁଦ୍ଧି ଖଟାଇ କଥା ଆଦାୟ କରୁଥିଲେ ।

 

କଥାଟା ଗୋପନ ରଖିବାକୁ ସନତ୍‍ର କୌଣସି ଉଦ୍ଦେଶ୍ୟ ନ ଥିଲା । ହେଲେ ବାପା ଜାଣିଲେ କାଳେ କିଛି ଭାବିବେ...ସନତ୍‌ ଚରିତ୍ରହୀନ ବୋଲି ଚିନ୍ତା କରିବେ, ସେଇଥିପାଇଁ ସେ କହିବାକୁ ଅରାଜି ଥିଲା ।

 

ତେବେ ଯାହାହେଉ...

 

କଥାଟାକୁ ବୁଲାଇ ସେ ଅନ୍ୟ ବାଗରେ କଟାଇ ଦେବାକୁ ଚେଷ୍ଟା କଲା । କହିଲା...

 

ଆପଣ ଅହଲ୍ୟାଙ୍କୁ ବୋହୂରୂପରେ ବାଛି ଖୁବ୍‌ ଭଲକାମ କରିଛନ୍ତି । କାରଣ ହୁଏତ ତାଙ୍କ ଜୀବନରେ ସେ’ ମୋ ପରି ଗୋଟିଏ ସ୍ୱାମୀ ପାଇ ନ ଥାନ୍ତେ ।

 

କଥାଟା ଶୁଣି ଅବଶ୍ୟ ଶ୍ୟାମାକାନ୍ତ ଗୌରବ ଅନୁଭବ କରୁଥିଲେ । ହେଲେ, ଅହଲ୍ୟା ଯେ ସନତ୍‌ ପରି ପାତ୍ରର ଅଯୋଗ୍ୟା, ଏ କଥା ସେ ଚିନ୍ତା କରି ପାରୁ ନ ଥିଲେ ।

 

ସମାଜରେ ରଣଜିତ୍‌ବାବୁଙ୍କର ଖ୍ୟାତି ଅଛି, ସମ୍ପତ୍ତି ଅଛି । ଅହଲ୍ୟା ମଧ୍ୟ ରୂପସୀ । ତେବେ ସନତ୍‌ ପରି ଅନ୍ୟ ପାତ୍ରଙ୍କ ନିକଟରେ ଅଯୋଗ୍ୟା ହେବ କାହିଁକି ?

 

କଥାଟାକୁ ଆଉ ଟିକେ ଫିଟେଇ ବୁଝିବାକୁ ଚେଷ୍ଟା କଲେ ଶ୍ୟାମାକାନ୍ତ । କହିଲେ–କାହିଁକି ? ରଣଜିତ୍‌ କ’ଣ ତୋ ପରି ଆଉ ଭଲ ପାତ୍ର ପାଇ ନ ଥାନ୍ତେ ?

 

ସନତ୍‌ କହିଲା–ହଁ, ନିଶ୍ଚୟ ପାଇଥାନ୍ତେ, ହେଲେ ଯିଏ ଅହଲ୍ୟାଙ୍କର ଇତିହାସ ଜାଣିଥାନ୍ତା, ସେ ବିବାହକରିବାକୁ ରାଜି ହୋଇ ନ ଥାନ୍ତା । କିନ୍ତୁ ମୁଁ ସବୁ ଶୁଣି ମଧ୍ୟ ରାଜି ହୋଇଛି । ସେଇଥିପାଇଁ ଖୁବ୍‌ ହସ ଲାଗିଲା ।

 

ଆହୁରି ଅଡ଼ୁଆରେ ପଡ଼ିଲେ ଶ୍ୟାମାକାନ୍ତ । କହିଲେ ଅହଲ୍ୟା ତ ରଣଜିତ୍‌ଙ୍କ ଝିଅ । ତା’ର ଜୀବନରେ ଅବା ଏମିତି କ’ଣ ରହସ୍ୟମୟ ଇତିହାସ ରହିପାରେ ?

 

ସନତ୍‌ କହିଲା–ଠିକ୍‌ କହିଛନ୍ତି ବାପା ! ଅହଲ୍ୟା ରଣଜିତ୍‌ବାବୁଙ୍କ ଝିଅ ହୋଇଥିଲେ, କୌଣସି କୌତୂହଳପୂର୍ଣ୍ଣ ଇତିହାସ ନଥାନ୍ତା, କିନ୍ତୁ ଦୁର୍ଭାଗ୍ୟର କଥା ଯେ ଅହଲ୍ୟା ରଣଜିତ୍‌ବାବୁଙ୍କ ଝିଅ ନୁହନ୍ତି ।

 

ହଠାତ୍‌ ଚମକି ଉଠିଲେ ଶ୍ୟାମାକାନ୍ତ । କହିଲେ–କ’ଣ ତୋ ମୁଣ୍ଡରେ ପାଗଳାମି ଢୁକିଛି-? ତୋତେ କିଏ କହିଲା ଯେ ଅହଲ୍ୟା ରଣଜିତ୍‌ଙ୍କ ଝିଅ ନୁହନ୍ତି ?

 

ସହଜଭାବରେ ସନତ୍‌ କହିଲା–ମୁଁ ଅନ୍ୟ କାହାଠାରୁ ଏ କାହାଣୀ ଶୁଣିନି ବାପା ! ନିଜେ ରଣଜିତ୍‌ବାବୁଙ୍କଠୁ ଶୁଣିଛି । ବହୁଦିନ ତଳେ ଗୋଟିଏ ଏକ୍‌ସିଡ଼େଣ୍ଟରେ ଅହଲ୍ୟାଙ୍କର ବାପା ପ୍ରାଣତ୍ୟାଗ କରିଥିଲେ । ସେହି ଏକ୍‌ସିଡ଼େଣ୍ଟ ସ୍ଥାନରୁ ରଣଜିତ୍‌ବାବୁ ଲାଭକରିଥିଲେ ଅହଲ୍ୟାଙ୍କୁ । ଏପରିକି, ଅହଲ୍ୟାଙ୍କର ଜାତି ଗୋତ୍ର ମଧ୍ୟ ରଣଜିତ୍‌ବାବୁ ଜାଣନ୍ତି ନାହିଁ । କିନ୍ତୁ ଅହଲ୍ୟା ଆବାଲ୍ୟରୁ ରଣଜିତ୍‌ବାବୁଙ୍କ କୋଳରେ ଲାଳିତା ।

 

ତା’ ଛଡ଼ା ଏକ୍‌ସିଡ଼େଣ୍ଟ ଯୋଗୁଁ ସେ କଥାକହି ପାରୁନଥିଲେ । ଜିଭତଳର ମାଂସ ବଢ଼ିଯାଇଥିଲା । ମୋର ଅଗାଧ ପରିଶ୍ରମ ଫଳରେ ଏବେ ସେ ବେଶ୍‌ କଥା କହି ପାରୁଛନ୍ତି ।

 

ସନତ୍‍ର କାହାଣୀ ଶୁଣି ହଠାତ୍‌ ଉତ୍ତ୍ୟକ୍ତ ହୋଇଉଠିଲେ ଶ୍ୟାମାକାନ୍ତ । ପର ମୁହୂର୍ତ୍ତରେ...ପ୍ରକମ୍ପିତଗଳାରେ ପ୍ରୀତିଙ୍କୁ ଡାକୁ ଡାକୁ କହିଲେ–ନା...ନା...ଏ ବିବାହ ହୋଇପାରେନା । ଗୋଟିଏ ଅଜ୍ଞାତ କୁଳଶୀଳ କନ୍ୟାକୁ ମୋର ପୁଅ ବିବାହ କରିପାରେନା ।

 

ବାପାଙ୍କର ହଠାତ୍‌ ରାଗ ଦେଖି ଚମକି ଉଠିଲା ସନତ୍‌ ।

 

କଥାଟା ଓଲଟା ଗତିରେ ଗତିକରିବ ବୋଲି ସେ ଭାବି ନଥିଲା । ସେ ଭାବିଥିଲା–ପୁଅର ସ୍ୱାର୍ଥତ୍ୟାଗ ଦେଖି ବାପା ପ୍ରଶଂସା କରିବେ । ଏଇଥିପାଇଁ କଥାଟାକୁ ଅନେକବାର ଉଙ୍କାରିଆଣି ସେ ବନ୍ଦକରି ଦେଇଛି । ବୋଉଙ୍କୁ ଅନୁର କଥା ଖୋଲି କହିଛି । ବୋଉ ମଧ୍ୟ ସମର୍ଥନ ଜଣାଇଛନ୍ତି । ହେଲେ ବାପାଙ୍କୁ ଶୁଣାଇ ନାହିଁ ।

 

ହେଲେ ଆଜି...

 

ଅଘଟଣ କଥା ଘଟିଛି ।

 

ଯାହା ନହେବା କଥା, ତାହା ହୋଇଛି ।

 

କଥାଟା କହି କିନ୍ତୁ ଶ୍ୟାମାକାନ୍ତ ସ୍ଥିର ହେଲେନି । ସିଧାସଳଖ ବାହାରିଲେ ରଣଜିତ୍‌ଙ୍କ ଘର ଆଡ଼େ ।

 

ବହୁ ଆନନ୍ଦମୟ ଦିନମଧ୍ୟରୁ ଆଜିବି ଗୋଟିଏ ଦିନ । ରଣଜିତ୍‌ବାବୁ ଅହଲ୍ୟାଙ୍କ ସହିତ ଚେସ୍‌ଖେଳିବାରେ ବସନ୍ତି ।

 

ଏଇ ହୁଏତ ଅହଲ୍ୟାଙ୍କ ସହିତ ତାଙ୍କର ଶେଷ ଚେସ୍‌ଖେଳ । ସେଇଥିପାଇଁ ସେ ମନୋନିବେଶ କରି ଖେଳିବାରେ ଲାଗିଛନ୍ତି । ହାରଜିତ୍‌ ପ୍ରତି ଖିଆଲ ନାହିଁ । ହେଲେ ଖେଳ ପ୍ରତି ନିଶା ଅଛି ।

 

କେତେଟା ଦିନମାତ୍ର ଝିଅର ବାହାଘର ।

 

ସେଥିପାଇଁ ଦିନରାତି କାମ ଲାଗିଛି ।

 

ରୀତାଦେବୀଙ୍କୁ ଦିନରାତିର ବ୍ୟବଧାନ ଜଣାଯାଉନାହିଁ ।

 

ସମସ୍ତ ମାତୃଜାତିଟା ଏଇଆ । ଏମାନେ ଝିଅର ବାହାଘର ଦେଖିବାକୁ ବ୍ୟଗ୍ରହୋଇପଡ଼ନ୍ତି । ସ୍ୱାମୀଙ୍କୁ ଉଠାଇବସାଇ ଦିଅନ୍ତିନାହିଁ ।

 

ହେଲେ ଠିକ୍‌ ବିବାହର ପରମୁହୂର୍ତ୍ତରେ ଭାଙ୍ଗିପଡ଼ନ୍ତି । କାନ୍ଦି କାନ୍ଦି ମ୍ରିୟମାଣ ହୋଇ ପଡ଼ନ୍ତି । ରୀତାଦେବୀ ସେମିତି ଗୋଟିଏ ମାଆ । ଝିଅର ବିବାହ ପାଇଁ ସେ ବ୍ୟସ୍ତ ହେବେନି ତ ଆଉ ହେବ କିଏ ?

 

ବାହାର କାମପାଇଁ ସିନା ରଣଜିତ୍‌ବାବୁ ।

 

ହେଲେ ଘର କାମପାଇଁ ଯେ ରୀତାଦେବୀ ?

 

ଏଣେ ଅହଲ୍ୟା ମଧ୍ୟ ଉନମନା ହୋଇଛନ୍ତି । ଏଣିକି ତାଙ୍କର ଅନେକ କାମ ଭୁଲ୍‌ହୋଇ ଯାଉଛି । ସୁଏଟରର ଉଲଗୁଡ଼ାକୁ ଧାଡ଼ି ଛାଡ଼ି ଅନ୍ୟ ଆଡ଼େ ଚାଲିଯାଉଛନ୍ତି । ପିକ୍‌ଟୋଗ୍ରାମର ଗୋଲାପ ଫୁଲ ଚିତ୍ର ପ୍ରଜାପତି ହୋଇଯାଉଛି ।

 

ସେ ହସୁଛନ୍ତି...ଆଉ ହସୁଛନ୍ତି...

 

ପରକ୍ଷଣରେ ପୁଣି ପଥର ମୂର୍ତ୍ତି ଭଳି ବସିଥିବାର ମଧ୍ୟ ଦେଖାଯାଉଛି । ସେତେବେଳେ ହୁଏତ ସେ ଆଉ ଗୋଟାଏ ନୂଆ ଜୀବନର ସୂତା ଯୋଡ଼ୁଛନ୍ତି । ସେହି ସୂତାରେ ନିଜକୁ ମାପୁଛନ୍ତି, ତା’ ସହିତ ସମଗ୍ର ଦୁନିଆକୁ ।

 

ଖେଳର ମଝିରେ ଆସିଛନ୍ତି ଶ୍ୟାମାକାନ୍ତ ।

 

ରଣଜିତ୍‌ ଭାବୀ ସମ୍ୱନ୍ଧୀଙ୍କୁ ସ୍ୱାଗତ ଜଣାଇବାକୁ ଉଠି ଯାଇଛନ୍ତି ।

 

କିନ୍ତୁ ଶ୍ୟାମାକାନ୍ତଙ୍କର ରାଗିଲା ମୁହଁ ଦେଖି ତଟସ୍ଥ ହୋଇ ଠିଆହୋଇଛନ୍ତି ରଣଜିତ୍‌ ।

 

ବିସୁଭିୟସ୍‌ ଲାଭା ଉଦ୍‍ଗୀରଣ ପରି ଶ୍ୟାମାକାନ୍ତ କହିଛନ୍ତି–ଏ ବିଭାଘର ହୋଇ ପାରିବନି ରଣଜିତ୍‌ବାବୁ । ମୁଁ ପ୍ରସ୍ତାବ ଭାଙ୍ଗି ଦେଇଗଲି । ଆପଣ ଅନ୍ୟ ବର ଦେଖନ୍ତୁ ।

 

ଚମକି ଉଠିଲେ ରଣଜିତ୍‌ । ଶ୍ୟାମାକାନ୍ତଙ୍କ ମୁହଁରେ ହାତଦେଇ କହିଲେ–ଏ କ’ଣ କହୁଛନ୍ତି ଶ୍ୟାମାକାନ୍ତ ବାବୁ ? ମୁଁ ଯେ ସବୁ ପ୍ରସ୍ତୁତକରି ସାରିଛି ! ଆପଣ ମୋ ସହିତ ଥଟ୍ଟା କରୁନାହାନ୍ତି ତ ?

 

ଏଥର ପ୍ରଳୟ ଭାବରେ ରାଗି ଉଠିଲେ ଶ୍ୟାମାକାନ୍ତ । କହିଲେ–ମୁଁ ତୁମ ସହିତ ଥଟ୍ଟାକରିବାକୁ ଆସିନି ରଣଜିତ୍‌ବାବୁ । ମୋ ତରଫରୁ ଆସିଥିବା ପ୍ରସ୍ତାବକୁ ମୁଁ ଫେରାଇ ନେବାକୁ ଆସିଛି ।

 

ରଣଜିତ୍‌ବାବୁ ଆଉ ଠିଆହୋଇ ପାରୁନଥିଲେ । ଚେୟାରଟା ଉପରେ ବସିଯାଇ କହିଲେ–କିନ୍ତୁ କାହିଁକି ? ମୋ ଉପରେ ଏ ନିଷ୍ଠୁର ପ୍ରତିଶୋଧ ତୁମେ ନେଇ କାହିଁକି ଶ୍ୟାମାକାନ୍ତବାବୁ ? ମୁଁ ତୁମର କି ଦୋଷ କଲି ?

 

ଶ୍ୟାମାକାନ୍ତ କହିଲେ–ମୁଁ ଦୋଷୀ ନିର୍ଦ୍ଦୋଷ ବା ପାପପୁଣ୍ୟର ପରିମାଣ ମାପିବାକୁ ଆସିନି ରଣଜିତ୍‌ବାବୁ । ମୁଁ ଆସିଛି, ମୋ ପୁଅର ବିବାହ କରିବି ନାହିଁ ବୋଲି ମନାକରିବାକୁ ।

 

ଏଥର ରୀତିମତ ଶ୍ୟାମାକାନ୍ତଙ୍କ ଗୋଡ଼କୁ ଧରିପକାଇ ରଣଜିତ୍‌ବାବୁ କହିଲେ–କିନ୍ତୁ କାହିଁକି ? ଏତେ ନିଷ୍ଠୁର ତୁମେ କାହିଁକି ହେଉଛ କୁହ ଶ୍ୟାମାକାନ୍ତ ବାବୁ ? ମୁଁ କ’ଣ କିଛି ଦେବିନି ବୋଲି ଅବିଶ୍ୱାସ ହେଉଛି ? ସବୁ କିଛି ଦେବି । ଚାହିବ ତ ଏ ବିରାଟ କୋଠା ମଧ୍ୟ ମୁଁ ଛାଡ଼ିଦେବି । ଚାହିଲେ ଆଗରୁ ଲେଖିଦେବି । ହେଲେ ମୋତେ ଆଉ ଏତେ ବଡ଼ ଆଘାତ ଦିଅନି ଶ୍ୟାମାକାନ୍ତବାବୁ ।

 

ଶ୍ୟାମାକାନ୍ତ କହିଲେ–ଶ୍ୟାମାକାନ୍ତ ଅର୍ଥଲୋଭୀ ହେଲେ ମଧ୍ୟ ଚରିତ୍ର ଆଉ ଆଭିଜାତ୍ୟକୁ ସେ ବଡ଼ ଆସନ ଦିଏ ରଣଜିତ୍‌ବାବୁ ।

 

ଶୁଣିଲ, ଅହଲ୍ୟା ତୁମର ଝିଅ ନୁହନ୍ତି । ସେ ଅଜ୍ଞାତ କୁଳଶୀଳା, ଏପରି ଗୋଟିଏ ଝିଅକୁ ମୁଁ ବୋହୂକରି ନେବାକୁ ଅରାଜି । ତୁମେ ଅନ୍ୟ ବ୍ୟବସ୍ଥା କର ।

 

ରଣଜିତ୍‌ଙ୍କ ମୁଣ୍ଡରେ ଆକାଶ ଛିଡ଼ିପଡ଼ିଲା, ପରି କହିଲେ–ଅହଲ୍ୟା ମୋର ଝିଅ ନହୋଇପାରେ, ହେଲେ ବାଲ୍ୟକାଳରୁ ମୁଁ ତ ପାଳିରଖିଛି । ଏତେଦିନର ସେବାରେ କ’ଣ ମୋର ରକ୍ତ ତା’ର ଦେହରେ ମିଶିଲାନି ! କେବଳ ମୋ’ରି ଔରସରୁ ଜନ୍ମ ହୋଇଥିଲେ ସବୁ କିଛି ହୋଇଥାନ୍ତା ?

 

ଶ୍ୟାମାକାନ୍ତ କହିଲେ–ନା...ନା...ୟା ହୋଇନପାରେ । ମୁଁ ଏ ବିବାହ କରାଇ ଦେବିନି । କିଏ କହିବ ଯେ ଅହଲ୍ୟା ଜାରଜା ହୋଇନପାରେ ?

 

କମ୍ଫିଉଠିଲେ ରଣଜିତ୍‌, କହିଲେ–କେବଳ ଅହଲ୍ୟା ପାଇଁ ମୁଁ ସବୁକିଛି ସହୁଛି ଶ୍ୟାମାକାନ୍ତବାବୁ, ତଥାପି କହୁଛି–ଏ ପ୍ରସ୍ତାବ ତୁମେ ଭାଙ୍ଗନି ।

 

ଶ୍ୟାମାକାନ୍ତ କହିଲେ–ମୁଁ ବଞ୍ଚି ଥାଉଁ ଥାଉଁ ଏପରି ଗୋଟିଏ ଝିଅ ସହିତ ମୋ ପୁଅର ବିବାହ ହୋଇପାରିବନି ।

 

ହଠାତ୍‌ ରଣଜିତ୍‌ ଦୃଢ଼ ହୋଇଯାଇ କହିଲେ–କିନ୍ତୁ ମୁଁ କହୁଛି, ଏ ବିବାହ ହେବ ।

 

ହସି ଉଠିଲେ ଶ୍ୟାମାକାନ୍ତ–କହିଲେ କ’ଣ ଜବରଦସ୍ତ ?

 

ରଣଜିତ୍‌ କହିଲେ–ନା...ନା...ମୁଁ ତୁମରି ଯୁକ୍ତି ନେଇ କହୁଛି ଶ୍ୟାମାକାନ୍ତବାବୁ ! ଏ ବିବାହ ନିଶ୍ଚୟ ହେବ ।

 

ଶ୍ୟାମାକାନ୍ତ କହିଲେ–ତୁମେ ତୁମର ଝିଅର ବିଭାଘର କରିପାର ହେଲେ ମୋ ପୁଅର ମୁଁ କରିପାରିବିନି । ରଣଜିତ୍‌ କହିଲେ–ନା ନା, ମୋ ପୁଅର ବିବାହ ମୁଁ କରିବି ।

 

ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁରହିଲେ ଶ୍ୟାମାକାନ୍ତ ।

 

ରଣଜିତ୍‌ କହିଲେ–ମୋ ପୁଅର ବିବାହ ଯେବେ ମୁଁ କରେ, ତେବେ ତୁମେ କ’ଣ ଆପତ୍ତି କରିବ ?

 

ହସିଲେ ଶ୍ୟାମାକାନ୍ତ । କାରଣ ସେ ଜାଣନ୍ତି, ରଣଜିତ୍‌ ପୁତ୍ରହୀନ ।

 

ସେହିପରି ଉତ୍ତ୍ୟକ୍ତ ଅବସ୍ଥାରେ ଥାଇ ରଣଜିତ୍‌ କହିଲେ–ମୋର ଯେମିତି ଅହଲ୍ୟା କେହି ନୁହେଁ, ତୁମର ସେମିତି ସନତ୍‌ କେହି ନୁହେଁ ।

 

ଠିକ୍‌ ଏହି ସମୟରେ ସନତ୍‌ ଆସି ଦାଣ୍ଡ ଦରଜା ପାଖରେ ଠିଆ ହୋଇ ଯାଇଥିଲା ।

 

ରଣଜିତ୍‌ କୋଟର ଗୁପ୍ତ ପକେଟ୍‌ରୁ ଗୋଟିଏ ବହୁ ପୁରୁଣାକାଳିଆ ଫଟୋ ବାହାରକରି କହିଲେ–ଦେଖୁଛ ଶ୍ୟାମାକାନ୍ତବାବୁ କହିପାରିବ ଏ କାହାର ଫଟୋ ?

 

ଶ୍ୟାମାକାନ୍ତଙ୍କ ଆଖି ମୁଦିହୋଇ ଆସୁଥିଲା ।

 

ସେ ଦେଖିଲେ ଫଟୋଦେହରେ ଗୋଟିଏ ଅସଂଯତ ଅବସ୍ଥାରେ ଅଛନ୍ତି ରଣଜିତ୍‌ ଓ ପ୍ରୀତି ।

 

ରଣଜିତ୍‌ କହିଲେ–ତୁମର ସ୍ତ୍ରୀ ପ୍ରୀତି ଥିଲେ ମୋର ବିଗତର ପ୍ରଣୟିନୀ ପ୍ରୀତିପଦ୍ମା । କେତେ ଅଳସ ସଂଧ୍ୟା ସେ ମୋରି କୋଳରେ କଟାଇ ଦେଇଛନ୍ତି । ମୋରି ଔରସରୁ ସୃଷ୍ଟି ପ୍ରଥମ ସନ୍ତାନ ଏହି ସନତ୍‌ । ଦୁଇମାସର ଅନ୍ତସତ୍ତ୍ୱା ହେବାପରେ ସେ ବିବାହ କରିଥିଲେ ତୁମକୁ । ସେଇଥିପାଇଁ ସନତ୍‌ ମାତ୍ର ସାତମାସରେ ଜନ୍ମ ହୋଇଥିଲା ।

 

ହେଲେ ଏକଥା ମୋତେ ଅନେକ ଦିନ ପର୍ଯ୍ୟନ୍ତ ଜଣାନଥିଲା । ସନତ୍‍ର ବିଲାତ ଫେରନ୍ତା ଉତ୍ସବ ଦିନ ମୁଁ ସବୁକଥା ଜାଣିପାରିଥିଲି । ସେଇଥିପାଇଁ ସନତ୍‍କୁ ଆମଘରକୁ ଆସିବାପାଇଁ ବାରମ୍ୱାର ଅନୁରୋଧ କରୁଥିଲି ।

 

ଏଣେ ଅହଲ୍ୟା ମଧ୍ୟ ମୋର ପାଳିତା । ଦୁଇଜଣଙ୍କର ବିବାହକୁ ତୁମେ ବାରଣ କରିବାକୁ କିଏ ?

 

ଲଜ୍ଜା ଓ ଅପମାନରେ ଶ୍ୟାମାକାନ୍ତ ପାଗଳ ହୋଇ ଉଠିଲେ ।

 

ତେଣେ ସନତ୍‌ ମଧ୍ୟ ଦାଣ୍ଡଦ୍ୱାରରୁ ଏ କଥା ଶୁଣିପକାଇ ପାଗଳଙ୍କ ପରି ଝଡ଼ବେଗରେ ବାହାରି ପଳାଇଥିଲା... ।

 

ଘର ଭିତରେ ଅଦ୍ଭୁତ ନୀରବତା ।

 

କ’ଣ ଗୋଟାଏ କାମ କରିବାରେ ବ୍ୟସ୍ତ ଥିଲେ ପ୍ରୀତି । ସନତ୍‌ ତେଣିକି ଦୃଷ୍ଟି ନଦେଇ ପଶିଗଲା ନିଜର କୋଠରି ଭିତରକୁ । ଅପମାନରେ ତା’ର ମଥା ଅବନତ ହୋଇ ଯାଇଥିଲା ।

 

ତା’ର ବୋଉ ଅସତୀ...

 

ତା’ର ପରିଚିତ ବାପା ବାପା ନୁହନ୍ତି...

 

ଶତାବ୍ଦୀର ମଣିଷ ସୃଷ୍ଟିରେ ସେ ଗୋଟିଏ ଭେଜାଲ ମଣିଷ...

 

ଏପରି ମଣିଷ ଏ ସମାଜରେ ବଞ୍ଚିବା ଉଚିତ୍‌ ନୁହେଁ...

 

ଏମାନେ ପରିଚୟହୀନ...

 

ଏମାନେ ପଙ୍ଗୁ...

 

ଏମାନେ ନଷ୍ଟର ସାଙ୍କେତିକ ଚିହ୍ନ...

 

ଧଡ଼୍‍କରି କୋଠରିର ଦରଜା ବନ୍ଦକରିଦେଲା ସନତ୍‌ ।

 

ଡାକିବାକୁ ଚେଷ୍ଟାକଲେ ପ୍ରୀତି, ହେଲେ ଜବାବ୍‌ ଦେଲାନି ସନତ୍‌ ।

 

ସାମାନ୍ୟ କେତେ ଘଣ୍ଟାର ବ୍ୟବଧାନ...

 

କଥାଟା ଚାରିଆଡ଼େ ପ୍ରଘଟ ହୋଇଗଲା...

 

ବିଲାତ ଫେରନ୍ତା ଯୁବକ ଡାକ୍ତର ସନତ୍‌ କୁମାର ଘରୋଇ କାରଣ ଯୋଗୁଁ ପୋଟାସିୟମ୍‌ ସାଇନାଇଟ୍‌ ଖାଇ ଆତ୍ମହତ୍ୟା କରିଛନ୍ତି ।

 

ଚେୟାର ଉପରୁ ଢଳି ପଡ଼ିଲେ ରଣଜିତ୍‌...

 

ପଥର ପାଲଟି ଯାଇଥିଲେ ଅହଲ୍ୟା ।

 

ଗୋଟିଏ କ୍ଷୁଦ୍ର କବିତା ପରି ସନତ୍‍ର ଦୀର୍ଘ ଜୀବନର ନାଟକୀୟ ପରିସମାପ୍ତି ହୋଇଛି-। ଆଜି ସମସ୍ତେ ଭାବୁଛନ୍ତି–ସନତ୍‍ର ମୃତ୍ୟୁପାଇଁ ଦାୟୀ କିଏ ? ଅହଲ୍ୟା ! ରଣଜିତ୍‌ ! ରୀତାଦେବୀ-! ପ୍ରୀତି ! ଶ୍ୟାମାକାନ୍ତ ! ତନୁଲତା ! ଛଗନ୍‌ଲାଲ ! ଅବା ଶିଳ୍ପୀ ଇନ୍ଦ୍ରଦେବ !

 

କେହି କାହାରି କଥାର ସମାଧାନ କରିପାରିନାହାନ୍ତି । ସମୟ ଗଡ଼ିଛି...

 

ଦୁଇଟି ପରିବାରର ଏହି କରୁଣ ପରିଣତ ପରେ ଏବେ ରଣଜିତ୍‌ ଓ ଶ୍ୟାମାକାନ୍ତ ଯାଇ ରହିଛନ୍ତି ଭୂବନେଶ୍ୱରରେ । ହୁଏତ କେହି ଆଉ କାହାରି ମୁହଁ ଚାହିଁପାରି ନାହାନ୍ତି ।

 

ଏଇ ସନତ୍‍ର ଫଟୋଟି ପାଇଁ ଶିଳ୍ପୀ ଇନ୍ଦ୍ରଦେବଙ୍କ ନିକଟରେ ଗୋଡ଼ ଭାଙ୍ଗି ଠିଆ ହୋଇଥିଲେ ଅହଲ୍ୟାଦେବୀ । ସେଦିନ ମଧ୍ୟ ଅବେଳରେ ଆସି ଇନ୍ଦ୍ରଦେବଙ୍କ ଷ୍ଟୁଡ଼ିଓରେ ପହଞ୍ଚିଥିଲେ ।

 

ଆଜି ଇନ୍ଦ୍ରଦେବଙ୍କର ଚିତ୍ରଟି ସମ୍ଫୂର୍ଣ୍ଣ ହୋଇଛି । ଅହଲ୍ୟା ଷ୍ଟୁଡ଼ିଓ ଦ୍ୱାରରେ ଗୋଡ଼ଦେବା ମାତ୍ରେ ଇନ୍ଦ୍ରଦେବ କହିଲେ–ତୁମର ଚିତ୍ରଟି ଶେଷ ହୋଇ ଯାଇଛି ଅହଲ୍ୟାଦେବୀ ! ଆଜି ତୁମେ ନେଇ ଯାଇପାର... ।

 

କିନ୍ତୁ...

 

ଆଗ୍ରହରେ ଚିତ୍ରଟି ଆଡ଼େ ହାତ ବଢ଼ାଇଲେନି ଅହଲ୍ୟା ।

 

ହଠାତ୍‌ ଶିଳ୍ପୀ ଇନ୍ଦ୍ରଦେବଙ୍କର ହାତଟିକୁ ଧରିପକାଇ କହିଲେ–ତୁମେ ତୁମର ଏହି ହାତଟି ମୋତେ ଦେଇପାରିବ ଶିଳ୍ପୀ ? ଯିଏ ସନତ୍‍ର ଏହି ଫଟୋପରି ବହୁ ଜୀବନ୍ତ ଫଟୋ ଆଙ୍କିପାରିବ, କଥା କୁହାଇ ପାରିବ, ଅନ୍ୟ କେଉଁଠି ନୁହେଁ... କେବଳ ମୋର ଏହି ହୃଦୟର ପ୍ରଚ୍ଛଦପଟ୍ଟରେ ।

 

ଅହଲ୍ୟାଙ୍କର କଥା ଶୁଣି ଅବାକ୍‌ହୋଇ ଚାହିଁ ରହିଥିଲେ ଇନ୍ଦ୍ରଦେବ ।

 

କ୍ୟାପିଟାଲର ନରମ ସଂଧ୍ୟାରେ, ଦୂର ଦିଗ୍‌ବଳୟର କେତୋଟି ଦୀପଶିଖା ହାତ ମିଳାଇବାକୁ ଚେଷ୍ଟା କରୁଥିଲା ।

 

ଅହଲ୍ୟାଙ୍କ ଦୃଷ୍ଟି ନିବଦ୍ଧ ଥିଲା ଶିଳ୍ପୀ ଇନ୍ଦ୍ରଦେବଙ୍କ ମୁଖମଣ୍ଡଳ ଉପରେ ।

 

ଜୟହିନ୍ଦ୍‌ !

Image